ଖରାଦିନର ଆନନ୍ଦ

ଡ. କୁଳାଙ୍ଗାର

 

ଆଜିର ଖୋଲାମେଲା ଦୁନିଆରେ କେଉଁ ଋତୁ କେଉଁଦିନ ଆସି କେତେବେଳେ ଚାଲିଯାଏ ତାହାର ହିସାବ ରଖି ହୁଏନା। ତେବେ ଖରାଦିନ କେବେଠୁ ଆସିଲା ବୋଲି ଜାଣିବା ପାଇଁ ଆମେ ଆପଣଙ୍କୁ ଗୋଟିଏ ସରଳ ଉପାୟ ବିନାମୂଲ୍ୟରେ ବତାଉଛୁ! ଯେଉଁଦିନ ଖବରକାଗଜ ଓ ଟିଭିରେ ସିଏ ଆଦୌ ବିଜୁଳିକାଟ ହେବନାଇଁ ବୋଲି ବିଭାଗୀୟ ମନ୍ତ୍ରୀ ମହୋଦୟଙ୍କର ବିବୃତି ଦେଖିଲା ସେଇଦିନ ସିଏ ଜାଣିପାରିଲା କି ଭାଇ ଖରାଦିନ ଆସିଗଲା । ଏକଥାକୁ ବି ସିଏ ଗ୍ରହଣ କରିନେଲା କି ଆଜିଠାରୁ ହିଁ ବିଜୁଳିକାଟ ହେବ! ଜଳରୁ ବିଦ୍ୟୁତ୍‌ ତିଆରି ହୁଏ, ଖରା ଜଳ ପିଇ ଯାଉଥିବାରୁ ବିଜୁଳି ଉତ୍ପାଦନ କମ୍‌ ହୁଏ। ତେବେ ଅନ୍ୟଦିନରେ ମଧ୍ୟ ବିଜୁଳିକାଟ ହୋଇଥାଏ! ସେ ଦିନରେ ପାଣିସବୁ କିଏ ପିଇଯାଏ ତାହାର ଉତ୍ତର କାହା ପାଖରେ ନାହିଁ।
ଖରାଦିନ ସହ ବିଜୁଳିର ନିବିଡ ସମ୍ପର୍କ। ଖରାଦିନ ଆସିଲେ ବିଜୁଳିକାଟ ହୁଏ ଏବଂ ବିଜୁଳିକାଟ ହେଲେ ହିଁ ଖରାଦିନକୁ ଅନୁଭବ କରିହୁଏ। ପାଣିବିନା ସିନା ବିଜୁଳିକାଟ ହୁଏ। ଶରୀରରୁ କିନ୍ତୁ ଝାଳ ଆକାରରେ ଗମ୍‌ଗମ୍‌ ପାଣି ବୋହିଯାଏ। ତେଣୁ ଶରୀରରେ ପାଣିକୁ ଭରଣା କରିବା ପାଇଁ ମଣିଷ ପିଆପିଇରେ ବ୍ୟସ୍ତ ରହେ। କିଏ ପଣା ପିଇ ସନ୍ତୁଷ୍ଟ ରହେ ଆଉ କିଏ ନାଲିପାଣିକୁ ପିଇ ମତୁଆଲା ହୁଏ।
ତା’ କଥା ତ ଆପଣ ଜାଣନ୍ତି। ଖରାଦିନ ଆସିଗଲେ ତା’ର ଦୁଃଖ ଯେତିକି ସୁଖ ସେତିକି। ଏଇ ଖରାଦିନରେ ହିଁ ତା’ର ବାହାଘର ହୋଇଥିଲା। ବାହାଘର ବର୍ଷଟି ତେଣୁ ତାକୁ ଖରାଦିନଟି ବେଶ୍‌ ଆନନ୍ଦମୟ ମନେ ହୋଇଥିଲା। ସେତେବେଳର ତାତି ତାକୁ ସକାଳର କଅଁଳ ଖରା ଭଳି ଲାଗୁଥିଲା। କିନ୍ତୁ ବର୍ଷପରେ ବର୍ଷ ଦାମ୍ପତ୍ୟର ଦାଦାଗିରି ଓ ପାରିବାରିକ ଜଞ୍ଜାଳରେ ଘାଣ୍ଟିହେଲା ପରେ ତାକୁ ଖରାଦିନ ବେଶ୍‌ ଭୟଙ୍କର ଲାଗେ। କାରଣ ଖରାଦିନ ଆସିଲେ ତା’ର ବାହାଘର କଥା ମନେ ପଡ଼ିଯାଏ।
ଅବଶ୍ୟ କିଛି ସୁଖର କଥା ମଧ୍ୟ ଅଛି। ସିଏ ତ ସରକାରୀ ଚାକିରିଆ। ଖରାଦିନ କାରଣରୁ ଏବେ ସକାଳୁଆ ଅଫିସି। ସକାଳୁଆ ବିଦ୍ୟାଳୟରେ ଯେମିତି ପାଠଶାଠ ନ ଥାଏ। ସକାଳୁଆ ଅଫିସିରେ ସେମିତି କାମଫାମ ନ ଥାଏ। ତେଣୁ ତା’ ପରି ଯେତେ ସରକାରୀ କର୍ମଚାରୀ ଖରାଦିନ ଆସିଲେ ବିଶେଷ ଖୁସି ହୁଅନ୍ତି। ସକାଳୁଆ ଅଫିସିର ସମୟ ହେଲା ସକାଳ ସାତଟାରୁ ଗୋଟାଏ। କିନ୍ତୁ ସିଏ ସକାଳର କାମ ତୁଟେଇ ଆଠଟାରେ ଘରୁ ବାହାରେ। ପ୍ରାୟ ସାଢ଼େ ଆଠଟା ବେଳକୁ ଅଫିସିରେ ପହଞ୍ଚେ। ତଥାପି ସିଏ ସଗର୍ବେ ଅଫିସିରେ ପଦାର୍ପଣ କରେ କାରଣ ତା’ ପୂର୍ବରୁ ଆଉ କେହି ଅଫିସିକୁ ଆସି ହିଁ ନ ଥାନ୍ତି।
ଅଫିସିରେ ପହଞ୍ଚୁ ପହଞ୍ଚୁ ତ କାମ ଆରମ୍ଭ ହେବନାଇଁ। ଆଗ ଟିକେ ଚାହା ପାନ ଖିଆ ହେବ।
ତା’ ପରେ ଖବରକାଗଜ ପଢ଼ା। ପରେ ପରେ ଖବରକୁ ନେଇ ଆଲୋଚନା, ଗୁଲିଖଟି। ବାସ୍‌ ଏମିତିରେ ଏଗାରଟା ବାଜିଯିବ। ଏତିକି ବେଳକୁ ବିଜୁଳିକାଟ। ଆଜିକାଲି ତ ସବୁକାମ କମ୍ପ୍ୟୁଟର ଜରିଆରେ ହେଉଛି। ସରକାରୀ କ୍ରୟବ୍ୟବସ୍ଥା ଜରିଆରେ ଆନୀତ ଅଫିସିରେ ଥିବା ଅଧିକାଂଶ ଇନ୍‌ଭର୍ଟରଗୁଡ଼ିକର ଆୟୁ ବେଶ୍‌ ସୀମିତ। ତେଣୁ ଗୋଟିଏ ଚିଠି ପୂରା ନ ହେଉଣୁ ସିଏ କୁଁ କୁଁ ଡାକଦେବା ଆରମ୍ଭ କରିଦେବ। ତା’ ପରେ ସବୁ ବନ୍ଦ୍‌!
ପୁରାତନ ଇନଭର୍ଟର ଜରିଆରେ ଫ୍ୟାନ ସିନା ଘୂରେ ଏସି ଚାଲିବାର ପ୍ରଶ୍ନ ହିଁ ଉଠୁନାଇଁ। ଫଳରେ ଅଫିସର ମହୋଦୟ ଖରାଦିନେ ପ୍ରାୟ ଅଫିସିକୁ ନ ଆସି ତାଙ୍କ ଆବାସରେ ଫାଇଲିପତ୍ର କରିଦେଇଥାଆନ୍ତି। ଫଳସ୍ବରୂପ ତା’ର ଅଧସ୍ତନ କର୍ମଚାରୀଏ ଅଫିସିରେ ସ୍ବାଧୀନତାକୁ ବେଶ୍‌ ଉପଭୋଗ କରିଥାଆନ୍ତି। ଯେଉଁ ଲୋକଟି କିଛି କାମପାଇଁ ଆସିଥାଏ ତା’ଠାରୁ ମଧ୍ୟାହ୍ନ ଭୋଜନଟି ଆଦାୟ ହୋଇଯାଏ। ଠିକ୍‌ ଅଫିସି ବନ୍ଦ୍‌ ହେବା ସମୟ ବେଳକୁ ବିଜୁଳି ଲେଉଟେ। ତା’ ପରେ ଅନେକ କର୍ମଚାରୀ ଦିପହର ଖାଦ୍ୟ ଖାଇବା ପରେ ଘରକୁ ଯାଆନ୍ତି ନାହିଁ। ଦିପହରେ ସୂର୍ଯ୍ୟଦେବ ନିଆଁ ବର୍ଷୁଥିଲା ବେଳେ ବିଚରାମାନେ ଯାଆନ୍ତେ ବା କେମିତି? ବିଜୁଳି ତ ଆସିଯାଇଥାଏ। ଏବେ ସାହେବଙ୍କର ଚାମ୍ବରରେ ଏସି ଚଲେଇ ଗାଲିଚା ଉପରେ ସମସ୍ତେ ଆନନ୍ଦରେ ଶୋଇଯାଆନ୍ତି। ଥଣ୍ଡାରେ ଶୟନର ଆନନ୍ଦ ତ ମିଳେ ତା’ ସହ ଘରେ ଗେଜେଗେଜେ ଶୁଣିବାରୁ ମୁକ୍ତି ସହ ମୁଣ୍ଡ ଥଣ୍ଡା ରହେ।
ଖରାଦିନେ ସବୁ ମଣିଷଙ୍କ ପରି ସିଏ ଏକଦମ୍‌ ଦେଶୀ ପାଲଟିଯାଏ। ଦେଶୀ ସୂତା ପୋଷାକ ପିନ୍ଧେ। ମୁଣ୍ଡରେ ଗାମୁଛାଟିଏ ପକାଏ। ସକାଳୁ ପେଟ ଥଣ୍ଡା ରଖିବା ପାଇଁ ମାଣ୍ଡିଆ ଜାଉ ଖାଏ। ଗରମ ଛାଡ଼ି ପଖାଳ ଖାଏ, ତୋରାଣି ପିଏ। ପଇଡ଼, ଆମ୍ବ, ଛୋଟ ପିଆଜ ଆଦିର ଡିମାଣ୍ଡ ଦେଖିଲେ ମନେହୁଏ ଅନ୍ୟସବୁ ଦିନଗୁଡ଼ିକ ବିଦେଶୀ ହେଲେ ଏଇ ଖରାଦିନଟି ହିଁ କେବଳ ଦେଶୀ।
ଖରାଦିନେ ଦିନବେଳେ ମଣିଷ ବିଶେଷ କରି ମହିଳାମାନେ ବିଶେଷ ବାହାରକୁ ବାହାରନ୍ତି ନାହିଁ ।
ସେମିତି କିଛି କାମ ପଡ଼ିଲେ ବାହାରିଲେ ପୂରା ଶରୀରକୁ ଢାଙ୍କି ବାହାରି ଥାଆନ୍ତି। କାରଣ ଖରାର ତାପରେ ମେକଅପ୍‌ ଛାଡ଼ି ବୋହିଯିବାର ଭୟ ରହିଥାଏ। ଘରୁ କମ୍‌ ବାହାରୁ ଥିବାରୁ ଅନ୍ୟଠୁ ଦେଖି ଆମର ଅମୁକ କିଣ, ସମୁକ ଆଣ ବୋଲି ଘରଣୀଙ୍କର ଫରମାଇସ୍‌ କମ୍‌ ଶୁଣିବାକୁ ମିଳିଥାଏ। ରାତିରେ ବିିଜୁଳି କଟିଲେ ସମସ୍ତେ ଛାତ ଉପରକୁ ପଳାନ୍ତି। ପରିବାରବର୍ଗ ନିଜ ନିଜ ଛାତ ଉପରେ ଗଡ଼ିବା ସହିତ ଯେବେ ଗପସପରେ ବ୍ୟସ୍ତ ରହନ୍ତି। କୋଳାହଳଟି ଖରା ମହୋତ୍ସବ ପରି ମନେହୁଏ। ଖରାଦିନ ଆସିଲେ ଉଭୟ ଶିକ୍ଷକ ଓ ଛାତ୍ରୀଛାତ୍ରମାନଙ୍କର କଚେପୁଅ ବାର। ଖରାଛୁଟିରେ ଯେତେ ବୁଲୁଚ ବୁଲ। ପିଲାଏ ମାମୁଘରକୁ ପଳାନ୍ତି। ବିବାହର ବହୁବର୍ଷ ହୋଇଯାଇଥିଲେ ମଧ୍ୟ ବୁଢୀବୁଢାଙ୍କୁ ଟିକେ ଏକାନ୍ତରେ ବେଳକାଟିବାକୁ ଅବସର ଜୁଟେ।
ଖରାଦିନେ ଚାରିଆଡେ ନାନା ନାଟ ତାମ୍‌ସା। ଦେଖ ଏବଂ ମଜାନିଅ। ଏଇ ଖରାଦିନେ ତାଙ୍କ କଲୋନୀରେ ଆୟୋଜିତ ହୁଏ ବିଶ୍ୱଶାନ୍ତି ମହାଯଜ୍ଞ। ନାନା ଦୋକାନ ବସେ, ମାଇକି ବାଜେ, ନାମ ସଂକୀର୍ତ୍ତନ ହୁଏ। ଭଲ ଚାନ୍ଦା ଦେଇଥିବାରୁ ଏବଂ କୁହାଳିଆ ହୋଇଥିବାରୁ ସିଏ ହୁଏ ଯଜ୍ଞର ଉଦ୍ୟୋକ୍ତା। ଅବଶ୍ୟ ଯଜ୍ଞକୁଣ୍ଡ ନିକଟରେ ବଶି ନିଆଁରେ ଘିଅ ଢାଳିଲାବେଳକୁ ତାତି ଅସହ୍ୟ ହୋଇଥାଏ। ତେବେ ନିଆଁର ତାପ ଯେବେ ଊର୍ଦ୍ଧ୍ୱକୁ ଗତି କରେ ସିଏ ମନେମନେ କହେ ହେ ପ୍ରଭୁ ହେ ଦେବତାମାନେ ତମେ ବି ଟିକେ ଅଗ୍ନିର ତାପକୁ ଅନୁଭବ କର। ଦେଖ ଆମେମାନେ କେତେ କଷ୍ଟ ସହୁଚୁ। ଈଶ୍ୱର ମଧ୍ୟ ସେ କଷ୍ଟକୁ ଅନୁଭବ କରି ଟିକେ ବର୍ଷା କରିଦିଅନ୍ତି ଆମେ ତାକୁ କହୁ କାଳବୈଶାଖୀ। କିଛି ସମୟ ପାଇଁ ଏହା ଆନନ୍ଦ ଦିଏ।
ଖରାଦିନେ ଗରିବ ସହ ଧନୀ ବି ଫୁଙ୍ଗୁଳା ହେବାକୁ ବାଧ୍ୟ ହୁଏ। ଶୋଷରେ ଆଉଟୁ ପାଉଟୁ ଥିଲାବାଲା ବି ନ ଥିଲାବାଲାଠୁ ପାଣିମୁନ୍ଦେ ମାଗି ପିଇଦିଏ। ତେଣୁ କଷ୍ଟକର ହେଲେ ମଧ୍ୟ ଖରାଦିନ ଆନନ୍ଦର ଦିନ!!
ନରସିଂହପୁର, କଟକ, ମୋ-୮୮୯୫୮୨୫୮୬୩

 


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri