Posted inUncategorized

ଜଘନ୍ୟ ଅପରାଧ ମାନବ ଚାଲାଣ

ସମୀରା। ପଶ୍ଚିମବଙ୍ଗର ୧୪ ବର୍ଷ ବୟସର ସ୍କୁଲ ଛାତ୍ରୀ। ପାଠ ପଢ଼ିବାକୁ ପ୍ରବଳ ଆଗ୍ରହ। ମାତ୍ର ଦାରିଦ୍ର୍ୟ ଯୋଗୁ ବାପମାଆ ବନ୍ଦକରିଦେଲେ ତା’ର ପାଠପଢ଼ା। ମନ ବୁଝିଲା ନାହିଁ। ପାଠ ପଢ଼ିବା ଆଶାରେ ସମୀରା ପଳାଇଲା ମୁମ୍ବାଇରେ ରହୁଥିବା ତା’ର ଭିଣୋଇଙ୍କ ପାଖକୁ। ଦୁଃଖ ଆରମ୍ଭ ହୋଇଗଲା ସେଇଠି। ଭିଣୋଇ ବିଶ୍ୱାସରେ ବିଷ ପକାଇଲେ। ମାତ୍ର କେଇ ହଜାର ଟଙ୍କା ବିନିମୟରେ ତାକୁ ବିକ୍ରି କରିଦେଲେ ଜଣେ ଯୌନ ବ୍ୟବସାୟୀକୁ। କାମାଥିପୁରା ରେଡ୍‌ ଲାଇଟ୍‌ ଏରିଆ ହୋଇଗଲା ତା’ର ନୂଆ ଠିକଣା। ବିନିମୟରେ ମିଳୁଥିଲା ଦିନକୁ ଦୁଇଓଳି କିଛି ଖାଇବାକୁ ଆଉ ନିର୍ଯାତନା। ସାଥି ଝିଅମାନଙ୍କ ସହିତ ଥରେ ସେମାନଙ୍କୁ ନିଆଯାଇଥିଲା ଗୋଟିଏ ପଞ୍ଚତାରକା ହୋଟେଲକୁ। ସୌଭାଗ୍ୟକୁ ସେଦିନ ପୋଲିସ ଚଢ଼ାଉ କଲା ସେହି ହୋଟେଲ ଉପରେ। ସାଥି ଝିଅମାନେ ପୋଲିସ ଭୟରେ ଲୁଚିଗଲା ବେଳେ ସମୀରା ମନରେ ସାହସ ବାନ୍ଧିଲା। ଉଦ୍ଧାର ପାଇବା ଆଶାରେ ପୋଲିସ ହାତରେ ଧରାଦେଲା। ସେହିଠାରୁ ତା’ର ଦୁଃଖଭରା କାହାଣୀର ଅନ୍ତ ଘଟିଥିଲା। ଏହି ଘଟଣାଟି ଥିଲା ୨୦୨୧ ଫେବୃୟାରୀ ମାସର କଥା।
ସେହିପରି ସହରରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଦାର୍ଜିଲିଂର ଗୋଟିଏ ଝିଅକୁ ଜନୈକ ସ୍ଥାନୀୟ ବ୍ୟକ୍ତି ନେଇଯାଇଥିଲା ଦିଲ୍ଲୀ। ଦୀର୍ଘଦିନ ଧରି ଝିଅର ଖୋଜଖବର କିଛି ନ ମିଳିବାରୁ ତା’ ବାପମାଆ ଆଶ୍ରୟ ନେଇଥିଲେ ସ୍ବେଚ୍ଛାସେବୀ ସଙ୍ଗଠନ ‘ମାର୍ଗ’ର। ମାର୍ଗର ବହୁ ଉଦ୍ୟମ ପରେ ଝିଅଟି ଉଦ୍ଧାର ହୋଇଥିଲା ଅତ୍ୟନ୍ତ ନିର୍ଯାତିତ ଅବସ୍ଥାରେ। ପଞ୍ଜାବର ଜନୈକା ମହିଳାଙ୍କୁ ଅପହରଣ କରି ସୁଦୂର ଓମାନ୍‌ରେ ବିକ୍ରି କରାଯାଇଥିଲା। ସେଠାରେ ସେ ବଳାତ୍କାରର ଶିକାର ହେଲେ। ଶେଷକୁ ପଞ୍ଜାବ ପୋଲିସ ଉଦ୍ଧାର କରିଥିଲା ତାଙ୍କୁ। ବାଂଲାଦେଶର ଜଣେ ଆଠବର୍ଷର ବାଳକକୁ ସାଉଦି ଆରବରେ ଓଟଶାଳାରୁ ଉଦ୍ଧାର କରିଥିଲା ସେ ଦେଶର ପୋଲିସ। ରୋଜଗାର କରିବା ଆଶାକରି ଘର ଛାଡ଼ି ଚାଲିଯାଉଥିବା କେଉଁ ଯୁବକର ଶବ ଗାଁକୁ ଫେରିଲାଣି ତ ଆଉ କେଉଁ ଦାଦନ ହାତ କି ଗୋଡ଼ ହରାଇ ଫେରୁଛି ନିଜ ଭିଟାମାଟିକୁ। ଆଉ କେତେକ ନିର୍ଯାତନା ସହି ନ ପାରି ମୁକ୍ତ ହେବାକୁ ସରକାରଙ୍କୁ କାକୁତିମିନତି ହେଉଛନ୍ତି ସାମାଜିକ ଗଣମାଧ୍ୟମରେ। ଇଏ ତ ଗଲା କେତେକ ଉଦ୍ଧାର ପାଇଥିବା ନିର୍ଯାତିତଙ୍କ ଘଟଣା। ଆହୁରି ବହୁତ ନିଖୋଜ ନିରୁଦ୍ଦିଷ୍ଟ ହୋଇଯାଉଛନ୍ତି, ଯେଉଁମାନଙ୍କ ପତ୍ତା ଆଦୌ ମିଳିପାରୁନାହିଁ। ଏହି ଲେଖକର ଜଣେ ସମ୍ପର୍କୀୟ ଭାଇ ୩୦ ବର୍ଷ ହେଲା ନିଖୋଜ ହୋଇଯାଇଛି କଲେଜ ଯିବା ରାସ୍ତାରୁ। ଯାଜପୁର ଅଞ୍ଚଳର ପିହୁ ନାମ୍ନୀ ଅଢ଼େଇ ବର୍ଷର ଶିଶୁ ନିଖୋଜ ହେଲାଣି ୩ ବର୍ଷ ହେଲା। ତା’ର ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ। ଏମିତି ଅନେକ ଦୃଷ୍ଟାନ୍ତ।
ସଦ୍ୟ ପ୍ରକାଶିତ ଏନ୍‌ସିଆର୍‌ବି ତଥ୍ୟ ଅନୁଯାୟୀ, ଦେଶରେ ୨୦୧୯-୨୧ ତିନି ବର୍ଷ ମଧ୍ୟରେ ୧୩ ଲକ୍ଷ ୧୩ ହଜାରରୁ ଊର୍ଦ୍ଧ୍ୱ ମହିଳା ଓ ବାଳିକା ନିଖୋଜ ହୋଇଯାଇଛନ୍ତି। ଏ କ୍ଷେତ୍ରରେ ମଧ୍ୟପ୍ରଦେଶ ପ୍ରଥମ ସ୍ଥାନରେ ରହିଛି। ସେଠାରେ ୧ ଲକ୍ଷ ୯୮ ହଜାର ୪୧୪ ଜଣ ନିଖୋଜ ହୋଇଛନ୍ତି। ଆମ ଓଡ଼ିଶାର ସ୍ଥାନ ହେଉଛି ୪ର୍ଥ। ଏଠାରୁ ୭୦ ହଜାର ୨୨୨ ଜଣ ମହିଳା ଓ ୧୬ ହଜାର ୬୪୯ ବାଳିକା ନିଖୋଜ ହୋଇଯାଇଛନ୍ତି। ଶିଶୁ ଅପହରଣ କ୍ଷେତ୍ରରେ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ଥିଲା ବେଳେ ଓଡ଼ିଶା ମଧ୍ୟ ରହିଛି ୪ର୍ଥ ସ୍ଥାନରେ। ମହାରାଷ୍ଟ୍ରରେ ୯ ହଜାର ୪୧୬ ଜଣ ଶିଶୁ ଅପହୃତ ହୋଇଥିଲା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୫ ହଜାର ୧୩୫। ଓଡ଼ିଶାରେ ଦିନକୁ ୧୨ ଶିଶୁ ନିଖୋଜ ହେଉଛନ୍ତି। ଦେଶରେ ମୋଟ୍‌ ନିଖୋଜଙ୍କ ମଧ୍ୟରୁ ଶତକଡ଼ା ୨୭ ଭାଗ ହେଉଛନ୍ତି ଶିଶୁ ଏବଂ ପ୍ରତି ୩ ଶିଶୁଙ୍କ ମଧ୍ୟରେ ୨ ଜଣ ହେଉଛନ୍ତି ବାଳିକା।
ଜାତିସଂଘର ସର୍ବେକ୍ଷଣ ଅନୁଯାୟୀ, ନିଖୋଜ ବା ଅପହୃତ ହେଉଥିବା ପୀଡ଼ିତମାନଙ୍କୁ ମୁଖ୍ୟତଃ ୩ଟି କ୍ଷେତ୍ରରେ ନିୟୋଜିତ କରାଯାଇଥାଏ। ସେଗୁଡ଼ିକ ହେଉଛି – ଯୌନ ବ୍ୟବସାୟ, ଶ୍ରମ ବଜାର ଓ ଅଙ୍ଗ ପ୍ରତିରୋପଣ। ବାଳିକା ଓ ମହିଳାମାନଙ୍କୁ ଦେହ ବ୍ୟବସାୟରେ ଲିପ୍ତ କରାଯାଉଥିବା ବେଳେ ଆଉ କେତେକ ବାଳିକାଙ୍କୁ ବିବାହ ଉଦ୍ଦେଶ୍ୟରେ କେଉଁଠି ବିକ୍ରି କରାଯାଇଥାଏ। କେତେକ ବାଳିକା ଡ୍ୟାନ୍ସବାର୍‌ରେ ଦର୍ଶକଙ୍କ ମନୋରଞ୍ଜନ କରିଥା’ନ୍ତି, ଆଉ କେତେକ ଅଶ୍ଳୀଳ ଚିତ୍ର ଓ ଭିଡିଓ ଉତ୍ତୋଳନରେ ନିୟୋଜିତ ହୋଇଥା’ନ୍ତି। ବାଳକମାନଙ୍କୁ ଭିକ୍ଷାବ୍‌ୃତ୍ତି, ଘରୋଇ ଚାକର, କୃଷି ଶ୍ରମିକ, ଇଟାଭାଟି ଶ୍ରମିକ, ନିଶା କାରବାର, ଓଟ ଦୌଡ଼ ଓ ସର୍କସ୍‌ ଆଦିରେ କାମ କରିବାକୁ ପଡ଼ିଥାଏ। ବଜାର ସହରରେ ଶହ ଶହ ସଂଖ୍ୟାରେ ଶିଶୁ ଭିକ୍ଷାବୃତ୍ତି କରୁଥିବାର ଦେଖିବାକୁ ମିଳେ। ଏହା ପଛରେ ଏକ ସ୍ବତନ୍ତ୍ର ର଼୍ୟାକେଟ୍‌ କାମ କରୁଥାଏ। ସେମାନଙ୍କୁ ଗଣ୍ଡାଏ ଖାଇବାକୁ ଦେଇ ସେମାନଙ୍କ ଦୈନିକ ଆୟକୁ ମାଲିକମାନେ ହାତେଇଥା’ନ୍ତି। ଅଧିକ ଆୟ ପାଇଁ ମାଲିକମାନେ ପିଲାମାନଙ୍କୁ ମଧ୍ୟ ବିକଳାଙ୍ଗ କରିବାକୁ ପଛାନ୍ତିନାହିଁ। ଉପସାଗରୀୟ ଦେଶରେ ଓଟ ଦୌଡ଼ ଗୋଟିଏ ଜନପ୍ରିୟ କ୍ରୀଡ଼ା। ଓଟ ପିଠିରେ ସାଧାରଣତଃ ୮-୧୦ ବର୍ଷର ପିଲାଙ୍କୁ ବାନ୍ଧି ଦିଆଯାଇଥାଏ। ଦୌଡ଼ବେଳେ ଓଟ ପିଠିରୁ ପିଲାଟି ଖସି ତଳେପଡ଼ି ମରିଗଲେ ବା ବିକଳାଙ୍ଗ ହୋଇଗଲେ ମାଲିକର କିଛି ଯାଏଆସେ ନାହିଁ। ଏହି ପିଲାମାନଙ୍କର ଓଜନ କମ୍‌ ରଖିବାକୁ ସେମାନଙ୍କୁ ଅର୍ଦ୍ଧାହାରରେ ରଖାଯାଏ କିମ୍ବା ଇଲେକ୍‌ଟ୍ରିକ୍‌ ସକ୍‌ ଦେଇ ଓଜନ ହ୍ରାସ କରାଯାଇଥାଏ। ଭାରତ, ପାକିସ୍ତାନ, ବାଂଲାଦେଶରୁ ପିଲାମାନଙ୍କୁ ଖର୍ଦ୍ଦି କିମ୍ବା ଅପହରଣ କରି ଓଟ ମାଲିକମାନଙ୍କୁ ବିକ୍ରି କରାଯାଇଥାଏ। ୟୁନିସେଫ୍‌ର ରିପୋର୍ଟ ଅନୁଯାୟୀ, ୨୦୦୫ରେ ୩ ହଜାରରୁ ଊର୍ଦ୍ଧ୍ୱ ପିଲା ଏହି ଓଟ ଦୌଡ଼ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଜାତିସଂଘର ହସ୍ତକ୍ଷେପ ଫଳରେ ଏବେ ବାଳକମାନଙ୍କ ପରିବର୍ତ୍ତେ ରୋବଟ୍‌ର ବ୍ୟବହାର ପାଇଁ ଆଇନ ହୋଇଥିଲେ ମଧ୍ୟ କୌଣସି ଦେଶ ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି।
ସାରା ବିଶ୍ୱରେ ଏହି ମାନବ ଚାଲାଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏପରି ଏକ ଜଘନ୍ୟ ଅପରାଧକୁ ରୋକିବାକୁ ଆଇନ ପ୍ରଣୟନ ହୋଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରିନାହିଁ। ଆମ ଦେଶରେ ‘ଦି ଇମୋରାଲ ଟ୍ରାଫିକ୍‌ (ପ୍ରିଭେନ୍‌ସନ୍‌)ଆକ୍ଟ-୧୯୫୬’ ଅନୁଯାୟୀ ଜଣେ ଚାଲାଣକାରୀକୁ ୧୦ ବର୍ଷ ଜେଲଦଣ୍ଡ ସହିତ ଜରିମାନା ଦେବାର ଆଇନ ଅଛି। ମାତ୍ର ତାହା ମାନବ ଚାଲାଣକୁ ବନ୍ଦ କରିପାରିନାହିଁ।

– ରବିନାରାୟଣ ସାମଲ
ମୋ: ୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?