ସାମାଜିକ ଜୀବନରେ ଯୋଗୀଙ୍କ ସ୍ଥାନ

ଯୋଗ ଜାଣନ୍ତୁ ବା ନ ଜାଣନ୍ତୁ, ସେମାନେ ଯୋଗୀ। ଯୋଗୀ ତାଙ୍କର ପରିଚୟ, ନାଥ ତାଙ୍କର ସମ୍ପ୍ରଦାୟ ଏବଂ ସମାଜରେ ତାଙ୍କର ସ୍ଥିତି ପରିମେୟ। ଅଣ୍ଟାରେ ଦୋସଡ଼ା, ଗ୍ରୀବାରେ ଗାମୁଛା, ମୁଣ୍ଡରେ ଠେକା, କପାଳରେ ତିଳକ, ମଥାରେ ସିନ୍ଦୂର, ଛାତିରେ ଘାଗଡ଼ାମାଳି, ବେକରେ ଚାବିବନ୍ଧା ଲମ୍ବା ପଇତା, କାନ୍ଧରେ ଲାଉଥାଳ ଓ ଝୁଲା, ଖାଲିପାଦ, ହାତରେ କେନ୍ଦରାର ମୂର୍ଚ୍ଛନା, ତାର ତାଳେ ତାଳେ ମୁଖରୁ ନିଃସୃତ ସୁଲଳିତ କଣ୍ଠସ୍ବର, ”ଭଜୁ କି ନା ରାମ ନାମରେ ଗୋବିନ୍ଦ, ଭଜୁ କି ନା ରାମ ନାମ। ଭଜି ନ ପାରିଲେ କୁଳ ଚନ୍ଦ୍ରମାରେ ବାନ୍ଧିନେବ କାଳଯମ। ସେହି କାଳଯମ ବଡ଼ ନିଦାରୁଣ ନ ଜାଣଇ ଦୁଃଖ ସୁଖ, ବାଛି ନେବ କଞ୍ଚା ରଖିବ ପାଚିଲା ଦେବଟି ଦାରୁଣ ଦୁଃଖରେ କୁମର…।“ କାହିଁ କେଉଁ କାଳରୁ ଆମ ସମାଜରେ ଗଡ଼ିଆସିଅଛି ‘ଟୀକା ଗୋବିନ୍ଦଚନ୍ଦ୍ର’ର ଏହି ବୈରାଗ୍ୟ ବ୍ୟଞ୍ଜକ କାଳଜୟୀ ଉପାଖ୍ୟାନ, ଯାହାର ଶ୍ରବଣରେ କଠୋରହୃଦୟ ନାସ୍ତିକଟିଏ ବି କ୍ଷଣକ ପାଇଁ ଆନମନା ହୋଇଯାଏ। କାହିଁ କେବେ ସନ୍ତାନସମ୍ଭବା ହେଉ ନ ଥିବା ସଂଗତିସମ୍ପନ୍ନ ଜନନୀଟିଏ (ମୁକୁତା ଦେଈ) କେମିତି ଏକ ଦୁର୍ବଳ ମୁହୂର୍ତ୍ତରେ ସନ୍ତାନଟିଏ ଜନ୍ମ ହେଲେ ତାକୁ ଯୋଗୀ କରିଦେବ ବୋଲି ମାନସିକ କରିଥିଲେ। ପୁଅଟିଏ ଜନ୍ମ ହୋଇ ହେତୁ ପାଇଲା ପରେ (ନାମ ଗୋବିନ୍ଦ) ସତ୍ୟ ପାଶରେ ଆବଦ୍ଧ ନିରୁପାୟ ମାଆ ବାତ୍ସଲ୍ୟ ମମତାର ଅତୁଟ ବନ୍ଧନକୁ ଜଳାଞ୍ଜଳି ଦେଇ ପ୍ରାଣାଧିକ ପ୍ରିୟ ଏକୋଇର ବଳାକୁ ସଂସାରତ୍ୟାଗୀ ହେବାକୁ ଅଶ୍ରୁଳ ନୟନରେ ବାଧ୍ୟ କଲେ। କିନ୍ତୁ ନିରୀହ କିଶୋରଟି ସେ ସବୁର ମର୍ମ କିଛି ବୁଝି ନ ପାରି ଅନିଚ୍ଛା ପ୍ରକାଶ କରିବାରୁ ତାକୁ ପ୍ରବର୍ତ୍ତାଇବା ପାଇଁ ହୃଦୟକୁ ପଥର କରିଦେଇ ପ୍ରତିଶ୍ରୁତ ଜନନୀ ସଂସାରର ଯେଉଁ ନିଷ୍ଠୁର ସତ୍ୟର ଅବତାରଣା କରିଥିଲେ, ତାହାହିଁ ହେଉଛି ଚିର ସମ୍ବେଦନଶୀଳ ‘ଟୀକା ଗୋବିନ୍ଦଚନ୍ଦ୍ର’ର କଥାବସ୍ତୁ। କାହାଣୀଟି ଏତେ ପ୍ରଭାବଶାଳୀ ଯେ, ଏବେବି ଏହାର ସ୍ପର୍ଶ ଅନୁଭୂତ ହେଉଛି। କେହି କେହି ନିଃସନ୍ତାନ ଦମ୍ପତି ସନ୍ତାନ ଜନ୍ମ ହେଲେ ତାକୁ ଯୋଗୀ କରିଦେବା ପାଇଁ ମାନସିକ କରନ୍ତି ଏବଂ ସନ୍ତାନ ପ୍ରାପ୍ତି ପରେ ତାକୁ ଏକ ଯୋଗୀକୁ ବିକା-କିଣା କରି ନିଜର ମାନସିକ ପୂରଣ କରନ୍ତି। କେତେକ କ୍ଷେତ୍ରରେ ଯୋଗୀ କରିଦେବାକୁ ମାନସିକ ଥିଲେ ଜନ୍ମିତ ପିଲାଟିକୁ ଶିଶୁ ଅବସ୍ଥାରେ ଯୋଗୀ ବେଶ କରି ପାଞ୍ଚ ସାତ ଘର ବୁଲେଇ ଭିକ ମଗେଇ ଦେଇ ମାନସିକ ଉଜେଇଁ ଦିଅନ୍ତି। ଏହାଛଡ଼ା କିଛି ଲୋକ ସେମାନଙ୍କର ପିଲାଙ୍କ ନାମ ଯୋଗୀ, ଯୋଗେନ୍ଦ୍ର, ଯୋଗୀନାଥ, ଯୋଗୀ ପ୍ରସାଦ ଇତ୍ୟାଦି ରଖନ୍ତି। ଏହାର ମୁଖ୍ୟ କାରଣ ଧ୍ୟାନଯୋଗ ପାଇଁ ମହାଯୋଗୀ ନାମରେ ଅଭିହିତ ଦେବଦେବ ମହାଦେବଙ୍କ ନାମ ସହିତ ସାମଞ୍ଜସ୍ୟ ରଖିବା।
କେଉଁ ଆବହମାନ କାଳରୁ ପ୍ରଚଳିତ ଏହି ଲୋକକଥାକୁ ଆଧାର କରି ଗଢ଼ିଉଠିଛି ଯୋଗୀ ସଂସ୍କୃତି, ଯାହା ନାଥ ସମ୍ପ୍ରଦାୟ ଭାବରେ ଜଣାଶୁଣା। ଏହାର ଇତିହାସ ଏତେ ପ୍ରାଚୀନ ଯେ, ଓଡ଼ିଆ ଭାଷା ଓ ସାହିତ୍ୟରେ ଏହା ଏକ ଯୁଗର ବଳିଷ୍ଠ ପ୍ରତୀକ; ଯାହା ନାଥ ସାହିତ୍ୟ ନାମରେ ଏକ ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିଛି। ପଲ୍ଲୀକବି ନନ୍ଦ କିଶୋର ବଳଙ୍କ ‘ପଲ୍ଲୀଚିତ୍ର’ରେ ଯୋଗୀ ଚରିତ୍ର ଏକ ଲୋକପ୍ରିୟ ଆଖ୍ୟାୟିକା ଯାହାର ସୂଚନା ଏହିପରି, ”କୁଉଁ କୁଉଁ ବାଜଇଁ କେନ୍ଦରା, ନାଥ ଆସି ଭିକ୍ଷା ମାଗେ ପରା। ଗାଇ ରାମ ବନବାସ କୃଷ୍ଣ ମଥୁରା ପ୍ରବାସ ବେଳେବେଳେ ବଜାଇଣ ହରେ ଜନମନ ପୂର୍ଣ୍ଣଥାଳେ କରେ ନାଥ ସ୍ବସ୍ଥାନେ ଗମନ।“ ସେହିପରି ‘ଉତ୍କଳ କାହାଣୀ’ରେ ବର୍ଣ୍ଣିତ ସାଧବ ବୋହୂ ଲୀଳାବତି କଥା ଯୋଗୀ ସମ୍ପୃକ୍ତି ସମ୍ପନ୍ନ ଏକ ଲୋକପ୍ରିୟ କଥା। ଏପରିକି ଯୋଗୀମାନଙ୍କ ଉପରେ ଆଧାରିତ ଅନେକ ଲୋକକଥା ଲୋକଗୀତି ରହିଛି, ଯେଉଁଥିରେ ଭ୍ରମରବର ରଙ୍ଗବତୀ ପାଲା ଖୁବ୍‌ ଜଣାଶୁଣା। ଏହାଛଡ଼ା ଶିଶୁଙ୍କର ମନୋରଞ୍ଜନ ପାଇଁ ସୃଷ୍ଟ ଅନେକ କାହାଣୀରେ ଯୋଗୀମାନେ ହିଁ ନାୟକ। କେବେ ସେମାନଙ୍କୁ ପଦମନ୍ତ୍ରର ଅଧିକାରୀ ଭାବରେ ଚିତ୍ରଣ କରାଯାଇ କାହାଣୀଟିକୁ ରହସ୍ୟ ରୋମାଞ୍ଚଭରା କରାଯାଏ ତ କେବେ ସେମାନଙ୍କର ଯାଦୁକରି ପ୍ରଭାବ କାହାଣୀକୁ ଶିଶୁସୁଲଭ ଢଙ୍ଗରେ ଉତ୍କଣ୍ଠାମୟ କରିଦିଏ। ଯେପରି ଉଲ୍ଲିଖିତ ସାଧବ ବୋହୂ କଥା କିମ୍ବା ଘନ ବନାନୀରେ ବାଟ ଭୁଲି ତାନ୍ତ୍ରିକ ଯୋଗୀର ନିର୍ଜନ ଆଶ୍ରମରେ ପହଞ୍ଚତ୍ବା ରାଜ କୁମାର କଥା।
ସମାଜରେ ଯୋଗୀମାନଙ୍କର ସ୍ଥାନ ସ୍ବତନ୍ତ୍ର ଏବଂ ଦୈନନ୍ଦିନ ଜୀବନରେ ସେମାନଙ୍କର ଉପସ୍ଥିତି ଅପରିହାର୍ଯ୍ୟ। ଆମର ଅନେକ ରୀତିନୀତି ଭରସା ଓ ବିଶ୍ବାସ ଯୋଗୀମାନଙ୍କ ଉପରେ ପର୍ଯ୍ୟବସିତ। ଯୋଗୀକୁ ଭିକ ଦେବା ଏକ ଧାର୍ମିକ କର୍ତ୍ତବ୍ୟ। ତେଣୁ କୌଣସି ଦ୍ୱାରରୁ ଯୋଗୀଟିଏ ରିକ୍ତ ହସ୍ତରେ ଫେରେନା। ଯୋଗୀଙ୍କୁ ଥାଳଭର୍ତ୍ତି କରି ଭିକ୍ଷା କିମ୍ବା ଖାଇବାକୁ ଦେଲେ ମନସ୍କାମନା ପୂରଣ ହୁଏ, ଗ୍ରହଶାନ୍ତି ହୁଏ, ରିଷ୍ଟ ଖଣ୍ଡନ ହୁଏ, ଅଶୁଭ ଦୃଷ୍ଟି ପ୍ରତିହତ ହୁଏ, ରୋଗରୁ ମୁକ୍ତି ମିଳେ ଏବଂ କିଛି ଶାରୀରିକ ଅକ୍ଷମତା ଦୂର ହୋଇଯାଏ ବୋଲି ବିଶ୍ବାସ କରାଯାଏ। ଯୋଗୀମାନେ ବିଭିନ୍ନ ସ୍ଥାନରେ ବୁଲୁଥିବାରୁ ଏବଂ ସେମାନଙ୍କ ପାଇଁ ପ୍ରାୟ ସବୁ ଦ୍ୱାର ଉନ୍ମୁକ୍ତ ଥିବାରୁ ଅନେକ ସମୟରେ ସେମାନଙ୍କ ମାଧ୍ୟମରେ ଅପହଞ୍ଚ ସ୍ଥାନର ଖବର ଜାଣିହୁଏ। ଲକ୍ଷ୍ମୀ ପୁରାଣର ବର୍ଣ୍ଣନା ଅନୁସାରେ ମା’ ଲକ୍ଷ୍ମୀ ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପୁନର୍ମିଳନ ପାଇଁ ଯୋଗୀଟିଏ (ସତ୍ୟାନନ୍ଦ) ହିଁ ଯୋଗସୂତ୍ରଧାରୀ ଥିଲା। ଆଗେ ବିବାହ ପାଇଁ ବର ଓ କନ୍ୟା ସନ୍ଧାନ କରିବାରେ ଯୋଗୀମାନେ ଏକ ଜଣାଶୁଣା ମାଧ୍ୟମ ଥିଲେ। ଯୋଗୀଙ୍କୁ ନେଇ ଅନେକ ବୋଲି ବାଣୀ ରହିଛି, ଯେପରି ଅସଙ୍ଗତିର ସଂକେତ ସରୂପ ‘ଯୋଗୀ ଘରେ ଢିଙ୍କି’, ପତିଗତ ପ୍ରାଣର ସୂଚନାତ୍ମକ ବଚନିକା, ‘ତୁମେ(ପତି) ରାଜା ହେଲେ ମୁଁ ରାଜରାଣୀ, ତୁମେ ଯୋଗୀ ହେଲେ ମୁଁ ଯୋଗିଆଣୀ’, ‘ଜଗିଲେ ଯୋଗୀ’, ‘ଯେବେ ଦେଖିବୁ ଯୋଗୀ ତେବେ ନ ଯିବୁ…’ ଇତ୍ୟାଦି। ଆମ ସମାଜ ଯୋଗୀମାନଙ୍କ ପ୍ରତି କେତେ ସହାନୁଭୂତିଶୀଳ ତା’ର ଏକ ଜଣାଶୁଣା ଉଦାହରଣ ହେଉଛି ସେମାନଙ୍କୁ ଗୀତ ଗାଇ ଭିକ ମାଗିବାକୁ ବାରଣ କରିବା। ଏବେ ବି ଅନେକ ଲୋକ ଅଛନ୍ତି, ଯେଉଁମାନେ ଯୋଗୀଟିଏ ଦେଖିଲେ ସେ କେନ୍ଦରା ବଜାଇବା ପୂର୍ବରୁ ସ୍ବେଚ୍ଛାରେ ତାଙ୍କୁ କିଛି ଦାନ ଦେଇ ଗୀତ ଗାଇବାକୁ ମନାକରନ୍ତି। କାରଣ ବିଶ୍ବାସ ରହିଛି ଯେ, ପରିଶ୍ରମ ବଦଳରେ ଭିକ୍ଷା ବା ଦାନ ଦେଲେ ତାହା ମୂଲ୍ୟହୀନ ହୋଇଯାଏ। ଅତଏବ ଯୋଗୀମାନେ ଲୋକଙ୍କ ହୃଦୟରେ ଧାର୍ମିକ ଚେତନା ଉଦ୍ରେକ କରିବାରେ ସହାୟକ ହୋଇ ଏକ ପବିତ୍ର କର୍ତ୍ତବ୍ୟ ସମ୍ପାଦନ କରନ୍ତି। ତେଣୁ ସେମାନେ ସମାଜର ଏକ ଅବିଚ୍ଛେଦ୍ୟ ଅଂଶ।
ଶାସ୍ତ୍ରୀ ନଗର, ୟୁନିଟ୍‌-୪, ଭୁବନେଶର
ମୋ: ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?