ଭାରି ପଡ଼ିଲାଣି ପାନୀୟ ଜଳ ସଂକଟ

ଈପ୍ସିତା ମହାନ୍ତି

ମ୍ପ୍ରତି ବାୟୁମଣ୍ଡଳ ଓ ବାରିମଣ୍ଡଳ ଦ୍ରୁତ ଗତିରେ ପ୍ରଦୂଷିତ ହୋଇଚାଲିଛି। ପରିଣାମ ସ୍ବରୂପ ଅସ୍ବାଭାବିକ ଭାବେ ଜଳବାୟୁ ଆଜି ନିଜ ରୂପ ବଦଳାଇ ଚାଲିଛି। ଜଳବାୟୁର ଏହି ପରିବର୍ତ୍ତନ ପୃଥିବୀର ତାପମାତ୍ରା ଉପରେ ପ୍ରଭାବ ପକାଇବା ଆରମ୍ଭ କରିଦେଲାଣି। ଏହି କାରଣରୁ ଅଧିକାଂଶ ଭାରତୀୟ ସହରର ପାନୀୟ ଜଳ ଆଜି ବିଷ ହେବାରେ ଲାଗିଛି। ଭାରତ ସରକାରଙ୍କ ଉପଭୋକ୍ତା ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଆମ ଦେଶର ୨୧ଟି ରୁ ୧୫ଟି ସହରର ଜଳ ପାନୀୟ ଉପଯୋଗୀ ନୁହେଁ। ମାତ୍ର ୬ଟି ସହରକୁ ବାଦ୍‌ ଦେଲେ ଅନ୍ୟ ସବୁ ସହରରୁ ଜଳର ଯେତେସବୁ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଛି, ସେସବୁ ସମ୍ପୂର୍ଣ୍ଣ ରୂପେ ଫେଲ୍‌ ମାରିଛି। ଏସବୁ ସହରର ସୂଚୀରେ ଆମ ଦେଶର ବିଭିନ୍ନ ରାଜ୍ୟର ରାଜଧାନୀ ସହ ବଡ଼ବଡ଼ ସହରର ନାମ ରହିଅଛି। ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡସ୍‌ ଦ୍ବାରା ହୋଇଥିବା ସର୍ବେକ୍ଷଣର ତଥ୍ୟାନୁସାରେ ପାନୀୟ ଜଳର ଗୁଣବତ୍ତା ଆଧାରରେ ଆମ ଦେଶର ରାଜଧାନୀ ଦିଲ୍ଲୀ ଆଜି ସବୁଠାରୁ ଖରାପ ସ୍ଥିତିରେ ରହିଛି। ଦିଲ୍ଲୀର ୧୧ଟି ଭିନ୍ନ ଭିନ୍ନ ସ୍ଥାନରୁ ପାନୀୟ ଜଳର ନମୁନା ସଂଗ୍ରହ କରି ତାହାକୁ ୧୯ଟି ମାନଦଣ୍ଡ ଆଧାରରେ ଯାଞ୍ଚ କରିବାରୁ ସମସ୍ତ ଯାଞ୍ଚ ପ୍ରକ୍ରିୟାରେ ତାହା ଫେଲ୍‌ ମାରିଥିଲା। ଦିଲ୍ଲୀର ଯେଉଁ ସବୁ ସ୍ଥାନରୁ ଏସବୁ ଜଳ ସଂଗ୍ରହ କରାଯାଇଥିଲା; ସେଥିରେ ଭାରତର ଉପଭୋକ୍ତା ମନ୍ତ୍ରଣାଳୟର ତତ୍କାଳୀନ କେନ୍ଦ୍ରୀୟ ମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ବାସଗୃହ ସହ ଦପ୍ତର ବି ସାମିଲ୍‌ ଥିଲା। ତା’ମାନେ ଜଣେ କେନ୍ଦ୍ରୀୟ ମନ୍ତ୍ରୀଙ୍କ ଘରକୁ ଯେଉଁ ଜଳ ଆସୁଛି, ତାହା ମଧ୍ୟ ପାନୀୟ ଉପଯୋଗୀ ନୁହେଁ। ଏପରି ସ୍ଥଳେ ସାଧାରଣ ଲୋକଙ୍କ କଥା ନ କହିବା ଭଲ। ଦୀପ ତଳ ଅନ୍ଧାର ଭଳି ପାନୀୟ ଜଳର ସ୍ଥିତି ଯଦି ରାଜଧାନୀ ଦିଲ୍ଲୀରେ ଏଭଳି, ତେବେ ଦେଶର ଅନ୍ୟ ସ୍ଥାନରେ ଏହାର ସ୍ଥିତି କିଭଳି ଥିବ ତାହା ଅନୁମାନ କରାଯାଇପାରେ। ଏହି ସର୍ବେକ୍ଷଣର ତଥ୍ୟାନୁସାରେ ସାରା ଭାରତରେ ମୁମ୍ବାଇ ସହରର ଜଳ ସର୍ବୋତ୍କୃଷ୍ଟ। ଏହି ସହରର ୧୦ଟି ସ୍ଥାନରୁ ଜଳର ନମୁନା ସଂଗ୍ରହ କରି ତାହାକୁ ଯାଞ୍ଚ କରିବାରୁ; ସମସ୍ତ ନମୁନା ସବୁ ପ୍ରକାରର ମାନଦଣ୍ଡକୁ ସଫଳତାର ସହ ଅତିକ୍ରମ କରିବାରେ ସକ୍ଷମ ହୋଇଥିଲା। ତଥ୍ୟ ଅନୁଯାୟୀ ପାନୀୟ ଜଳର ଗୁଣବତ୍ତା ଅନୁସାରେ ସାରା ଦେଶରେ ହାଇଦ୍ରାବାଦ ଓ ଭୁବନେଶ୍ୱର ସହର ଯୁଗ୍ମ ଭାବେ ୨ୟ ସ୍ଥାନରେ ରହିଛନ୍ତି; ଯାହା ଆମ ରାଜ୍ୟ ଓଡ଼ିଶା ପାଇଁ ଆଶ୍ବସ୍ତି ଆଣିଦେଇଛି। କେନ୍ଦ୍ରୀୟ ଉପଭୋକ୍ତା ମନ୍ତ୍ରଣାଳୟ ଦ୍ବାରା ଯେଉଁ ୨୧ଟି ସହରର ଜଳକୁ ଯାଞ୍ଚ କରାଯାଇଥିଲା; ସେସବୁ ସହରକୁ କେନ୍ଦ୍ର ସରକାର ବର୍ତ୍ତମାନ ସ୍ମାର୍ଟ ସିଟି ରୂପେ ବିକଶିତ କରୁଛନ୍ତି। ଯେଉଁ ସହରର ପାନୀୟ ଜଳ ବିଷ ତୁଲ୍ୟ, ସେହି ସହରକୁ ସ୍ମାର୍ଟ ସିଟି ରୂପେ ଘୋଷଣା କରିବା ନିହାତି ଭାବେ ଏକ ହାସ୍ୟାସ୍ପଦ କଥା। ପାନୀୟ ଜଳର ଗୁଣବତ୍ତା ଦୃଷ୍ଟିରୁ ସାରା ବିଶ୍ୱର ୧୨୨ଟି ଦେଶଙ୍କ ମଧ୍ୟରେ ଭାରତର ସ୍ଥାନ ୧୨୦ତମ। ନୀତି ଆୟୋଗଙ୍କ ତଥ୍ୟାନୁସାରେ ଭରତର ୭୦ପ୍ରତିଶତ ଜଳ ପ୍ରଦୂଷିତ। ଏହି ବିଷୟରେ ସଂସଦର ଉଭୟ ସଦନରେ ଏକାଧିକବାର ଆଲୋଚନା ହେବା ସହ ଚିନ୍ତା ପ୍ରକଟ କରାଯାଇଛି। କେବଳ ଚିନ୍ତା କରିଦେଲେ ଏହି ସମସ୍ୟାର ସମାଧାନ ହୋଇଯିବ ନାହିଁ। ଏଥିପାଇଁ ବିଧିବଦ୍ଧ ବ୍ୟବସ୍ଥା ହେବା ଆବଶ୍ୟକ।
ଅନ୍ୟ ଏକ ତଥ୍ୟ ଅନୁସାରେ ବର୍ତ୍ତମାନ ଭାରତୀୟ ବଜାରରେ ଜଳକୁ ବିଶୁଦ୍ଧ କରୁଥିବା ଆର୍‌.ଓ. ଯନ୍ତ୍ରର କାରବାର ପ୍ରାୟ ୪ହଜାର ୨ଶହ କୋଟି ଟଙ୍କାର ରହିଛି। ଆକଳନ ଅନୁଯାୟୀ ୨୦୨୪ ବେଳକୁ ଏହାର ପରିମାଣ ୭ଗୁଣ ବୃଦ୍ଧି ପାଇ ୨୯ହଜାର କୋଟି ଟଙ୍କାରେ ପହଞ୍ଚି ଯିବ। ତେଣୁ ଆଗାମୀ ଦିନରେ ପାନୀୟ ଜଳ ପାଇଁ ଆମ୍ଭେମାନେ ଏହି ପଦ୍ଧତିକୁ ଆପଣାଇ ପାରନ୍ତି। ଆର୍‌.ଓ. ଯନ୍ତ୍ର ମାଧ୍ୟମରେ ୧ଲିଟର୍‌ ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ଆମକୁ ୩ଲିଟର୍‌ ଜଳ ଅପଚୟ କରିବାକୁ ପଡ଼ିଥାଏ। ଏକ ୫ଜଣିଆ ସଦସ୍ୟ ବିଶିଷ୍ଟ ପରିବାର ପାଇଁ ଦୈନିକ ଅତି କମରେ ୨୦ଲିଟର ପାନୀୟ ଜଳ ଆବଶ୍ୟକ। ଏଥିପାଇଁ ଦୈନିକ ୬୦ଲିଟର୍‌ ହିସାବରେ ମାସକୁ ୧୮ଶହ ଲିଟର ଜଳ ଅପଚୟ ହେବ। ଜଳର ଏଭଳି ଅଯଥା ଅପଚୟ ବୁଦ୍ଧିଜୀବୀଙ୍କ ଚିନ୍ତାକୁ ଦ୍ବିଗୁଣିତ କରି ଦେଇଛି। ଏକ ମଧ୍ୟମ ବର୍ଗୀୟ ପରିବାରର ଦୈନିକ ମୁଣ୍ଡପିଛା ଜଳଖର୍ଚ୍ଚର ପରିମାଣ ପ୍ରାୟ ୧୩୫ ଲିଟର। କିନ୍ତୁ ଏହି ସୌଭାଗ୍ୟ ସେହି ବ୍ୟକ୍ତିଙ୍କର ରହିଛି, ଯାହା ଘରେ ପାଣିର ସୁବିଧା ପହଞ୍ଚି ପାରିଛି। ଭାରତର ୬୦କୋଟି ଲୋକ ଗମ୍ଭୀର ଜଳ ସଂକଟର ସମ୍ମୁଖୀନ ହେଉଥିବା କଥାକୁ ପୂର୍ବରୁ ନୀତି ଆୟୋଗ ନିଜ ରିପୋର୍ଟରେ ପ୍ରକାଶ କରିସାରିଛନ୍ତି। ଆଉ ବର୍ଷେ କିମ୍ବା ୨ବର୍ଷ ମଧ୍ୟରେ ଦେଶର ୨୧ଟି ସହରର ଭୂତଳ ଜଳ ସମାପ୍ତ ହୋଇଯିବ ବୋଲି ବୈଜ୍ଞାନିକଗଣ ଆଶଙ୍କା କଲେଣି। ଏମାନଙ୍କ ମଧ୍ୟରେ ବେଙ୍ଗାଲୁରୁ, ଦିଲ୍ଲୀ, ଚେନ୍ନାଇ ଭଳି ସହର ରହିଛି। ଗୋଟିଏ ପଟେ ଆମ ଦେଶର ଲୋକଙ୍କୁ ପର୍ଯ୍ୟାପ୍ତ ପରିମାଣରେ ପିଇବା ପାଇଁ ଜଳ ମିଳୁ ନାହିଁ, ଆଉ ଅନ୍ୟ ପଟେ ଏହି ଜଳ ଯାହାକୁ ମିଳୁଛି ତାହାର ଶରୀର ପ୍ରତି ଏହା କ୍ଷତି ପହଞ୍ଚାଉଛି। ଏକ ହିସାବ ଅନୁଯାୟୀ ଆମ ଦେଶର ପ୍ରାୟ ୭୦% ରୋଗର କାରଣ ହେଉଛି ଦୂଷିତ ଜଳ। ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ, ସେମାନେ ନିଜ ଘରେ ଆର୍‌.ଓ. ଯନ୍ତ୍ର ଲଗାଉଛନ୍ତି। ମାତ୍ର ଏହାର ବିକଳ୍ପ ନ ଥିବା ଲୋକେ ଜଳକୁ ଗରମ କରି ଛାଣି ପିଇବା ଆବଶ୍ୟକ।
ଆମେରିକାରେ ପିଇବା ପାଇଁ ନା ପାଣିକୁ ଗରମ କରି ଛାଣିବାକୁ ପଡ଼େ ନା ଆର୍‌.ଓ. ଯନ୍ତ୍ର ପାଇଁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିବାକୁ ପଡ଼େ। ଏଠାରେ ଗାଧୁଆ ଘରେ ଲାଗିଥିବା ନଳରୁ ମଧ୍ୟ ଜଳ ନେଇ ନିଃସଙ୍କୋଚରେ ପିଇ ପାରିବା। ବଡ଼କଥା ହେଉଛି ଏଠାରେ ଜଳକୁ ପିଇବା ବେଳେ ବା ବ୍ୟବହାର କଲାବେଳେ କିଛି ଅସୁବିଧା ଅନୁଭବ କଲେ ନିକଟସ୍ଥ ବଜାରରେ ମିଳୁଥିବା ମାଗଣା ଜଳ ପରୀକ୍ଷଣ କିଟ୍‌ ସାହାଯ୍ୟରେ ଲୋକେ ସେହି ଜଳର ପରୀକ୍ଷଣ କରାଇ ନିଅନ୍ତି। ତତ୍ପରେ ସଂଗ୍ରହ କରିଥିବା ଦୋକାନରେ ସେହି କିଟ୍‌କୁ ଦାଖଲ କରିବା ମାତ୍ରେ ଅତି ସ୍ବଳ୍ପ ସମୟ ମଧ୍ୟରେ ଦୋକାନୀ ଉପଭୋକ୍ତାଙ୍କୁ ସେହି ଜଳ ସମ୍ବନ୍ଧୀୟ ସବିଶେଷ ରିପୋର୍ଟ ପ୍ରଦାନ କରିଥାନ୍ତି। ଯଦି କିଛି ଅସୁବିଧା ଥାଏ, ତେବେ ଉକ୍ତ ଦୋକାନୀ ଏ ବିଷୟରେ ନିକଟସ୍ଥ ଯାଞ୍ଚକାରୀ ସଂସ୍ଥାକୁ ଖବର ଦିଅନ୍ତି; ଫଳରେ ଯାଞ୍ଚକାରୀ ସଂସ୍ଥା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚି ଜଳର ବିଶୁଦ୍ଧତା ପାଇଁ କାର୍ଯ୍ୟ ଆରମ୍ଭ କରି ଦିଅନ୍ତି । ଆମ ଦେଶରେ ଏଭଳି କାର୍ଯ୍ୟକ୍ରମ ବିଷୟରେ ଚିନ୍ତା କରାଯାଇ ନ ପାରେ କିନ୍ତୁ ଏହା ଅସମ୍ଭବ ନୁହେଁ।
ବର୍ଷାଜଳର ସଂରକ୍ଷଣ ସହ ଜଳର ବିଭିନ୍ନ ଉତ୍ସର ସୁରକ୍ଷା ଦିଗରେ କେବଳ ସରକାରଙ୍କୁ ହିଁ ନୁହେଁ ମାନବ ସମାଜକୁ ବି ଧ୍ୟାନ ଦେବାକୁ ପଡ଼ିବ। ବିଶେଷକରି ଜଳ ଅପଚୟ ଓ ପ୍ରଦୂଷଣକୁ ରୋକିବା, ପଲିଥିନକୁ ବର୍ଜନ କରିବା ଏବଂ ଆବର୍ଜନାର ଠିକ୍‌ ନିଷ୍କାସନ ଭଳି କାର୍ଯ୍ୟକ୍ରମ ପ୍ରତି ଆମକୁ ଯତ୍ନବାନ୍‌ ହେବାକୁ ପଡ଼ିବ। ସମ୍ପୂର୍ଣ୍ଣ ଭାବେ ଢଳେଇ ବା କଂକ୍ରିଟକରଣ ବଦଳରେ ବିଭିନ୍ନ ଜ୍ୟାମିତିକ ଆକୃତିର ଇଟା ବ୍ୟବହାର କରି ଆମେ ବାହ୍ୟ ଚଟାଣ ଓ ରାସ୍ତା ନିର୍ମାଣ କରିବା। ଫଳରେ ସେହି ସ୍ଥାନର ଭୂମି ବର୍ଷାଜଳକୁ ଅଯଥାରେ ଗଡ଼ି ଯିବାକୁ ନ ଦେଇ ଧରି ରଖିପାରିବ। ମନଇଚ୍ଛା ବୋର୍‌ଓ୍ବେଲ୍‌ର ଖନନ ଓ ୟୁକାଲିପଟାସ୍‌ ଭଳି ଗଛ ଲଗାଇବା ଉପରେ ବି ପ୍ରତିବନ୍ଧକ ରହିବା ଆବଶ୍ୟକ। ଯେହେତୁ ଭୂତଳ ଜଳ ହ୍ରାସ ଦିଗରେ ଏମାନେ କାର୍ଯ୍ୟ କରନ୍ତି। ଅଧିକ ସଂଖ୍ୟକ ପୋଖରୀ ଖନନ, ନଦୀଶଯ୍ୟାର ଖନନ, ଜଳଭଣ୍ଡାରର ଖନନ ସହ ବନୀକରଣ ଦ୍ବାରା ମଧ୍ୟ ଭୂତଳ ଜଳକୁ ସଂରକ୍ଷିତ କରାଯାଇ ପାରିବ। ଏସବୁ ବ୍ୟବସ୍ଥା ନ ଆପଣାଇଲେ ପାନୀୟଜଳ ପାଇଁ ଆଜି ଆମେ ଲିଟର ପ୍ରତି ୧୫ରୁ ୨୦ଟଙ୍କା ଖର୍ଚ୍ଚ କରୁଛେ, ଆଗାମୀ ଦିନରେ ଏଥିପାଇଁ ଆମକୁ ବହୁମୂଲ୍ୟ ଦେବାକୁ ପଡ଼ିପାରେ। ପରିବେଶବିତ୍‌ଙ୍କ ଆଶଙ୍କା ଅନୁସାରେ ଭବିଷ୍ୟତରେ ପୃଥିବୀକୁ ଯଦି ପୁଣି ଏକ ବିଶ୍ବଯୁଦ୍ଧର ସମ୍ମୁଖୀନ ହେବାକୁ ପଡ଼େ, ତେବେ ଏହାର ପ୍ରମୁଖ କାରଣ ପାନୀୟଜଳ ହେବ। ପ୍ରକୃତରେ ଆମ ଦେଶର ସରକାର ଓ ବିଭାଗୀୟ ଅଧିକାରୀଙ୍କ ଇଚ୍ଛାଶକ୍ତି ଜାଗ୍ରତ ହେଲେ ପାନୀୟଜଳ ସମସ୍ୟାରେ ସୁଧାର ଆସିପାରିବ।
ବୈପାରୀଗୁଡ଼ା, କୋରାପୁଟ, ମୋ: ୬୩୭୦୬୭୯୪୦୫
imohanty.1991@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିରକ୍ଷା ବିପନ୍ନ

ଭାରତ ଓ ଚାଇନା ମଧ୍ୟରେ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ମେ’ ୨୦୨୦ରେ ଦୁଇ ଦେଶର ସେନା କିଭଳି ମୁହାଁମୁହିଁ ହୋଇଥିଲେ ତାହା...

ଏଇ ଭାରତରେ

ସାମ୍ପ୍ରତିକ ସମୟରେ ଡିଜିଟାଲ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି ଝାଡଖଣ୍ଡର ଜଣେ ଯୁବକ ଗ୍ରାମାଞ୍ଚଳ ପିଲାମାନଙ୍କୁ ସୌରଚାଳିତ ଭ୍ରାମ୍ୟମାଣ କମ୍ପ୍ୟୁଟର କ୍ଲାସ୍‌ ମାଧ୍ୟମରେ ଶିକ୍ଷା ଦେଉଛନ୍ତି।...

ସହରୀକରଣ ଓ ରୋଜଗାର ସଙ୍କଟ

ଡ. ଲକ୍ଷ୍ମଣ ସାହୁ ଦେଶରେ ବସବାସ କରୁଥିବା ପ୍ରତ୍ୟେକ ଲୋକ ସହର ମୁହାଁ ହେବାକୁ ଚାହାନ୍ତି। ଗ୍ରାମ୍ୟ ଜୀବନର ଅସ୍ବାସ୍ଥ୍ୟକର ସ୍ବାସ୍ଥ୍ୟ, ଶିକ୍ଷା ପରିବେଶ, କର୍ମ...

ଏଇ ଭାରତରେ

ହିମାଳୟ ପାର୍ବତ୍ୟାଞ୍ଚଳରେ ଝରଣାଗୁଡ଼ିକର ପୁନରୁଦ୍ଧାର କରି ଲୋକମାନଙ୍କୁ ପାଣି ଯୋଗାଇ ଦେଉଛନ୍ତି ଭାରତୀୟ ବନସେବା ଅଧିକାରୀ(ଆଇଏଫ୍‌ଏସ୍‌) ଧରମ ସିଂ ମିନା। ତାଙ୍କ ନେତୃତ୍ୱରେ ଉତ୍ତରାଖଣ୍ଡ ତେହେରି...

ଔରଙ୍ଗଜେବଙ୍କ ଦୋଷ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ସବୁଦିନ ଖସିବାରେ ଲାଗିଛି। ଅର୍ଥାତ୍‌ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବାରେ ଲାଗିଛି। କୁହାଯାଉଛି, ପ୍ରତ୍ୟେକ ଦିନ ଟଙ୍କା...

ଏଇ ଭାରତରେ

ଗାଁରେ ନାହିଁ ଗୋଟିଏ ବି ମୁସଲମାନ ପରିବାର। ହିନ୍ଦୁ କରୁଛନ୍ତି ମସ୍‌ଜିଦର ଦେଖାରଖା। ପଞ୍ଜାବ ରାଜ୍ୟର ଲୁଧିଆନା ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ...

ସମୟର ଆହ୍ବାନ: ସବୁଜ ଶିଳ୍ପ

ଜୁଲେସ କୋର୍ଟେନହୋରଷ୍ଟ ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ କରିବା ସହ ଜଳବାୟୁ ପରିବର୍ତ୍ତନର ପ୍ରଳୟଙ୍କରୀ ପ୍ରଭାବକୁ ସୀମିତ ରଖିତ୍ବା ଲାଗି ବିଶ୍ୱର ନେତାମାନେ ମହତ୍ତ୍ୱାକାଂକ୍ଷୀ...

କମ୍ପ୍ୟୁଟର ସାକ୍ଷରତା ଓ ଶିକ୍ଷଣ ପ୍ରକ୍ରିୟା

ସଂଯୁକ୍ତା ମହାପାତ୍ର ଆମେ ସମସ୍ତେ ଜାଣନ୍ତି ଏବେ ବିଜ୍ଞାନଯୁଗର ନାମ କମ୍ପୁଟର ଯୁଗ ହୋଇସାରିଛି। ଦୈନନ୍ଦିନ କାର୍ଯ୍ୟ ନିମନ୍ତେ ସମସ୍ତେ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ ଆମେ...

Advertisement
Archives

Model This Week