ଧଳାହାତୀର ଦେଶ

ନିରଞ୍ଜନ ସାହୁ

ପିଲାବେଳେ ପଢ଼ିଥିଲୁ ଥାଇଲାଣ୍ଡକୁ କୁହାଯାଏ ଧଳାହାତୀର ଦେଶ। ତେଣୁ ଥାଇଲାଣ୍ଡ ଭ୍ରମଣ ବେଳେ ମୋର ଜଣେ ବନ୍ଧୁ ଆଶା କରିଥିଲେ ସେଇ ଧଳାହାତୀମାନଙ୍କୁ ଦେଖିବାକୁ; ମାତ୍ର ଭ୍ରମଣ ସମୟରେ ପର୍ଯ୍ୟଟକମାନଙ୍କ ପାଇଁ ଧଳାହାତୀ ଦେଖିବା ଭଳି କୌଣସି ବ୍ୟବସ୍ଥା ନ ଥିଲା। ଏପରିକି ସେମାନଙ୍କ ପ୍ରମୁଖ ବନ୍ୟଜନ୍ତୁ ପରିଦର୍ଶନ ସ୍ଥଳରେ ମଧ୍ୟ ଧଳାହାତୀଙ୍କ ଅନୁପସ୍ଥିତି ବନ୍ଧୁଙ୍କ ମନରେ ଘୋର ନିରାଶା ସୃଷ୍ଟି କରିଥିଲା, ପିଲାଦିନର ସ୍ମୃତିକୁ ଉଖାଡ଼ିଲେ ମନେ ପଡ଼ିଯାଉଛି ଥାଇଲାଣ୍ଡର ପୂର୍ବ ନଁା ଥିଲା ଶ୍ୟାମ ଦେଶ। ତେଣୁ କେହି କେବେ କହି ନ ଥିଲେ ବି ମନ ଭିତରେ ଧାରଣାଟିଏ ଜମାଟ ବାନ୍ଧି ଯାଇଥିଲା, ଥାଇଲାଣ୍ଡ ଭାଷାରେ ’ଶ୍ୟାମ’ ବୋଧହୁଏ ଧଳାହାତୀକୁ ବୁଝାଉଥିବ। ତା ନ ହେଲେ ଶ୍ୟାମ ଦେଶ କହିଲେ ଧଳାହାତୀର ଦେଶ କୁହାଯାଉଛି ବା କାହିଁକି! ଏଇ ବିଭ୍ରାନ୍ତି ଦୂରହେଲା ବହୁ ଅନୁସନ୍ଧାନ ପରେ। ଶ୍ୟାମ ସହ ଧଳାହାତୀର ସମ୍ପର୍କ ନାହିଁ, ବରଂ ଶ୍ୟାମ ହେଉଛି ମୂଳ ସଂସ୍କୃତିରୁ ଅଣାଯାଇଥିବା ଶବ୍ଦ, ଯାହାର ଅର୍ଥ ସବୁଜ ଅଥବା ଶ୍ୟାମଳ – ଅର୍ଥାତ୍‌ ଦେଶର ସବୁଜିମାଭରା ପରିବେଶ ପାଇଁ ଦେଶଟିଏ ଏମିତି ନଁା ବାଛି ନେଇଥିଲା ବହୁ ଶତାବ୍ଦୀ ତଳେ। ଅର୍ଥାତ୍‌, ଶ୍ୟାମ ଦେଶ ଓ ଧଳାହାତୀର ଦେଶ କହିଲେ ଯଦିଓ ଥାଇଲାଣ୍ଡକୁ ବୁଝାଏ; ମାତ୍ର ଶ୍ୟାମ ଅର୍ଥ ଧଳାହାତୀ ନୁହେଁ।
ବେଶ୍‌ କିଛିବର୍ଷ ହେଲା ଭାରତ ସମେତ ତୃତୀୟ ବିଶ୍ୱର ବହୁ ଦେଶରେ ପ୍ରଶାସନିକ କଳ ଦାୟିତ୍ୱରେ ଥିବା ବ୍ୟକ୍ତିମାନଙ୍କୁ ଧଳାହାତୀ ବୋଲି କୁହାଯାଉଛି। ହାତୀକୁ ପୋଷିବା ଭାରି ବ୍ୟୟବହୁଳ ବ୍ୟାପାର। ତା’ଛଡ଼ା ଏଇ ଦେଶମାନଙ୍କରେ ପ୍ରଶାସନିକ ବ୍ୟବସ୍ଥା ଏତେ ବଡ଼ ଯେ ତାହାକୁ ହାତୀ ଭଳି ବିଶାଳକାୟ ପ୍ରାଣୀ ସହ ତୁଳନା କରିବା କିଛି ମନ୍ଦ ନୁହେଁ। ମାତ୍ର ସେମାନଙ୍କଠାରୁ ଯାହା ଆଶା କରାଯାଏ ତାହା ମିଳେନାହିଁ, ସେମାନଙ୍କୁ ହାତୀ କୁହାଗଲେ ଚଳିଥାନ୍ତା, ମାତ୍ର ଧଳାହାତୀ କହିବାର ତାତ୍ପର୍ଯ୍ୟ କ’ଣ ହୋଇପାରେ! ସେମାନେ ଧୋବଧବଳିଆ, ସମାଜର ଉଚ୍ଚବର୍ଗ ବୋଲି ପ୍ରତୀୟମାନ ହୁଅନ୍ତି। ଧଳାହାତୀ ସେଇମାନେ, ଯାହାଙ୍କ ପାଇଁ ବହୁତ ଖର୍ଚ୍ଚ କରିବାକୁ ପଡ଼େ; ମାତ୍ର ସେମାନଙ୍କ କାମ ଆଖିଦୃଷ୍ଟିଆ ନୁହେଁ, ଯାହାକୁ କହନ୍ତି – ନାମ୍‌ ବଡ଼ା ଦର୍ଶନ ଥୋଡ଼ା!
ଭାରତୀୟ ହିନ୍ଦୁ ପୁରାଣ ଅନୁସାରେ ଦେବରାଜଙ୍କ ବାହନ ହେଲେ ଗୌର ବର୍ଣ୍ଣର ହସ୍ତୀ, ଯାହାର ନଁା ଐରାବତ। ଏହା ହସ୍ତୀ ହୋଇଥିଲେ ବି ପକ୍ଷୀ ପରି ଉଡ୍ଡୟନ କ୍ଷମତାବିଶିଷ୍ଟ। ଅବଶ୍ୟ କେହି ଧଳାହାତୀ ଉପରେ ଚର୍ଚ୍ଚା କଲାବେଳେ ଐରାବତଙ୍କୁ ସ୍ମରଣ କରନ୍ତିନାହିଁ। ଶ୍ରୀମଦ୍‌ ଭଗବତ୍‌ ଗୀତାର ଦଶମ ଅଧ୍ୟାୟରେ ଭଗବାନ୍‌ ଶ୍ରୀକୃଷ୍ଣ ବିଭିନ୍ନ ବର୍ଗରେ ଶ୍ରେଷ୍ଠମାନଙ୍କର ଉଦାହରଣ ଦେଲାବେଳେ ହସ୍ତୀମାନଙ୍କ ଭିତରେ ଐରାବତ ଶ୍ରେଷ୍ଠ ବୋଲି କହିଛନ୍ତି। ଅର୍ଥାତ୍‌ ଧଳାହାତୀମାନେ ଐରାବତଙ୍କ ବଂଶଜ ବୋଲି ଅନୁମାନ କରିବା ବି ନିହାତି ଅସଂଗତ ଓ ହାସ୍ୟାସ୍ପଦ।
ହାତୀ ଗୋଟିଏ ତୃଣଭୋଜୀ ପ୍ରାଣୀ। ଯଦିଓ ବିଶାଳକାୟ, ସେ କାହା ଉପରେ ନିଜଆଡ଼ୁ ଔଦ୍ଧତ୍ୟ ଦେଖାଏ ନାହିଁ; ମାତ୍ର କେହି ଆକ୍ରମଣ କଲେ ସେ ପ୍ରତିଶୋଧ ନେବାକୁ ଭୁଲେନାହିଁ। ମାତ୍ର ଆଲୋଚିତ ପ୍ରସଙ୍ଗର ଧଳାହାତୀମାନେ କେବଳ ତୃଣଭୋଜୀ କିମ୍ବା ମାଂସାହାରୀ ନୁହନ୍ତି। ସେମାନେ ସର୍ବଭକ୍ଷ ଆଉ ପ୍ରୋଟୋକଲ ପରିବେଷ୍ଟିତ ଧଳାହାତୀମାନେ ସେମାନଙ୍କ ବେଭାରରେ ସାମାନ୍ୟ ବିଚ୍ୟୁତିକୁ କ୍ଷମା ଦିଅନ୍ତି ନାହିଁ।
ଥାଇଲାଣ୍ଡ ଆଗରୁ ଏକକ ନରପତିଙ୍କ ଅଧୀନରେ ଥିଲା। ଯଦିଓ ଆଜି ଦିନରେ ଏହା ଏକ ଗଣତନ୍ତ୍ର ମାତ୍ର ସେମାନଙ୍କର ସାମ୍ବିଧାନିକ ମୁଖ୍ୟ ହେଉଛନ୍ତି ରାଜା। ପ୍ରାଚୀନ ଯୁଗରେ ଥାଇଲାଣ୍ଡର ଶାସକମାନେ ଯେଉଁ ସଂଭ୍ରାନ୍ତମାନଙ୍କୁ ନିଜର ପ୍ରତିଦ୍ୱନ୍ଦ୍ୱୀ ଭାବରେ ଦେଖୁଥିଲେ ସେମାନଙ୍କୁ ସଂଭ୍ରାନ୍ତ ବେଭାର ଭାବରେ ଶ୍ୱେତହସ୍ତୀ ଦାନ କରୁଥିଲେ। ଏକପକ୍ଷରେ କୁହାଯାଉଥିଲା ଯେ ତାହା ଥିଲା ସମ୍ଭ୍ରାନ୍ତର ପ୍ରତୀକ; ମାତ୍ର ପ୍ରକାରାନ୍ତରେ ସେଇ ବିଶାଳ ହସ୍ତୀ ପାଇଁ ଖାଦ୍ୟ ଯୋଗାଡ଼ କରି କରି ପ୍ରାପକ ଦିନକୁ ଦିନ ହୀନିମାନ ହେଉଥିଲେ। କୌଶଳରେ ପ୍ରତିପକ୍ଷଙ୍କୁ ଧନହୀନ କରିବାର ଏହା ଥିଲା ଏକ ସୁଚିନ୍ତିତ ପ୍ରକ୍ରିୟା, ଥାଇଲାଣ୍ଡରେ ଆଜି ଦିନରେ ବଞ୍ଚତ୍ଥିବା ଧଳାହାତୀଙ୍କ ସଂଖ୍ୟା ଖୁବ୍‌ କମ୍‌। ଗୋଟିଏ ଆକଳନ ଅନୁସାରେ, ତାହା ତିରିଶ ଭିତରେ ସୀମିତ; ମାତ୍ର ଆଲୋଚିତ ଧଳାହାତୀମାନେ କେତେସଂଖ୍ୟାରେ ଦିନକୁ ଦିନ ବଢ଼ୁଛନ୍ତି ତାହା ଆପଣମାନେ ଲକ୍ଷ୍ୟ କରିପାରୁଥିବେ।
ଧଳାହାତୀ କହିଲେ କ’ଣ ଖାଲି ପଦବୀରେ ଥାଇ ମୁନିବକୁ ଖର୍ଚ୍ଚାନ୍ତ କରାଉଥିବା ଅଧିକାରୀ? ପ୍ରାଇଭେଟ୍‌ କମ୍ପାନୀଗୁଡ଼ିକ ଖୋଜନ୍ତି ସେହିପରି ଅଧିକାରୀ, ଯେଉଁମାନେ କମ୍ପାନୀକୁ ଅଧିକରୁ ଅଧିକ ଲାଭ ଆଣିଦେଇପାରିବେ। ଅର୍ଥାତ୍‌ ସଂପୃକ୍ତ ଅଧିକାରୀ ଯଦି କମ୍ପାନୀ ପାଇଁ ଲାଭଦାୟକ ନ ହୋଇ ପ୍ରକାରାନ୍ତରେ କ୍ଷତି ପହଞ୍ଚାନ୍ତି ବା କମ୍ପାନୀର ଲାଭ ପରିମାଣ ହ୍ରାସର କାରଣ ପାଲଟନ୍ତି ତାଙ୍କୁ ତଡ଼ିବା ପାଇଁ ମଶାମାଛିକୁ ନିଜ ଶରୀରଠାରୁ ତଡ଼ିବାକୁ ଯେତିକି ସମୟ ଦରକାର ସେତିକି ସମୟ ବି ଲାଗେନାହିଁ ମୁନିବମାନଙ୍କୁ। ସେହି କାରଣରୁ ପ୍ରାଇଭେଟ୍‌ ଚାକିରି କରିଥିବା ବ୍ୟକ୍ତିଟି ଧଳାହାତୀ ପାଲଟିବା ସମ୍ଭବ ହୁଏନାହିଁ। ତା’ର କାମର ମୂଲ୍ୟାୟନ ପ୍ରତିଦିନ ହେଉଥାଏ, ଦକ୍ଷତାର ପରିଚୟ ପ୍ରତିପାଦନ କରିବାକୁ ପଡ଼ିଥାଏ ପ୍ରତିନିୟତ।
ସରକାରୀ ଚାକିରିରେ ଥରେ ପଶିଗଲେ ସେଠାରୁ ଜଣକୁ ତୁରନ୍ତ ବାହାର କରିବା ଏତେ ସହଜ ନୁହେଁ। କେବଳ ଉପରିସ୍ଥ ହାକିମଙ୍କୁ ହାତରେ ରଖିପାରିଲେ ଜଣେ ସହଜରେ ଚାକିରିକାଳ କଟେଇ ଦେଇପାରେ। କାର୍ଯ୍ୟଦକ୍ଷତା ତୁଳନାରେ ଚାଟୁକାରିତାର ଆଦର ଅଧିକ ଥିବାରୁ ପ୍ରତିଦିନ ନୂଆ ନୂଆ ଧଳାହାତୀମାନେ ଜନ୍ମ ନିଅନ୍ତି।
ବାବୁତନ୍ତ୍ରକୁ ଅଧିକ ସମନ୍ବିତ କରିବା ପାଇଁ ଆମ ଦେଶରେ ଅନେକ ପ୍ରଶାସନିକ ସଂସ୍କାର କମିଶନ ବସିଛି; ମାତ୍ର ସେଗୁଡ଼ିକରୁ ଆଶାନୁରୂପ ଫଳ ନ ମିଳିବାର ପ୍ରମୁଖ କାରଣ ହେଲା ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ରାଜନୈତିକ ନେତୃତ୍ୱ ଅନେକ ସମୟରେ ବାବୁମାନଙ୍କ ଆୟରେ। ବାବୁ ସଂସ୍କୃତିରେ ଏତେ ଅଧିକାରୀଙ୍କ ବାଟ ଦେଇ ନିଷ୍ପତ୍ତି ନିଆଯାଏ ଯେ, ସେଥିରେ ଜଣକୁ ଦାୟୀ କରିବା ସମ୍ଭବ ହୁଏନାହିଁ ଏବଂ ଏଇ ବ୍ୟବସ୍ଥାରେ ଖସିଯାଆନ୍ତି ଗୋଳମାଳ କରୁଥିବା ବାବୁମାନେ।
ସବୁ ବାବୁ ଧଳାହାତୀ ନୁହନ୍ତି ତାହା ହିଁ ଆଶ୍ୱାସନାର ବିଷୟ। ଦେଶର ଅଗ୍ରଗତିରେ ଆମ ଦେଶର ଅମଲାମାନଙ୍କର ଯୋଗଦାନକୁ ନୂ୍ୟନ କରିବା ଉଚିତ ନୁହେଁ, ଦେଶର ଅତ୍ୟନ୍ତ ମେଧାବୀ ପିଲାମାନେ ପ୍ରଶାସନିକ ସେବାରେ ଯୋଗଦିଅନ୍ତି। ତେବେ ଦେଶରେ ଗୋଳମାଳ କରୁଥିବା ଧଳାହାତୀଙ୍କ ସଂଖ୍ୟା ଯେତେ କମିବ, ସେତେ ମଙ୍ଗଳ ସାଧାରଣ ଜନତାଙ୍କ ପାଇଁ।
ମୋ:୯୪୩୮୪୮୨୯୧୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri