ମାର୍ଶାଘାଇ,୪।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲଜ ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣାରେ ସ୍ବାମୀର ମୃତ୍ୟୁ ହୋଇଯାଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇ କେନ୍ଦ୍ରାପଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମାର୍ଶାଘାଇ ବ୍ଲକ ତଥା ମାର୍ଶାଘାଇ ପଞ୍ଚାୟତର ତୁଳସୀପୁର ଗ୍ରାମର ହୃଷିକେଶ ଯେନା ଓ ତାଙ୍କ ପତ୍ନୀ ରେଣୁବାଳା ଗତକାଲି ରାତିରେ ଘରେ ଶୋଇଥିବାବେଳେ ମାଟି କାନ୍ଥ ଭୁଶୁଡି ପଡିଥିଲା। ହୃଷିକେଶଙ୍କ ଚିତ୍କାର ଶୁଣି ପାଖ ବଖରରେ ଶୋଇଥିବା ତାଙ୍କ ବୃଦ୍ଧା ମା’ ଯାଇ ଦେଖିଲାବେଳକୁ କାନ୍ଥ ପୁଅ ବୋହୂଙ୍କ ଉପରେ ପଡିଯାଇଥିଲା। ସାହି ପଡିଶାଙ୍କ ସହଯୋଗରେ ଉଭୟଙ୍କୁ ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ହୃଷିକେଶଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଥିବା ପତ୍ନୀ ରେଣୁବାଳାଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନା ପଠାଯାଇଥିଲା। ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ଅନ୍ତୋଦୟ ଗୃହ ଯୋଜନା ରେ ଘର ପାଇନାହାନ୍ତି. ନୁଆଁଣିଆ ମାଟି କାନ୍ଥ ଚାଳ ଘରେ ସେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଥିଲେ। ସେ ଭୂମିହୀନ ଥିବା ଜଣାଯାଇଛି।
Dharitri – Odisha’s No.1 Odia Daily

