ବିଭିନ୍ନ ପୌରାଣିକ ଗ୍ରନ୍ଥରେ ବନ୍ୟା ସମ୍ପର୍କରେ ଉଲ୍ଲେଖ ରହିଛି। ଏଗୁଡ଼ିକୁ ପ୍ରଳୟକୈନ୍ଦ୍ରିକ ଭାବେ ଦର୍ଶାଯାଇଛି। ବାଇବେଲ (ଖ୍ରୀଷ୍ଟପୂର୍ୱ ୫୦୦)ରେ ନୋଆ ଏବଂ ମହାବନ୍ୟା ବା ମହାପ୍ରଳୟର କାହାଣୀ ବିଷୟରେ ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି ଯେ, ମଣିଷମାନେ ଈଶ୍ୱରଙ୍କ ଆଦେଶ ଓ ନିୟମକୁ ଅବମାନନା କଲେ ଈଶ୍ୱର କ୍ରୋଧିତ ହୁଅନ୍ତି। ମଣିଷଙ୍କୁ ଦଣ୍ଡ ଦେବା ପାଇଁ ସେ ମହାପ୍ରଳୟ ସୃଷ୍ଟି କରିଥାନ୍ତି। ସେହି ମହାବନ୍ୟାରେ କେବଳ ନୋଆଙ୍କୁ ହିଁ ବଞ୍ଚତ୍ୱା ପାଇଁ ବଛାଯାଇଛି। ତାଙ୍କୁ ଏକ ବିରାଟ ନୌକା ତିଆରି କରିବାକୁ, ନିଜ ପରିବାରକୁ ସେଥିରେ ନେବାକୁ ଏବଂ ପ୍ରତ୍ୟେକ ପ୍ରାଣୀଙ୍କର ଏକ ଏକ ଯୋଡ଼ାକୁ ବଞ୍ଚାଇ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା କମିଯିବା ପରେ, ନୋଆଙ୍କ ବଂଶଧରମାନେ ପୃଥିବୀରେ ପୁନର୍ୱାର ମାନବ ସମାଜର ବିସ୍ତାର କରିଛନ୍ତି।
ଏହିପରି ଏକ ସମାନ କାହାଣୀ ଶତପଥ ବ୍ରାହ୍ମଣ (ଖ୍ରୀଷ୍ଟପୂର୍ୱ ୮୦୦)ରେ ଦେଖିବାକୁ ମିଳେ। ଏଥିରେ ଉଲ୍ଲେଖ ରହିଛି ଯେ, ମନୁ ହାତ ଧୋଉଥିବା ସମୟରେ ଏକ ଛୋଟ ମାଛକୁ ଦେଖିଛନ୍ତି। ସେହି ଛୋଟ ମାଛଟି ବଡ଼ ମାଛଙ୍କ କବଳରୁ ରକ୍ଷା ପାଇବା ପାଇଁ ମନୁଙ୍କଠାରୁ ସୁରକ୍ଷା ମାଗିଛି। ମନୁ ତାକୁ ପ୍ରଥମେ ଏକ ଛୋଟ ପାତ୍ରରେ ରଖିଛନ୍ତି ଏବଂ ମାଛଟି ବଢିବା ପରେ ତାକୁ ଏକ ବଡ଼ ପାତ୍ର ଓ ଜଳାଶୟକୁ ସ୍ଥାନାନ୍ତର କରିଛନ୍ତି। ଶେଷରେ ମାଛଟି ଏତେ ବଡ଼ ହୋଇଯାଇଛି ଯେ, ମନୁ ତାକୁ ସମୁଦ୍ରରେ ଛାଡ଼ିଛନ୍ତି। ଅନେକ ବର୍ଷ ପରେ ସେହି ମାଛଟି ଫେରିଆସି ମନୁଙ୍କୁ ଆସନ୍ନ ଏକ ମହାବନ୍ୟା ବିଷୟରେ ସତର୍କ କରିଦେଇଛି। ଫଳରେ ମନୁ ଏକ ନୌକା ତିଆରି କରି ନିଜ ସହିତ ବେଦକୁ ସଂରକ୍ଷିତ କରି ରଖୁଥିବା ଋଷିମାନଙ୍କୁ ନେଇଛନ୍ତି ଏବଂ ସେହି ବିଶାଳ ମାଛଟି ତାଙ୍କ ନୌକାକୁ ସୁରକ୍ଷିତ ସ୍ଥାନକୁ ଟାଣି ଟାଣି ନେବା ପରେ ସେମାନେ ରକ୍ଷା ପାଇଯାଇଛନ୍ତି। ବନ୍ୟା ଜଳ କମିଯିବା ପରେ ମନୁ ପୁନର୍ୱାର ମାନବ ସମାଜର ପୁନରୁଦ୍ଧାର କରନ୍ତି।
ଯେହେତୁ ଉଭୟ କାହାଣୀରେ ବନ୍ୟା, ନୌକା ଏବଂ ଜଣେ ମନୋନୀତ ବ୍ୟକ୍ତି ଜୀବିତ ରହିବା କଥା ଅଛି। ଫଳରେ ଅନେକ ଲୋକ ଭାବିନିଅନ୍ତି ଯେ ପୁରାଣରେ ବର୍ଣ୍ଣିତ ମନୁ ହେଉଛନ୍ତି ନୋଆ ଏବଂ ବାଇବେଲ୍ରେ ବର୍ଣ୍ଣିତ ନୋଆ ହେଉଛନ୍ତି ମନୁ। ବାସ୍ତବରେ ଏଭଳି ତୁଳନା ଏହି ଦୁଇଟି କାହାଣୀର ପ୍ରକୃତ ଅର୍ଥକୁ ଅଣଦେଖା କରେ।
ବାଇବେଲରେ ବନ୍ୟା ହେଉଛି ଈଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ଏକ ଦୈବଦଣ୍ଡ। ମାନବଜାତି ପାପ କରିଥିବାରୁ ଈଶ୍ୱର ବନ୍ୟାକୁ ସୃଷ୍ଟି କରିଛନ୍ତି। ନୋଆ ସେହି ବନ୍ୟାରୁ ବଞ୍ଚତ୍ୟାଆନ୍ତି କାରଣ ସେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି। ଏହି କାହାଣୀ ଏକ ସ୍ପଷ୍ଟ ବାର୍ତ୍ତା ଦିଏ ଯେ, ଈଶ୍ୱରଙ୍କ ନିର୍ଦ୍ଦେଶ ପାଳନ କର ନଚେତ ତାଙ୍କ କ୍ରୋଧର ସମ୍ମୁଖୀନ ହୁଅ।
ଅନ୍ୟପକ୍ଷରେ ବୈଦିକ କାହାଣୀ ସମ୍ପୂର୍ଣ୍ଣ ଭିନ୍ନ। ଏଥିରେ କୁହାଯାଇଛି, କୌଣସି ଦେବତା ଦଣ୍ଡ ଦେବା ଲାଗି ବନ୍ୟା ସୃଷ୍ଟି କରିନାହାନ୍ତି ଏବଂ ଏହା କାହିଁକି ଘଟେ ସେଥିପାଇଁ ମଧ୍ୟ କୌଣସି ନୈତିକ କାରଣ ଉପସ୍ଥାପନ କରାଯାଇ ନାହିଁ। ଏଠାରେ ଦୈବୀ କ୍ରୋଧ ଉପରେ ଗୁରୁତ୍ୱ ଦିଆଯାଇନାହିଁ ବରଂ କର୍ମ ଉପରେ ରହିଛି। ମନୁଙ୍କୁ ଉଦ୍ଧାର କରାଯାଇଛି, କାରଣ ସେ ପୂର୍ୱରୁ ଏକ ଅସହାୟ ମାଛ ପ୍ରତି ଦୟଭାବ ପ୍ରଦର୍ଶନ କରିଥିଲେ । ମାଛଟି କେବଳ ସେହି ଦୟାର ପ୍ରତିଦାନ ଦେଇଛି। ଏହି କାହାଣୀ ଶିକ୍ଷା ଦିଏ ଯେ, ଭଲ କର୍ମର ଫଳ ଶେଷରେ ଭଲ ହୋଇଥାଏ। ଏହାକୁ କର୍ମ ସିଦ୍ଧାନ୍ତର ଏକ ପ୍ରାଚୀନ କାହାଣୀ ଭାବେ ଦେଖାଯାଇପାରେ।
ଏହି ଭିନ୍ନ ଚିନ୍ତାଧାରା ଦୁଇଟି ଜୀବନଦର୍ଶନର ସମ୍ପୂର୍ଣ୍ଣ ଭିନ୍ନ ବିଶ୍ୱ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ। ବାଇବେଲ ଜଣେ ମାତ୍ର ସର୍ୱଶକ୍ତିମାନ ଈଶ୍ୱରଙ୍କ କଥା କହେ, ଯିଏ ଆଜ୍ଞାପାଳନ କରୁଥିବା ଲୋକଙ୍କୁ ପୁରସ୍କାର ଏବଂ ଅବାଧ୍ୟ ଲୋକଙ୍କୁ ଦଣ୍ଡ ଦେଇଥାନ୍ତି। ଅନ୍ୟପକ୍ଷରେ, ଶତପଥ ବ୍ରାହ୍ମଣରେ ଏପରି ଏକ ବିଶ୍ୱ ବ୍ୟବସ୍ଥାର କଥା କୁହାଯାଇଛି, ଯାହା କର୍ମ ନିୟମ ଅନୁସାରେ ପରିଚାଳିତ ହୁଏ। ଏଠାରେ ପ୍ରତ୍ୟେକ କର୍ମର ନିଜସ୍ୱ ଫଳ ରହିଛି ଓ ତାହା କର୍ମାନୁଯାୟୀ ମଧ୍ୟ ପ୍ରାପ୍ତ ହୋଇଥାଏ। ଏହାଠାରୁ ମଧ୍ୟ ଏକ ପୁରୁଣା ବନ୍ୟା କାହାଣୀ ପ୍ରାଚୀନ ସୁମେରୀୟ ସଭ୍ୟତାର ପୁରାଣରେ ଦେଖିବାକୁ ମିଳେ, ଯାହା ଦୁଇଟିଯାକ ଗ୍ରନ୍ଥ (ବାଇବେଲ ଓ ବେଦ)ର ପ୍ରାୟ ୧ ହଜାର ବର୍ଷ ପୂର୍ୱର। ସୁମେରୀୟ ପୁରାଣରେ ବର୍ଣ୍ଣନା ରହିଛି ଯେ, ମଣିଷମାନଙ୍କ କୋଳାହଳରେ ଦେବତାମାନେ ବିରକ୍ତ ହୋଇ ଏକ ମହାବନ୍ୟା ଦ୍ୱାରା ସେମାନଙ୍କୁ ବିନାଶ କରିବାକୁ ନିଷ୍ପତ୍ତି ନେଇଥିଲେ। ସୁମେରୁ ସଭ୍ୟତାର ଦେବତା ‘ଇଆ’ ଙ୍କ ସହ ଜଡ଼ିତ ଏକ ମାଛ ଉତ୍ନାପିଷ୍ଟିମ୍ଙ୍କୁ ସତର୍କ କରାଇଦେଇଥିଲେ। ଫଳରେ ସେ ଏକ ନୌକା ନିର୍ମାଣ କରି ପ୍ରଳୟରୁ ବଞ୍ଚତ୍ୟାଇଥିଲେ। ବାଇବେଲ କାହାଣୀ ପରି ଏହି ସୁମେରୀୟ ପୁରାଣରେ ମଧ୍ୟ ଦେବତାମାନଙ୍କ କ୍ଷମତା ଓ ମଣିଷ ଉପରେ ସେମାନଙ୍କ ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯାଇଛି।
କେତେଜଣ ଐତିହାସିକ ଏହି ତିନୋଟିଯାକ ଗପକୁ ଗୁରୁତ୍ୱ ଦେଇ ସେଗୁଡ଼ିକ ମଧ୍ୟରେ ରହିଥିବା ସମ୍ପର୍କ ତଥା ସମାନତା ଖୋଜିବାକୁ ଚେଷ୍ଟା କରିଛନ୍ତି। କାରଣ ଏସବୁ କାହାଣୀ ମଧ୍ୟରେ ବନ୍ୟା, ନୌକା ଏବଂ ମାଛ କଥା କୁହାଯାଇଛି। କିନ୍ତୁ ଏହି ସମାନତା କେବଳ ଉପରଠାଉରିଆ ଅର୍ଥାତ୍ ବାହ୍ୟ ଦୃଷ୍ଟିରୁ ଦେଖିଲେ ମିଳିଥାଏ। ଏଗୁଡ଼ିକର ଅନ୍ତର୍ନିହିତ ଅର୍ଥ ସମ୍ପୂର୍ଣ୍ଣ ଭିନ୍ନ। ସୁମେରୀୟ ଏବଂ ବାଇବେଲ କାହାଣୀଗୁଡ଼ିକ ଦୈବୀ ଶକ୍ତିର କ୍ଷମତା ଓ ଦଣ୍ଡବିଧାନକୁ କେନ୍ଦ୍ରକରି ଗଢ଼ିଉଠିଛି। ଅନ୍ୟପକ୍ଷରେ ବୈଦିକ କାହାଣୀ ଦୟାଭାବ, କୃତଜ୍ଞତା ଏବଂ କର୍ମର ନିୟମ ଉପରେ ଆଧାରିତ। ଏମିତି କି ଚାଇନିଜ ବନ୍ୟା ପୁରାଣରେ ପୃଥିବୀର ପ୍ରଥମ ଜଗତର ଜଳ ପରିଚାଳନାକାରୀ ବିଷୟରେ ଉଲ୍ଲେଖ ରହିଛି, ଯାହାଙ୍କୁ ଲୋକମାନେ ସେମାନଙ୍କର ପ୍ରଥମ ରାଜା ଭାବରେ ଚୟନ କରିଥିବା କଥା କୁହାଯାଇଛି।
ପୌରାଣିକ କାହାଣୀଗୁଡ଼ିକର ତୁଳନା କରିବା ପାଇଁ କେବଳ ସମାନ ଚରିତ୍ର କିମ୍ୱା ଘଟଣାଗୁଡ଼ିକ ଉପରେ ନଜର ପକାଇବା ଯଥେଷ୍ଟ ନୁହେଁ। ଏକ କାହାଣୀ ପଛରେ ଥିବା ଗଭୀର ଚିନ୍ତାଧାରା ଓ ଦର୍ଶନକୁ ବୁଝିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଆମେ କେବଳ ବନ୍ୟା ଘଟଣାକୁ ନ ଦେଖି ଏହାର ଅନ୍ତର୍ନିହିତ ଅର୍ଥକୁ ବୁଝିବାକୁ ଚେଷ୍ଟା କରୁ, ସେତେବେଳେ ସ୍ପଷ୍ଟ ହୁଏ ଯେ ମନୁ ଏବଂ ନୋହା ଦୁଇଟି ଭିନ୍ନ ଦାର୍ଶନିକ ପରମ୍ପରାର ପ୍ରତିନିଧି। ସେମାନଙ୍କ କାହାଣୀ ପରସ୍ପର ସହ ସମାନ ଦେଖାଯାଉଥିଲେ ମଧ୍ୟ, ସେଗୁଡ଼ିକ ମୌଳିକ ଭାବରେ ଭିନ୍ନ ଶିକ୍ଷା ପ୍ରଦାନ କରନ୍ତି।
-devduttofficial@gmail.com

