ଛତୁଆ ପ୍ରସ୍ତୁତ ହୋଇନି, ବଣ୍ଟନ ଦର୍ଶାଯାଉଛି

ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ)ଗହମ ଅଭାବରୁ ସୁବର୍ଣ୍ଣପୁର ଜିଲାର ୬ଟି ସମନ୍ବିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପରେ ଛତୁଆ ପ୍ରସ୍ତୁତ ହୋଇ ପାରି ନ ଥିଲା। ଜିଲାର ଡୁଙ୍ଗୁରିପାଲି, ତରଭା ବ୍ଲକରେ ମେ ମାସରେ କେତେଜଣ ହିତାଧିକାରୀଙ୍କୁ ଛତୁଆ ବଣ୍ଟନ ହୋଇଥିବା ବେଳେ ଜୁନ, ଜୁଲାଇ ଓ ଅଗଷ୍ଟ ମାସରେ ଆଦୌ ବଣ୍ଟନ ହୋଇନି। ସେହିପରି ବିନିକା, ସୋନପୁର, ଉଲ୍‌ୁଣ୍ଡା ଓ ବୀରମହାରାଜପୁର ବ୍ଲକରେ ଜୁନ୍‌, ଜୁଲାଇ ଓ ଅଗଷ୍ଟ ମାସରେ ଛତୁଆ ବଣ୍ଟନ ହୋଇନାହିଁ। ଆବଶ୍ୟକତା ସମୟରେ ରାଜ୍ୟ ସରକାର ଗହମ ଯୋଗାଇ ନ ପାରିବାରୁ ଜିଲାରେ ଶିଶୁ ଓ ମାତୃ ମଙ୍ଗଳ ଯୋଜନା ବାଟବଣା ହୋଇଛି। ଏବେ ଗହମ ଯୋଗାଣ ହୋଇଥିବା ବେଳେ ଗହମ ଗୁଣ୍ଡ ହୋଇନି କି ଛତୁଆ ପ୍ରସ୍ତୁତ ହୋଇନି। କିନ୍ତୁ ହିତାଧିକାରୀଙ୍କୁ ଛତୁଆ ପ୍ରଦାନ କରା ଯାଇଥିବା ଭଳି ଭୁଲ ତଥ୍ୟ ସରକାରଙ୍କ ପୋଷଣ ଟ୍ରାକର ପୋର୍ଟାଲରେ ଅପ୍‌ଲୋଡ କରାଯାଇଛି। ଏଭଳି ବେଆଇନ କାର୍ଯ୍ୟକୁ ନେଇ ଜିଲାରେ ଚର୍ଚ୍ଚା ଜୋର ଧରିବା ପରେ ଜିଲା ପ୍ରଶାସନ ପକ୍ଷରୁ ଶନିବାର ତଦନ୍ତ ହୋଇଛି ।
ଶିଶୁ, ଗର୍ଭବତୀ ମହିଳା ଓ ପ୍ରସୂତିଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଇ ପୋଷଣ ଯୋଜନା ପ୍ରଣୟନ କରିଛନ୍ତି। ଗର୍ଭଧାରଣଠାରୁ ଶିଶୁ ଜନ୍ମ ପର୍ଯ୍ୟନ୍ତ ମା’ର ସ୍ବାସ୍ଥ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇ ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯାଉଛି। ନିରାପଦ ମାତୃତ୍ୱ, ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପାଇଁ ପୋଷଣ ଯୁକ୍ତ ଖାଦ୍ୟ ହିସାବରେ ଛତୁଆ, ସୁଜି, ଅଣ୍ଡା ଓ ଲଡୁ ଆଦି ପ୍ରଦାନ କରାଯାଉଛି। ତେବେ ଗହମ ଅଭାବରୁ ଜିଲାରେ ସପ୍ଲିମେଣ୍ଟାରୀ ନ୍ୟୁଟିସନ ପ୍ରୋଗ୍ରାମ(ଏସଏନପି) ଅଧୀନରେ ଛତୁଆ ପ୍ରସ୍ତୁତ ହୋଇ ନଥିଲା। ଫଳରେ ଗର୍ଭବତୀ ମହିଳା, ପ୍ରସୂତି ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ହୋଇପାରିନି। ଜିଲାରେ ୧୫୫୬ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ଅତିରିକ୍ତ ଭୋଜନ କାର୍ଯ୍ୟକ୍ରମରେ ଜିଲାର ସୋନପୁର, ତରଭା, ବିନିକା, ଡୁଙ୍ଗୁରିପାଲି, ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକ ସମନ୍ବିତ ଶିଶୁ ବିକାଶ ଯୋଜନା(ଆଇସିଡିଏସ୍‌) ଅଧୀନରେ ୫୧୪୮ ଜଣ ଗର୍ଭବତୀ ମହିଳା, ୩୪୭୨ ଜଣ ପ୍ରସୂତି ମହିଳା ଓ ୬ ମାସରୁ ୩ ବର୍ଷ ମଧ୍ୟରେ ୨୨ହଜାର ୬୨୬ ଜଣ ଶିଶୁ ପଞ୍ଜୀକୃତ ହୋଇଛନ୍ତି। ୧୧ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ପୁଷ୍ଟିକର ଖାଦ୍ୟ(ଛତୁଆ) ପ୍ରସ୍ତୁତ ହୋଇ ଜିଲାର ଅଙ୍ଗନଓ୍ବାଡି କର୍ମୀଙ୍କ ମାଧ୍ୟମରେ ବଣ୍ଟନ ହେଉଛି। ଗର୍ଭବତୀ ମହିଳା ଓ ପ୍ରସୂତିଙ୍କୁ ଅନ୍ୟ ପୁଷ୍ଟିକର ଖାଦ୍ୟ ସହ ମାସିକ ୪ କିଲୋ ୪୧୦ଗ୍ରାମ ଲେଖାଏଁ ଛତୁଆ ପ୍ୟାକେଟ୍‌ ପ୍ରଦାନ କରାଯାଏ। ସେହିଭଳି ୬ ମାସରୁ ୩ ବର୍ଷ ବୟସର ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଭାବେ ଅଣ୍ଡା, ଲଡୁ ସହିତ ୨କିଲୋ ୨୦୦ଗ୍ରାମ ଛତୁଆ ମିଳେ। ଏହି ଅଭିଯାନ ପାଇଁ ପୋଷଣ ଟ୍ରାକର ନାଁରେ ମୋବାଇଲ ଆପ୍‌ ସମସ୍ତ ଅଙ୍ଗନଓ୍ବାଡି କର୍ମୀଙ୍କୁ ଦିଆଯାଇଛି। ସେମାନେ ଏସଏଚଜି ଠାରୁ ଛତୁଆ ଓ ଅଣ୍ଡା ଗ୍ରହଣ କରିବା ଓ ନିଜ କେନ୍ଦ୍ର ଅଞ୍ଚଳର ଶିଶୁ ଓ ଗର୍ଭବତୀଙ୍କୁ ଆବଶ୍ୟକ ଛତୁଆ, ଅଣ୍ଡା ଆଦି ବଣ୍ଟନ କରିବା ମାତ୍ରେ ଏହି ଆପ୍‌ରେ ଥିବା ଟିଏଚଆର(ଟେକ୍‌ ହୋମ୍‌ ରାଶନ୍‌)ରେ ଅପଲୋଡ କରି ରିପୋର୍ଟ କରିବା ବ୍ୟବସ୍ଥା ରହିଛି। କିନ୍ତୁ ଜୁନ୍‌ ଓ ଜୁଲାଇ ମାସର ଛତୁଆ ପ୍ରସ୍ତୁତି ହୋଇ ନଥିବା ବେଳେ ଜିଲାର କେତେଜଣ ଅଙ୍ଗନଓ୍ବାଡି କର୍ମୀ ସୁପରଭାଇଜର ଓ ସିଡିପିଓଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟ ବଣ୍ଟନ ହୋଇଥିବା ପୋଷଣ ଟ୍ରାକର ଆପ୍‌ରେ ଟେକ୍‌ ହୋମ ରାଶନ ରିପୋର୍ଟ କରିଥିବା ଅଭିଯୋଗ ହୋଇଛି। ଜିଲାର ସମସ୍ତ ୬ଟି ପ୍ରକଳ୍ପରେ ଏଭଳି ହୋଇଛି। ଜୁଲାଇ ମାସରେ ଜିଲାର ୧୩୧ ଜଣ ଗର୍ଭବତୀ ମହିଳା, ୮୦ ଜଣ ପ୍ରସୂତି ମହିଳା ଓ ୬ ମାସରୁ ୩ ବର୍ଷ ମଧ୍ୟରେ ୫୭୮ ଜଣ ଶିଶୁଙ୍କୁ ପୋଷଣ ପୋର୍ଟାଲରେ ବଣ୍ଟନ ହୋଇଥିବା ଦର୍ଶାଯାଇଛି। ସେହିପରି ଜୁନ୍‌ ମାସରେ ୧୦୨୭ ଜଣ ଗର୍ଭବତୀ ମହିଳା, ୧୦୧୩ ଜଣ ପ୍ରସୂତି ମହିଳା ଓ ୬ ମାସରୁ ୩ ବର୍ଷ ମଧ୍ୟରେ ୫୮୨୬ ଜଣ ଶିଶୁଙ୍କୁ ପୋଷଣ ପୋର୍ଟାଲରେ ବଣ୍ଟନ ଦର୍ଶାଯାଇଛି। ସୁବର୍ଣ୍ଣପୁର ଜିଲାପାଳ ବିମଳେନ୍ଦୁ ରାୟ ଓ ସୋନପୁର ଉପଜିଲାପାଳ ଡ. ଇପ୍‌ସିତା ପ୍ରିୟଦର୍ଶନୀ ମିଶ୍ର ଶନିବାର ଘଟଣା ସମ୍ପର୍କରେ ଖୋଳତାଡ କରିଛନ୍ତି। ଏ ସମ୍ପର୍କରେ ସୁବର୍ଣ୍ଣପୁର ଜିଲା ସମାଜ ମଙ୍ଗଳ ଅଧିକାରୀ ଅକ୍ଷୟ ନାୟକ କୁହନ୍ତି ଛତୁଆ ପ୍ରସ୍ତୁତ ପାଇଁ ସମସ୍ତ ଏସ୍‌ଏଚ୍‌ଜିକୁ ଗହମ ଯୋଗାଇ ଦିଆଯାଇଛି। ଛତୁଆ ପ୍ରସ୍ତୁତ କରି ବଣ୍ଟନ କରିବା ପାଇଁ ସମୟ ଲାଗିବ। ଜିଲାର ୬ଟି ପ୍ରୋଜେକ୍ଟରେ ଟିଏଚଆରରେ ହିତାଧିକାରୀଙ୍କୁ ଛତୁଆ ବଣ୍ଟନ ସମ୍ପର୍କିତ ମିଥ୍ୟା ରିପୋର୍ଟ ଅପ୍‌ଲୋଡ ହେବା ବେଆଇନ । କାହା ନିର୍ଦ୍ଦେଶରେ ଅଙ୍ଗନଓ୍ବାଡି କର୍ମୀମାନେ ଏଭଳି କାମ କରିଛନ୍ତି ସେ ନେଇ ବିଭାଗୀୟ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?