କଲେଜପଢ଼ୁଆ ମେୟର

ଜଣେ ୨୧ ବର୍ଷ ବୟସରେ ମେୟର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ବସିବା ବିଷୟ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। କଲେଜପଢ଼ୁଆ ଝିଅ ଆର୍ଯ୍ୟା ରାଜେନ୍ଦ୍ରନ୍‌ଙ୍କ ନାମ କେରଳ ରାଜଧାନୀ ଥିରୁଭାନନ୍ଥପୁରମ୍‌ର ମେୟର ଭାବେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାର ଶୀର୍ଷରେ ପହଞ୍ଚିଛି। ସହରାଞ୍ଚଳ ନିର୍ବାଚନରେ ଆର୍ଯ୍ୟାଙ୍କ ବିଜୟ ପରେ ସିପିଆଇ(ଏମ୍‌) ଥିରୁଭାନନ୍ଥପୁରମ୍‌ ଜିଲା ସେକ୍ରେଟାରିଏଟ୍‌ ତାଙ୍କ ନାମ ମେୟର ଲାଗି ସୁପାରିସ କରିବା ପରେ ଷ୍ଟେଟ୍‌ ସେକ୍ରେଟାରିଏଟ୍‌ ତାହାକୁ ମଞ୍ଜୁର କରିଥିବା ଜଣାପଡ଼ିଛି। ଆର୍ଯ୍ୟା ମେୟର ଘୋଷଣା ହୋଇଥିବାରୁ ତାଙ୍କ ନିକଟକୁ ଅଜସ୍ର ଶୁଭେଚ୍ଛା ପହଞ୍ଚିବାରେ ଲାଗିଛି। ମୁଦାଭାଙ୍କୁଲସ୍ଥିତ ଭଡ଼ାଘରେ ରହୁଥିବା ଆର୍ଯ୍ୟା ଅତି ବିନମ୍ରତାର ସହିତ କହିଛନ୍ତି ଯେ, ତାଙ୍କ ନୂଆ ଦାୟିତ୍ୱ ବିଷୟରେ ସରକାରୀ ସ୍ବୀକୃତିକୁ ଅପେକ୍ଷା ରହିଛି। ତେବେ ସବୁକିଛି ଠିକ୍‌ଠାକ୍‌ ରହିଲେ ଆର୍ଯ୍ୟା କେବଳ ଯେ କେରଳ ରାଜଧାନୀର ନୂଆ ମେୟର ହେବେ ତାହା ନୁହେଁ, ସେ ଦେଶର ସର୍ବକନିଷ୍ଠା ମେୟର ହେବାକୁ ଯାଉଛନ୍ତି।
ଖାଣ୍ଟି ବାମପନ୍ଥୀ ପରିବାରରେ ଆର୍ଯ୍ୟାଙ୍କ ଜନ୍ମ। ପିତା ସିପିଆଇ(ଏମ୍‌) କାର୍ଯ୍ୟକର୍ତ୍ତା ତଥା ବୃତ୍ତିରେ ଇଲେକ୍‌ଟ୍ରିସିଆନ୍‌ କେ. ରାଜେନ୍ଦ୍ରନ୍‌ ଓ ମାତା ଶ୍ରୀଲଥା ହେଉଛନ୍ତି ଜଣେ ଏଲ୍‌ଆଇସି ଏଜେଣ୍ଟ। ଆର୍ଯ୍ୟା ଏବେ ଅଲ୍‌ ସେଣ୍ଟସ୍‌ କଲେଜରେ ବି.ଏସ୍‌ସି. ଗଣିତର ଦ୍ୱିତୀୟ ବର୍ଷର ଛାତ୍ରୀ। ପିଲାଟି ବେଳୁ ସେ ପିତାଙ୍କ ବାମପନ୍ଥୀ ଚିନ୍ତାଧାରାରେ ଉଦ୍‌ବୁଦ୍ଧ ହୋଇ ଆସିଛନ୍ତି। ଭାରତୀୟ ଛାତ୍ର ମହାସଂଘ (ଏସ୍‌ଏଫ୍‌ଆଇ) ରାଜ୍ୟସ୍ତରୀୟ କମିଟିର ସେ ସଦସ୍ୟ ଅଛନ୍ତି। ଏଥିସହିତ ବାମପନ୍ଥୀ ଦଳର ଶିଶୁ ଶାଖା ‘ବାଲ୍‌ସଙ୍ଘମ୍‌’ର ସେ ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଆର୍ଯ୍ୟାଙ୍କୁ ଯେତେବେଳେ ମାତ୍ର ଛ’ ବର୍ଷ ହୋଇଥିଲା ସେ ବାଲ୍‌ସଙ୍ଘମ୍‌ ସହିତ ଜଡ଼ିତ ହୋଇଥିଲେ। ତାଙ୍କ ରାଜନୈତିକ ଆଦର୍ଶ ବ୍ୟକ୍ତିତ୍ୱ କହିଲେ ସେ ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନ୍‌ଙ୍କୁ ଗୁରୁ ଭାବେ ଗ୍ରହଣ କରିଥାଆନ୍ତି। ଦଳରେ ନିଷ୍ଠା ରଖି କାର୍ଯ୍ୟ କରୁଥିବାର ପ୍ରମାଣ ପାଇବା ପରେ ତାଙ୍କୁ ପୌର ନିର୍ବାଚନରେ ଭାଗ ନେବାର ସୁଯୋଗ ଦିଆଯାଇଥିଲା। ସେ ସେହି ସୁଯୋଗକୁ ଗୁରୁଜ୍ଞାନ କରି ମୁଦାଭାଙ୍କୁଲ ଓ୍ବାର୍ଡରୁ ରାଜନୈତିକ ଭାଗ୍ୟ ପରୀକ୍ଷା କରିଥିଲେ। ପ୍ରଚାରରେ ଅକ୍ଳାନ୍ତ ପରିଶ୍ରମ ଓ ଭାଗ୍ୟଦେବୀଙ୍କ ଆଶୀର୍ବାଦ ତାଙ୍କୁ ୨,୮୭୨ ଭୋଟ ଦେଇପାରିଥିଲା, ଯାହା କଂଗ୍ରେସ ପ୍ରାର୍ଥୀଠାରୁ ୫୪୯ ଖଣ୍ଡ ଅଧିକ ଥିବା ଜଣାପଡ଼ିଛି। ଖୁବ୍‌ କମ୍‌ ବୟସରେ ମେୟର ହେବାକୁ ଯାଉଥିବାରୁ ଓ ଏବେ କଲେଜପଢ଼ା ଥିବାରୁ ସେ କିଭଳି ସମୟ ପରିଚାଳନା କରି ଦୁଇଟି ଦିଗକୁ ନ୍ୟାୟ ଦେଇପାରିବେ ବୋଲି ପଚରା ହେବାରୁ ଆର୍ଯ୍ୟା ତାହାର ସରଳ ଉତ୍ତର ଦେଇଛନ୍ତି। ଯେତେ ଯାଏ ପଢ଼ି ହେବ ସେତେଯାଏ ସେ ପଢ଼ିବେ ବୋଲି କହିଛନ୍ତି। କଲେଜ ଅଧ୍ୟାପକ ଓ ତାଙ୍କ ବନ୍ଧୁମାନେ ରାଜନୀତିରେ ପ୍ରବେଶ କରିବା ଲାଗି ସବୁ ପ୍ରକାର ସମର୍ଥନ ଦେଇ ଆସିଛନ୍ତି ବୋଲି ସେ କହିଛନ୍ତି।
କୁହାଯାଇଥାଏ ଯିଏ ୧୦ଟା କାର୍ଯ୍ୟ କରିପାରେ ସେ ଆଉ ଗୋଟିଏ କାର୍ଯ୍ୟ ସୁରୁଖୁରୁରେ କରିପାରିବେ। ଅର୍ଥାତ୍‌ ଉତ୍ସାହୀ ଓ ଉଦ୍ୟମୀଙ୍କ ପାଇଁ କାର୍ଯ୍ୟ କରିବା ସର୍ବଦା ସନ୍ତୋଷ ଦେଇଥାଏ। କଲେଜପଢ଼ୁଆ ଝିଅ ମେୟର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ବସି ଲୋକଙ୍କ ସେବା କରିବା ନିଶ୍ଚିତ ଭାବେ କିଶୋରୀମାନଙ୍କ ପାଇଁ ପ୍ରେରଣାଦାୟକ ହୋଇପାରିବ। ନାରୀ ସଶକ୍ତୀକରଣର ଏହା ହେଉଛି ଏକ ପରିପୂର୍ଣ୍ଣ ଉଦାହରଣ। ଆର୍ଯ୍ୟାଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ସମାଜରେ କିଛି କରି ଦେଖାଇବାର ମନୋବଳ ଯୋଗୁ ଏହା ସମ୍ଭବ ହୋଇପାରିଛି। ମେୟର ଭାବେ ଦାୟିତ୍ୱ ଗ୍ରହଣ କଲେ ସେ ରାଜଧାନୀ ନଗରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା କରିବା ତାଙ୍କ ପ୍ରଧାନ ଲକ୍ଷ୍ୟ ରହିବ ବୋଲି କହିଛନ୍ତି। ତାଙ୍କ ପୂର୍ବସୂରୀମାନଙ୍କ ପାଇଁ ବର୍ଜ୍ୟବସ୍ତୁ କଠିନ କାର୍ଯ୍ୟ ରହିଆସିଥିବାରୁ ତାହାକୁ ସେ ପ୍ରଥମ କାର୍ଯ୍ୟ ଭାବେ ହାତକୁ ନେବେ ବୋଲି ପ୍ରକାଶ କରିଛନ୍ତି। ଥିରୁଭାନନ୍ଥପୁରମ୍‌ ଏକ ସୁନ୍ଦର ସହର। ବୈଜ୍ଞାନିକ ଉପାୟରେ ବର୍ଜ୍ୟବସ୍ତୁ ସଫା ହୋଇଗଲେ ଏହାର ସୌନ୍ଦର୍ଯ୍ୟ ଆହୁରି ବୃଦ୍ଧି ପାଇବ। ସେଥିପାଇଁ ଜନସାଧାରଣ ରାସ୍ତାକଡ଼ରେ ମଇଳା ନ ଫିଙ୍ଗିବାକୁ ସେ ଅନୁରୋଧ କରିଛନ୍ତି। କାଉନ୍‌ସିଲର ଭାବେ ତାଙ୍କ ଓ୍ବାର୍ଡରେ ଏକ ପରିବାର ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବାକୁ ସେ ଲକ୍ଷ୍ୟ ରଖିଛନ୍ତି, ଯଦ୍ଦ୍ବାରା ପିଲାମାନଙ୍କ ଚାପ କମିପାରିବ। ବିଶ୍ୱର ସର୍ବବୃହତ୍‌ ସଙ୍ଗଠନ ଭାବେ ବିବେଚନା କରାଯାଉଥିବା ‘ବାଲ୍‌ସଙ୍ଘମ୍‌’ର ସଭାପତି ହୋଇଥିବାରୁ ପିଲାଙ୍କ ଚାପକୁ ସେ ଭଲ ଭାବେ ଅନୁଭବ କରିଛନ୍ତି। ଭଡ଼ାଘରେ ରହୁଥିବା ଏକ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଥିବା ଝିଅ ମନରେ ସ୍ବାସ୍ଥ୍ୟ ଓ ପରିମଳ ଭଳି ମୌଳିକ ଭିତ୍ତିଭୂମିର ଉନ୍ନତି ଚିନ୍ତା ଆସିବା ତାଙ୍କ ସେବା ମନୋବୃତ୍ତିର ପରିଚୟ ଦେଉଛି ବୋଲି କୁହାଯାଇପାରେ। ସ୍ବପ୍ନ ସାକାର ପାଇଁ ଯିଏ ଛୋଟିଆ ବିଷୟଟିକୁ ସର୍ବାଧିକ ଗୁରୁତ୍ୱ ଦେଇ କାମ କରିଥାଆନ୍ତି, ତାଙ୍କୁ ସଫଳତା ମିଳିବା ନିଶ୍ଚିତ।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri