ପ୍ରଜାଙ୍କ ମତରେ ଶାସନ ଚାଲିବ

ଅକ୍ଷୟ କୁମାର ମିଶ୍ର

 

ସ୍ୱାଧୀନତା ପ୍ରାପ୍ତିର ବହୁ ପୂର୍ବରୁ ଉତ୍କଳମଣି ଗୋପବନ୍ଧୁ ଦାସ ଦେଶର ଶାସନ ବ୍ୟବସ୍ଥାକୁ ନେଇ ରଚନା କରିଯାଇଥିବା କବିତାର ପଙ୍‌କ୍ତିଟି ହେଲା –
”ପ୍ରଜା ଲାଗି ଉଦେ ରବି ଶଶୀ ତାରା,
ପ୍ରଜା ଲାଗି ବହେ ଶତ ନଦୀ ଧାରା।
ପ୍ରଜା ଲାଗି ରାଜ୍ୟ ପ୍ରଜାର ଶାସନ,
ଯୁଗେ ଯୁଗେ ଏହା ଶାସ୍ତ୍ରର କଥନ ।।“
ପ୍ରଜାଙ୍କ ମତରେ ଶାସନ ଚାଲିବ। ଲୋକେ ହେବେ ଶକ୍ତିକେନ୍ଦ୍ର। ଲୋକଙ୍କ ଦ୍ୱାରା ଶାସନ ପରିଚାଳିତ ହେବ। ତାହାହିଁ ହେଲା। ସ୍ବାଧୀନତା ପରେ ଦେଶ ସେହି ରାସ୍ତାରେ ଚାଲିବ ବୋଲି ସ୍ଥିର ହେଲା। ଦେଶ ଆପଣେଇଲା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ। ସେତେବେଳକୁ ଉତ୍କଳମଣି ଇହଧାମରେ ନ ଥିଲେ। ପ୍ରଥମ କଥାଟି ହେଲା ଶାସନ ବ୍ୟବସ୍ଥାକୁ ନେଇ ସେ ଯାହା ପରିକଳ୍ପନା କରିଥିଲେ ତାହାହିଁ ହେଲା, କିନ୍ତୁ କାଗଜ କଲମରେ। ପ୍ରଚଳନ ହେଲା ଲୋକତନ୍ତ୍ର, କିନ୍ତୁ ବାସ୍ତବରେ ଏହା ହେଲା ଦଳତନ୍ତ୍ର। ଏବେ ତ ଦଳତନ୍ତ୍ରରୁ ଏକତନ୍ତ୍ର ଅଭିମୁଖୀ ହେଲାଣି। ଲୋକ ପ୍ରତିନିଧିମାନଙ୍କ ଦ୍ୱାରା ଶାସନ ପରିଚାଳିତ ହେବ ବୋଲି ସ୍ଥିର ହେଲା। ଏମାନେ କେମିତି ନିର୍ବାଚିତ ହେବେ, ଏମାନଙ୍କର ଯୋଗ୍ୟତା କ’ଣ ହେବ, କେଉଁମାନେ ଏମାନଙ୍କୁ ବାଛିବେ ଏ ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ସଂହିତା ପ୍ରସ୍ତୁତ ହେଲା। ଆମେ ସଭିଏଁ ଏହାକୁ ପାଳନ କରିବୁ ବୋଲି ଶପଥ ନେଲୁ। କିନ୍ତୁ ପ୍ରତି ମୁହୂର୍ତ୍ତରେ ଶପଥ ଭାଙ୍ଗି ଚାଲିଲୁ। ନିର୍ବାଚନ ପ୍ରକ୍ରିୟାରେ ଅନେକ ସଂସ୍କାର ଆସିଛି। ପ୍ରଥମେ ୨୧ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ଲୋକମାନେ ନିଜର ମତ ସାବ୍ୟସ୍ତ କରି ପ୍ରତିନିଧି ଚୟନ କରୁଥିଲେ। ୧୯୮୮ ରେ ୬୧ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଏହି ବୟସ ସୀମାକୁ କମାଇ ୧୮ ବର୍ଷକୁ ଅଣାଯାଇଛି। ଲୋକେ ବାଲଟ୍‌ ପେପର୍‌ ମାଧ୍ୟମରେ ଭୋଟ ଦେଉଥିଲେ। ୧୯୯୭ ଠାରୁ ଇଭିଏମ୍‌ରେ ମତଦାନ କରୁଛନ୍ତି। କୌଣସି ପ୍ରମାଣପତ୍ରର ବ୍ୟବସ୍ଥା ନଥିଲା। ୧୯୯୩ ରେ ସମସ୍ତ ମତଦାତାଙ୍କୁ ପ୍ରମାଣପତ୍ର ଦେବାର ବ୍ୟବସ୍ଥା ହେଲା। ୨୦୦୪ ଠାରୁ ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ ହେଲା । ଏସବୁ ସତ୍ତ୍ୱେ କହିପାରିବା ନାହିଁ ଆମ ଦେଶରେ ଅବାଧ, ନିରପେକ୍ଷ ଏବଂ ସ୍ବଚ୍ଛ ନିର୍ବାଚନ ହେଉଛି ବୋଲି। କ୍ଷମତା ଓ ବାହୁବଳ ସାଙ୍ଗକୁ ଅର୍ଥର ପ୍ରାବଲ୍ୟ ଗଣତନ୍ତ୍ରକୁ ବାଟବଣା କରୁଛି। ଯାହା ଦେଖାଯାଉଛି, ଗଣତନ୍ତ୍ରର ପ୍ରୟୋଗଶାଳାକୁ ଏବେ ସର୍ବବୃହତ୍‌ ବ୍ୟବସାୟ କ୍ଷେତ୍ର ବୋଲି ବିଚାର କରାଯାଉଛି। ଅର୍ଥ ବିନିଯୋଗ କରି ଲାଭ ଉଠେଇବା ଯେମିତି ବ୍ୟବସାୟର ଅସଲ କଥା, ସେମିତି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକପ୍ରତିନିଧି ହେବା ଏବଂ ଦଶଗୁଣ ଅର୍ଥ ଉଠାଇବା ଏବେ ଜନସେବାର ମୁଖ୍ୟ ଉଦ୍ଦେଶ୍ୟ ପାଲଟି ଗଲାଣି।
ସେବା ଓ ତ୍ୟାଗ ପରସ୍ପର ପରିପୂରକ। ଯେଉଁଠି ତ୍ୟାଗ ନାହିଁ ଭୋଗ ଅଛି, ସେଠାରେ ସେବା ଏକ ଛଳନାପୂର୍ଣ୍ଣ ଶବ୍ଦମାତ୍ର। ଆମେ ଯାହା ଦେଖୁଛେ, ଆଜିକାଲି ଯେଉଁମାନେ ଜନସେବା କରିବା ପାଇଁ ଆଗଭର ହେଉଛନ୍ତି ସେମାନଙ୍କ ମଧ୍ୟରୁ ସିଂହଭାଗ ଲୋକ ନିଜର ପ୍ରତିଷ୍ଠା ପାଇଁ ପାଗଳ। ନିଜର ବଂଶଧରଙ୍କୁ ପ୍ରତିଷ୍ଠିତ କରିବା ପାଇଁ ବ୍ୟାକୁଳ। ଯେଉଁମାନଙ୍କର ଲକ୍ଷ୍ୟ କ୍ଷମତା, ପ୍ରତିଷ୍ଠା, ପ୍ରଭାବକୁ ଯେକୌଣସି ପ୍ରକାରେ ନିଜ ସପକ୍ଷରେ ହାତେଇବା ସେ କାହୁଁ କରିବେ ଦେଶ ସେବା। ବିଚିତ୍ର କଥା ହେଉଛି, ଥରେ ଲୋକପ୍ରତିନିଧି ହୋଇଗଲା ପରେ ଚୌକିର ମୋହ ଛାଡ଼ିିବାକୁ ନାରାଜ। ପୁଅ କିମ୍ବା ଝିଅକୁ ରାଜନୈତିକ ଉତ୍ତରାଧିକାରୀ କରାଇବା ସାଧାରଣ ଘଟଣା ହୋଇଗଲାଣି। ଗଣତନ୍ତ୍ରର ମୁଖା ପିନ୍ଧି ରାଜତନ୍ତ୍ରର କ୍ଷୁଧା ମେଣ୍ଟାଇବାର ଏକ ସୁନ୍ଦର ପରିକଳ୍ପନା ପ୍ରଜାଙ୍କୁ କ୍ରମଶଃ ଶାସନ ବ୍ୟବସ୍ଥାଠାରୁ ଦୂରେଇ ନେଉଛି।
ଲୋକଙ୍କ ଦ୍ୱାରା ନିର୍ବାଚିତ ହେବା ପରେ ଲୋକଙ୍କ ମତକୁ ଆମ ଦେଶରେ ଜନପ୍ରତିନିଧିମାନେ କେତେ ଗୁରୁତ୍ୱ ଦିଅନ୍ତି ତାହା ପ୍ରତିଦିନ ଲୋକମାନେ ଅଙ୍ଗେ ଲିଭାଉଛନ୍ତି। ସତ କହିବାକୁ ଗଲେ ନିର୍ବାଚନ ଆସିଲେ ଲୋକଙ୍କ କଥା ମନେପଡ଼େ। ଲୋକଙ୍କ ନିକଟକୁ ନେତାମାନେ ଆସନ୍ତି। ନିଃସ୍ବାର୍ଥପର ସେବାର କାହାଣୀ ବଖାଣନ୍ତି। ଯାହା ହେବ ଲୋକଙ୍କ ମତରେ ହେବ ବୋଲି ନିର୍ଭର ପ୍ରତିଶ୍ରୁତି ଦିଅନ୍ତି। ନିର୍ବାଚନ ସରିଲେ ନେତାମାନେ ନେତାଙ୍କ ବାଟରେ ରୁହନ୍ତି। ପ୍ରଜାଙ୍କ ମତରେ ଶାସନ ହୁଏ ନାହିଁ ବରଂ ପ୍ରଜାମାନେ ଶାସକଙ୍କ ମତରେ ଚାଲିବାକୁ ବାଧ୍ୟ ହୁଅନ୍ତି। ଲୋକେ କ’ଣ ଚାହୁଁଛନ୍ତି ଏକଥା ଜାଣିବାକୁ ପ୍ରୟାସ ହୁଏ ନାହିଁ। ଗୋଟିଏ ନୂତନ ନୀତି କିମ୍ବା ନିୟମ ପ୍ରଣୟନ ପୂର୍ବରୁ ଯେଉଁସବୁ ବିଧିବ୍ୟବସ୍ଥା ଅଛି ତାହା ଅନୁପାଳନ ହୁଏ ନାହିଁ, ବିଚାରବିମର୍ଶ ହେଉ ନାହିଁ। ଖୋଲାଖୋଲି ତର୍ଜମା ହେଉ ନାହିଁ। ଶାସକ ଶ୍ରେଣୀ ଯାହା ଚାହୁଁଛନ୍ତି, ସଂଖ୍ୟାଗରିଷ୍ଠତା ଖେଳରେ ତାକୁ ଅନୁମୋଦନ କରାଇ ନେଉଛନ୍ତି। ଅଧିକାଂଶ ଅଧିନିୟମ ଅଧ୍ୟାଦେଶ ବଳରେ ପାରିକରାଇ ନିଆଯାଉଛି। ଏମିତି ବି ହେଉଛି ମୁଖିଆଙ୍କ ମତ ଶାସକ ଶ୍ରେଣୀର ମତ ବୋଲି ଧରିନିଆଯାଉଛି। ପ୍ରଜା ଏଠାରେ କିଏ?
ପୁନଶ୍ଚ ଗଣତନ୍ତ୍ର ବୋଇଲେ ଆମେ ବୁଝୁ ଲୋକ ପ୍ରତିନିଧିଙ୍କ ଦ୍ୱାରା ପରିଚାଳିତ ଶାସନ ବ୍ୟବସ୍ଥା। ଏହି ବ୍ୟବସ୍ଥାରେ ବ୍ୟବସ୍ଥାପକ ସଭା ଯାହା ଆଇନ ତିଆରି କରେ, ତାକୁ କାର୍ଯ୍ୟପାଳିକା କାର୍ଯ୍ୟକାରୀ କରେ। କିନ୍ତୁ ଏବେ ବ୍ୟବସ୍ଥାପକ ସଭା କେବଳ ମୋହର ମାରୁଛି। ଅର୍ଥାତ୍‌ ଲୋକଙ୍କ ପାଖରେ ଯେଉଁମାନେ ସିଧାସଳଖ ଉତ୍ତରଦାୟୀ ସେମାନଙ୍କ ଗୁରୁତ୍ୱ ହ୍ରାସ ପାଇଛି । କୁହାଯାଇପାରେ, ତୃଣମୂଳ ସ୍ତର ସହିତ ସିଧାସଳଖ ସମ୍ପର୍କ ନ ଥିବା ଲୋକଙ୍କ ବେଦନାକୁ ହୃଦୟଙ୍ଗମ କରିପାରୁନଥିବା ବ୍ୟକ୍ତିମାନେ ଯଦି ଶାସନ ବ୍ୟବସ୍ଥାର ମସ୍ତିଷ୍କ ହେବେ, ଶାସନ ହୁଏତ ଠିକ୍‌ ଚାଲିବ କିନ୍ତୁ ଲୋକଙ୍କ ପ୍ରକୃତ ଚାହିଦା କେତେ ପୂରଣ ହେବ ତାହା ସନ୍ଦେହ ଘେରରେ।
ପ୍ରକୃତରେ ଯଦି ପ୍ରଜାଙ୍କ ମତରେ ଶାସନ ବ୍ୟବସ୍ଥା ଚାଲୁ ବୋଲି ଆମେ ଚାହିଁବା, ତେବେ ଗ୍ରାମସଭା ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ଗ୍ରାମସଭା କହିଲେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଯାହାର ସର୍ବୋଚ୍ଚ ସ୍ତରକୁ ଜିଲା ପରିଷଦ, ମଧ୍ୟମ ସ୍ତରକୁ ପଞ୍ଚାୟତ ସମିତି ଏବଂ ତୃଣମୂଳ ସ୍ତରକୁ ଗ୍ରାମ ପଞ୍ଚାୟତ ବୋଲି କୁହାଯାଏ। ଗ୍ରାମ ପଞ୍ଚାୟତର କ୍ୟାବିନେଟ୍‌ ଗଢ଼ା ହୁଏ ୱାର୍ଡ଼ ମେମ୍ବରମାନଙ୍କୁ ନେଇ। ୱାର୍ଡ଼ ମେମ୍ବରମାନେ ଲୋକଙ୍କ ମତକୁ ସାଧାରଣ ସଭା ଜରିଆରେ ଗ୍ରହଣ କରି ଗ୍ରାମ ପଞ୍ଚାୟତରେ ଉପସ୍ଥାପନ କରିବା ହେଉଛି ପ୍ରଜାତନ୍ତ୍ରର ଅନ୍ତଃସ୍ବର। ଆମ ଦେଶରେ ଏହି ବ୍ୟବସ୍ଥାର ପ୍ରଚଳନ ହେବା ପାଇଁ ଲାଗିଲା ୪୫ ବର୍ଷ। ୭୩ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଯଦିଓ ଏହା ୧୯୯୨ ମସିହାରେ ବିଧିବଦ୍ଧ ଭାବେ ଲାଗୁ ହେଲା, କିନ୍ତୁ ଏହା ଭିତରେ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ପୂର୍ଣ୍ଣାଙ୍ଗ କ୍ଷମତା ଗ୍ରାମସଭାକୁ ଦିଆଯାଇପାରିଲା ନାହିଁ। ଅପରପକ୍ଷେ ଲୋକମାନଙ୍କର ମତ ଦେବା ବ୍ୟବସ୍ଥା କେତେ ସହଜ ଓ ସ୍ବାଧୀନ ତାହା ମଧ୍ୟ ବିଚାରସାପେକ୍ଷ। ପୁଣି ମତସବୁ ଗ୍ରହଣ କଲାପରେ ସେଗୁଡ଼ିକ ଆଲୋଚନା ପରିସରକୁ ନିଆଯାଏ କି ନାହିଁ ତାହା କହିବାବାହୁଲ୍ୟ। ମୋଟାମୋଟି କହିବାକୁ ଗଲେ ପ୍ରଜାଙ୍କ ମତରେ ଶାସନ ପରିଚାଳନା ଏକ ସର୍ବଗ୍ରାହ୍ୟ ଚିନ୍ତନ ହୋଇଥିଲେ ବି ଏହା ଆଜିଯାଏ ବାହ୍ୟ ଆବରଣ ହୋଇ ରହିଯାଇଛି।
ସଭାପତି, ଓଷ୍ଟା, ମୋ: ୯୯୩୮୭୬୩୨୩୭


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri