ଆର୍ଦ୍ରା ନକ୍ଷତ୍ରର ଇତିବୃତ୍ତ

ମର୍ତ୍ତ୍ୟମଣ୍ଡଳେ ଦେହ ବହି, ଦେବତା ହେଲେ ହେଁ ମରଇ। ମୃତ୍ୟୁ ଏକ ଚିରନ୍ତନ ସତ୍ୟ। ହେଲେ ରାତି ଆକାଶରେ ଦୃଶ୍ୟମାନ ସୁନ୍ଦର ତାରାଗୁଡ଼ିକର ବି ମୃତ୍ୟୁ ହୁଏ। ଆମ ଶାସ୍ତ୍ରରେ ମୁନିଋଷିମାନେ ଅନେକ ନକ୍ଷତ୍ରଙ୍କର ଅବସ୍ଥିତି ଓ ଗତିବିଧି ଉପରେ ଲକ୍ଷ୍ୟ ରଖି ସେମାନଙ୍କର ନାମକରଣ ମଧ୍ୟ କରିଛନ୍ତି। ସେଥିମଧ୍ୟରୁ ଆର୍ଦ୍ରା ନକ୍ଷତ୍ର ଅନ୍ୟତମ, ଯାହାର ଇଂଲିଶ ନାମ ବିଟଲଗୁଜ୍‌ ଓ ବୈଜ୍ଞାନିକ ନାମ ଆଲ୍‌ଫା-ଓରିଓନିସ। ଏହା ରାତ୍ରି ଆକାଶରେ ଦଶମ ଉଜ୍ଜ୍ୱଳତମ ଓ ଏକ ଲୋହିତ ଦାନବ ଶ୍ରେଣୀର ନକ୍ଷତ୍ର। କାଳପୁରୁଷ (ଓରିଅନ) ମଣ୍ଡଳର କମରବନ୍ଧର ତିନୋଟି ତାରା ଏକ ସରଳ ରେଖାରେ ଦେଖାଯାଆନ୍ତି, ଏହି କମରବନ୍ଧର ବାମ ପଟ ତାରକାର ଠିକ୍‌ ଉପରକୁ ସବୁଠୁ ଉଜ୍ଜ୍ୱଳ ନକ୍ଷତ୍ରଟି ହେଉଛି ଆଦ୍ରା। ଏହା ଆମ ଆକାଶଗଙ୍ଗା ବା ମିଲ୍କିେଓ ଗାଲାକ୍ସିର ଏକ ଅତି ବିଶାଳ ନକ୍ଷତ୍ର, ଯାହା ଆମଠାରୁ ପ୍ରାୟ ୭୦୦ ଆଲୋକ ବର୍ଷ ଦୂରତାରେ ଅବସ୍ଥିତ। ସୂର୍ଯ୍ୟ ତୁଳନାରେ ଏହା ପ୍ରାୟ ୧୦୦୦ ଗୁଣ ବ୍ୟାସାର୍ଦ୍ଧରେ ବଡ଼, ୧୨୬୦୦୦ ଗୁଣ ଉଜ୍ଜ୍ୱଳ ଓ ବସ୍ତୁତ୍ୱରେ ୧୧ଗୁଣ ଅଧିକ ଘନ। ଏହି ନକ୍ଷତ୍ରଟି ଗତ କିଛି ଦିନ ହେବ ବୈଜ୍ଞାନିକ ଉତ୍କଣ୍ଠାର କାରଣ ହୋଇଛି। କାରଣ ଆର୍ଦ୍ରା ନକ୍ଷତ୍ର ଏହାର ଶେଷଦିନ ଗଣୁଛି ଏବଂ ଆଗାମୀ ଭବିଷ୍ୟତରେ ଯେକୌଣସି ସମୟରେ ଏହା ଏକ ବିରାଟ ବିସ୍ଫୋରଣ ବା ସୁପରନୋଭା ହୋଇ ମରଣକୁ ଆଦରି ନେବ। ବୈଜ୍ଞାନିକ ଅନୁଶୀଳନ ଅନୁଯାୟୀ ଏହି ତାରାଟି ଏବେ ଏକ ଅସନ୍ତୁଳିତ ଅବସ୍ଥାରେ ଅଛି। ଯେଉଁଥିପାଇଁ ଏହାର ଉଜ୍ଜ୍ୱଳତା ଅତିମାତ୍ରାରେ କମ୍‌ ବେଶି ହେଉଛି, ଯାହା ପୃଥିବୀପୃଷ୍ଠରୁ ଦୃଶ୍ୟମାନ ହେଉଛି। ଏହି ନକ୍ଷତ୍ରଟି ଯେବେ ସୁପରନୋଭା ହୋଇ ବିସ୍ଫୋରିତ ହେବ ଏହା ଆମ ରାତି ଆକାଶରେ ଜହ୍ନ ପରି ଉଜ୍ଜ୍ୱଳ ଦେଖାଯିବ ଓ ଦିନ ବେଳା ମଧ୍ୟ ଦୃଷ୍ଟିଗୋଚର ହେବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି। ଏହି ମହାବିସ୍ଫୋରଣରୁ ଅନେକ ପ୍ରକାର ତେଜଷ୍କ୍ରିୟ ରଶ୍ମି ମଧ୍ୟ ବିଛୁରିତ ହେବ, ଯେଉଁମାନଙ୍କ ମଧ୍ୟରୁ ଗାମା ରଶ୍ମି ବିକିରଣ ଅତ୍ୟନ୍ତ ଭୟଙ୍କର ଏବଂ ଏପରି ରଶ୍ମି ଯଦି ଆମ ପୃଥିବୀ ଆଡକୁ ମାଡ଼ିଆସେ ତେବେ ଏଠାରେ ଅତିବ ବିନାଶକାରୀ ପ୍ରଭାବ ପଡ଼ିପାରେ। କିନ୍ତୁ ଏପରି ସମ୍ଭାବନା ଅନେକ କମ୍‌ ବୋଲି ବୈଜ୍ଞାନିକମାନେ ଆକଳନ କରୁଛନ୍ତି।
ଏବେ ଆସନ୍ତୁ ନକ୍ଷତ୍ରମାନଙ୍କର ମରଣ ପ୍ରକ୍ରିୟା ଉପରେ କିଛି ଆଲୋକପାତ କରିବା। ବିଶ୍ୱ ବ୍ରହ୍ମାଣ୍ଡର ନକ୍ଷତ୍ରମଣ୍ଡଳ ବା ଗାଲାକ୍ସିଗୁଡ଼ିକରେ ମହାଜାଗତିକ ଧୂଳିକଣାରୁ ଅହରହ ନକ୍ଷତ୍ରମାନଙ୍କର ସୃଷ୍ଟି ଓ ବିନାଶ ହେଉଛି। ଆମ ଶରୀରର ଜୀବନ ପ୍ରକ୍ରିୟା ଭଳି ତାରକାମାନଙ୍କର ମଧ୍ୟ ବାଳୁତ, ଯୌବନ, ବୃଦ୍ଧ ଓ ଶେଷରେ ମୃତ୍ୟୁ ଅବସ୍ଥା ଉପନୀତ ହୁଏ। ଆମେ ଯେପରି ଖାଦ୍ୟ ଖାଉଛେ ଏବଂ ହଜମ କରି ମଳତ୍ୟାଗ କରୁଛେ, ସେପରି ଏକ ପ୍ରକ୍ରିୟା ମଧ୍ୟ ନକ୍ଷତ୍ରମାନଙ୍କ କ୍ଷେତ୍ରରେ ହୋଇଥାଏ। ନାଭିକୀୟ ଜାରଣ ପ୍ରକ୍ରିୟାରେ ନକ୍ଷତ୍ରଗୁଡ଼ିକ ବାଳୁତ ଅବସ୍ଥାରେ ସବୁଠାରୁ ହାଲୁକା ମୌଳିକ ପଦାର୍ଥ ହାଇଡ୍ରୋଜେନକୁ ଶକ୍ତିର ଉତ୍ସ ଭାବରେ ଗ୍ରହଣ କରି ତାହାଠାରୁ ସାମାନ୍ୟ ଓଜନିଆ ମୌଳିକ ପଦାର୍ଥ ହିଲିୟମ୍‌ରେ ପରିଣତ କରନ୍ତି ଓ ପରେ ହାଇଡ୍ରୋଜେନ ସରିଗଲେ ହିଲିୟମ୍‌କୁ ଗ୍ରହଣ କରି ଯୌବନାବସ୍ଥାରେ ତାହାଠାରୁ ଓଜନିଆ ମୌଳିକ ପଦାର୍ଥ କାର୍ବନରେ ପରିଣତ କରନ୍ତି ଏବଂ ଏହି ପ୍ରକ୍ରିୟାରେ ଜାରି ରହି ଯେତେବେଳେ ଅଧିକ ଭାରି ମୌଳିକ ପଦାର୍ଥ ଲୁହା ସୃଷ୍ଟି ହୁଏ ସେତେବେଳେ ତାରକାଟି ଆଉ ନାଭିକୀୟ ଜାରଣ କରି ନ ପାରି ବୃଦ୍ଧାବସ୍ଥାରେ ପରିଣତ ହୁଏ। ଅନ୍ୟ ଅର୍ଥରେ ନକ୍ଷତ୍ରଟି ଲୁହାକୁ ଆଉ ହଜମ କରିପାରେ ନାହିଁ। ଏହି ସମୟରେ ତାରକାର ନାଭିକୀୟ ଜାରଣ ଶକ୍ତି କମିଯାଏ। କିନ୍ତୁ ବସ୍ତୁତ୍ୱରେ ବୃଦ୍ଧି ହେତୁ ମାଧ୍ୟାକର୍ଷଣ ଶକ୍ତି ଅଧିକ ହୋଇଯାଏ। ଏଭଳି ପରିସ୍ଥିତିରେ ନକ୍ଷତ୍ରଟିର ଶକ୍ତି ଅସନ୍ତୁଳିତ ହୋଇ ପ୍ରଥମେ ଏହା ଅତ୍ୟଧିକ ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରେ ଚାପିହୋଇ ସଂକୁଚିତ ହୋଇଯାଏ ଓ ପରେ ଅତ୍ୟଧିକ ଚାପ ଓ ତାପ ଯୋଗୁ ଏକ ଭୟଙ୍କର ବିସ୍ଫୋରଣ ବା ସୁପରନୋଭା ହୋଇ ତାରକାଟି ଫାଟିଯାଏ ଓ ତାରକାର ମୃତ୍ୟୁ ହୁଏ। କିନ୍ତୁ ସବୁ ତାରକା ସୁପରନୋଭାରେ ପରିଣତ ହୁଅନ୍ତି ନାହିଁ, କାରଣ ଆମ ସୂର୍ଯ୍ୟ ଭଳି ଛୋଟ ତାରାଗୁଡ଼ିକରେ କମ୍‌ ପରିମାଣର ମୌଳିକ ପଦାର୍ଥ ଓ ବସ୍ତୁତ୍ୱ ଥିବାରୁ ସେମାନଙ୍କର ଜାରଣ ପ୍ରକ୍ରିୟାରେ ଲୁହା ଭଳି ଭାରି ମୌଳିକ ପଦାର୍ଥ ସୃଷ୍ଟି ହେବାର ସମ୍ଭାବନା ବହୁତ କମ୍‌ ଥାଏ ଓ ସେମାନଙ୍କର ଶକ୍ତି ମଧ୍ୟ ଏତେ ଅଧିକ ନ ଥାଏ।
ଏହି ପ୍ରକ୍ରିୟାରେ ନିକଟ ଭବିଷ୍ୟତରେ ଆର୍ଦ୍ରା ନକ୍ଷତ୍ରର ଅନ୍ତ ଘଟିବା ସହିତ ଆମ ଆକାଶରେ ଏକ ସୁନ୍ଦର ଦ୍ୱିତୀୟ ଜହ୍ନମାମୁ ସଦୃଶ ଏକ ସୁପରନୋଭା ବିସ୍ଫୋରଣ ଦେଖିବାର ଅବକାଶ ଆମେ କିମ୍ବା ଆମ ଆଗାମୀ ପିଢ଼ିକୁ ମିଳୁଛି ତାହା ସମୟ ହିଁ କହିବ।

-ରିତେଶ କୁମାର ଶିଶୁ

ଦଧିବାବନପୁର, କଟକ
ମୋ- ୮୦୧୮୮୩୪୭୩୪


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri