ପୁରୀରେ ୮୭, ଭୁବନେଶ୍ୱରରେ ୬୩ ବର୍ଷର ରେକର୍ଡ ଭାଙ୍ଗିଲା

ଭୁବନେଶ୍ୱର,୧୪।୯(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତ(ଡିପ୍‌ ଡିପ୍ରେସନ)ରେ ପରିଣତ ହେବା ଯୋଗୁ ଗତ ଦୁଇଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଚାଷ ଜମି ଜଳମଗ୍ନ ହୋଇଯାଇଛି। କେତେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ବେଳେ କାନ୍ଥ ପଡ଼ି ୪ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁରୀ ଜିଲାରେ ୩୪୨.୫ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୧୯୯.୯ ମିଲିମିଟର ବର୍ଷା ହୋଇଛି। ଉଭୟ ସହରରେ ବର୍ଷା ରେକର୍ଡ ଭାଙ୍ଗିଛି। ପୁରୀରେ ଗତ ୮୭ ବର୍ଷର ରେକର୍ଡ ଭାଙ୍ଗିଥିବାବେଳେ ଭୁବନେଶ୍ୱର ୬୩ ବର୍ଷର ରେକର୍ଡ ଭାଙ୍ଗିଛି। ପୁରୀରେ ୧୯୩୪ ସେପ୍ଟେମ୍ବର ୨୦ରେ ସର୍ବାଧିକ ୨୧୦.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ସେହିପରି ଭୁବନେଶ୍ୱରରେ ୧୯୫୮ ସେପ୍ଟେମ୍ବର ୫ରେ ୧୬୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ପୁରୀ ଜିଲା ଅସ୍ତରଙ୍ଗରେ ୫୩୦ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ କାକଟପୁରରେ ୫୨୫ ମିମି, ଗୋପରେ ୩୩୧ ମିମି, ସତ୍ୟବାଦୀରେ ୩୨୮ ମିମି, ନିମାପଡ଼ାରେ ୩୦୦.୬ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଜଗତ୍‌ସିଂହପୁର ଜିଲାର ବାଲିକୁଦାରେ ୪୪୦ ମିମି, ଆଳିପିଙ୍ଗଳରେ ୩୬୪ ମିମି, ରଘୁନାଥପୁରରେ ୩୨୩ ମିମି, କଟକର କଣ୍ଟାପଡ଼ାରେ ୩୮୧ ମିମି, ନିଆଳିରେ ୩୭୦ ମିମି, ଖୋର୍ଦ୍ଧା ଜିଲା ବାଲିପାଟଣାରେ ୨୮୦.୫ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ପାରାଦୀପରେ ୨୨୦ ମିଲିମିଟର ବର୍ଷା ହୋଇଥିବା ବେଳେ ଗୋପାଳପୁର ୬୬, ଅନୁଗୋଳ ୭୪, ବାରିପଦା ୩୮.୨, କେନ୍ଦୁଝର ୪୯, ସମ୍ବଲପୁର ୪୮, ସୁନ୍ଦରଗଡ଼ ୫୯, ତାଳଚେର ୧୬୦, ବଲାଙ୍ଗୀର ୪୪, ଫୁଲବାଣୀ ୧୫୧.୨, ଟିଟିଲାଗଡ଼ ୫୨.୮, ସୋନପୁର ୬୮, ନୟାଗଡ଼ ୧୫୪.୭, ବୌଦ୍ଧ ୧୮୪, ଛତ୍ରପୁର ୫୮ ଏବଂ ପାରଳାଖେମୁଣ୍ଡିରେ ୩୬.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସୋମବାର ରାଜ୍ୟର ୨୦ ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ମୋଟ ୫୭ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି, ଯାହା ବିଗତ ୫ ବର୍ଷରେ ଗୋଟିଏ ଦିନରେ ଏତେ ବର୍ଷା ରେକର୍ଡ ହୋଇନି।
ଲଗାଣ ବର୍ଷା ଯୋଗୁ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି। ଜଳସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏହାର ବିପଦ ସଙ୍କେତ ସ୍ତର ୫.୫୫ ମିଟର ଥିବା ବେଳେ ବନ୍ୟା ଜଳ ୫.୬ ମିଟର ଉପରେ ପ୍ରବାହିତ ହେଉଛି। ଅନ୍ୟପକ୍ଷରେ ମହାନଦୀ, କୁଶଭଦ୍ରା, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୁଲ୍ୟା ଏବଂ ଏହାର ଶାଖା ନଦୀରେ ଜଳ ପତ୍ତନ ବୃଦ୍ଧିପାଉଛି। ଲଘୁଚାପ ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଡୁକୁ ମୁହାଁଇଥିବାରୁ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇପାରେ। ହୀରାକୁଦର ଜଳ ପତ୍ତନ ବୃଦ୍ଧି ପାଉଥିଲେ ମଧ୍ୟ ସୋମବାର ସୁଦ୍ଧା କୌଣସି ଗେଟ୍‌ ଖୋଲାଯାଇନାହିଁ। ହୀରାକୁଦକୁ ପ୍ରତି ସେକେଣ୍ଡରେ ୧,୬୭,୮୮୦ କ୍ୟୁସେକ ଜଳ ପ୍ରବେଶ କରୁଛି। ଜଳଭଣ୍ଡାରର ଜଳସ୍ତର ୬୨୫.୧୦ ଫୁଟ ରହିଛି। ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜଳ ସମ୍ପଦ ବିଭାଗ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି।
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତମ ପଶ୍ଚିମ ଦିଗ ଦେଇ ଉତ୍ତର ଓଡ଼ିଶା ଉପକୂଳ, ଉତ୍ତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ଦେଇ ଗତି କରିବ। ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଡିପ୍ରେସନରେ ପରିଣତ ହୋଇ ଦୁର୍ବଳ ହୋଇଯିବ। ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୭ଟି ଜିଲାରେ ଅତି ପ୍ରବଳ ଓ ୧୨ଟି ଜିଲାରେ ପ୍ରବଳ ବର୍ଷା ହେବ। ସମ୍ବଲପୁର, ଦେବଗଡ଼, ଅନୁଗୋଳ, ସୋନପୁର, ଢେଙ୍କାନାଳ, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ବଲାଙ୍ଗୀର, ସୁନ୍ଦରଗଡ଼, ବୌଦ୍ଧ, କେନ୍ଦୁଝର, ଖୋର୍ଦ୍ଧା, ଜଗତ୍‌ସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କଟକ ଜିଲାରେ ପ୍ରବଳ ବର୍ଷା ହେବ। ଏହିସବୁ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଲଘୁଚାପ ଯୋଗୁ ଉପକୂଳରେ ଘଣ୍ଟା ପ୍ରତି ୫୦ରୁ ୬୦ ଏବଂ ବେଳେ ବେଳେ ୭୦ କି.ମି. ବେଗରେ ପବନ ବହିପାରେ। ମଙ୍ଗଳବାର ଯାଏ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଲଘୁଚାପକୁ ଦେଖି ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ଏହି ଲଘୁଚାପର ପ୍ରଭାବ ମଙ୍ଗଳବାର ହ୍ରାସ ପାଇବା ପରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୧୭ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ। ସେପ୍ଟେମ୍ବର ୨୦ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲଘୁଚାପ ବର୍ଷା ସତ୍ତ୍ୱେ ରାଜ୍ୟରେ ଏବେ ବି ସ୍ବାଭାବିକଠାରୁ ୨୦ ପ୍ରତିଶତ କମ୍‌ ବର୍ଷା ହୋଇଛି। ଜୁନ୍‌ ପହିଲାରୁ ସେପ୍ଟେମ୍ବର ୧୩ ମଧ୍ୟରେ ରାଜ୍ୟରେ ୧୦୪୭.୫ ମିଲିମିଟର ବର୍ଷା ହେବାକୁ ଥିବା ବେଳେ ହୋଇଛି ୮୩୭.୫ ମିଲିମିଟର। ଗତ ଦୁଇଦିନ ହେବ ରାଜ୍ୟର ୧୨ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବାରୁ ରାଜ୍ୟ ସରକାର ସେହି ଜିଲାର ସ୍କୁଲଗୁଡ଼ିକ ସୋମବାର ଏବଂ ମଙ୍ଗଳବାର ଦୁଇଦିନ ପାଇଁ ବନ୍ଦ ଘୋଷଣା କରିଛନ୍ତି। ସେହି ଜିଲାଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ନୟାଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ସୋନପୁର ଓ ବରଗଡ଼। ସ୍କୁଲଗୁଡ଼ିକରେ ନବମ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri