ସ୍ବାଭିମାନର ପ୍ରଶ୍ନ

ଅଧ୍ୟାପକ ଶରତ କୁମାର ଦାସ

ସାମ୍ପ୍ରତିକ ପରିସ୍ଥିତିରେ ସମଗ୍ର ଦେଶରେ ସୀମାକୁ ନେଇ ବିବାଦ ଉପୁଜିଥିବା ବେଳେ ଆମ ରାଜ୍ୟ ଓଡ଼ିଶା ଏଥିରୁ ମଧ୍ୟ ମୁକ୍ତ ନୁହେଁ। ଆନ୍ଧ୍ର ସରକାରଙ୍କର ବିସ୍ତାରବାଦୀ ନୀତି ତଥା କୋଟିଆ ଅଧିବାସୀଙ୍କ ସୁବିଧାବାଦୀ ମାନସିକତା ଫଳରେ ଏହି ଅଞ୍ଚଳ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏକ ପାଶର୍‌ବରେ ଓଡ଼ିଶା ସରକାରଙ୍କର ସୀମାନ୍ତ ଅଞ୍ଚଳ ପ୍ରତି ବୈମାତୃକ ମନୋଭାବ ସହିତ ପ୍ରଶାସନିକ ଅବହେଳା ଓ ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶ ସରକାରଙ୍କ କୋଟିଆ ଅଞ୍ଚଳର ଲୋକଙ୍କୁ ବିଭିନ୍ନ ଭାବରେ ପ୍ରଲୋଭିତ କରିବାର ଚେଷ୍ଟା କାରଣରୁ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ବିବାଦ ଦିନକୁ ଦିନ ତୀବ୍ର ରୂପ ଧାରଣ କରୁଛି। ଏ ସଂକ୍ରାନ୍ତରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି। ସମସ୍ୟାର ସମାଧାନ ତଥା ବର୍ତ୍ତମାନର ସ୍ଥିତି ନିରୀକ୍ଷଣ ନିମନ୍ତେ ରାଜନେତା ସମେତ ପ୍ରଶାସନିକ ଅଧିକାରୀମାନଙ୍କ ସୁଅ ଛୁଟୁଛି। ବିଳମ୍ବରେ ହେଲେ ମଧ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ତରବରିଆ ଭାବେ ସରକାରଙ୍କର ସମ୍ପୃକ୍ତ ଅଞ୍ଚଳର ବିକାଶ ନିମନ୍ତେ ୧୫୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା ଏହାର ପ୍ରମାଣ।
ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା କୋରାପୁଟ ଜିଲାର ପଟ୍ଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ କୋଟିଆ ପଞ୍ଚାୟତ ୨୮ଟି ଗ୍ରାମକୁ ନେଇ ଗଠିତ। ସେଥିରୁ ୨୧ଟି ଗ୍ରାମ ଆନ୍ଧ୍ର ଓ ଓଡ଼ିଶାର ସୀମାକୁ ଲାଗିରହିଛି। ଏହି ୨୧ଟି ଗ୍ରାମ ଉପରେ ଆନ୍ଧ୍ର ସରକାରଙ୍କ ଲୋଲୁପ ଦୃଷ୍ଟି। ଏହି ସମସ୍ୟା ଏବେକାର ନୁହେଁ। ଦୀର୍ଘ ୫ ଦଶନ୍ଧି ଧରି ସୀମା ବିବାଦ ଚାଲୁ ରହିଛି ଓ ଆନ୍ଧ୍ର ସରକାର କଳେ ବଳେ କୌଶଳେ ସମ୍ପୃକ୍ତ ଅଞ୍ଚଳରେ ନିଜର ଆଧିପତ୍ୟ ଜାହିର କରିବାର ପ୍ରୟାସ ଏକ ନିନ୍ଦନୀୟ ଘଟଣା ନିଶ୍ଚୟ। ୧୯୬୮ରୁ ଏ ବିବାଦ ମାନ୍ୟବର ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ପ୍ରକୃତ ସମସ୍ୟାର ସମାଧାନ ନିମନ୍ତେ ଉଭୟ ରାଜ୍ୟ ସରକାରଙ୍କ କୋଉଠି ନା କୋଉଠି ଆନ୍ତରିକତାର ଅଭାବ ପରିଲକ୍ଷିତ ହେଉଛି। ସୁନା, ରୁପା, ମାଙ୍ଗାନିଜ୍‌, ପ୍ଲାଟିନମ୍‌, ଗ୍ରାଫାଇଟ୍‌, ବକ୍‌ସାଇଟ ପ୍ରଭୃତି ପ୍ରାକୃତିକ ସମ୍ପଦରେ ଭରପୂର ପାହାଡ଼ ପର୍ବତଘେରା କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ସରକାର ନିଜର ଆଧିପତ୍ୟ ବିସ୍ତାର କରି ସମ୍ପୃକ୍ତ ଅଞ୍ଚଳକୁ ନିଜର କରି ରଖିବାକୁ ସତେ ଯେପରି କସରତ ଆରମ୍ଭ କରିଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ।
କୋଟିଆର ଭୌଗୋଳିକ ସ୍ଥିତି ତଥା ଐତିହାସିକ ତଥ୍ୟ ଯଦି ବିଚାରକୁ ନିଆଯାଏ ତେବେ ଏହି ଅଞ୍ଚଳଟି ସମ୍ପୂର୍ଣ୍ଣ ଭାବେ ଓଡ଼ିଶାର ବୋଲି କୁହାଯାଇପାରେ। ବର୍ତ୍ତମାନର ରାଜ୍ୟ ସରକାର କୋଟିଆର ସର୍ବାଙ୍ଗୀନ ବିକାଶ ନିମନ୍ତେ ଅନେକ ପଦକ୍ଷେପ ନେଉଥିବା ବେଳେ ପ୍ରଶାସନିକ ଅବହେଳା ଅବା ପ୍ରକୃତ ବିକାଶ ପାଇଁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହୁଏତ କୋଟିଆ ଅଞ୍ଚଳର ଅଧିବାସୀମାନଙ୍କୁ ଆନ୍ଧ୍ରାଭିମୁଖୀ କରିବାରେ ଅନେକାଂଶରେ ଦାୟୀ । ରାସ୍ତାଘାଟ, ସ୍ବାସ୍ଥ୍ୟ, ଶିକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ସରକାର ସେଠାକାର ବିକାଶ ପ୍ରକ୍ରିୟାରେ ହାତ ମିଳାଇଥିଲେ ମଧ୍ୟ କୋଟିଆର ଅଧିବାସୀ କାହିଁକି ଯେ ଆନ୍ଧ୍ରମୁହାଁ ହେଉଛନ୍ତି ତାହାର କାରଣ ପ୍ରଥମେ ଖୋଜିବାକୁ ପଡ଼ିବ। ପ୍ରକୃତରେ ସେଠାକାର ଲୋକ କ’ଣ ଚାହାନ୍ତି ତାହା ମଧ୍ୟ ପ୍ରାଥମିକତା ଆଧାରରେ ବିଚାର କରିବା ଆବଶ୍ୟକ।
ପୂର୍ବରୁ କୋଟିଆ ଗୋଟିଏ ପଞ୍ଚାୟତରେ ଥିବାବେଳେ ଆନ୍ଧ୍ର ସରକାର ନିଜର ଫାଇଦା ଉଦ୍ଦେଶ୍ୟରେ ଲୋକସଂଖ୍ୟାକୁ ଗୁରୁତ୍ୱ ନ ଦେଇ ଏତେ ଛୋଟ ପଞ୍ଚାୟତକୁ ବର୍ତ୍ତମାନ ୪ଟି ପଞ୍ଚାୟତ ଯଥା- ତଳଗଞ୍ଜେଇପଦର, ଫଗୁଣସିନେରି,ଫାଟୁସିନେରି ଓ ରଣାସିଂ ଆଦିରେ ବିଭକ୍ତ କରି ନିଜର ସ୍ଥିତି ଜାହିର କରିଛି। ଏହାର ଅଧିବାସୀମାନେ ମଧ୍ୟ ଉଭୟ ରାଜ୍ୟଠାରୁ ସୁବିଧା ପାଉଛନ୍ତି। ଉଭୟ ସରକାରଙ୍କ ଠାରୁ ରାଶନ୍‌ କାର୍ଡ, ଆଧାର କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉଭୟ ରାଜ୍ୟର ସୁବିଧା ହାତେଇବାରେ ବ୍ୟସ୍ତ। ଆନ୍ଧ୍ର ସରକାର ସମ୍ପୃକ୍ତ ଅଞ୍ଚଳରେ ବ୍ୟକ୍ତିଗତ ବିକାଶକୁ ଗୁରୁତ୍ୱ ଦେବା ଫଳରେ ସେଠାରେ ସାମୂହିକ ବିକାଶ ବାଧାପ୍ରାପ୍ତ ହେଉଛି। ପୁନଶ୍ଚ ସେଠାକାର ଲୋକମାନଙ୍କର ସୁବିଧାବାଦୀ ଚିନ୍ତାଧାରା କାରଣରୁ ସାମୂହିକ ବିକାଶ ବାଧାପ୍ରାପ୍ତ ହେବାର ଲକ୍ଷ୍ୟ କରାଯାଏ। କେଉଁ ସରକାର କେଉଁ ସୁବିଧା ଯୋଗାଉଛି ସେ ସମ୍ପର୍କରେ ଜାଣିବାର ନା ସେମାନଙ୍କର କୌଣସି ଆଗ୍ରହ ଅଛି ନା କିଛି ଦାୟିତ୍ୱ ଅଛି; ଯେଉଁଥିପାଇଁ ଆନ୍ଧ୍ର ସରକାର ସେଠାକାର ଲୋକମାନଙ୍କୁ ମୋହରା ବନେଇ ନିଜର ବିସ୍ତାରବାଦୀ ନୀତିକୁ ସଫଳ କରିବାରେ ସମର୍ଥ ହେଉଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ।
କୋଟିଆ ଅଧିବାସୀଙ୍କ କହିବା କଥା ହେଲା ସେମାନଙ୍କର ଜୀବନ ଜୀବିକା ପାଇଁ ବ୍ୟକ୍ତିଗତ ସୁବିଧା ହିଁ ମୂଳ। କେଉଁ ସରକାର କ’ଣ କଲା ସେମାନଙ୍କର କିଛି ଚିନ୍ତାକରିବାର ଆବଶ୍ୟକତା ନାହିଁ। ସେଠାକାର ଲୋକମାନଙ୍କର ଏହିଭଳି ସୁବିଧାବାଦୀ ମନ୍ତବ୍ୟ ଆନ୍ଧ୍ର ସରକାରଙ୍କୁ ସମ୍ପୃକ୍ତ ଅଞ୍ଚଳକୁ ନିଜ ହାତକୁ ନେବାକୁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରୁଛି। ବହୁତ ଦିନ ଆଗରୁ ସେମାନେ ଉଭୟ ରାଜ୍ୟ କରୁଥିବା ନିର୍ବାଚନରେ ଭାଗ ନେଉଛନ୍ତି । ଓଡ଼ିଶାର ସାଧାରଣ ଓ ପଞ୍ଚାୟତ ନିର୍ବାଚନ ସମୟରେ ଓଡ଼ିଶାର ଅଧିବାସୀ ରୂପେ ଭାଗ ନେଉଥିବା ବେଳେ ଆନ୍ଧ୍ରପ୍ରଦେଶର ସାଧାରଣ ଓ ପଞ୍ଚାୟତ ନିର୍ବାଚନ ସମୟରେ ଆନ୍ଧ୍ରର ଅଧିବାସୀ ରୂପେ ନିିର୍ବାଚନରେ ଭାଗନିଅନ୍ତି ଓ ଭୋଟ୍‌ ଦିଅନ୍ତି। ଅବଶ୍ୟ ଏଠାରେ ପୂର୍ବରୁ ନିର୍ବାଚନ ଅପ୍ରତିଦ୍ୱନ୍ଦ୍ୱୀ ହେଉଥିବାରୁ ଏ ବିଷୟରେ କେହି ଜାଣିପାରୁ ନ ଥିଲେ, ମାତ୍ର ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ହେଉଥିବାରୁ କୋଟିଆର ବାସ୍ତବ ଚିତ୍ର ଦାଣ୍ଡରେ ପଡ଼ି ହାଟରେ ଗଡୁଛି।
ଆନ୍ଧ୍ର ସରକାର ଏତେ ଛୋଟ ଅଞ୍ଚଳ କୋଟିଆକୁ ୪ଟି ପଞ୍ଚାୟତରେ ବିଭକ୍ତ କରି ବିକାଶର ଧାରା ହାତକୁ ନେଇଥିବା ବେଳେ ଓଡ଼ିଶା ସରକାର ନୀତିନିୟମ ଆଳରେ ସେଇ ଗୋଟିଏ ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ବାନ୍ଧି ରଖିଛନ୍ତି। ସେ ଯାହା ହେଉନା କାହିଁକି ବର୍ତ୍ତମାନ ପ୍ରଶ୍ନ ଉଠେ କୋଟିଆ ପ୍ରକୃତରେ କାହାର? ଯଦି ଓଡ଼ିଶାର ତେବେ ସରକାର କାହିଁକି ଏ ଦିଗରେ ଯଥେଷ୍ଟ ପୂର୍ବରୁ ଯତ୍ନବାନ ହେଲେନି? ଦୁଇ ରାଜ୍ୟର ସାଧାରଣ ଓ ପଞ୍ଚାୟତ ନିର୍ବାଚନରେ ଭାଗ ନେବା ସେଠାକାର ଅଧିବାସୀଙ୍କ ପାଇଁ ଆଦୌ ନୂଆ ନୁହେଁ। ଏ ବିଷୟରେ ସରକାର ଆଗରୁ ଜାଣିପାରିଲେନି କିପରି? ପ୍ରକୃତରେ ଯଦି ସରକାରଙ୍କର ଅଜ୍ଞତା ତେବେ ଏ ଦୋଷ କାହାର? ସେଠାକାର ଜିଲା ପ୍ରଶାସନର ସମ୍ପୂର୍ଣ୍ଣ ଅବହେଳା କୁହାଯାଇପାରେ। ନେଡ଼ି ଗୁଡ଼ କହୁଣିକୁ ବୋହିଗଲା ପରେ ନିଦ୍ରା ଭଙ୍ଗ ହେବା ବାସ୍ତବିକ ଏକ ଗଣତାନ୍ତ୍ରିକ ତଥା ଉତ୍ତରଦାୟୀ ସରକାରଙ୍କ ପାଇଁ ହାସ୍ୟାସ୍ପଦ ଘଟଣା ନୁହେଁ କି? ନିକଟରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭାଜପାର ଏକ ଟିମ୍‌ ରାଜ୍ୟ ସଭାପତିଙ୍କ ନେତୃତ୍ୱରେ କୋଟିଆକୁ ଯାଇଥିବା ବେଳେ ସେଠାରେ ଉପସ୍ଥିତ ଥିବା ଆନ୍ଧ୍ରପ୍ରଦେଶର ସମ୍ପୃକ୍ତ ଜିଲାର ଜିଲାପାଳ ଓ ଏସ୍‌ପି ପ୍ରମୁଖଙ୍କୁ ଦେଖି ବିସ୍ମିତ ହୋଇଛନ୍ତି। କେବଳ ଲୋକମାନଙ୍କୁ କିଛି ଶସ୍ତା ସୁବିଧା ଯୋଗାଇଦେଲେ ଚଳିବ ନାହିଁ, ପ୍ରକୃତ ବିକାଶ ପାଇଁ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଦରକାର ବୋଲି ବିଭିନ୍ନ ମହଲରେ ଯୁକ୍ତି ଉପସ୍ଥାପନ କରାଯାଉଛି।
ଅବଶ୍ୟ ଗତ ୧୯ ତାରିଖରେ ଓଡ଼ିଶା ସରକାରଙ୍କ ତରଫରୁ ଆନ୍ଧ୍ର ସରକାରଙ୍କ ଦ୍ୱାରା କୋଟିଆ ପଞ୍ଚାୟତରେ ଜୋରଜବରଦସ୍ତ ନିିର୍ବାଚନ କରାଇବା ବିରୋଧରେ ସୁପ୍ରିମକୋର୍ଟରେ ଆଗତ ଅଦାଲତ ଅବମାନନା ମାମଲାର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରି ମାନ୍ୟବର କୋର୍ଟ ଓଡ଼ିଶା ସରକାରଙ୍କୁ ଚାରି ସପ୍ତାହର ମହଲତ ଦେଇଛନ୍ତି। ଏହି ଚାରି ସପ୍ତାହ ମଧ୍ୟରେ ଓଡ଼ିଶା ସରକାର ୧୯୩୬ ମସିହାଠାରୁ ଥିବା ଏ ମାମଲାର ସମସ୍ତ ଦସ୍ତାବିଜ ଓ ଦଲିଲ ମାନ୍ୟବର କୋର୍ଟଙ୍କ ସମ୍ମୁଖରେ ଦାଖଲ କରିପାରିବେ। ପ୍ରକାଶଥାଉ କି,୨୦୦୬ରେ ଏ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ଆନ୍ଧ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସାମ୍ପ୍ରତିକ ପରିସ୍ଥିତିରେ ଆନ୍ଧ୍ର ସରକାର ଏହାର ଅନୁପାଳନ ନ କରି ସୁପ୍ରିମକୋର୍ଟରେ ଏ ସଂକ୍ରାନ୍ତରେ ମିଥ୍ୟା ତଥ୍ୟ ଦାଖଲ କରିବାପୂର୍ବକ କୋଟିଆ ପଞ୍ଚାୟତରେ ଜୋରଜବରଦସ୍ତ ନିର୍ବାଚନ କରାଇବା ନିଜ ଦବଙ୍ଗଗିରିର ଏକ ନିଚ୍ଛକ ଚିତ୍ର ନୁହେଁ କି ?
ତେବେ ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ ସମସ୍ୟାଟିକୁ ଚତୁରତା ତଥା ବୁଦ୍ଧିମତ୍ତାର ସହିତ ସମାଧାନ କରାଯିବା ଆବଶ୍ୟକ। ରାଜନୈତିକ ଫାଇଦା ପାଇବା ଆଶାରେ ବିବାଦଟିକୁ ଚାଲୁରଖିଲେ କାହାର ଏଥିରେ ଲାଭ ହେବନି। ବର୍ତ୍ତମାନ ପରସ୍ପର ଉପରେ କାଦୁଅ ଫିଙ୍ଗିବା ବା ଆରୋପ ପ୍ରତ୍ୟାରୋପ କରିବାର ସମୟ ନୁହେଁ। ବାସ୍ତବତାକୁ ଅନୁଧ୍ୟାନ କରିବାପୂର୍ବକ ସ୍ଥିତି ସମୀକ୍ଷା କରିବାର ଆବଶ୍ୟକତା ଅଛି। ଗୋଟିଏ ରାଜ୍ୟର ସୀମା ସୁରକ୍ଷା ସେହି ରାଜ୍ୟର ସରକାର ତଥା ସମ୍ପୃକ୍ତ ଅଧିବାସୀଙ୍କ ପାଇଁ ସ୍ବାଭିମାନ ତଥା ଅସ୍ମିତାର ପ୍ରଶ୍ନ। ଓଡ଼ିଶା ମାଟିରେ ଆନ୍ଧ୍ର ଯେଉଁଭଳି ଭାବେ ପଞ୍ଚାୟତ ନିର୍ବାଚନ କଲା ତାହା ବାସ୍ତବିକ ଓଡ଼ିଶା ପାଇଁ ଲଜ୍ଜା ତଥା କଳଙ୍କିତ ଅଧ୍ୟାୟ ବୋଲି କୁହାଯାଇପାରେ । ଏପର୍ଯ୍ୟନ୍ତ ସଢ଼େଇକଳା ଓ ଖରସୁଆଁ ଭଳି ଦୁଇଟି ଅଞ୍ଚଳକୁ ହରାଇବାର ଦୁଃଖଦ ଅନୁଭୂତି ଆମ ସମସ୍ତ ସ୍ବାଭିମାନୀ ଓଡ଼ିଆଙ୍କ ମାନସପଟରେ ତାଜା ହୋଇ ରହିଥିବାବେଳେ କୋଟିଆର ସୀମା ସୁରକ୍ଷା ପ୍ରସଙ୍ଗ ଆଲୋଚନାର ଗୁରୁତ୍ୱ ବହନ କରିବା ସ୍ବାଭାବିକ। ନିଜ ମାଟିର ସୁରକ୍ଷା ପାଇଁ ଆମ ରାଜ୍ୟ ସରକାର ଆବଶ୍ୟକ କଠୋର ପଦକ୍ଷେପ ଗ୍ରହଣ କରିବା ସହିତ ନିଜ ରାଜ୍ୟର ଗୌରବ ତଥା ଅଖଣ୍ଡତା ରକ୍ଷାକରିବାରେ ସମର୍ଥ ହେବେ ବୋଲି ଆଶା କରାଯାଏ। ଏଥିରେ ଦ୍ବିମତ ହେବାର କୌଣସି ଅବକାଶ ନାହିଁ।
ରାଜନୀତି ବିଜ୍ଞାନ ବିଭାଗ,
ବଡ଼ବିଲ ମହାବିଦ୍ୟାଳୟ, ବଡ଼ବିଲ, କେନ୍ଦୁଝର
ମୋ-୮୨୪୯୧୩୭୦୯୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri