ଉଜୁଡ଼ା ବଣ ଓ ଅସୁରକ୍ଷିତ ପ୍ରାଣୀ

ପ୍ରାକୃତିକ ପରିସଂସ୍ଥାକୁ ପରିପୁଷ୍ଟ, ପ୍ରାଣବନ୍ତ ଓ ପ୍ରଭାବଶାଳୀ କରିବା ଦିଗରେ ବନ୍ୟପ୍ରାଣୀଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ବିଶ୍ବଖାଦ୍ୟ ଓ ଜଳ ନିରାପତ୍ତା ଏବଂ ଜୈବବିବିଧତାର ପ୍ରାଚୁର୍ଯ୍ୟକୁ ଋଦ୍ଧିମନ୍ତ କରିବା ନିମନ୍ତେ ଏମାନଙ୍କର ଉପସ୍ଥିତି ଏକାନ୍ତ ଆବଶ୍ୟକ। ଅଥଚ ଅସହନୀୟ ବିକାଶର ମାର୍ଗ ଓ ନକାରାତ୍ମକ ମାନବୀୟ କାର୍ଯ୍ୟକଳାପ ଯୋଗୁ ବନ୍ୟପ୍ରାଣୀଙ୍କ ଜୀବନ ଏବେ ବିପନ୍ନ। ବାସସ୍ଥଳୀ ସଙ୍କୋଚନ, ଖାଦ୍ୟ ପାନୀୟର ଅଭାବ, ବିଶ୍ବ ତାପମାତ୍ରା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଓ ଅବୈଧ ପ୍ରାଣୀ ଶିକାର ଆଦି ନାନା ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ନ ପାରି କିଛି ପ୍ରଜାତି ନିଶ୍ଚିହ୍ନ ହୋଇ ସାରିଥିବା ବେଳେ ଆଉ କିଛି ବିଲୁପ୍ତିର ଦ୍ୱାରଦେଶରେ। ଜଙ୍ଗଲ ହେଉଛି ପ୍ରାକୃତିକ ସମ୍ପଦର ଗନ୍ତାଘର ଓ ବନ୍ୟପ୍ରାଣୀଙ୍କ ବାସସ୍ଥାନ। ବିଭିନ୍ନ କାରଣରୁ ବନ୍ୟପ୍ରାଣୀଙ୍କ ବାସସ୍ଥଳୀକୁ ଅକ୍ତିଆର କରୁଛି ମଣିଷ। ଖଣି ଖନନ, ଶିଳ୍ପାୟନ ଓ ସହରୀକରଣର ଦ୍ରୁତ ବିକାଶ ଫଳରେ ସଙ୍କୁଚିତ ହେଉଛି ଜଙ୍ଗଲର ଆକାର। ତଥ୍ୟ ଅନୁସାରେ ବିଭିନ୍ନ କାରଣରୁ ପ୍ରତିବର୍ଷ ବିଶ୍ବରୁ ଲୋପପାଉଛି ହାରାହାରି ୧୨ ନିୟୁତ ହେକ୍ଟର ପରିମିତ ଜଙ୍ଗଲ। ଅରଣ୍ୟ ଧ୍ବଂସ ପାଇଗଲେ, ପାହାଡ଼ ମୁଣ୍ଡିଆରୁ ବୃକ୍ଷଲତାର ପରିମାଣ କମିଗଲେ, ଉପତ୍ୟକା ଅଞ୍ଚଳ ଓ ତତ୍‌ସଂଲଗ୍ନ ସମତଳ ଭୂମିରେ ଅସ୍ତିତ୍ୱ ହରାଏ ଜଳପ୍ରବାହର ସତ୍ତା। ଫଳରେ ଖାଦ୍ୟ ଓ ଜଳ ସଙ୍କଟର ସମ୍ମୁଖୀନ ହୋଇ ବିଲୁପ୍ତ ହୋଇଯାଆନ୍ତି ସେଠାରେ ବସବାସ କରୁଥିବା ଭିନ୍ନଭିନ୍ନ ଜାତିର ପ୍ରାଣୀ। ପରିବେଶ ବିଜ୍ଞାନୀଙ୍କ ଆକଳନ ଅନୁଯାୟୀ ଗଲା ଦଶବର୍ଷ ମଧ୍ୟରେ ପୃଥିବୀ ପୃଷ୍ଠରୁ ଲୋପପାଇ ସାରିଲେଣି ୭୩୨ ପ୍ରକାର ବନ୍ୟପ୍ରାଣୀ ଓ ପକ୍ଷୀ। ଦି ଓ୍ବାଲର୍‌ଡ ଓ୍ବାଇଡ ପଣ୍ଡ ଫର ନେଚର ଆଣ୍ଡ ଦି ଜୁଲୋଜିକାଲ ସୋସାଇଟି ଅଫ୍‌ ଲଣ୍ଡନ’ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ଚାରି ଦଶନ୍ଧି ପୂର୍ବରୁ ପୃଥିବୀ ପୃଷ୍ଠରେ ଯେତେ ବଣୁଆ ଜୀବ ଥିଲେ, ଏବେ ତା’ର ସଂଖ୍ୟା ଅଧାରୁ ବି କମ୍‌।
ଜୀବଜନ୍ତୁଙ୍କ ସୁରକ୍ଷିତ ଜୀବନକୁ ସୁନିଶ୍ଚିତ କରିବା ନିମନ୍ତେ ପ୍ରକୃତି ଖଞ୍ଜିଛି ଏକ ସ୍ବୟଂକ୍ରିୟ ବ୍ୟବସ୍ଥା, ଯାହା ଦ୍ବାରା ସକଳ ଜୀବଜାତି ବଞ୍ଚିବେ ଆପଣାଆପଣା ବାଗରେ। ପ୍ରକୃତିର ଏହି ନିୟମ ମାନି ପ୍ରତ୍ୟେକ ଜୀବଜନ୍ତୁ ଜୀବନ ଧାରଣ କରୁଥିବାବେଳେ ମଣିଷ ସେଥିପ୍ରତି ଉଦାସୀନ। କେତେବେଳେ ଖାଦ୍ୟ ଲାଳସାର ବଶବର୍ତ୍ତୀ ହୋଇ ସେ ଜୀବହତ୍ୟା କରୁଛି ତ କେତେବେଳେ ବନ୍ୟପ୍ରାଣୀଙ୍କୁ ମାରି ସେମାନଙ୍କ ଚମଡା,କାତି ଓ ହାଡ଼ ଇତ୍ୟାଦି ସଂଗ୍ରହ କରୁଛି ବ୍ୟବସାୟ ଉଦ୍ଦେଶ୍ୟରେ। କିଛି ବନ୍ୟଜନ୍ତୁଙ୍କ ଅଙ୍ଗରୁ କୁଆଡ଼େ ଦୁରାରୋଗ୍ୟ ବ୍ୟାଧିର ପ୍ରଭାବଶାଳୀ ଔଷଧ ତିଆରି ହୋଇପାରୁଥିବାରୁ ଅନ୍ତର୍ଜାତୀୟ ବଜାରରେ ବଢ଼ିଚାଲିଛି ସେମାନଙ୍କ ଅଙ୍ଗର ବୈପଣିକ ଚାହିଦା। ଏହି ବାଣିଜି୍ୟକ ଦୃଶ୍ୟପଟରେ ଗୋଟିଏ ଭାରତୀୟ ବଜ୍ରକାପ୍ତାର ମୂଲ୍ୟ ଏବେ ୧୦ ଲକ୍ଷ ଟଙ୍କାରୁ ଅଧିକ। ଗୋଟିଏ ମୃତ ମହାବଳ ବାଘର ମୂଲ୍ୟ ୪୦ ଲକ୍ଷ ଟଙ୍କା ହୋଇଥିବା ସ୍ଥଳେ କେବଳ ତା’ର ଗୋଟିଏ ଆଖିର ମୂଲ୍ୟ କୁଆଡେ ପାଖାପାଖି ୨୦ ହଜାର ଟଙ୍କା। ତେଣୁ ଗଲା କେତେ ଦଶନ୍ଧି ପୂର୍ବରୁ ବନ୍ୟଜନ୍ତୁଙ୍କ ଚମଡା,ନଖ, ଦାନ୍ତ,ଆଖି ଓ ହାଡ ଆଦି ଅଙ୍ଗକୁ ନେଇ ବିଶ୍ବ ବଜାରରେ ବହୁକୋଟି ଟଙ୍କାର ବ୍ୟବସାୟ ଚାଲିଛି, ଯାହାର ପରିଣାମ ସ୍ବରୂପ ବିଲୁପ୍ତି ଆଶଙ୍କାରେ ଏବେ ଅନେକ ପ୍ରଜାତିର ଜୀବଜନ୍ତୁ।
ବିଲୁପ୍ତପ୍ରାୟ ଜାତିର ବନ୍ୟପ୍ରାଣୀ ଏବଂ ଉଦ୍ଭିଦର ସୁରକ୍ଷା ନିମନ୍ତେ ୧୯୭୩ରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଣିଜ୍ୟ ସମ୍ମେଳନ (ସାଇଟସ) ଏବଂ ୧୯୯୨ରେ ଜୈବବିବିଧତା ସମ୍ମେଳନ (ସିବିଡି) ବ୍ୟତୀତ ଅନ୍ୟ କେତେକ ସମ୍ମେଳନରେ ଗୃହୀତ ଚୁକ୍ତିନାମା ଆଧାରରେ ବିଭିନ୍ନ ଦେଶରେ ତିଆରି ହୋଇଛି କଠୋର ଆଇନ। ଏଥିସହିତ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ସଂରକ୍ଷଣକୁ ସଶକ୍ତ କରିବା ପାଇଁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟରତ ରହିଛି ବିଶ୍ବ ବନ୍ୟଜୀବ ପାଣ୍ଠି(ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌), ବନ୍ୟଜନ୍ତୁ ସଂରକ୍ଷଣ ସମାଜ(ଡବ୍ଲ୍ୟୁସିଏସ୍‌), ପ୍ରାଣୀ ଓ ଉଦ୍ଭିଦ ଅନ୍ତଃରାଷ୍ଟ୍ରୀୟ ସଂସ୍ଥା(ଏଫ୍‌ଏଫ୍‌ଆଇ) ଓ ସଂରକ୍ଷଣ ଅନ୍ତଃରାଷ୍ଟ୍ରୀୟ ସଂସ୍ଥା (ସିଆଇ) ଆଦି ଅନେକ ଅନ୍ତର୍ଜାତୀୟ ବେସରକାରୀ ଅନୁଷ୍ଠାନ। ଏହା ସତ୍ତ୍ୱେ ମାଂସ, ଚମଡା, ଦନ୍ତ ଇତ୍ୟାଦି ପାଇଁ ମଣିଷ ପ୍ରତିବର୍ଷ ହତ୍ୟା କରୁଛି ପ୍ରାୟ ଶହେ କୋଟିରୁ ଅଧିକ ପ୍ରାଣୀ। ବିଜ୍ଞାନାଗାରରେ ପରୀକ୍ଷାନିରୀକ୍ଷାରେ ନିୟୋଜିତ ହେଲା ପରେ ମୃତ୍ୟୁର ଶିକାର ହେଉଛନ୍ତି ଠେକୁଆ ମାଙ୍କଡ଼ ଇତ୍ୟାଦି ନାନା ଜାତିର ପ୍ରାଣୀ।
ଭାରତୀୟ ଜୈବ ମଣ୍ଡଳରେ ରହିଛନ୍ତି ୩୫୦ ପ୍ରକାର ସ୍ତନ୍ୟପାୟୀ ପ୍ରାଣୀ, ୪୦୮ ପ୍ରକାର ସରୀସୃପ ଓ ୧୯୭ ପ୍ରକାର ଉଭୟଚର ପ୍ରାଣୀ। ସମ୍ପ୍ରତି ଆହ୍ବାନପୂର୍ଣ୍ଣ ହୋଇପଡିଛି ଏମାନଙ୍କ ସୁରକ୍ଷା ଓ ସଂରକ୍ଷଣ। କାରଣ ଭାରତୀୟ ଜଙ୍ଗଲ ବିଶେଷକରି ଓଡ଼ିଶା ବନଖଣ୍ଡ ସମୂହରେ ବିପଜ୍ଜନକ ଭାବରେ ହ୍ରାସପାଉଛି ବନ୍ୟଜନ୍ତୁଙ୍କ ସଂଖ୍ୟା। କେବଳ ବନାଗ୍ନି ବିଭୀଷିକାରେ ପ୍ରତିବର୍ଷ ଜଳିପୋଡି ଧ୍ବଂସ ପାଉଛନ୍ତି ହଜାର ହଜାର ବନ୍ୟପ୍ରାଣୀ। ବିକାଶ ଓ ପରିବେଶ ମଧ୍ୟରେ ସମନ୍ବୟ ନ ରହିବା କାରଣରୁ ତା’ର ସିଧାସଳଖ ପ୍ରଭାବ ପଡୁଛି ଜଙ୍ଗଲ ଉପରେ। ତଥ୍ୟ ଅନୁସାରେ ଓଡ଼ିଶାରେ ଦୈନିକ ସଫା ହେଉଛି ଏକ ଏକର ପରିମିତ ପ୍ରାକୃତିକ ଜଙ୍ଗଲ।
ଜଙ୍ଗଲ କ୍ଷୟ ଯୋଗୁ ରାଜ୍ୟରେ ସବୁଠାରୁ ବେଶି ପ୍ରଭାବିତ ହୋଇଛି ହାତୀ। ବନ ବିଜ୍ଞାନ ଅନୁସାରେ ହାତୀ ରହୁଥିବା ପ୍ରତ୍ୟେକ ଜଙ୍ଗଲରେ ରହିଛି ଏକ ନିର୍ଦ୍ଦିଷ୍ଟ ଗଜଧାରଣ କ୍ଷମତା। ଜଙ୍ଗଲର ସେହି କ୍ଷମତାକୁ କ୍ରମାଗତ ଭାବରେ ହ୍ରାସ କରୁଛି ତା’ର ସଙ୍କୋଚନ । ଜଙ୍ଗଲରେ ଡାଳପତ୍ର ଓ ଫଳମୂଳ ଖାଇ ଏବଂ ଝରଣାର ଜଳପାନ କରି ସ୍ବଚ୍ଛନ୍ଦରେ ବିହାର କରୁଥିବା ହାତୀକୁ ଆଉ ମିଳୁନି ପ୍ରଚୁର ପରିମାଣର ଆହାର। ହାତୀର ପ୍ରିୟ ଖାଦ୍ୟ ହେଉଛି ଶାଳିଆ ବାଉଁଶ, ଧନତିରୀ ଘାସ, କିଆ, ବଣକଦଳୀ, ଅର୍ଜୁନ ଓ ପଳାସ ଇତ୍ୟାଦି। ସେସବୁ ପ୍ରଚୁର ପରିମାଣରେ ନ ମିଳିବା କାରଣରୁ ସେ ଜଙ୍ଗଲ ଛାଡ଼ି ଧାଉଁଛି ଜନପଦ ଆଡେ। ଚାଷଜମିରେ ପଶି ନଷ୍ଟ କରୁଛି ଫସଲ। ଏହି କାରଣରୁ ବଢୁଛି ହାତୀ-ମଣିଷ ଲଢେଇ। ହାତୀ ଉପଦ୍ରବରେ ଅତିଷ୍ଠ ହୋଇ କେଉଁଠି ତାକୁ ମାରିବା ପାଇଁ ବିଜୁଳି ତାର ସଂଯୋଗ କରାଯାଉଛି ତ କେଉଁଠି ପାଣିରେ ମିଶାଯାଉଛି ବିଷ। ତଥ୍ୟ ଅନୁସାରେ ଗଲା ଦଶବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୮୬୨ଟି ହାତୀଙ୍କର ମୃତ୍ୟୁ ହୋଇଛି । କେବଳ ହାତୀ ନୁହେଁ, ରାଜ୍ୟରେ ବାଘ, ଶମ୍ବର, ଗୟଳ ଓ ଠେକୁଆ ଆଦି ବନ୍ୟପ୍ରାଣୀଙ୍କ ଜୀବନ ମଧ୍ୟ ଅସୁରକ୍ଷିତ। ୨୦୨୨ ବ୍ୟାଘ୍ର ଗଣନା ତଥ୍ୟ ଅନୁସାରେ ଗଲା ୧୬ ବର୍ଷ ମଧ୍ୟରେ ଓଡ଼ିଶାରୁ ବାଘ ସଂଖ୍ୟା ୩୬ ପ୍ରତିଶତ ହ୍ରାସ ପାଇଛି ଏବଂ ସମ୍ପୂର୍ଣ୍ଣ ବାଘଶୂନ୍ୟ ହୋଇପଡିଛି ସୁନାବେଡ଼ା ଓ ସାତକୋଶିଆ ଅଭୟାରଣ୍ୟ। ଯେଉଁ କୋରାପୁଟ ଚିତ୍ରକୋଣ୍ଡା ଅଞ୍ଚଳରେ ଲୋକେ ଦିନରେ ବି ବାଘ ଦେଖୁଥିଲେ, ସେ ଅଞ୍ଚଳ ବାଘଶୂନ୍ୟ।
୧୯୭୬ରେ ୪୨ତମ ସଂଶୋଧନ ମାଧ୍ୟମରେ ସମ୍ବିଧାନର ଅଷ୍ଟମ ପରିଚ୍ଛେଦର ଧାରା ୨୫୬ ଅନୁସାରେ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଯୁଗ୍ମ ତାଲିକାଭୁକ୍ତ ହେଲା ଏବଂ ତା’ର ଦାୟିତ୍ୱ ରହିଲା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ। ସେହି ଅନୁଯାୟୀ କେନ୍ଦ୍ର ସରକାର ନୀତି ନିର୍ଦ୍ଧାରଣ କରୁଥିବାବେଳେ ତାକୁ କାର୍ଯ୍ୟକାରୀ କରୁଛନ୍ତି ରାଜ୍ୟ ସରକାର। ମାତ୍ର ବନ୍ୟଜନ୍ତୁ ସୁରକ୍ଷା ପାଇଁ କେବଳ ଆଇନକାନୁନ ବା ସରକାରୀ ବ୍ୟବସ୍ଥା ଯଥେଷ୍ଟ ନୁହେଁ, ବରଂ ଏଥିସହିତ ଆବଶ୍ୟକ ଜନ ସମ୍ପୃକ୍ତି ଓ ସହଭାଗିତା। ସରକାର ଏ ଦିଗରେ ବିଶେଷ ଧ୍ୟାନ ନ ଦେବା କାରଣରୁ ଶିକାର ରୋକିବା କ୍ଷେତ୍ରରେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ମିଳୁନାହିଁ କି ଠିକଣା ଢଙ୍ଗରେ କାର୍ଯ୍ୟକାରୀ ହୋଇପାରୁନି ବନ୍ୟପ୍ରାଣୀ ସୁରକ୍ଷା ଆଇନ। ଉଲ୍ଲେଖଯୋଗ୍ୟ ବିଷୟ ହେଉଛି ବନ୍ୟଜନ୍ତୁ ଶିକାର କରିବା କ୍ଷେତ୍ରରେ ବନାଞ୍ଚଳର ଆଦିବାସୀଙ୍କ ସମ୍ପୃକ୍ତି ବେଶି। ଏମାନେ ପ୍ରାୟତଃ ଆଇନକାନୁନ ଓ ପରିବେଶ ସୁରକ୍ଷା ସମ୍ପର୍କରେ ଅଜ୍ଞ। ତେଣୁ ଏ ବିଷୟରେ ସରକାର ସେମାନଙ୍କୁ ପ୍ରଥମେ ସଚେତନ କରାଇବା ଉଚିତ। ସ୍ଥାନୀୟ ବାସିନ୍ଦା ସଚେତନ ହେଲେ ସେମାନଙ୍କ ସହଯୋଗରେ ଗଢାଯାଇ ପାରିବ ପରିସଂସ୍ଥା ଉନ୍ନୟନ ନିମନ୍ତେ ବିଭିନ୍ନ ସମିତି। ଜନ ଭାଗୀଦାରିକୁ ଅଧିକ ବ୍ୟାପକ କରିବା ନିମନ୍ତେ ଜନ୍ତୁ ଉପଦ୍ରବଜନିତ ଅନୁକମ୍ପା ରାଶି ପରିବର୍ତ୍ତେ ସରକାର କ୍ଷୟକ୍ଷତି ଭରଣା କରିବା ଦରକାର। କ୍ଷୟକ୍ଷତିର ଉପଯୁକ୍ତ ଭରଣା ନ ହେଲେ କେବେ ବି ମିଳିବନି ଜନ ସମର୍ଥନ।

ଡ. ପ୍ରଫୁଲ୍ଲ କୁମାର ସାହୁ
– ଅବସରପ୍ରାପ୍ତ ଅଧ୍ୟକ୍ଷ, ଭଦ୍ରକ
ମୋ:୬୩୭୧୬୪୨୪୬୪

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?