ନୈତିକ ଶିକ୍ଷାର ଆବଶ୍ୟକତା

ଅନୁଲିପ୍ତା ମିଶ୍ର

ଶିକ୍ଷା ସମାଜର ମାନଦଣ୍ଡ। ସମାଜକୁ ଉନ୍ନତ, ମହତ ଓ ପ୍ରଗତିଶୀଳ କରିବାରେ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଜୀବନକୁ ସୁସ୍ଥ, ସୁନ୍ଦର କରି ଗଢ଼ିତୋଳିବା ପାଇଁ ଶିକ୍ଷା ହିଁ ପଥପ୍ରଦର୍ଶକ ସାଜିଥାଏ। ଦେଶ ଓ ଜାତିର ସାମୂହିକ କଲ୍ୟାଣ ପାଇଁ ଶିକ୍ଷା ଏକ ଅମୋଘ ଅସ୍ତ୍ର ସଦୃଶ କାର୍ଯ୍ୟ କରେ। ସେହିପରି ଛାତ୍ରମାନେ ହିଁ ସମାଜର ମେରୁଦଣ୍ଡ ଓ ଦେଶର ଭବିଷ୍ୟତ ନିର୍ମାତା। ଦେଶ ଗଠନରେ ଛାତ୍ରମାନଙ୍କ ଭୂମିକା ଅନସ୍ବୀକାର୍ଯ୍ୟ। ଏକ ଶୃଙ୍ଖଳିତ, ମାର୍ଜିତ, ସଂଯତ ଓ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ଛାତ୍ର ବା ଯୁବଗୋଷ୍ଠୀଙ୍କ ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ବର୍ତ୍ତମାନର ଯୁବଗୋଷ୍ଠୀ ଯେ ପଥଭ୍ରଷ୍ଟ, ବିପଥଗାମୀ ଓ ବିଶୃଙ୍ଖଳିତ ଏହା ଅସ୍ବୀକାର କରାଯାଇ ପାରେନା। ଏହି ବିଶୃଙ୍ଖଳାର ଅନେକ କାରଣ ମଧ୍ୟରୁ ମୁଖ୍ୟ କାରଣ ହେଉଛି ଆଜିର ଛାତ୍ରମାନଙ୍କ ମଧ୍ୟରେ ନୈତିକ ଶିକ୍ଷାର ଘୋର ଅଭାବ। ଏଥିପାଇଁ ଅବଶ୍ୟ ଛାତ୍ରଙ୍କୁ କେବଳ ଦାୟୀ କରାଯାଇ ନ ପାରେ। ଛାତ୍ର ତା’ର ଦୈନନ୍ଦିନ ଜୀବନରେ ଯାହା ଦେଖେ ତାକୁ ହିଁ ଅନୁକରଣ କରେ। ଛାତ୍ରମାନଙ୍କୁ ସଂଯତ, ଶୃଙ୍ଖଳିତ କରିବାକୁ ଆଜିର ଅଭିଭାବକମାନେ ବୋଧହୁଏ ଆଦୌ ସଚେତନ ନୁହନ୍ତି।
ପିଲାଟିଏ ଜନ୍ମହେଲେ ପ୍ରଥମେ ସେ ତା’ର ମାତା ପିତା ଓ ପରିବାର ସଂସ୍ପର୍ଶରେ ଆସିଥାଏ । ପରିବାର ହିଁ ତା’ ପାଇଁ ହୁଏ ପ୍ରଥମ ପାଠଶାଳା ଓ ମାତା ପିତା ହିଁ ପ୍ରଥମ ଗୁରୁ। ପରିବାରରୁ ଆରମ୍ଭ ହୁଏ ତା’ର ନୈତିକ ଶିକ୍ଷା ଓ ଅନୁଶାସନ। ସ୍ନେହ, ଶ୍ରଦ୍ଧା, ଦୟା, କ୍ଷମା, ପରୋପକାର, ସାଧୁତା, ସହନଶୀଳତା, ସମ୍ମାନ, ସଂଯମ, ଆଧ୍ୟାତ୍ମିକତା, ଧୈର୍ଯ୍ୟ, ତ୍ୟାଗ ଆଦି ଗୁଣାବଳୀର ବିକାଶ ପ୍ରଥମେ ପରିବାରରୁ ହିଁ ଆରମ୍ଭ ହୋଇଥାଏ। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ବର୍ତ୍ତମାନର ଛାତ୍ର ସମାଜ ଏସବୁ ସୁଗୁଣଠାରୁ ବହୁତ ଦୂରରେ। ହିଂସା, ଈର୍ଷା, ରାଗ, ଦ୍ୱେଷ, ପରଶ୍ରୀକାତରତା, ଅସହିଷ୍ଣୁତା ଆଦି ଦୁର୍ଗୁଣର ଅଧିକାରୀ ଆଜିର ଅଧିକାଂଶ ଯୁବଗୋଷ୍ଠୀ।
ଆଜିର ଯନ୍ତ୍ର ଯୁଗରେ ଯନ୍ତ୍ର ପାଲଟିଗଲାଣି ମନୁଷ୍ୟ। ଦିନଥିଲା ଜେଜେମା, ଜେଜେବାପାଙ୍କ ପାଖରେ ବସି ଛୋଟବେଳୁ ପିଲାଟିଏ ଶୁଣୁଥିଲା ରାମାୟଣ ଓ ମହାଭାରତ ଆଦି ପୌରାଣିକ କାହାଣୀ। ଧ୍ରୁବ, ପ୍ରହଲ୍ଲାଦ, ନଚିକେତା, ଶ୍ରବଣ କୁମାର, ଏକଲବ୍ୟ, ଆରୁଣିଙ୍କ ପରି ମହାନ୍‌ ଚରିତ୍ରମାନଙ୍କର କଥାଗାଥା ସବୁ। ଯାହା ତା’ର ଆଚାର, ବିଚାର, ବ୍ୟବହାର ଓ ଚରିତ୍ର ଉପରେ ସକାରାତ୍ମକ ପ୍ରଭାବ ପକାଉଥିଲା ଏବଂ ତା’ର ବ୍ୟକ୍ତିତ୍ୱର ବିକାଶରେ ସହାୟକ ହେଉଥିଲା। ଯୌଥ ପରିବାର ଭିତରେ ରହି ପରିବାରର ବିଭିନ୍ନ ସଦସ୍ୟଙ୍କ ସଂସ୍ପର୍ଶରେ ଆସି ତା’ ମଧ୍ୟରେ ବିକାଶ ଲାଭ କରୁଥିଲା ସ୍ନେହ, ଶ୍ରଦ୍ଧା, ଭକ୍ତି, ଭଲପାଇବା, ତ୍ୟାଗ ସହନଶୀଳତା, ସମବେଦନା ଭଳି ଦିବ୍ୟ ଗୁଣ ସବୁ। କିନ୍ତୁ ବର୍ତ୍ତମାନର ଏଇ ଆଧୁନିକ ବିଜ୍ଞାନ ଯୁଗରେ ଏସବୁ ସ୍ବପ୍ନ ପ୍ରାୟ। କେବଳ ଅର୍ଥ, ପ୍ରତିଷ୍ଠା, ପ୍ରତିପତ୍ତି ପଛରେ ଅଣନିଃଶ୍ବାସୀ ହୋଇ ଧାଇଁ ଚାଲିଛି ମନୁଷ୍ୟ। ନିଜ ପିଲାଙ୍କୁ ପାଠ ପଢି ଭଲ ମଣିଷ ବଦଳେ ଅର୍ଥ ଉପାର୍ଜନ କରି ବଡ଼ ମଣିଷ ହେବାକୁ ଶିକ୍ଷା ଦେଉଛନ୍ତି ଅଭିଭାବକ। ଆଜିର ଛାତ୍ରମାନଙ୍କ ପାଖରେ ନା ଅଛି ଗୁରୁଜନଙ୍କ ପ୍ରତି ଭକ୍ତିଭାବ ନା ଅଛି ସାନମାନଙ୍କ ପାଇଁ ସ୍ନେହାଶିଷ। ସତ୍ୟ, ଦୟା, କ୍ଷମା, ସାଧୁତା, ପରୋପକାର ପରି ଶବ୍ଦ ସବୁ ମୂଲ୍ୟହୀନ ହୋଇପଡିଛି ଆଜିର ଛାତ୍ରମାନଙ୍କ ପାଇଁ। ଫଳସ୍ବରୂପ ସମାଜରେ ଅନ୍ୟାୟ, ଅନୀତି, ଅପରାଧ ତା’ର କାୟା ବିସ୍ତାର କରିଚାଲିଛି।
ଛାତ୍ରୀଛାତ୍ରମାନଙ୍କର ନୈତିକ ସ୍ଖଳନର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ମୋବାଇଲ ଫୋନ ଓ ସାମାଜିକ ଗଣମାଧ୍ୟମର ଅତ୍ୟଧିକ ବ୍ୟବହାର। ମୋବାଇଲ ଫୋନର ବହୁଳ ବ୍ୟବହାର ଫଳରେ ବର୍ତ୍ତମାନର ପାରିବାରିକ ସମ୍ପର୍କ ଏବେ ବିକଳାଙ୍ଗ ପ୍ରାୟ। ଅଯଥା ଭାବପ୍ରବଣତାର ବଶବର୍ତ୍ତୀ ହୋଇ ବାସ୍ତବତାଠାରୁ ବହୁ ଦୂରରେ ବର୍ତ୍ତମାନର ଛାତ୍ରସମାଜ। ଆତ୍ମସଂଯମତା ଓ ଆତ୍ମବିଶ୍ୱାସର ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି ଆଜିର ଯୁବଗୋଷ୍ଠୀଙ୍କ ମଧ୍ୟରେ। ସେମାନଙ୍କର ଚିନ୍ତା, ଚେତନା ଓ ଭାବନାରେ ଅପସଂସ୍କୃତିର ଛିଟା ଦୃଶ୍ୟମାନ। ‘ମୁଁ’ ଏବଂ ‘ମୋର’ ଭାବ ମଧ୍ୟରେ ସୀମିତ ସେମାନଙ୍କ ମାନସିକତା। ଏହିଭଳି ପରିସ୍ଥିତିରେ ଏକ ଉନ୍ନତ ଓ ସୁସ୍ଥ ସମାଜର ପରିକଳ୍ପନା କରିବା ହିଁ ଏକ ବୃଥା ପ୍ରୟାସ ମାତ୍ର।
ଏକ ମାର୍ଜିତ ଓ ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଛାତ୍ରମାନଙ୍କୁ ଉଚିତ ଓ ଉପଯୁକ୍ତ ଦିଗ୍‌ଦର୍ଶନ ଦେବା ସହ ସେମାନଙ୍କ ମଧ୍ୟରେ ମାନବୀୟ ମୂଲ୍ୟବୋଧର ବିକାଶ କରିବା ପାଇଁ ଚେଷ୍ଟା କରିବା ଜରୁରୀ। ଏଥିପାଇଁ ପ୍ରଥମେ ଅଭିଭାବକମାନେ ସଚେତନ ହୋଇ ସେମାନଙ୍କ ପିଲାମାନଙ୍କୁ ବାଲ୍ୟକାଳରୁ ଉପଯୁକ୍ତ ନୈତିକ ଶିକ୍ଷା ଓ ସଂସ୍କାର ଦେବା ସହିତ ସେମାନଙ୍କର ଭବିଷ୍ୟତ ଜୀବନ କିପରି ଶୃଙ୍ଖଳିତ ଓ ମାର୍ଜିତ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଏତଦ୍‌ବ୍ୟତୀତ ବିଦ୍ୟାଳୟ ସ୍ତରରେ ମଧ୍ୟ ସେମାନଙ୍କର ନୈତିକ ଚେତନାର ଜାଗରଣ ପାଇଁ ପାଠ୍ୟକ୍ରମରେ ମହାପୁରୁଷଙ୍କ ଜୀବନୀ ଓ ନୀତିଶିକ୍ଷାମୂଳକ ପୁସ୍ତକ ପ୍ରଚଳନର ଅତ୍ୟନ୍ତ ଆବଶ୍ୟକତା ରହିଛି। କାରଣ ବର୍ତ୍ତମାନର ଶିକ୍ଷା ପଦ୍ଧତି ଛାତ୍ରର ଚରିତ୍ର ଗଠନରେ ସାହାଯ୍ୟ କରୁନାହିଁ,ଏହା କେବଳ ପୁସ୍ତକଗତ ଜ୍ଞାନ ପ୍ରଦାନ କରୁଛି।
ଛାତ୍ରମାନେ ହିଁ ଦେଶର ଭବିଷ୍ୟତ। ଛାତ୍ରମାନଙ୍କର ଜୀବନର ବିକାଶରେ ହିଁ ଦେଶର ବିକାଶ। ଛାତ୍ରମାନଙ୍କ ଶୃଙ୍ଖଳାରେ ନିର୍ଭର କରେ ଦେଶର ଶୃଙ୍ଖଳା। ତେଣୁ ଆଜି ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତି ଛାତ୍ରମାନଙ୍କ ମଙ୍ଗଳ ପାଇଁ ସଚେଷ୍ଟ ହେବା ଉଚିତ। ସାମ୍ପ୍ରତିକ ଯୁଗରେ ନୈତିକ ଶିକ୍ଷା ବୈଜ୍ଞାନିକ ଶିକ୍ଷାରେ ସମନ୍ବିତ ହୋଇ ଛାତ୍ର ଜୀବନକୁ ଗଢ଼ିବା ସଙ୍ଗେ ସଙ୍ଗେ ଦେଶ ଗଠନରେ ସହାୟକ ହେବା ଉଚିତ।
ସହକାରୀ ଶିକ୍ଷୟିତ୍ରୀ, ମହିଳୋ, ଜଗତ୍‌ସିଂହପୁର
ମୋ: ୯୯୩୮୪୦୦୨୦୫


Enter your email to get our daily news in your inbox.

All Right Reserved By Dharitri.Com

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସବୁଆଡ଼ୁ ଘେରିଗଲାଣି ଚାଇନା

ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri