Posted inଫୁରସତ

ଗାନ୍ଧୀ ଆଦର୍ଶର ମଣିଷ, ଯେଉଁମାନେ କରିଚାଲିଛନ୍ତି ନୀରବ ସଂଗ୍ରାମ…

ମହାତ୍ମା, ବାପୁଜୀ, ଜାତିର ଜନକ, ଗାନ୍ଧିଜୀ, ବାପୁ ଏମିତି କେତେ ନାଁରେ ସେ ପରିଚିତ ଜନମାନସରେ। ଆମ ଦେଶର ସ୍ବାଧୀନତା ସଂଗ୍ରାମର ସେ ଥିଲେ କର୍ଣ୍ଣଧାର। ହେଲେ ଏତେ ବଡ଼ ପ୍ରତିପକ୍ଷ ବିରୁଦ୍ଧରେ ତାଙ୍କର ଅସ୍ତ୍ର ଥିଲା ସତ୍ୟ ଓ ଅହିଂସା। ତାଙ୍କ ମାଧ୍ୟମରେ ଜାଗ୍ରତ ହୋଇଥିଲା ଅବଦମିତ ଭାରତର ଆତ୍ମା। ବିରୋଧୀଙ୍କୁ ପ୍ରେମର ଅସ୍ତ୍ରରେ ପରାଜିତ କରିବା ଥିଲା ତାଙ୍କର ଅଭିପ୍ରାୟ। ସେ ବ୍ରିଟିଶ ବିରୋଧୀ ସଂଗ୍ରାମକୁ ପରିଣତ କରି ଦେଇଥିଲେ ଭାରତୀୟଙ୍କ ଆତ୍ମ ଜାଗରଣରେ। ଲାଞ୍ଛିତ, ବଞ୍ଚିତ ମଣିଷ ଲାଗି ନିରନ୍ତର କାନ୍ଦୁଥିଲା ତାଙ୍କର ପ୍ରାଣ। ଧାର୍ମିକ ବିବିଧତା ସମ୍ପନ୍ନ ଏ ଦେଶରେ ସେ ଥିଲେ ସର୍ବ ଧର୍ମ ସମନ୍ବୟର ବାର୍ତ୍ତାବହ। ତାଙ୍କ ଭିତରେ ଜଣେ ହିନ୍ଦୁ ଦେଖୁଥିଲା ସନାତନୀ ହିନ୍ଦୁ, ମୁସଲମାନ ଦେଖୁଥିଲା ନିଜ ରୂପ, ଖ୍ରୀଷ୍ଟିଆନ ଖୋଜି ପାଉଥିଲା ଯିଶୁଙ୍କ ଛାଇ, ବୌଦ୍ଧମାନେ ତାଙ୍କ ଅହିଂସା ଭିତରେ ଦେଖୁଥିଲେ ବୁଦ୍ଧଙ୍କ ମୁହଁ। ଭାରତ ବିଭାଜନ ବେଳେ ହଜାର ହଜାର ସୈନ୍ୟ ଶାନ୍ତି ରକ୍ଷାରେ ବିଫଳ ହେଲା ବେଳେ ତାଙ୍କ ଉପସ୍ଥିତି ବଙ୍ଗରେ ଫେରାଇ ଆଣିଥିଲା ଶାନ୍ତି। ତାଙ୍କୁ କୁହାଯାଇଥିଲା ଏକାକୀ ସୁରକ୍ଷା ବଳ (one man boundary force)। ଜୀବନ କାଳରେ ଅସହଯୋଗ, ଲବଣ ସତ୍ୟାଗ୍ରହ କି ଭାରତଛାଡ଼ ଆନ୍ଦୋଳନ ଭଳି ବିଶାଳ ଜନ ଆନ୍ଦୋଳନର ନେତୃତ୍ୱ ନେଇଥିବା ଏ ମଣିଷ ଜଣକ ଥିଲେ କ୍ଷୀଣକାୟ। କିନ୍ତୁ ଅସଲ ଶକ୍ତି ଥିଲା ଆଧ୍ୟାତ୍ମିକ। ଆଇନଷ୍ଟାଇନ ତାଙ୍କ ଭଳି ଉଜ୍ଜ୍ୱଳ ସମସାମୟିକ ବ୍ୟକ୍ତିତ୍ୱ ପାଇଥିବାରୁ ଅଦୃଷ୍ଟ ପାଖରେ କୃତଜ୍ଞତା ଜ୍ଞାପନ କରନ୍ତି। ତାଙ୍କର ରାଜନୈତିକ ପ୍ରତିପକ୍ଷ କୁହାଯାଉଥିବା ନେତାଜୀ ସୁଭାଷ ତାଙ୍କୁ ଜାତିର ଜନକ ରୂପେ ସମ୍ବୋଧନ କରିଛନ୍ତି। ତାଙ୍କ ବ୍ୟକ୍ତିତ୍ୱର ମହାନତାର ଆକର୍ଷଣ ଅଦ୍ଭୁତ। ସନ୍ଥ ବିନୋବା ତାଙ୍କ ଭିତରେ ଖୋଜି ପାଇଛନ୍ତି ହିମାଳୟର ଶୀତଳତା ପୁଣି ବିପ୍ଳବୀର ଉଷ୍ମତା। ତାଙ୍କୁ ନେଇ ଲେଖାଯାଇଛି ଅଗଣନ ଜୀବନୀ। ତାଙ୍କ ବିଚାରକୁ ନେଇ ଲେଖାଯାଇଛି ଅସଂଖ୍ୟ ପୁସ୍ତକ । ତାଙ୍କୁ ମହାତ୍ମା ଆଖ୍ୟା ଦେଇଛନ୍ତି ବିଶ୍ୱକବି ରବୀନ୍ଦ୍ରନାଥ। ମୋହନଦାସରୁ ମହାତ୍ମାର ଯାତ୍ରା ପଥ ଖୁବ୍‌ ଦୀର୍ଘ। ମହାତ୍ମା ନିଜେ ସେ ବାଟ ଓ ସେ ବାଟର ବାଟୋଇ । ତାଙ୍କର ଆତ୍ମବଳିଦାନ ପରେ ମଧ୍ୟ ତାଙ୍କ ବାଟ ଆହୁରି ପ୍ରଶସ୍ତ ହୋଇ ଚାଲିଛି । ତାଙ୍କ ପଥରେ ପଥିକ ହୋଇଥିବା କେତେଜଣ ଗାନ୍ଧୀବାଦୀ କର୍ମୀଙ୍କୁ ନେଇ ଉପସ୍ଥାପନା…
ସଂସ୍କାର

ସବୁବେଳେ ନିଜଠୁ ଆରମ୍ଭ ହେବା ଉଚିତ: ଶୈଳଜ ରବି
ଗାନ୍ଧିଜୀଙ୍କ ପ୍ରସିଦ୍ଧ ଉକ୍ତି ”ମୋ ଜୀବନ ହିଁ ମୋ ବାଣୀ“ ଉଚ୍ଚାରଣ ଅପେକ୍ଷା ଆଚରଣ ଉପରେ ଅଧିକ ଗୁରୁତ୍ୱ ଆରୋପ କରନ୍ତି ଶୈଳଜ ରବି। ସେ କୁହନ୍ତି, ନୈତିକତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ବ୍ୟକ୍ତିଗତ ଜୀବନର ଆଧାର ସ୍ତମ୍ଭ ବୋଲି ଗାନ୍ଧୀ ଭାବୁଥିଲେ। ସେହିପରି ସାମାଜିକ – ଅର୍ଥନୈତିକ – ରାଜନୈତିକ କ୍ଷେତ୍ରରେ ଗ୍ରାମସ୍ବରାଜ୍ୟର ପ୍ରତିଷ୍ଠା ଅର୍ଥାତ୍‌ ଗୋଷ୍ଠୀ ଜୀବନଭିତ୍ତିକ ବିକେନ୍ଦ୍ରିତ ସମାଜ ବ୍ୟବସ୍ଥାର ପ୍ରତିଷ୍ଠା ସ୍ବାଧୀନ ଭାରତ ପାଇଁ ତାଙ୍କର ସ୍ବପ୍ନ ଥିଲା। କ୍ଷମତା ଓ ଅର୍ଥସର୍ବସ୍ବ ରାଜନୀତି ମାଧ୍ୟମରେ ଆମେ ସାମାଜିକ ଜୀବନକୁ କଳୁଷିତ କଲୁ। ପରମ୍ପରା ଓ ଆଧୁନିକତା ଉଭୟର ଅନୁକରଣ ମାଧ୍ୟମରେ ବ୍ୟକ୍ତିଗତ ଜୀବନ ତଥା ଜାତୀୟ ଚରିତ୍ରକୁ କଳୁଷିତ କଲୁ। ଗାନ୍ଧୀ ଶତବାର୍ଷିକୀ, ଗାନ୍ଧୀ ୧୫୦, ଗାନ୍ଧୀଙ୍କ ଓଡ଼ିଶା ଆଗମନ ଇତ୍ୟାଦି ପାଳନ ନଁାରେ କେବଳ ନାଟକବାଜି କରି କୋଟିକୋଟି ଟଙ୍କା ଉଡ଼ାଇ ଦେଲୁ। ତଳେ ପଡ଼ିଥିବା ଲୋକଟି ଭାଷଣ, ସେମିନାର, ପଦଯାତ୍ରା, ଚଳଚ୍ଚିତ୍ର, ପ୍ରଦର୍ଶନୀ, ମୁକ୍ତି ମାଧ୍ୟମରେ ଗାନ୍ଧୀଙ୍କୁ ତା’ ଜୀବନ ପାଇଁ ପ୍ରାସଙ୍ଗିକ ବୋଲି ଭାବି ପାରିଲାକି? ବରଂ ଏହି ସବୁ ନାଟ-ତାମସା ମାଧ୍ୟମରେ ତାକୁ ତା ଦୁର୍ଦ୍ଦିନରେ ଆମେ ଗାନ୍ଧୀଠାରୁ ଦୂରେଇ ଦେଲୁ। ଅବଶ୍ୟ ଗୋଟିଏ ଆଶ୍ୱାସନା ଏବେ ବି କିଛି ବ୍ୟକ୍ତି ଓ ସଂଗଠନ ନୀରବରେ ଗାନ୍ଧୀ କାର୍ଯ୍ୟରେ ଲାଗିଛନ୍ତି।

ଭୁଲ କଲେ ତାକୁ ସ୍ବୀକାର କରିବା ଓ ଆବଶ୍ୟକସ୍ଥଳେ ସେଥିପାଇଁ ପ୍ରାୟଶ୍ଚିତ କରିବା, ଦେଶର ଏ ଦୁଃସ୍ଥିତି ପାଇଁ ଅନ୍ୟମାନଙ୍କୁ ଦାୟୀ ନ କରି ଆଗେ ନିଜକୁ କାଠଗଡ଼ାରେ ଠିଆ କରିବା ବାସ୍ତବ ‘ଗାନ୍ଧୀବୋଧ’ ଏସବୁ ନିଜ ଆଚରଣରେ ଫୁଟାଇବା ପାଇଁ ମୋର ନମ୍ର ପ୍ରଚେଷ୍ଟା ଏବେ ବି ଜାରି ରହିଛି। ଗାନ୍ଧିଜୀଙ୍କ ଗ୍ରାମସ୍ବରାଜ୍ୟ ପରିକଳ୍ପନାକୁ ରୂପ ଦେବାପାଇଁ ବିନୋବା – ଜୟପ୍ରକାଶ – ଗୋପବନ୍ଧୁ ଚୌଧୁରୀ ଯେଉଁ ପରୀକ୍ଷା ଗ୍ରାମଦାନ ଆନ୍ଦୋଳନ ମାଧ୍ୟମରେ କରିଥିଲେ ତାକୁ ନିକଟରୁ ଅନୁଧ୍ୟାନ କରି ଏବେ ବି ସେ ସ୍ବପ୍ନକୁ ପୁନର୍ଜୀବନ ଦେଇହେବ ବୋଲି ମୋର ବିଶ୍ୱାସ। ନିଜ ଢଙ୍ଗରେ ସେ ଦିଗରେ କିଛି କରିବି ବୋଲି ଭାବି କାର୍ଯ୍ୟ ଆରମ୍ଭ କରିଥିଲି। ବିଭିନ୍ନ ପ୍ରତିବନ୍ଧକ ଭିତରେ ବିଶେଷ କିଛି କରିପାରିଲି ନାହିଁ। ତଥାପି ଅବଶିଷ୍ଟ ଜୀବନ ସେହି ପରୀକ୍ଷା ଦେଇ ପାରିବି ବୋଲି ଆଶା ରଖିଛି।

ମୌଳିକ ଶିକ୍ଷାର ଏକ ନାଁ କ୍ରାନ୍ତି ବିଦ୍ୟାଳୟ: ଚିତ୍ତରଞ୍ଜନ
ତାଙ୍କର ସ୍ବପ୍ନ ପ୍ରକୃତ ମଣିଷ ତିଆରି କାରଖାନାଟିଏ ତିଆରି କରିବା। ଯେଉଁଥିପାଇଁ ଗୋପବନ୍ଧୁଙ୍କ ବନ ବିଦ୍ୟାଳୟ ଢାଞ୍ଚାରେ ମାଲକାନଗିରି ଓ ହଂସପାଳରେ ତିଆରି କରିଛନ୍ତି କ୍ରାନ୍ତି ବିଦ୍ୟାଳୟ; ଯାହା ମୌଳିକ ଶିକ୍ଷାକୁ ଗୁରୁତ୍ୱଦେଇ ପିଲାଙ୍କୁ ମଣିଷ କରି ଗଢ଼ିବାରେ ସାହାଯ୍ୟ କରେ। ତା’ ସହିତ ଚାଷୀମାନଙ୍କ ସହିତ ସାମିଲ ହୋଇ କରିଛନ୍ତି ଚାଷୀ ଆନ୍ଦୋଳନ। ପୁଣି, ମାଲକାନଗିରି ପରି ମ୍ୟାଲେରିଆ ପ୍ରବଣ ଅଞ୍ଚଳକୁ ୩ ବର୍ଷ ଭିତରେ ଆୟୁର୍ବେଦିକ୍‌ ଔଷଧ ମାଧ୍ୟମରେ ମ୍ୟାଲେରିଆ ମୁକ୍ତ କରିଛନ୍ତି। ମାଓବାଦୀ ପ୍ରବଣ ଅଞ୍ଚଳରେ ଏହାକୁ ମ୍ୟାଲେରିଆ ମୁକ୍ତି ଆନ୍ଦୋଳନ ବୋଲି କୁହାଗଲା। ଏସବୁର ଯିଏ ମୁଖ୍ୟ ପୁରୋଧା ଥିଲେ ସେ ହେଲେ ଚିତ୍ତରଞ୍ଜନ।

ପ୍ରଥମରୁ ଗାନ୍ଧୀଙ୍କ ମାର୍ଗରେ କାମ କରିବାର ଝୁଙ୍କ୍‌ ଯୋଗୁ ଚିତ୍ତରଞ୍ଜନ ଚିଲିକା ବଞ୍ଚାଅ ଆନ୍ଦୋଳନର ନେତୃତ୍ୱ ନେଲେ; ଯେଉଁଥିରେ ଅନେକ ଛାତ୍ର ସାମିଲ ଥିଲେ। ଆନ୍ଦୋଳନ ବି ସଫଳ ହେଲା। ୧୯୯୪ରେ ଖୋର୍ଦ୍ଧାର ବେଗୁନିଆଠାରେ ତପୋଭୂମି ନାମରେ ଏକ ଆଶ୍ରମ କରାଗଲା। କେରଳରୁ ପଞ୍ଜାବ ପର୍ଯ୍ୟନ୍ତ ବହୁତ ଲୋକ ଏହି ସଂଗଠନରେ ରହି କାମ କଲେ। ତା’ପରେ ଭୁବନେଶ୍ୱରର ହଂସପାଳଠାରେ ମାଲକାନଗିରି ଜିଲାର କିଛି ପିଲାଙ୍କୁ ନେଇ କ୍ରାନ୍ତି ବିଦ୍ୟାଳୟ ଆରମ୍ଭ କରାଗଲା। ମାଲକାନଗିରି ଜିଲାରେ ମଧ୍ୟ କ୍ରାନ୍ତି ବିଦ୍ୟାଳୟ ଚାଲିଛି। ଚିତ୍ତରଞ୍ଜନ କୁହନ୍ତି, ଏହି ବିଦ୍ୟାଳୟର ଶିକ୍ଷା ପଦ୍ଧତି ପ୍ରକୃତରେ ଗାନ୍ଧିଜୀ ଯେଉଁ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିଲେ, ସେହି ଢାଞ୍ଚାରେ। ପ୍ରକୃତରେ କହିବାକୁ ଗଲେ ଗାନ୍ଧିଜୀ ଥିଲେ ପୃଥିବୀର ଏମିତି ଜଣେ ସଂଗ୍ରାମୀ, ଯେ ସଂଗ୍ରାମ ଭିତରେ ଶିକ୍ଷାକୁ ଗୁରୁତ୍ୱ ଦେଉଥିଲେ। ଏବେ ଶିକ୍ଷାର ଅର୍ଥ କେବଳ ଚାକିରିଆ ତିଆରି କରିବା, ଯାହା କେବେ ବି ଗାନ୍ଧୀ ଚାହୁଁ ନ ଥିଲେ। ଆମେ ଏଠାରେ ପିଲାଙ୍କୁ ଏମିତି ଭାବରେ ଗଢୁଛୁ, ଯିଏ ନିଜ ଇଚ୍ଛାରେ ନିଜ ଜୀବନ ବଞ୍ଚୁଛନ୍ତି। ତାଙ୍କ ଭିତରେ କେତେ ଗଭୀରତା କେତେ ସଞ୍ଜମତା ଅଛି ତାହା ଦେଖିବା କଥା। ୧୯୯୭-୯୮ ମସିହାରେ ଜଳସେଚନର ସୁବିଧା ପାଇଁ ଚାଷୀ ଆନ୍ଦୋଳନ କରାଯାଇଥିଲା; ଯାହା ସଫଳ ହେଲା। ବିଶ୍ୱନାଥ ପଟ୍ଟନାୟକଙ୍କ ସହିତ ସେତେବେଳେ ମାଲକାନଗିରି ଯାଇଥିଲି। ସେ ଚାହିଁଲେ ମୁଁ, ଏଠାରେ କିଛି କରେ ବୋଲି। ତାଙ୍କୁ କଥା ଦେଇଥିଲି ମୁଁ କିଛି କରିବି ବୋଲି। ଭାରତ ସରକାର ବି ସେତେବେଳେ ଆମକୁ ଦାୟିତ୍ୱ ଦେଇଥିଲେ ମ୍ୟାଲେରିଆ ମୁକ୍ତି ଲାଗି କାମ କରିବା ପାଇଁ। କାରଣ ଏହା ମାଓବାଦୀ ପ୍ରବଣ ଅଞ୍ଚଳ ଥିଲା। ଜିଲାପାଳ ବି ହାତ ଟେକି ଦେଇଥିଲେ। ଚିତ୍ରୁପା ସେଠାରେ ୩ ବର୍ଷ ରହି କାମ କଲେ। ମ୍ୟାଲେରିଆ ମୁକ୍ତ ମାଲକାନଗିରି ସେତେବେଳେ ଗୋଟେ ପ୍ରକାର ଆନ୍ଦୋଳନର ନାଁ ହୋଇଗଲା। ୫୦ ହଜାର ରୋଗୀଙ୍କୁ ଚିକିତ୍ସା କରିବାର କଥା ଚିନ୍ତା କରିଥିଲୁ, କିନ୍ତୁ ୬୮ ହଜାର ରୋଗୀ ମ୍ୟାଲେରିଆ ମୁକ୍ତ ହେଲେ। ସବୁଠୁ ବଡ଼ କଥା ହେଲା, ଗତ ୧୦ ବର୍ଷ ଭିତରେ ସେଠାରେ ଗୋଟିଏ ବି ମ୍ୟାଲେରିଆ ମୃତ୍ୟୁ ନଜରକୁ ଆସିନାହିଁ। ତା’ପରେ ଆମେ ସେଠାରେ ପିଲାମାନଙ୍କୁ ନେଇ କ୍ରାନ୍ତି ବିଦ୍ୟାଳୟ ଆରମ୍ଭ କଲୁ। କୌଣସି ପ୍ରକାର ସରକାରୀ ପ୍ରୋତ୍ସାହନ ନ ନେଇ ଆମେ ବିଦ୍ୟାଳୟ ଚଳାଉଛୁ। ଲୋକମାନଙ୍କ ସ୍ବଇଚ୍ଛା ଦାନରେ ଚାଲୁଛି ବିଦ୍ୟାଳୟ। ଏଠାରେ ପିଲାମାନେ ନିଜ ପସନ୍ଦ ଅନୁସାରେ ପଢୁଛନ୍ତି। ନିଜ ପାଇଁ ନୁହେଁ, କେମିତି ଅନ୍ୟ ପାଇଁ ବଞ୍ଚିବାକୁ ହୁଏ, ଏ ପିଲାମାନେ ସେକଥା ଶିଖିଛନ୍ତି। ଗାନ୍ଧୀଙ୍କର ଶିକ୍ଷାକୁ ନେଇ ଯେଉଁ ଚିନ୍ତାଧାରା ଥିଲା, ତା’ର ଏହା ଏକ ପ୍ରୟାସ ମାତ୍ର।

ସବୁଠୁ ବଡ଼ କ୍ଷୋଭ ହେଉଛି, ସ୍ବାଧୀନତା ପରବର୍ତ୍ତୀ ସମୟରେ ଗାନ୍ଧୀଙ୍କ ନଁାକୁ ନେଇ ଯେମିତି ରାଜନୀତି ଚାଲିଛି। ତାଙ୍କ କହିବା କଥା ଆମେ ଗାନ୍ଧୀ ନୀତି ଭୁଲି ଯାଇଛୁ, କିନ୍ତୁ ତାଙ୍କୁ ଜମା ଭୁଲିନୁ। ଆମ ସୁବିଧା ପାଇଁ ପ୍ରତି ମୁହୂର୍ତ୍ତରେ ତାଙ୍କ ନାଁକୁ ବ୍ୟବହାର କରି ଚାଲିଛୁ। ଲୋକ ଚତୁର ହେଲେ, ତେଣୁ ଗାନ୍ଧୀ ବିଚାର ଧାରାର ପତନ ହେଲା। ଯେବେ ବି ଯେଉଁଠି କୌଣସି ରାଷ୍ଟ୍ରର ମୂଲ୍ୟବୋଧର ପତନ ହୋଇଛି, ତାହା କେବଳ ତା’ ନିଜ ଦୋଷ ପାଇଁ।

ମୌଳିକ ଶିକ୍ଷା ଗଢ଼ିବ ପିଲାଙ୍କ ଭବିଷ୍ୟତ: ଚିତ୍ରୁପା
ସ୍ବାଧୀନତା ପରବର୍ତ୍ତୀ ସମୟରେ ଦେଶ ଗାନ୍ଧୀ ବିଚାରଠାରୁ ଦୂରେଇ ଯାଇଛି ବୋଲି ବିଶ୍ୱାସ କରନ୍ତି ସତ, କିନ୍ତୁ ଗାନ୍ଧୀ ଚିନ୍ତାଧାରାକୁ ଧରି ବାଟ ଚାଲନ୍ତି, ଜୀବନ ବଞ୍ଚନ୍ତି। ଇଏ ହେଲେ ଚିତ୍ରୁପା। ଭଦ୍ରକ ଜିଲାର ଭଣ୍ଡାରିପୋଖରୀଠାରେ ଜନ୍ମିତା ଚିତ୍ରୁପାଙ୍କ ବାପା, ଜେଜେ ବାପା ସମସ୍ତେ ଥିଲେ ଗାନ୍ଧୀ ଆଦର୍ଶର ମଣିଷ, ସ୍ବାଧୀନତା ସଂଗ୍ରାମୀ। ଭଣ୍ଡାରିପୋଖରୀ ଥାନାପୋଡ଼ିରେ ଜେଜେ ଜେଲ ବି ଯାଇଛନ୍ତି। ପିଲାବେଳେ ଘରେ ସମସ୍ତେ ଦେଶ ବିଦେଶର ଖବର ଉପରେ ଚର୍ଚ୍ଚା କରନ୍ତି; ଯାହାର ପ୍ରଭାବ ତାଙ୍କ ଉପରେ ପଡିଛି। ଆଉ ସେହି ଦିନରୁ ତାଙ୍କ ଭିତରେ ଲୋକଙ୍କ ପାଇଁ କାମ କରିବାର ଆଗ୍ରହ ଆସିଥିଲା। ସମୟକ୍ରମେ ରାଜନୀତି ବିଜ୍ଞାନରେ ପାଠ ପଢିଲେ ଚାକିରି ବି ପାଇଲେ। କିନ୍ତୁ ଚାକିରି କରି ପଇସା ରୋଜଗାର କରିବା ତ ତାଙ୍କର ଲକ୍ଷ୍ୟ ନ ଥିଲା। ସେ ବୁଝୁଥିଲେ ଗାନ୍ଧୀଙ୍କ ଚିନ୍ତାଧାରାକୁ। ଦେଶ ସିନା ସ୍ବାଧୀନ ହେଲା କିନ୍ତୁ ଗାନ୍ଧୀ ଯେଉଁ ରଚନାତ୍ମକ କାମ, ଗଠନମୂଳକ କାମ କରିବାକୁ ଚାହୁଁଥିଲେ ସେ ସେମିତି ଅଧା ରହିଗଲା। ୧୨ଟି ରଚନାତ୍ମକ କାମ ଉପରେ ସେ ଗୁରୁତ୍ୱ ଦେଇଥିଲେ। ବିଶେଷକରି ମୌଳିକ ଶିକ୍ଷାକୁ ବନ୍ଦ କରି ଦିଆଗଲା। କର୍ମଭିତ୍ତିକ ଶିକ୍ଷାକୁ ଅଲଗା କରି ଦିଆଗଲା l ତେଣୁ ଆମେ ଏହାକୁ ନେଇ କାମ କରିବା ଆରମ୍ଭ କଲୁ। ପ୍ରଥମେ ୧୯୯୧ ମସିହାରେ ଟାଟା କମ୍ପାନୀ ଓ ଅନ୍ୟ ତିନୋଟି କମ୍ପାନି ବିରୋଧରେ ଛାତ୍ରମାନେ ଯାଇ ମତ୍ସ୍ୟଜୀବିମାନଙ୍କ ସହିତ ମିଶି ଚିଲିକାରେ ଆନ୍ଦୋଳନ କଲୁ। ୭ମାସ ପରେ ଏହି ଆନ୍ଦୋଳନ ସଫଳ ହେଲା। ତା’ପରେ ରାଜ୍ୟରେ କୃଷକମାନଙ୍କୁ ନେଇ ଜଳ ବଞ୍ଚାଅ ଆନ୍ଦୋଳନ ବି କଲୁ। ୧୯୯୬ ମସିହାରେ ବୋଲଗଡ଼ ବେଗୁନିଆ ଅଞ୍ଚଳରେ ମରୁଡି ପଡିଲା। ମାଟିତଳେ ପାଣି ନାହିଁ ବୋଲି କହିବାରୁ ଲୋକ ବାସନକୁସନ ବିକ୍ରି କରିଦେଲେ। କଲେଜ ପିଲା ଦାଦନ ଖଟିବାକୁ ଗଲେ। ଆମେ ଆନ୍ଦୋଳନ କଲୁ, ଅନଶନରେ ବସିଲୁ, ଜେଲ ବି ଗଲୁ। ବୋରିଂ ଖୋଳାହେଲା। ପାଣି ବାହାରିବା ପରେ ଆମେ ଅନଶନ ପ୍ରତ୍ୟାହାର କରିଥିଲୁ। ସେହି ଅଞ୍ଚଳରେ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ବୋରିଂ ପଏଣ୍ଟ ହେଲା। ସେତେବେଳେ ଓଡ଼ିଶା ଉଠା ଜଳସେଚନ ନିଗମ ବୋରିଂ କରୁଥିଲା। ଗୋଟେ ବୋରିଂ ପାଇଁ ୨ ଲକ୍ଷ ଟଙ୍କା ନେଉଥିଲା। ପ୍ରାଇଭେଟ୍‌ କମ୍ପାନୀକୁ ବୋରିଂ ପାଇଁ ଦିଆଯାଉ ନ ଥିଲା। ତା’ପରେ କେନ୍ଦ୍ର ସରକାରଙ୍କ ଗଙ୍ଗା କଲ୍ୟାଣ ଯୋଜନାରେ କମ୍‌ ପଇସାରେ ବୋରିଂ ହୋଇପାରିଲା। ଗାନ୍ଧୀ ନୀତିରେ ୨୦୧୮-୧୯ ମସିହାରେ ଆମେ ରାୟଗଡା ଜିଲାରେ ୫ଟି ବ୍ଲକରେ ୪ଟି ସରକାରୀ ଭାଟି ଓ ୧୨୨ଟି ଗ୍ରାମରେ ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିପାରିଛୁ। ଏଥିପାଇଁ ୬ହଜାର ମହିଳା ପଦ୍ମପୁର ବ୍ଲକକୁ ୩ ଦିନ ଅଚଳ କରି ରଖିବା ସହିତ ପଦ୍ମପୁରରୁ ଗୁଣପୁର ୨୫ କି.ମି. ମାର୍ଚ୍ଚ ମାସର ପ୍ରଚଣ୍ଡ ଖରାରେ ପଦଯାତ୍ରା କରିବା ଓ ଦାବି ହାସଲ କରିବା ଏକ ଐତିହାସିକ ଘଟଣା ନିଶ୍ଚୟ। ଏହା ପଛରେ କୌଣସି ରାଜନୈତିକ ଦଳ ନ ଥିଲେ କି ବାହାରୁ ଚାନ୍ଦା ଟଙ୍କାଏ ମଧ୍ୟ ଆସି ନ ଥିଲା। ମୁଠି ଚାଉଳ ଓ ୧୦୦ ଟଙ୍କା ଚାନ୍ଦା ପ୍ରତ୍ୟେକ ଆଦିବାସୀ ମହିଳା ନିଜ ହାତରୁ ଦେଇ ଏତେ ବଡ଼ ସଂଗଠନ ଓ ପଦଯାତ୍ରା କରିଥିଲେ। ଏବେ ସେ ସଂଗଠନରେ ୧୦ ହଜାର ମହିଳା ଅଛନ୍ତି। ଏବେ ବି ମଦ ଦୋକାନ ବନ୍ଦ ହୋଇକି ଅଛି। ଏହାପରେ ଆମେ ଆଦିବାସୀ ପିଲାମାନଙ୍କୁ ଆଣି ଏକ ଗାନ୍ଧିଜୀଙ୍କ ମୌଳିକ ଶିକ୍ଷା ନୀତି ଉପରେ କାମ କରୁଛୁ। ଆଉ ଗାନ୍ଧିଜୀଙ୍କ ଗ୍ରାମ ସ୍ବରାଜ୍ୟ ନୀତି କିପରି କାର୍ଯ୍ୟକାରୀ ହେବ; ଏଥିରେ ଗାଁଗୁଡିକ କିପରି ସ୍ବାବଲମ୍ବୀ ହୋଇପାରିବ; ତାକୁ ନେଇ କାର୍ଯ୍ୟ ଚାଲିଛି। କେବଳ ସରକାରଙ୍କୁ ଦୋଷ ନ ଦେଇ କିମ୍ବା ଭିକ ନ ମାଗି ନିଜ କାମ କରି ଚାଲିଛୁ। ମାଲକାନଗିରିରେ କ୍ରାନ୍ତି ବିଦ୍ୟାଳୟ ସହ ଗୋଶାଳା, ଖଦିବସ୍ତ୍ର ବୁଣିବା, ଆୟୁର୍ବେଦିକ ଔଷଧରେ ରୋଗୀଙ୍କୁ ଉପଚାର କରିବା ଆଦି ଚାଲିଛି। ଭୂବନେଶ୍ୱର ହଂସପାଳ ନିକଟବର୍ତ୍ତୀ ତପୋଭୂମି ପରସରରେ ଆଦିବାସୀ ପିଲାମାନେ ରହୁଛନ୍ତି। ମୌଳିକ ଶିକ୍ଷା ମାଧ୍ୟମରେ ସେମାନଙ୍କ ଭବିଷ୍ୟତ ଗଢ଼ିବା ଆମର ଲକ୍ଷ୍ୟ।

ସତ୍ୟ ଓ ଅହିଂସାକୁ ଅସ୍ତ୍ର କଲେ ବିଜୟ ନିଶ୍ଚିତ : ଅପର୍ଣ୍ଣା ନାୟକ
ସ୍ବାଧୀନତାର ଏତେ ବର୍ଷ ପରେ ଆମେ ଗାନ୍ଧୀ ବିଚାରରୁ ଦୂରେଇ ଗଲୁଣି କି ବୋଲି ଅନେକ ସମୟରେ ମନେହୁଏ। କିନ୍ତୁ ଏ କଥାକୁ ଗ୍ରହଣ କରନ୍ତିନି ଅପର୍ଣ୍ଣା ନାୟକ। ସେ କୁହନ୍ତି, ‘ଗାନ୍ଧୀ ରାଜନୈତିକ ସ୍ବାଧୀନତା କଥା ନୁହେଁ, ବ୍ୟକ୍ତି ସ୍ବାଧୀନତା ଓ ଅର୍ଥନୈତିକ ସ୍ବାଧୀନତା ଉପରେ ଗୁରୁତ୍ୱ ଦେଉଥିଲେ। ଆଉ ଆଜିର ପରିସ୍ଥିତିରେ ଯେଉଁଭଳି ଭାବରେ ସାମାଜିକ ଅବକ୍ଷୟ ଘଟିଚାଲିଛି ଏବେ ଲୋକମାନେ ଅଧିକରୁ ଅଧିକ ଗାନ୍ଧୀ ଚିନ୍ତାଧାରା ଆଡ଼କୁ ଢଳିଲେଣି। ଏଇଥିପାଇଁ ଯେ, ସବୁ ସମାଧାନର ରାସ୍ତା ଏଇଠାରେ ହିଁ ମିଳିପାରିବ। ବେଶ୍‌ ଛୋଟ ବେଳୁ ଅପର୍ଣ୍ଣା ଗାନ୍ଧୀଙ୍କ ଚିନ୍ତାଧାରା ପ୍ରତି ଆକୃଷ୍ଟ ଥିଲେ। କାରଣ ତାଙ୍କର ବାପା ଜଗନ୍ନାଥ ନାୟକ ଥିଲେ ଜଣେ ଗାନ୍ଧୀବାଦୀ ଶିକ୍ଷକ। ତାଙ୍କ ବାପା କଟକ ପ୍ୟାରିମୋହନ ଏକାଡେମୀରେ ପାଠ ପଢ଼ିବାବେଳେ ତାଙ୍କ ପ୍ରଧାନ ଶିକ୍ଷକ ଥିଲେ ସୁଭାଷ ବୋଷଙ୍କ ଘନିଷ୍ଠ ବନ୍ଧୁ। ସେ ତାଙ୍କ ଛାତ୍ରମାନଙ୍କୁ ସୁଭାଷ ବୋଷଙ୍କ ବିଷୟରେ କହୁଥିଲେ। ବାପାଙ୍କଠାରୁ ଅପର୍ଣ୍ଣା ଗାନ୍ଧୀ ଓ ସୁଭାଷ ବୋଷଙ୍କ ବିଷୟରେ ସବୁବେଳେ ଶୁଣୁଥିଲେ। ବାପା ଖଦି ପିନ୍ଧିବା ସହ ବୋଉ ଅରଟରେ ସୂତା କାଟି ଲୁଗା ପିନ୍ଧୁଥିଲେ। ଅପର୍ଣ୍ଣା କୁହନ୍ତି, ‘କଲେଜରେ ପଢ଼ିବା ବେଳେ ମୁଁ ଭାବୁଥିଲି ଚାକିରି ନ କରି ସମାଜସେବାରେ ନିୟୋଜିତ ହେବାକୁ ଚାହୁଁଥିଲି। ତେଣୁ ନିଜ ଦୃଷ୍ଟିରେ ସମାଜର ଆବଶ୍ୟକତା ବୁଝିବାକୁ ଚାହୁଁଥିଲି। ସେଥିପାଇଁ କିଛିଦିନ ଶିକ୍ଷକତା ବୃତ୍ତିକୁ ଆପଣାଇଲି। କିନ୍ତୁ ପରବର୍ତ୍ତୀ ସମୟରେ ଗୋଟିଏ ଗାର୍ଲସ ସ୍କୁଲରେ ଶିକ୍ଷକତା କଲି। ହେଲେ ଦିନେ ଚାକିରି ଛାଡି ଚାଲିଆସିଲି। ଗାନ୍ଧିଜୀଙ୍କ ଅନ୍ୟତମା ଶିଷ୍ୟା ରମ୍ଭାଦେବୀଙ୍କ ଦ୍ୱାରା ପ୍ରତିଷ୍ଠିତ ଯାଜପୁର ଜିଲାର ହରିଦାସପୁର ସେବାସମିତିରେ ଯୋଗଦାନ କଲି ଏବଂ ଶିଶୁ ଶିକ୍ଷା ତଥା ଶିଶୁଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟକଲି। ପରବର୍ତ୍ତୀ ସମୟରେ ସର୍ବୋଦୟ ନେତ୍ରୀ ଅନ୍ନପୂର୍ଣ୍ଣା ମହାରଣାଙ୍କଠାରୁ ଡାକରା ପାଇ ଉତ୍କଳ କସ୍ତୁରବା ଗାନ୍ଧୀ ଜାତୀୟ ସ୍ମାରକ ନିଧି ଟ୍ରଷ୍ଟରେ ସତ୍ୟଭାମାପୁରଠାରେ ଯୋଗଦାନ କଲି ଏବଂ ମହିଳା ପ୍ରୌଢଶିକ୍ଷା ତଥା ଅଙ୍ଗନବାଡ଼ି ସହାୟିକାମାନଙ୍କର ତାଲିମ ଦେବା କାର୍ଯ୍ୟରେ ନିଯୁକ୍ତ ରହିଲି। ସେଠାରେ ଗ୍ରାମ୍ୟ ସ୍ବରାଜରେ ବିଭିନ୍ନ ରଚନାତ୍ମକ କାମ ଚାଲିଥିଲା। ବର୍ଷେ ରହିବା ପରେ ମୁଁ ସେଠାରୁ ବାଧ୍ୟ ହୋଇ ଆସିଲି ଏଇଥି ପାଇଁ ଯେ, ମୋ ସ୍ବାମୀ ୧୨ ବର୍ଷ ମିଲିଟାରୀ ଚାକିରି କରିବା ପରେ ନିଶାଗ୍ରସ୍ତ ହେବା ଯୋଗୁ ଚାକିରି ଛାଡ଼ି ଆସିଲେ। ପରିବାର ଚଳାଇବା ପାଇଁ ପୁଣି ଥରେ ଭୁବନେଶ୍ୱର ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଶିକ୍ଷକତା କଲି। ଏଠାରେ ୨୦ବର୍ଷ କାମ କରିଛି। ଏହା ଭିତରେ ମୋର ପ୍ରଥମ କାମ ଥିଲା ମୋ ସ୍ବାମୀଙ୍କୁ ନିଶା କବଳରୁ ବାହାର କରିବା। ଶେଷରେ ୨୦୧୩ରେ ସ୍ବାମୀ ସମ୍ପୂର୍ଣ୍ଣ ନିଶାମୁକ୍ତ ହେଲେ। ଏଥିପାଇଁ ମୋତେ ବହୁ ସଂଗ୍ରାମର ସମ୍ମୁଖୀନ ହେବାକୁ ପଡ଼ିଛି। ତା’ପରେ ମୁଁ ଚିନ୍ତା କଲି ଯେପରି ହେଉ ନିଶା ବିରୋଧରେ ସଂଗ୍ରାମ କରିବି। ନିଶାମୁକ୍ତି ଆନ୍ଦୋଳନର ମୁଖ୍ୟ ପୁରୋଧା ପଦ୍ମଚରଣ ନାୟକଙ୍କ ସଂସ୍ପର୍ଶରେ ଆସିବା ପରେ ନିଶାମୁକ୍ତି ଆନ୍ଦୋଳନରେ ସାମିଲ ହେଲି। ୨୦୧୩ ଜାନୁୟାରୀ ୩ରେ ଆମେ ପ୍ରାୟ ୩୦୦ କର୍ମୀ ଏକାଠି ହୋଇ ୧୯୫୬ ନିଶା ନିବାରଣ ଆଇନ୍‌ ଲାଗୁ କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦେଇ ଗଣ ସମାବେଶ କଲୁ। ୫ଟି ପର୍ଯ୍ୟାୟରେ ୨୩ଟି ଜିଲାକୁ ପଦଯାତ୍ରା କଲୁ। ଏହି ନିଶା ପାଇଁ ମହିଳାମାନେ ହିଁ ବେଶି କଷ୍ଟ ପାଉଥିଲେ। ତେଣୁ ସମସ୍ତେ ଚାହିଁଲେ ମୁଁ ଏହି ନେତୃତ୍ୱ ନିଏ। ମୋର ବିଶ୍ୱାସ କେବଳ ଆଇନ ପ୍ରଣୟନ ହୋଇଗଲେ ନିଶାମୁକ୍ତ ସମାଜ ହୋଇଯିବନି। ସେଥିପାଇଁ ମାନସିକତାରେ ପରିବର୍ତ୍ତନ ଦରକାର। ତେଣୁ ପ୍ରଥମେ ନିଶାମୁକ୍ତ ପରିବାର ହେଲେ ଗାଁ ବି ନିଶାମୁକ୍ତ ହୋଇଯିବ। ଏବେ ଅପର୍ଣ୍ଣାଙ୍କର ଲକ୍ଷ୍ୟ ହେଉଛି ମହିଳାମାନେ ଗୋଷ୍ଠୀଗତ ଭାବରେ ପରିବାରଗୁଡିକୁ ନିଶାମୁକ୍ତ କରିବେ, ଯେଉଁଥିରେ ଗଁା ବି ନିଶାମୁକ୍ତ ହେବ। ତା’ ସହିତ ଦେଶ ବି ନିଶାମୁକ୍ତ ହେବ। ଏକଥା ସତ ଯେ, ମହିଳାମାନଙ୍କ ଭୂମିକା ସର୍ବାଗ୍ରେ ରହିଲେ ପରିବର୍ତ୍ତନ ନିଶ୍ଚୟ ଆସିବ। ଆଉ ଗାନ୍ଧିଜୀଙ୍କ ସତ୍ୟ ଓ ଅହିଂସାକୁ ଅସ୍ତ୍ର କଲେ ଯେକୌଣସି ଆନ୍ଦୋଳନରେ ବିଜୟ ନିଶ୍ଚିତ।

କୃଷକ ଜାଗ୍ରତ ହେଲେ ସବୁ ସମ୍ଭବ: ଅକ୍ଷୟ କୁମାର
ସାଇକେଲରେ ସାରା ଭାରତ ବୁଲିଛନ୍ତି, ପୋସ୍କୋ ବିରୋଧରେ ଆନ୍ଦୋଳନ କରି ସଫଳ ହୋଇଛନ୍ତି, ତାଙ୍କ ନେତୃତ୍ୱରେ ଚାଷୀ ଆନ୍ଦୋଳନର ପ୍ରଭାବ କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ବି ବେଶ୍‌ ପ୍ରଭାବ ରଖେ। ଆଉ ଅନେକ ଦାବି ବି ପୂରଣ ହୁଏ। ଏ ହେଲେ ଅକ୍ଷୟ କୁମାର। ଆଜି ଚାଷୀ ଆନ୍ଦୋଳନର ଜଣେ ମୁଖ୍ୟ ପୁରୋଧା କହିଲେ ଭୁଲ୍‌ ହେବନାହିଁ। ଅକ୍ଷୟ କୁହନ୍ତି, ଗାନ୍ଧୀଙ୍କ ବିଚାର ସେତେବେଳେ ଯେତିକି ପ୍ରାସଙ୍ଗିକ ଥିଲା ତା’ଠାରୁ ହଜାର ଗୁଣ ପ୍ରାସଙ୍ଗିକ ଏବେ ହୋଇଯାଇଛି। ଗାନ୍ଧୀଙ୍କ ବିଚାରଧାରା କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ, ନିର୍ଦ୍ଦିଷ୍ଟ ବ୍ୟକ୍ତି ଅଥବା ସମୟର ବିଚାରଧାରା ନୁହେଁ ଏହା ସର୍ବକାଳୀନ, ସମସ୍ତଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଏକ ବିଚାରଧାରା, ଯାହା ଆମ ଭାରତବର୍ଷ ପାଇଁ ଯେତିକି ଉପଯୋଗୀ ସେତିକି ଉପଯୋଗୀ ଆମେରିକା କି ଆଉ କୌଣସି ଦେଶ ପାଇଁ। ଗାନ୍ଧିଜୀ ଶ୍ରମନିଷ୍ଠ ଜୀବନ ଚାହୁଁଥିଲେ, ଯେଉଁଠି ମନୁଷ୍ୟ ସମାଜ ପ୍ରକୃତି ସହିତ ମିଶି ଏକ ଉତ୍କୃଷ୍ଟ ଜୀବନ ଜୀଉଥିବ। ନୀରୋଗ ହେବା ସହ ଅନ୍ୟମାନଙ୍କୁ ସହଜ, ସ୍ବଚ୍ଛନ୍ଦ ଜୀବନଟେ ଯୋଗେଇ ଦେବା ଆମର କର୍ତ୍ତବ୍ୟ ହେବା ଉଚିତ। ଆମ ଆବଶ୍ୟକତା ପାଇଁ ପ୍ରକୃତି ସବୁ ଦେଇଛି କିନ୍ତୁ ଆମେ ଆମ ଲୋଭ ପାଇଁ କଷ୍ଟ ପାଇଚାଲିଛୁ। ଆମ ପାଖରେ ଯାହା ଅଛି ଯାହା ବିଧାତା ଆମକୁ ଉନ୍ନତ ଜୀବନଯାପନ ପାଇଁ ଯୋଗେଇ ଦେଇଛି ତା’ର ରକ୍ଷଣାବେକ୍ଷଣ କରି ଠିକ୍‌ ଉପଯୋଗ କରିବା ମଣିଷର ଦାୟିତ୍ୱ ହେଉ ବୋଲି ଗାନ୍ଧିଜୀ କହୁଥିଲେ। ଆମେ ବକ୍ସାଇଟ୍‌ ମନ ଇଚ୍ଛା ଖନନ କରୁଛେ କିନ୍ତୁ ବକ୍ସାଇଟ ପାଣି ଧାରଣ କରେ। କିଛି ଲୋକଙ୍କ ବିଳାସ ପାଇଁ ରାତାରାତି ପ୍ରାକୃତିକ ସମ୍ପଦ ଉଭେଇ ଯାଉଛି; ଯାହାର ଖିଲାପ ହେଉଛି ଗାନ୍ଧୀ ବିଚାରଧାରା। ଆଜି ଜଳବାୟୁ ପାଇଁ ପୃଥିବୀ ବ୍ୟାପୀ ଯେଉଁ ହା ହା କାର ଦେଖାଯାଉଛି ସେହି ବିଷୟରେ ଆଗୁଆ ସତର୍କ କରେଇ ଦେଇଥିଲା ଗାନ୍ଧୀଙ୍କ ବିଚାର; ଯାହାକୁ ଆମେ ବୁଝିବା ସହ କାର୍ଯ୍ୟକାରୀ କରିବା ନିହାତି ଦରକାର। ଅକ୍ଷୟ କୁହନ୍ତି, ମଣିଷ ଜୀବନର ମୂଲ୍ୟ କ’ଣ, ଅଠର ଘଣ୍ଟାର ହାଡ଼ଭଙ୍ଗା ପରିଶ୍ରମ କରି ମଣିଷଟିଏ ଯେଉଁଠି ତା’ର ତଥା ତା’ ପରିବାରର ଆବଶ୍ୟକତା ପୂରଣ କରିପାରୁନି ସେଇଠି ଅଠର ମିନିଟର କଲମ ଚଳେଇ ଲୋକଟିଏ ଅତି ଆଡ଼ମ୍ବରପୂର୍ଣ୍ଣ ଜୀବନ କାଟିବାକୁ କାହିଁକି ସକ୍ଷମ ହେଉଛି ଏଭଳି ପ୍ରଶ୍ନମାନଙ୍କ ଉତ୍ତର ଖୋଜିବାକୁ ଯାଇ ମୁଁ ଟାଣି ହୋଇଥିଲି ଗାନ୍ଧୀ ବିଚାରଧାରା ଆଡ଼କୁ। ପ୍ରଥମେ ମୋ ହାତରେ ପଡିଥିଲା ସ୍ବାମୀ ବିବେକାନନ୍ଦଙ୍କ ବହି କଲ ଟୁ ଦ ନେସନ। ଏ ବହି ମୋ ମନର ଅନେକ ସଂଶୟ ଦୂର କରିଥିଲା। ତା’ପରେ ଗାନ୍ଧୀ ବିଚାର ଅନୁଯାୟୀ, ଜୀବନରେ ସାଧନା କରିଥିବା ସନ୍ଥ ବିନୋବାଜୀଙ୍କ ଶିଷ୍ୟା ତଥା ମୋର ଆଧ୍ୟାତ୍ମିକ ପ୍ରେରଣାଦାୟୀ ମା’ ପ୍ରବୀଣା ଦେଶାଇଙ୍କଠାରୁ ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗାନ୍ଧିଆନ୍‌ ଷ୍ଟଡିଜ୍‌ରେ ତା’ର ନିର୍ଦ୍ଦେଶକ ରବୀନ୍ଦ୍ର ବର୍ମାଙ୍କ ପାଖରେ ଓ୍ବାର୍ଧାରେ ଅଧ୍ୟୟନ କଲି ଓ ଶିଖିଲି, ଗାନ୍ଧୀ ବାଦ୍‌ ବୋଲି କିଛି ନାହିଁ। ଏହା ସତ୍ୟର ଉପଲବ୍ଧି ଓ ପ୍ରୟୋଗ। ଏହା ଶ୍ରମନିଷ୍ଠ ଜୀବନକୁ ଅଗ୍ରାଧିକାର ଦିଏ। ଗାନ୍ଧୀଙ୍କ ବିଚାରରେ ଜଣେ ଓକିଲର କାମର ମୂଲ୍ୟ ଜଣେ ବାରିକର କାମର ମୂଲ୍ୟ ଭିତରେ କୌଣସି ଫରକ ନାହିଁ। ଏହା ହିନ୍ଦୁ ସ୍ବରାଜର କଥା। ଗାନ୍ଧୀ ବିଚାରରେ କୃଷକ ଜଣେ ସଚ୍ଚା ବୈଜ୍ଞାନିକ। ମାଟି ଚିହ୍ନି ଖରା ବର୍ଷା ସହ ହାଡ଼ଭଙ୍ଗା ପରିଶ୍ରମ କରି ସେ ସମାଜକୁ ଖାଦ୍ୟ ଦିଏ ଅଥଚ ସମାଜ ତାକୁ ଅଣକୁଶଳୀ କୁହେ। ତା’ର ଶ୍ରମ, ତା’ର ଉତ୍ପାଦନର ମୂଲ୍ୟ ନାହିଁ। ତା’ର ସୁରକ୍ଷା ନାହିଁ। କୃଷକଙ୍କ ପାଇଁ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ ଲାଗି ଆନ୍ଦୋଳନ ଆରମ୍ଭ କରିଛୁ। ଏହା ରାଜ୍ୟ ଓ ଦେଶ ବ୍ୟାପୀ ଚାଲିଛି। ମୁଁ ତା’ଭିତରେ ନିମଜ୍ଜିତ ଅଛି। କୃଷକଟିଏ ସମ୍ପୂର୍ଣ୍ଣ ସ୍ବାବଲମ୍ବୀ ହେବା ଦରକାର। କୃଷକ ସଚେତନ ହେଲେ ସବୁ ଅସମ୍ଭବ ବି ସମ୍ଭବ ହୋଇପାରେ। ଗାନ୍ଧୀଙ୍କ ମାର୍ଗରେ ହିଂସା ବା ଘୃଣାର ସ୍ଥାନ ନାହିଁ। ଆମେ ଚାହୁଁ ହୃଦୟ ପରିବର୍ତ୍ତନ। ଏଥିରେ ବିଫଳ ହେଲେ ଆତ୍ମ ଶୁଦ୍ଧି ପାଇଁ ନିଜେ କଷ୍ଟବରଣ କରିବା ଉଚିତ। ମୁଁ ଯେଉଁ ଆନ୍ଦୋଳନରେ ଥାଏ ଲୋକେ ଭାବନ୍ତି ଅକ୍ଷୟ ଅଛି ମାନେ ହିଂସା ହେବନାହିଁ। ଏବେ ଆମେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ମୋତିହାରୀରୁ ବନାରସ ତିନିଶହ ପଚାଶ କିଲୋମିଟର ପଦଯାତ୍ରାରେ ବାହାରିବୁ। ପୂର୍ବ ଚମ୍ପାରନ ଜିଲାର ମୋତିହାରରୁ ଚୁକ୍ତିକୃଷି ବିରୋଧରେ ସ୍ବର ଉତ୍ତୋଳନ କରି ୧୯୧୭ରେ ଗାନ୍ଧୀ ପ୍ରଥମେ ଗିରଫ ହୋଇଥିଲେ। ଏ ଯାତ୍ରା ଅକ୍ଟୋବର ୨ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ କୃଷକମାନଙ୍କ ଅଧିକାର ପାଇଁ ମୋତିହାରରୁ ଆରମ୍ଭ ହୋଇ ଅକ୍ଟୋବର ୨୦ରେ ବନାରସରେ ପହଁଞ୍ଚତ୍ବ। ଏହାର ମୂଳ ଲକ୍ଷ୍ୟ ଅହିଂସା ଉପାୟରେ ଜନ ଜାଗରଣ।

ଗାନ୍ଧୀ ସତରେ ଆଖି ପାଉ ନ ଥିବା ଏକ ଉଚ୍ଚତା। ନଇଁ ଯାଉଥିବା ଭରସାର ପ୍ରଚଣ୍ଡ ଆସ୍ଥା। ବହୁ ଆଡ଼ମ୍ବର ନେଇ ବହୁ କ୍ଷେତ୍ରରେ ବହୁ ବ୍ୟକ୍ତିତ୍ୱ ଜନମାନସକୁ ଆସି ପୁଣି ଲିଭିଯାଆନ୍ତି ସମୟ ସୁଅରେ। ହେଲେ ପ୍ରତିଟି ହୃଦୟରେ ନିଜର ଅସାଧାରଣ ବ୍ୟକ୍ତିତ୍ୱରେ ଗାନ୍ଧୀ କରିନେଇଛନ୍ତି ଘର। ତେଣୁ ତ ଆଜି ବି ସେ ସାଧାରଣର ଅନ୍ତରରେ ଅମର।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?