କରୋନାର ଲେଉଟାଣି

ଡା. ଉମେଶ ଚନ୍ଦ୍ର ପାତ୍ର

ପରିବର୍ତ୍ତିତ କରୋନା ଭୂତାଣୁର ବ୍ରିଟେନ ପ୍ରଜାତି ପରେ ଏବେ ଭାରତରେ ଦକ୍ଷିଣ ଆଫ୍ରିକୀୟ ଓ ବ୍ରାଜିଲ ପ୍ରଜାତିର ଭୂତାଣୁ ପ୍ରବେଶ କରିଛି। ଆଇସିଏମ୍‌ଆର ମହାନିର୍ଦ୍ଦେଶକ ସୂଚିତ କରିଛନ୍ତି ଯେ, ଫେବୃୟାରୀ ପ୍ରଥମ ସପ୍ତାହରେ ଭାରତରେ ଜଣଙ୍କଠାରେ ବ୍ରାଜିଲ ପ୍ରଜାତିର ନୂଆ କରୋନା ଭୂତାଣୁ ଚିହ୍ନଟ ହୋଇଛି। ଅନ୍ୟପକ୍ଷରେ ଚାରି ଜଣଙ୍କଠାରେ ଆଫ୍ରିକୀୟ ପ୍ରଜାତିର ଭୂତାଣୁ ମଧ୍ୟ ଚିହ୍ନଟ ହୋଇଛି। ଏହି ଲେଖା ପ୍ରସ୍ତୁତ ବେଳକୁ ଦେଶରେ ବ୍ରିଟେନ ପ୍ରଜାତିର ୧୮୭ ମାମଲା ସାମ୍ନାକୁ ଆସିଛି ଓ କାହାରି ମୃତ୍ୟୁ ମଧ୍ୟ ହୋଇନାହିଁ। ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଏଠାରେ ସୂଚାଇ ଦିଆଯାଇପାରେ, ଭାରତରେ କୋଭିଡ୍‌-୧୯ ଟିକାକରଣ ପ୍ରକ୍ରିୟା ଏବେ ଜାରି ରହିଛି । ନୂଆ ପ୍ରଜାତିର ଭୂତାଣୁ ଏବେ ଭାରତରେ ସକ୍ରିୟ ଥିବାରୁ କୋଭିଡ୍‌ ପାଇଁ ରହିଥିବା ସାଧାରଣ ନିୟମ ସବୁ ପାଳନ କରିବାକୁ ଗୁରୁତ୍ୱାରୋପ କରାଯାଇଛି।
ଭାରତରେ ଏବେ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ଅଚାନକ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର ଓ କେରଳରେ କରୋନା ସଂକ୍ରମଣ ବଢ଼ିବା ଯୋଗୁ ଲକ୍‌ଡାଉନ୍‌ ଫେରିଛି। ଲୋକଙ୍କ ଯିବା ଆସିବା ଯୋଗୁ ଓଡ଼ିଶାରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଯେପରି ନ ଘଟେ ସେଥିପାଇଁ ଗାଇଡ୍‌ଲାଇନ ଅନୁଯାୟୀ ଆବଶ୍ୟକ ସଂଖ୍ୟକ ନମୁନା ପରୀକ୍ଷା ଜାରି ରଖିବା ଆବଶ୍ୟକ। ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ଖୋଲି ଯାଇଥିବା ଯୋଗୁ ଗହଳି ସ୍ଥାନରେ ସ୍ବତନ୍ତ୍ର ଭାବେ ପଦକ୍ଷେପ ନିଆଯିବା ଜରୁରୀ। ଏବେ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଯୁଦ୍ଧକାଳୀନ ଭିତ୍ତିରେ ସ୍ଥିତି ନିୟନ୍ତ୍ରଣ ପ୍ରକ୍ରିୟା ସମଗ୍ର ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତ କରିଛି।
ଭାରତରେ ଦୁଇଟି କରୋନା ଟିକା ଜରୁରିକାଳୀନ ଭାବେ ବ୍ୟବହାର ହେବା ପରେ ଏହି ଭୟାନକ ମହାମାରୀରୁ ମୁକ୍ତି ପାଇବା ପାଇଁ ଲୋକମାନଙ୍କ ଭିତରେ ଆଶା ସଞ୍ଚାର ହୋଇଛି। ପ୍ରଥମ ପର୍ଯ୍ୟାୟରେ ଅଗ୍ରଣୀ ଯୋଦ୍ଧା ଡାକ୍ତର, ପୋଲିସ, ସ୍ବାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ ଆଗଧାଡ଼ିର ପ୍ରଶାସନିକ ପଦାଧିକାରୀଙ୍କୁ ଟିକାଦାନ ଦିଆଯାଇ ଓଡ଼ିଶାରେ ପାଖାପାଖି ୫ଲକ୍ଷ ଚିହ୍ନିତ ବ୍ୟକ୍ତିଙ୍କୁ ପ୍ରାଥମିକ ଭାବେ ଟିକା ଦିଆ ସରିଲାଣି। ଭାରତ ସରକାରଙ୍କ ପକ୍ଷରୁ କୋଉଇନ୍‌ ନାମକ ଆପ୍‌ରେ ଆବଶ୍ୟକ ତଥ୍ୟ ଦେଇ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ। ଏହି ସପ୍ତାହର ଶେଷସୁଦ୍ଧା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଥମ ଡୋଜ୍‌ର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍‌ର ଆବଶ୍ୟକତା ରହିଛି। ଏହାର ଦୁଇତିନି ସପ୍ତାହ ପରେ ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ କରୋନା ପ୍ରତିରୋଧକ ଶକ୍ତି ବଢ଼ିବ।
ଲୋକମାନେ ମାସ ମାସ ଧରି କର୍ମକ୍ଷେତ୍ରରୁ ବଞ୍ଚତ୍ତ ହୋଇ ଘର ଭିତରେ ଏକ ପ୍ରକାର ଆବଦ୍ଧ ଜୀବନ ବିତାଇ ଥିବାରୁ ସରକାର ଜନସାଧାରଣଙ୍କ ସୁବିଧା ପାଇଁ ପ୍ରଥମରୁ କିଛିଟା ନିୟମକାନୁନ୍‌ ହ୍ରାସ କରିଥିଲେ; ଯାହାଦ୍ୱାରା ପର୍ବପର୍ବାଣି ହେଉ ବା ବିବାହ ପରି ସାମାଜିକ ଉତ୍ସବ, ହାଟ ବଜାର ହେଉ ବା ଉଦ୍ୟାନ ଓ ପରିଭ୍ରମଣ କ୍ଷେତ୍ର ତେବେ ଏସବୁ ଭିତରେ ସାମାଜିକ ଦୂରତା ରକ୍ଷା କରିବା ବହୁତ କମିଯାଇଛି। ସାଧାରଣ ଜନଜୀବନ ଚଳପ୍ରଚଳରେ ପୂର୍ବଭଳି ସହଜ ଅବସ୍ଥା ଫେରିଥିବାରୁ ଲୋକମାନେ କରୋନା ଯେପରି ଭାରତରୁ ବିଦାୟ ନେଇଗଲା ପରି ଭାବୁଛନ୍ତି; ଯାହାଫଳରେ ନୂଆ କରୋନା ପଜିଟିଭ୍‌ ଏବେ ସମସ୍ତଙ୍କ ପାଇଁ ସତର୍କତା ସୃଷ୍ଟି କଲାଣି। ମହାମାରୀ ବିଶେଷଜ୍ଞ ଓ ଚିକିତ୍ସା ବିଜ୍ଞାନୀଙ୍କ ଗବେଷଣାର ତଥ୍ୟ କହୁଛି, ସାମାଜିକ ଚଳପ୍ରଚଳ ଦିନକୁ ଦିନ ଯେଉଁପରି ଭାବରେ ବଢ଼ି ଚାଲୁଛି ଓ ମାସ୍କ ବା ସାମାଜିକ ଦୂରତା ରକ୍ଷା ହୋଇପାରୁନାହିଁ, ଏହାର ଫଳସ୍ବରୂପ ଦେଶରେ ନୂଆ କରୋନା ପଜିଟିଭ୍‌ କେସ୍‌ ଧୀରେ ଧୀରେ ବଢ଼ୁଛି। ପରବର୍ତ୍ତୀ ସମୟରେ ଏହା ନିୟନ୍ତ୍ରଣାଧୀନ ନ ହେଲେ ପୁନର୍ବାର ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଓ କର୍ଫୁ ପୁଣି ଫେରି ଆସିବାର ସମ୍ଭାବନା ରହିଛି।
ଅନେକ କ୍ଷେତ୍ରରେ ଗୁଜବ କଥା ଶୁଣି ଅନେକ ଟିକା ନେବା ପାଇଁ ଇଚ୍ଛୁକ ହେଉନାହାନ୍ତି; ଯାହାଫଳରେ ଶତପ୍ରତିଶତ ଟିକା ଦାନ ସମ୍ଭବ ହୋଇପାରିନାହିଁ। ସେହିପରି ଭାରତରେ ନିର୍ମିତ ଟିକାର ପ୍ରଭାବ ଓ ନିୟନ୍ତ୍ରଣକୁ ନେଇ କେତେକ କ୍ଷେତ୍ରରେ ମିଥ୍ୟା ଅପପ୍ରଚାର ଯୋଗୁ ଟିକା ଗ୍ରହଣ ପ୍ରକ୍ରିୟା କମି ଯାଉଛି। ମୂଳକଥା ହେଲା କରୋନା ମହାମାରୀ ଏକ ଉଗ୍ର ସଂକ୍ରାମକ ରୋଗ ଓ ଏହାର ଚିକିତ୍ସା ପାଇଁ କୌଣସି ପ୍ରଭାବଶାଳୀ ଔଷଧ ବାହାରି ନାହିଁ। କେବଳ ଟିକାଦାନ ହିଁ ଏକ ମାତ୍ର ପନ୍ଥା। ବର୍ତ୍ତମାନ ଭାରତରେ ବିକଶିତ ହୋଇଥିବା ଦୁଇଟି ଟିକାକୁ ଗ୍ରହଣ କରିବା ଜରୁରୀ। ଏବେ ସୁଦ୍ଧା ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ଓ ବାରମ୍ବାର ହାତ ଧୋଇବା ସହ ଭିଡ଼ରୁ ଦୂରେଇବା ଓ ସାମାନ୍ୟ ଥଣ୍ଡା, କାଶ, ଜ୍ୱର ଅନୁଭବ କଲେ ତୁରନ୍ତ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। କରୋନା ଟିକା ନେବା ପରେ ମଧ୍ୟ ମାସ୍କ ପିନ୍ଧନ୍ତୁ ସୁରକ୍ଷିତ ଦୂରତ୍ୱ ଅବଲମ୍ବନ କରନ୍ତୁ। ପିଲାମାନଙ୍କ ବିଦ୍ୟାଳୟ ଖୋଲି ଯାଇଥିବାରୁ ମାତାପିତାଙ୍କ ଗୁରୁଦାୟିତ୍ୱ ହେଉଛି ସେମାନଙ୍କୁ ବ୍ୟକ୍ତିଗତ ଦୂରତା ଶିକ୍ଷା ଦେବା ଓ ସାନିଟାଇଜର ବ୍ୟବହାରକୁ ଗୁରୁତ୍ୱ ପ୍ରଦାନ କରିବା। କରୋନା ସଂକ୍ରମଣର ଭୟକୁ ନେଇ ଅହେତୁକ ଆଶଙ୍କା କରିବା ଜରୁରୀ ନୁହଁ କିନ୍ତୁ ଏ କ୍ଷେତ୍ରରେ ସତର୍କତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ବିଭାଗୀୟ ମୁଖ୍ୟ
ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ:୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri