ଆମ୍ବ ସ୍ବାଦ ବରକୋଳିରେ ନାହିଁ

ଡିସେମ୍ବର ୧୨ ସକାଳୁ ଖବର ମିଳିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌ ହୋଇଛି। ସେହି ହ୍ୟାକ୍‌ର ଦୁଷ୍ଟ ଲେଖା ଦର୍ଶାଇଲା ଯେ, ସତେ ଯେମିତି ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ବ୍ୟକ୍ତିଗତ ଟୁଇଟର ହ୍ୟାଣ୍ଡ୍‌ଲରେ ଘୋଷଣା କରିଛନ୍ତି, ‘ଭାରତ ସରକାରୀ ଭାବେ ବିଟ୍‌କଏନ୍‌କୁ ଲିଗାଲ ଟେଣ୍ଡର ଭାବେ ପ୍ରଚଳନ କରିଛି। ସରକାର ୫୦୦ ବିଟ୍‌କଏନ୍‌ କିଣି ଦେଶବାସୀଙ୍କ ମଧ୍ୟରେ ବାଣ୍ଟୁଛନ୍ତି।
ଜଲ୍‌ଦି କର।
ଭବିଷ୍ୟତ ଆଜି ଆସିଗଲାଣି।’
ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟଙ୍କ ଟୁଇଟର ହ୍ୟାଣ୍ଡଲ୍‌ରୁ କୁହାଗଲା, ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଟୁଇଟର ଆକାଉଣ୍ଟ ଏବେ ସୁରକ୍ଷିତ କରିଦିଆଯାଇଛି। ଏଥିରୁ ବୁଝିବାକୁ ହେବ ଯେ, ଟୁଇଟର କମ୍ପାନୀର ସହାୟତା ଲୋଡ଼ାଯାଇ ମୋଦିଙ୍କ ବ୍ୟକ୍ତିଗତ ହ୍ୟାଣ୍ଡ୍‌ଲକୁ କେହି ଜଣେ ଦୁର୍ବୃତ୍ତ (ହ୍ୟାକର) ଦୁଷ୍ଟାମି କରି ଏକ ପିଲାଳିଆ ବାର୍ତ୍ତା ପକାଇଛନ୍ତି। ଏଠାରେ ପିଲାଳିଆମି ଏଇଥିପାଇଁ କୁହାଯିବ, କାରଣ ସେହି ହ୍ୟାକର ଇଚ୍ଛା କରିଥିଲେ ଏକ ଭୟାବହ ସ୍ଥିତି ସୃଷ୍ଟି କରିଦେଇଥାଆନ୍ତେ। ଉଦାହରଣ ସ୍ବରୂପ, ଚାଇନା ସହ ଯୁଦ୍ଧ ଘୋଷଣା ଭଳି ଆପତ୍ତିଜନକ ବାର୍ତ୍ତା ଲେଖି ଦିଆଯାଇପାରିଥାଆନ୍ତା। ଏଥିରୁ ପ୍ରମାଣିତ ହେଉଛି ଯେ, କେହି ଜଣେ ହ୍ୟାକର ଏଭଳି ପଦକ୍ଷେପ ନେଇପାରିଲେ ତାହା ଦେଶର ସୁରକ୍ଷାକୁ ବିପଦରେ ପକାଇପାରେ। କୌତୂହଳ କଥା ହେଲା, ନିକଟରେ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରଓ୍ବାଲ ଟୁଇଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦରେ ଅବସ୍ଥାପିତ ହୋଇଛନ୍ତି। ପୂର୍ବରୁ ପରାଗ ସେହି କମ୍ପାନୀର ଚିଫ୍‌ ଟେକ୍‌ନିକାଲ ଅଫିସର ବା ମୁଖ୍ୟ ବୈଷୟିକ ଅଧିକାରୀ (ସିଟିଓ) ଭାବେ କାର୍ଯ୍ୟ କରିଆସୁଥିଲେ। ଶୁଣିବାକୁ ମିଳୁଥିଲା ଯେ, ଟୁଇଟର ସିଇଓ ପରାଗଙ୍କ ଆଗମନ ଯୋଗୁ ଟୁଇଟର ଅଧିକ ସୁରକ୍ଷିତ ହୋଇଯିବ। ତେବେ ଏହି ସମୟରେ ମୋଦିଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌ ହେବା ଦେଶ ପାଇଁ ଚିନ୍ତାର ବିଷୟ। ତେବେ ୫୦୦ ବିଟ୍‌କଏନ୍‌ର ଅର୍ଥ ଅନେକ ହଜାର କୋଟି ଟଙ୍କା। ଏହି ବାର୍ତ୍ତା ମାଧ୍ୟମରେ ମୋଦିଙ୍କ କଳାଧନ ଫେରାଇ ଆଣିବାର ପ୍ରତିଶ୍ରୁତି, ଯାହା ଦ୍ୱାରା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଆସିବା ସମ୍ପର୍କରେ ମନେପକାଇ ଦିଆଯାଇଛି।
ଏଠାରେ ଅନ୍ୟ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଉଲ୍ଲେଖ କରିବା ଉଚିତ ମନେକରୁଛୁ। ନିକଟ ଅତୀତକୁ ଦେଖିଲେ, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଉଚ୍ଚ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ସାମ୍ବାଦିକ ସମ୍ମିଳନୀ କରୁନାହାନ୍ତି। ପୂର୍ବରୁ ସବୁବେଳେ ମୁହଁାମୁହିଁ ପ୍ରଶ୍ନ-ଉତ୍ତର ଦିଆନିଆ ହେବା ଫଳରେ ଅନେକ ତଥ୍ୟ ସମ୍ପର୍କରେ ଦେଶବାସୀ ସ୍ପଷ୍ଟ ଜାଣିପାରୁଥିଲେ। ଏବେ ସେଭଳି କୌଣସି ସାମ୍ବାଦିକ ସମ୍ମିଳନୀ ହେଉ ନ ଥିବାରୁ ଟୁଇଟର ଭଳି ସୋସିଆଲ ମିଡିଆ ହୋଇଯାଇଛି ଏକତରଫା ବାର୍ତ୍ତା ଦେବାର ମାଧ୍ୟମ। ଏବେ ବାର୍ତ୍ତାଳାପ ବୋଇଲେ କିଛି ନାହିଁ। ସେଥିଯୋଗୁ ହ୍ୟାକିଂ ଦ୍ୱାରା ଅତ୍ୟଧିକ କ୍ଷତି ଘଟିବା ସମ୍ଭାବନା ବୃଦ୍ଧି ପାଉଛି।
ଭାରତ ପ୍ରଯୁକ୍ତିବିଦ୍ୟାରେ ବହୁତ ଆଗେଇପାରିଛି ବୋଲି ଦାବି କରାଯାଉଛି। ଏହାର ସର୍ବାଧିକ ଲାଭ ଏହି ଦେଶର ସରକାର ଉଠାଉଥିବେ ବୋଲି ବିଶ୍ୱାସ କରିବା ସ୍ବାଭାବିକ। ବାସ୍ତବ କ୍ଷେତ୍ରରେ ଅନ୍‌ଲାଇନ୍‌ କାର୍ଯ୍ୟ କେବେହେଲେ ଅତ୍ୟଧିକ ମାତ୍ରାରେ ସୁରକ୍ଷିତ ରହିପାରିବ ନାହିଁ। ଇସ୍ରାଏଲ ଦ୍ୱାରା ନିର୍ମିତ ପେଗାସସ୍‌ ଗୋଇନ୍ଦା ସଫ୍ଟଓ୍ବେର ଏକ ବ୍ୟବସାୟିକ ଧନ୍ଦା ଭାବେ ପରିଚିତ ହୋଇଗଲାଣି। ଭାରତ ସରକାର ମଧ୍ୟ ଏହି କମ୍ପାନୀ ସାହାଯ୍ୟରେ ନିଜ ନାଗରିକଙ୍କ ଉପରେ କଡ଼ା ନଜର ରଖୁଥିବା କଥା ଜଣାପଡ଼ିଛି। ପେଗାସସ୍‌ର ମୁଖ୍ୟ କାର୍ଯ୍ୟ ହେଲା ପ୍ରତ୍ୟେକ ନାଗରିକର ବ୍ୟକ୍ତିଗତ ତଥ୍ୟ ଯୋଗାଡ଼ କରିବା। ସେଥିନିମନ୍ତେ ସବୁ ପାସ୍‌ଓ୍ବାର୍ଡ ଏବଂ ଡିଜିଟାଲ ବିଶ୍ୱରେ ପ୍ରତ୍ୟେକ କାର୍ଯ୍ୟ ଉପରେ ନଜର ରଖିବା। ଏହିଭଳି କାର୍ଯ୍ୟ ଫେସ୍‌ବୁକ୍‌, ଗୁଗୁଲ ଓ ଆପଲ୍‌ ଭଳି ବିଖ୍ୟାତ କମ୍ପାନୀ ସହ ଅନେକ ଅଜଣା ସଂସ୍ଥା ମଧ୍ୟ କରୁଛନ୍ତି। ଏଥିରୁ ବୁଝିବାକୁ ହେବ ଯେ, କୌଣସି ଅନ୍‌ଲାଇନ୍‌ ବା ଇଣ୍ଟରନେଟ୍‌ ଉପରେ ଆଧାରିତ କାର୍ଯ୍ୟ କେବେହେଲେ ସମ୍ପୂର୍ଣ୍ଣ ଗୋପନୀୟ ରହିପାରିବ ନାହିଁ। ପେଗାସସ୍‌ ଆହୁରି ମଧ୍ୟ ପ୍ରମାଣ କରୁଛି ଯେ, କେବଳ ସରକାରୀ ପୋଲିସ ନୁହେଁ, ଘରୋଇ ସଂସ୍ଥାଗୁଡ଼ିକ ମଧ୍ୟ ସାଧାରଣ ନାଗରିକଙ୍କ ସବୁ ତଥ୍ୟ ନେବାକୁ ଅଗ୍ରହୀ। ଏଭଳି ବାତାବରଣରେ ଆଜିର ଭାରତ ସରକାର ସବୁବେଳେ କହିଆସୁଛନ୍ତି ଯେ, ଭବିଷ୍ୟତ ପାଇଁ ଭାରତ ଡିଜିଟାଲମୁହଁା ହେବା ଦରକାର। ବାରମ୍ବାର କୁହାଯାଉଛି ଯେ, ନାଗରିକର ଟିକସ (ପାନ୍‌) କାର୍ଡକୁ ଆଧାର କାର୍ଡ ସଙ୍ଗେ ସଂଯୋଗ କର। ଆଧାରକୁ ବ୍ୟାଙ୍କ୍‌ ଆକାଉଣ୍ଟ ସହ ସଂଯୋଗ କର। ରନ୍ଧନ ଗ୍ୟାସ୍‌ କିଣିବାକୁ ହେଲେ ତାହାକୁ ମଧ୍ୟ ଆଧାର ସହିତ ସଂଯୋଗ କର। ଏହାକୁ ଏତେ ଦୂରକୁ ଟାଣି ନିଆଯାଉଛି ଯେ, ପିଲାଙ୍କ ପଢ଼ା ଲାଗି ନାମଲେଖା ସମୟରୁ ଆଧାର ନମ୍ବର ଦେବାକୁ ବାଧ୍ୟ କରାଯାଉଛି। କେବଳ ବାଧ୍ୟ କରାଯାଉ ନାହିଁ, ପ୍ରତ୍ୟେକ ଦିନ ଧମକପୂର୍ଣ୍ଣ ବାର୍ତ୍ତା ପଠାଇ ସମଗ୍ର ଜୀବନକୁ ଆଧାର ସହିତ ଯୋଡ଼ି ଦେବା ସକାଶେ ପ୍ରୟାସ ଚାଲିଛି। ଏହାର ବିପଦ ଅଧିକାଂଶ ଭାରତୀୟ ବୁଝିବାକୁ ନାରାଜ। ଯେଉଁମାନେ ବୁଝୁଛନ୍ତି, ସେମାନେ ରାଜନୈତିକ ଚିନ୍ତାଧାରା ଯୋଗୁ ଏହି ତ୍ରୁଟିକୁ ସମର୍ଥନ କରୁଛନ୍ତି। ମଝିରେ ଦିନାକାତେ ଟୁଇଟର ଏବଂ ଫେସ୍‌ବୁକ୍‌ ଭଳି କମ୍ପାନୀ ଉପରେ ଭାରତ ସରକାର ଚାପ ପକାଇ କହୁଥିଲା ଯେ, ପ୍ରତ୍ୟେକ ସୋସିଆଲ ମିଡିଆ ବ୍ୟବହାରକାରୀର ଆକାଉଣ୍ଟ ଖୋଲିବା ପାଇଁ ଆଧାର ସଂଯୋଗ ବାଧ୍ୟତାମୂଳକ କରାଯାଉ। ଏହି ଚାପର ବଶବର୍ତ୍ତୀ ହେବା ପରିବର୍ତ୍ତେ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ତାହାକୁ ପ୍ରତ୍ୟାଖ୍ୟାନ କରିଦେଲେ। ମନେପଡ଼େ ଟୁଇଟରର ଦିଲ୍ଲୀସ୍ଥିତ କାର୍ଯ୍ୟାଳୟ ଉପରେ ପୋଲିସ ଚଢ଼ାଉ କରି କେନ୍ଦ୍ର ସରକାରର କୋପ ଦର୍ଶାଇବା ଘଟଣା। ସେହି ଚଢ଼ାଉର କୌଣସି ଫଳ ମିଳିଥିବା ବିଷୟ ଆଜି ପର୍ଯ୍ୟନ୍ତ ସରକାର ଘୋଷଣା କରିନାହାନ୍ତି। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଅଫିସ ଟୁଇଟରରୁ ଜଣାପଡ଼ିଛି ଯେ, ଭାରତ ସରକାର ସେହି ଟୁଇଟର କମ୍ପାନୀର ଦ୍ୱାରସ୍ଥ ହୋଇ ମୋଦିଙ୍କ ବ୍ୟକ୍ତିଗତ ଆକାଉଣ୍ଟ ହ୍ୟାକିଂ ବିଷୟରେ ଗୁହାରି କରିଛନ୍ତି। ଅବଶ୍ୟ ସରକାରୀ ପ୍ରୋତ୍ସାହନରେ ଭାରତର ଟୁଇଟରର ପ୍ରତିରୂପ ଭାବେ ଏକ ଭିନ୍ନ କମ୍ପାନୀକୁ ବଢ଼ାଇବାକୁ ଚେଷ୍ଟା କରାଯାଇଛି। କିନ୍ତୁ ଆମ୍ବର ସ୍ବାଦ କେବେହେଲେ ବରକୋଳିରେ ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri