ଜଳ ଭୀରୁତାର ପରିଣାମ

ଡ. ପ୍ରମୋଦ କୁମାର ପଣ୍ଡା

 

ସଭ୍ୟତାର ଅଭ୍ୟୁଦୟରେ ନଦୀଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ବଣମଣିଷ ସ୍ଥାୟୀ ଭାବରେ ବସବାସ କରିବା ପାଇଁ ନଦୀକୂଳକୁ ସର୍ବୋକୃଷ୍ଟ ସ୍ଥାନ ହିସାବରେ ବାଛିଥିଲା। କାରଣ ଏଠାରେ ବର୍ଷସାରା ପାନୀୟ ଜଳ ମିଳୁଥିଲା ଓ ବିଭିନ୍ନ ପ୍ରକାର ଫସଲ ଚାଷ ପାଇଁ ଆବଶ୍ୟକ ଉର୍ବର ମୃତ୍ତିକା ଓ ପ୍ରଚୁର ଜଳ ଥିଲା। ସେ ସିନ୍ଧୁ ନଦୀକୂଳରେ ଗଢ଼ିଉଠିଥିବା ପ୍ରାଚୀନ ସିନ୍ଧୁ ସଭ୍ୟତା ହେଉ କିମ୍ବା ମିଶରର ନୀଳନଦୀ କୂଳରେ ଗଢ଼ିଉଠିଥିବା ସଭ୍ୟତା ହେଉ କିମ୍ବା ଟାଇଗ୍ରୀସ ଓ ୟୁଫ୍ରେଟିସ ନଦୀକୂଳରେ ଗଢ଼ିଉଠିଥିବା ମେସୋପଟାମିଆ ସଭ୍ୟତା ହେଉ କିମ୍ବା ହୋୟାଙ୍ଗ ହୋ ନଦୀକୂଳରେ ଚୀନ ସଭ୍ୟତା ହେଉ, ସବୁଠି ନଦୀକୂଳ ଆଦିମ ଅଧିବାସୀମାନଙ୍କର ଭରସା ଜିତିଥିଲା । ସେମାନଙ୍କର ନାନାବିଧ ଆବଶ୍ୟକତା ପୂର୍ଣ୍ଣ କରିବାରେ ସହାୟକ ହେଉଥିଲା। ସେତେବେଳେ ନଦୀନାଳ ପୂର୍ଣ୍ଣ ଏବଂ ହିଂସ୍ରଜନ୍ତୁ ସଙ୍କୁଳ ସ୍ଥଳ ପଥରେ ଯାତାୟାତର ସୁବିଧା ହେଉ ନ ଥିବାରୁ ନଦୀଜଳ ଗମନାଗମନ ଓ ବ୍ୟବସାୟର ମୁଖ୍ୟ ଭୂମିକା ନେଇଥିଲା। ପ୍ରାଚୀନ କାଳରୁ ଓଡ଼ିଶାରେ ମଧ୍ୟ ନଦୀ ବିକାଶର ଇଞ୍ଜିନ ଭାବରେ କାର୍ଯ୍ୟ କରିଆସିଛି। ନଦୀ ଜଳପଥ ଦେଇ ବିଦେଶକୁ ବାଣିଜ୍ୟ ହେଉଥିଲା। ପୁରୀ ଓ କୋଣାର୍କ ଭଳି ବିଶାଳକାୟ ମନ୍ଦିରର ପଥର ଏହି ନଦୀଜଳ ପଥ ଦେଇ ଆସିଥିବାର ଇତିହାସ କହେ। କହିବାକୁ ଗଲେ ନଦୀ ଓଡ଼ିଶାର ଜନ, ଧାନ, ପାନ ଓ ମୀନ ବିକାଶ ଦିଗରେ ଭୂମିକା ନେଇଥିଲା। ମାତ୍ର ଆଜି ଅବସ୍ଥା ବଦଳିଯାଇଛି। ଆମେ କୁମ୍ଭୀରର ବଂଶ ବୃଦ୍ଧି କରି ନଦୀ ନାଳରେ ଛାଡ଼ିବା ଦ୍ୱାରା ନଈକୂଳିଆ ଅଞ୍ଚଳର ଜନଜୀବନ ବିପନ୍ନ ହୋଇପଡ଼ିଛି। ପ୍ରତି ମାସରେ କେନ୍ଦ୍ରାପଡ଼ା ଜିଲାରୁ କୁମ୍ଭୀରଟଣା ଜନ ମୃତ୍ୟୁ ଖବର ଆସୁଛି। ବର୍ତ୍ତମାନ ନଦୀ ଓ ନାଳରେ କୁମ୍ଭୀର ଉପସ୍ଥିତି ଭୟ ଏକପ୍ରକାର ଜନଜୀବନକୁ ପ୍ରଭାବିତ କରିବାକୁ ବସିଲାଣି।
ନଦୀକୂଳିଆ ଲୋକେ ଶୌଚ, ଗାଧୋଇବା, ଲୁଗାପଟା ଧୋଇବା, ଗୋରୁ ଗାଧୋଇବା, ଗୋରୁଙ୍କୁ ପାଣି ପିଆଇବା, ଜଳସେଚନ ଆଦି କାର୍ଯ୍ୟ ପାଇଁ ନଦୀ ନାଳ ଉପରେ ନିର୍ଭର କରନ୍ତି। କୁମ୍ଭୀର ନଦୀ ନାଳରେ ରହିଲେ ଲୋକଙ୍କ ମନରେ ଭୟ ସୃଷ୍ଟି ହେବ। ଫଳରେ ଲୋକେ ଆଉ ନଦୀ ନାଳକୁ ଯିବାକୁ ସାହସ କରିବେ ନାହିଁ। ଗୋରୁ, ଛେଳି, ମେଣ୍ଢା ସବୁ ନଦୀକୂଳିଆ ପାଟ ଜମିରେ ଚରୁଥିଲେ ଓ ନଈରୁ ପାଣି ପିଉଥିଲେ। କୁମ୍ଭୀର ଭୟରେ ଲୋକେ ଗୋରୁ ପାଳିବେନି। ଗୋପାଳନ ଉପରେ ନିର୍ଭରଶୀଳ ଭୂମିହିନ ଗରିବ ଲୋକଙ୍କ ଜୀବନ ଜୀବିକା ବିପନ୍ନ ହେବା ସ୍ବାଭାବିକ। ଆଉ ଏକ ବଡ଼ ସମସ୍ୟା ଉପୁଜିବାକୁ ଯାଉଛି। ତାହା ହେଲା ଧୀବରମାନଙ୍କ ଜୀବନ ଜୀବିକା। ଆଦିମ କାଳରୁ ଧୀବର ସମ୍ପ୍ରଦାୟ ନଦୀ ନାଳରୁ ମାଛ ମାରି ସେମାନଙ୍କ ପରିବାର ଚଳାଇ ଆସୁଛନ୍ତି। ମାତ୍ର କୁମ୍ଭୀର ଭୟରେ ସେମାନେ ନଦୀ ନାଳ ଯିବା ବନ୍ଦ କରିଦେଲେ ଧୀରେ ଧୀରେ ତାଙ୍କ ବଂଶଧର ମାଛ ଧରିବା କୌଶଳ ଭୁଲିଯିବେ। ସମୟ ଆସିବ ନଦୀ ନାଳରୁ ମାଛ ଧରିବା ପାଇଁ ମାଛ ଧରାଳି ମିଳିବେ ନାହିଁ। ପଡ଼ୋଶୀ ରାଜ୍ୟରୁ ଧୀବର ଆଣିବାକୁ ପଡ଼ିବ ଆମ ରାଜ୍ୟକୁ। ଆମ ରାଜ୍ୟରେ ଏହାର ଝଲକ ଦେଖିବାକୁ ମିଳିଲାଣି। ନଡ଼ିଆ ଓ ତାଳର ଗଡ଼ କୁହାଯାଉଥିବା ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଗଛ ଚଢ଼ାଳି ଆଉ ମିଳୁ ନାହାନ୍ତି। ସେଥିପାଇଁ ଲୋକେ ନଡ଼ିଆ ଗଛ ଲଗାଇବା କମାଇଲେଣି।
ଭିତରକନିକାରେ କୁମ୍ଭୀର ପାଳନ କରିବା ଦ୍ୱାରା କୁମ୍ଭୀରମାନେ ଜଳ ପ୍ରବାହରେ ବିଭିନ୍ନ ନଦୀ ନାଳକୁ ଯାଇ ଧନଜୀବନ ନଷ୍ଟ କରୁଛନ୍ତି। ତାଙ୍କର ବଂଶ ବୃଦ୍ଧି ଦ୍ୱାରା ଖାଦ୍ୟାଭାବ ସମୟରେ ଉପର ମୁଣ୍ଡରେ ପ୍ରବେଶ କରି ମଣିଷ ଓ ଗୃହପାଳିତ ପଶୁଙ୍କୁ ମାରି ଖାଇବା ଘଟଣା ବଢ଼ିବାରେ ଲାଗିଛି। ସେଥିପାଇଁ ବନ ବିଭାଗ ନଦୀର ବିଭିନ୍ନ ଘାଟରେ ବା ତୁଠରେ ତା’ର ଜାଲି ବ୍ୟବସ୍ଥା କରୁଛନ୍ତି। ମାତ୍ର ଖରା, ବର୍ଷା ଓ ପାଣିରେ ବୁଡୁଥିବା ବାଡ ବା ଜାଲି ଯେ ସବୁଦିନ ସବଳ ହୋଇ ରହିବ, ଏହାର ଗ୍ୟାରେଣ୍ଟି ନାହିଁ। ତା’ଛଡା ନଦୀ ନାଳର ସମସ୍ତ ସ୍ଥାନରେ ବାଡ଼ ଲଗାଇବା ପ୍ରଶାସନ ପକ୍ଷେ ମଧ୍ୟ ସମ୍ଭବ ନୁହେଁ। କିଛି ଅଧିକାରୀଙ୍କ ମତରେ ନଦୀକୂଳିଆ ଲୋକଙ୍କୁ ସଚେତନ କରାଯାଇପାରିଲେ କୁମ୍ଭୀର ଉପଦ୍ରବରୁ ରକ୍ଷା ମିଳିପାରିବ। ମାତ୍ର ଏହା ଆଂଶିକ ସମ୍ଭବ।
ଭୋକିଲା କୁମ୍ଭୀର ଯେକୌଣସି ଉପାୟରେ କ୍ଷତି କରିପାରିବ। ଜୈବ ବିବିଧତାର ସୁରକ୍ଷା ପାଇଁ କୁମ୍ଭୀର ପାଳନ କରାଯାଉ, ମାତ୍ର ତାହା ତାର ଜାଲି ମଧ୍ୟରେ ଆବଦ୍ଧ କରି କରାଯାଉ। ଆମେ କୃତ୍ରିମ ହ୍ରଦ ସୃଷ୍ଟି କରି ସେଠାରେ କୁମ୍ଭୀର ପାଳନ କରିପାରିବା ତାର ଜାଲି ଘେରାଇ। ତା’ ଛଡା ସମୁଦ୍ର କୂଳିଆ ତଳି ଜଳବନ୍ଦୀ ବା ଜଳମଗ୍ନ ଅଞ୍ଚଳରେ ତାରବାଡ ଦେଇ ସୀମିତ ସଂଖ୍ୟକ କୁମ୍ଭୀର ପାଳନ କରାଯାଇ ପାରିବ। ମାତ୍ର ସେପରି ନ କରି ନଦୀ ନାଳରେ ଅସଂଖ୍ୟ କୁମ୍ଭୀର ପାଳନ କଲେ, ଲୋକେ ନଦୀ ନାଳକୁ ଭୟ କରିବେ। ନୂଆ ପିଢ଼ି ବା ପିଲାମାନଙ୍କୁ ନଦୀ ନାଳକୁ ଛାଡ଼ିବେ ନାହିଁ। ନୂଆ ପିଢ଼ି ନଦୀ ନାଳକୁ ଗାଧୋଇବା, ପହଁରିବା, ଡଙ୍ଗା ଚଳାଇବା, ଡଙ୍ଗାରେ ଜିନିଷ ପରିବହନ କରିବା, ମାଛ ଧରିବା ଆଦି କାମ ପାଇଁ ନଈକୁ ନ ପଶିଲେ, କିଛି ବର୍ଷ ପରେ ସେମାନେ ନଦୀଜଳକୁ ଦେଖିଲେ ଡରିବେ। ଏବେବି ନଈ ନ ଥିବା ଆଭ୍ୟନ୍ତରଣ ଅଞ୍ଚଳର ଲୋକେ ନଈରେ ପଶିବାକୁ ଭୟ କରନ୍ତି। ଆମ ଦୁଃସାହସୀ ଜାତିଟା ଡରପୋକ ଜାତିରେ ପରିଣତ ହେବ। ଆମ ରାଜ୍ୟରେ ଲୋକଙ୍କ ପାଣିରେ ଚଳିବାର ସାହସ କମିଯିବ, ବନ୍ୟା ସମୟରେ ଧନଜୀବନ ସୁରକ୍ଷା କେମିତି କରିବେ ? ବନ୍ୟା ସମୟରେ କୁମ୍ଭୀର ଚାରିଆଡେ ବ୍ୟାପିବାର ସମ୍ଭାବନା ମଧ୍ୟ ରହିଛି। ଇତିହାସ କହେ ଆମ ପୂର୍ବପୁରୁଷ ଦୁଃସାହସୀ ଥିଲେ ଓ ସମୁଦ୍ରର ଭୟାବହତାକୁ ଖାତିର ନ କରି କାଠ ବୋଇତରେ ଜାଭା ସୁମାତ୍ରା ମଧ୍ୟ ଯାତ୍ରା କରିପାରୁଥିଲେ। ଏବେ ଆମ ପାଖରେ ସେ ଦୁଃସାହସ ଆଜି ଆଉ ନାହିଁ। ଆମେ ଭୀରୁ ହୋଇ ସାରିଲେଣି। ସେପରି ସ୍ଥଳେ ପିଢ଼ି ପରେ ପିଢ଼ି ଯେତେବେଳେ ନଦୀନାଳଠାରୁ ଦୂରେଇ ରହିବେ, ସେତେବେଳେ ଗାଁରେ ଥିବା ଗଡିଆରେ ବି ପହଁରିବାକୁ ସକ୍ଷମ ହେବେ ନାହିଁ।
ଶ୍ୟାମଚାନ୍ଦପାଟନା, ଭଦ୍ରକ
ମୋ: ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରାର ଏକ ଛୋଟ ସହର ଖୋଓ୍ବାଇ। ୧୫ ଓ୍ବାର୍ଡବିଶିଷ୍ଟ ଏହି ସହରର ବର୍ଜ୍ୟ ପରିଚାଳନା ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ମ୍ୟୁନିସିପାଲିଟି ନୁହେଁ, ବରଂ ଏକ ସୋସାଇଟିର ପରିମଳ…

ଇଥାନଲ୍‌ ଓ ଇ୨୦ ଇନ୍ଧନ

ଆମ ପୁରାଣରେ ଦେବଲୋକରେ ଆନନ୍ଦ ଅନୁଭବ ପାଇଁ ସୁରା ପାନକରିବା କଥା ଉଲ୍ଲେଖ ଅଛି I ଉକ୍ତ ସୁରା ବା ମଦ୍ୟ ଅନ୍ୟ କିଛି ନୁହେଁ, ବରଂ…

ଜାତୀୟ ସୁରକ୍ଷା

ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ଗଣତାନ୍ତ୍ରିକ ଦେଶ। ଏହାର ଭୌଗୋଳିକ ଅବସ୍ଥିତି ଓ ବିସ୍ତୃତି, ବହୁଭାଷିକ ଓ ବହୁଧର୍ମୀୟ ସମାଜ,ପଡ଼ୋଶୀ ଦେଶଗୁଡ଼ିକ ସହ ଲାଗି ରହିଥିବା ସୀମା…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ପ୍ରତିରକ୍ଷାରେ ଘରୋଇକରଣ

କେନ୍ଦ୍ର ସରକାର ଘରୋଇ ସଂସ୍ଥାଗୁଡ଼ିକ ପାଇଁ ପାରମ୍ପରିକ ମିଶାଇଲ ବା କ୍ଷେପଣାସ୍ତ୍ର ଉତ୍ପାଦନର ଦ୍ୱାର ଉନ୍ମୁକ୍ତ କରିଛନ୍ତି। ଏଣିକି ବେସରକାରୀ କମ୍ପାନୀଗୁଡ଼ିକ ‘ଅସ୍ତ୍ର’ ଏବଂ ‘ପ୍ରଳୟ’ ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri