ନୂଆଦିଲ୍ଲୀ,୨।୧୧:ଭାରତୀୟ କ୍ରିକେଟ ଦଳର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟି-୨୦ ମ୍ୟାଚ୍ରେ ତାଙ୍କୁ ଖେଳିବାର ସୁଯୋଗ ନ ମିଳିବାକୁ ନେଇ ଭାରତର ପୂର୍ବତନ ଅଧିନାୟକ କ୍ରିଷ୍ଣମଚାରୀ ଶ୍ରୀକାନ୍ତ ଟିମ ମ୍ୟାନେଜମେଣ୍ଟକୁ କଡ଼ା ସମାଲୋଚନା କରିଛନ୍ତି। ଗୌତମ ଗମ୍ଭୀରଙ୍କ ନେତୃତ୍ୱାଧୀନ ଟିମ ମ୍ୟାନେଜମେଣ୍ଟ ଏହି ୧୫ ବର୍ଷୀୟ ଖେଳାଳିଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍ରେ ଅଧିକ ଅଭିଜ୍ଞତା ହାସଲ କରିବାର ସୁଯୋଗ ଦେଇପାରିଥାନ୍ତା ବୋଲି ସେ କହିଛନ୍ତି।
ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ର ଫଳାଫଳ ପୂର୍ବରୁ ନିର୍ଦ୍ଧାରିତ ହୋଇସାରିଥିଲା। ଏହା ସତ୍ତ୍ୱେ ଶେଷ ମ୍ୟାଚ୍ରେ ଭାରତୀୟ ଦଳର ବ୍ୟାଟିଂ ଲାଇନଅପ୍ରେ କୌଣସି ପରିବର୍ତ୍ତନ କରାଯାଇନଥିଲା। ବୋଲିଂ ବିଭାଗରେ କିଛି ପରିବର୍ତ୍ତନ ହୋଇଥିଲେ ମଧ୍ୟ ବୈଭବଙ୍କୁ ପୁଣିଥରେ ବେଞ୍ଚ୍ରେ ବସିବାକୁ ପଡ଼ିଥିଲା। ଏହା ପୂର୍ବରୁ ଈଶାନ କିଶନ ଆହତ ହେବା ପରେ ସେ ସିରିଜ୍ର ଦୁଇଟି ମ୍ୟାଚ ଖେଳିଥିଲେ।
ଶ୍ରୀକାନ୍ତ କହିଛନ୍ତି, ବୈଭବ ସୂର୍ଯ୍ୟବଂଶୀଙ୍କୁ ଠିକ ଭାବେ ସୁଯୋଗ ଦେବା ଆବଶ୍ୟକ। ତିନିଜଣ ଓପନରଙ୍କୁ ସେମାନଙ୍କ ଭୂମିକା ସ୍ପଷ୍ଟ କରିବା ଉଚିତ। କିଏ କେତୋଟି ମ୍ୟାଚ ଖେଳିବେ, ତାହା ଆଗୁଆ ଜଣାଇବା ଦରକାର। ଏହା ବଦଳରେ ବୈଭବଙ୍କୁ ବେଞ୍ଚ୍ରେ ବସାଇ ରଖାଯାଇଛି ବୋଲି ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀ ନିଜର ବ୍ୟାଟିଂ ଦକ୍ଷତା ବଳରେ କ୍ରିକେଟ ଜଗତରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଲଗାତାର ଦୁଇଟି ଆଇପିଏଲ ସିଜିନ୍ରେ ଚମତ୍କାର ପ୍ରଦର୍ଶନ କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଚଳିତ ବର୍ଷ ମଧ୍ୟ ୭୭୬ ରନ କରି ସେ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର ହୋଇଥିଲେ। ବିଶ୍ୱର ଶ୍ରେଷ୍ଠ ବୋଲରଙ୍କ ବିପକ୍ଷରେ ତାଙ୍କର ଏହି ପ୍ରଦର୍ଶନ ତାଙ୍କୁ ଜାତୀୟ ଦଳରେ ସ୍ଥାନ ଦେବାରେ ସହାୟକ ହୋଇଥିଲା।
ଶ୍ରୀକାନ୍ତଙ୍କ ମତରେ, ବୈଭବଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍ଷର ଖେଳିବାର ସୁଯୋଗ ଦେବାର ଅନେକ ଅବସର ଭାରତ ହାତଛଡ଼ା କରିଛି। ଭାରତୀୟ ଦଳର ଇଂଲଣ୍ଡ ଗସ୍ତ ସମୟରେ ତାଙ୍କୁ ସାମିଲ କରାଯାଇଥିଲେ ମଧ୍ୟ ଆୟରଲାଣ୍ଡ ବିପକ୍ଷ ଦୁଇଟି ଟି-୨୦ ମ୍ୟାଚ୍ରେ ଖେଳିବାର ସୁଯୋଗ ମିଳି ନ ଥିଲା। ସେହି ମ୍ୟାଚ୍ଗୁଡ଼ିକରେ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ଓପନିଂ କରିଥିଲେ। ଆୟରଲାଣ୍ଡ ବିପକ୍ଷ ସେହି ଦୁଇଟି ମ୍ୟାଚ ବୈଭବଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍ରେ ସୁଯୋଗ ଦେବା ପାଇଁ ଉପଯୁକ୍ତ ଥିଲା। ସେହିପରି ୱେଷ୍ଟଇଣ୍ଡିଜ୍ର ଅପେକ୍ଷାକୃତ ଦୁର୍ବଳ ବୋଲିଂ ବିପକ୍ଷରେ ମଧ୍ୟ ତାଙ୍କୁ ଖେଳାଯାଇ ନ ଥିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି।
କେବଳ ଟି-୨୦ ନୁହେଁ, ବୈଭବଙ୍କୁ ଭାରତୀୟ ଦିନିକିଆ ଦଳରେ ମଧ୍ୟ ସ୍ଥାନ ମିଳିବା ଉଚିତ ବୋଲି ଶ୍ରୀକାନ୍ତ ମତ ଦେଇଛନ୍ତି। ବୈଭବ ସବୁ ସ୍ତରରେ ରନ କରୁଛନ୍ତି। ଆଇପିଏଲ୍ରେ ସର୍ବାଧିକ ରନ କରିବା ସହ ଅନ୍ୟ ପ୍ରତିଯୋଗିତାରେ ମଧ୍ୟ ନିଜ ଦକ୍ଷତା ପ୍ରମାଣିତ କରିଛନ୍ତି। ସେ ଜଣେ ଅତ୍ୟନ୍ତ ପ୍ରତିଭାବାନ ଖେଳାଳି ଏବଂ ତାଙ୍କୁ ଦିନିକିଆ ଦଳରେ ସ୍ଥାନ ମିଳିବା ଆବଶ୍ୟକ ବୋଲି ଶ୍ରୀକାନ୍ତ କହିଛନ୍ତି।
Dharitri – Odisha’s No.1 Odia Daily

