ଅନ୍ତରାତ୍ମାର ଡାକ

ଉପେନ୍ଦ୍ର ବିଶ୍ୱାଳ

ଶିଶୁଟିଏ ଯେବେ ଜନ୍ମନିଏ ସେତେବେଳେ ମନେହୁଏ କେହି ଜଣେ ଦେବତାଙ୍କର ହେଲା ଧରାବତରଣ। କାରଣ ତା’ଦେହରେ ଲେଶମାତ୍ର ନ ଥାଏ କଳୁଷ କାଳିମା; ବରଂ ଦିବ୍ୟଭାବରେ ଝଲସୁଥାଏ ମୁଖମଣ୍ଡଳ। ଯାହୁଁ ବୟସ ବଢ଼ି ବଢ଼ି ଚାଲେ ତାହୁଁ ବିଭିନ୍ନ ପାରିପାଶର୍‌ବିକ ପରିସ୍ଥିତି ଓ ପରିବେଷ୍ଟନୀରେ ବିକାରଯୁକ୍ତ ହୁଏ ତା’ ମନ-ମସ୍ତିଷ୍କ। ଫଳତଃ ଦିବ୍ୟଭାବ ଦୂରେଇଯାଇ ଦୈତ୍ୟଭାବନା ବସା ବାନ୍ଧେ ତା’ଠି। ଏହି ଦୈତ୍ୟପଣିଆ ଧୀରେ ଧୀରେ ଆଧିପତ୍ୟ ବିସ୍ତାର କରି ମଣିଷକୁ ବାଟବଣା କରିଥାଏ। ଏହି ସମୟରେ ଆମ ଅନ୍ତଃଚେତନା/ଅନ୍ତରାତ୍ମା ଆମକୁ ଠିକ୍‌ ଦିଶା ଦେଖାଇଥାଏ। ଅନ୍ତରର ଏହି ଚେତନା ଆମର ଦିଗ୍‌ଦର୍ଶକ। ଚେତନାର ଚେତାବନୀ ବା ଅନ୍ତରର ଡାକକୁ ଶୁଣି ତଦନୁଯାୟୀ ଯିଏ କାମ କରେ ସେ ହିଁ ବାସ୍ତବରେ ମଣିଷ। ଅନ୍ତରାତ୍ମାର ଆବେଦନକୁ ବାରମ୍ବାର ଏଡ଼ାଇ ଦେଇ ଅମାନବୀୟ କାମ କରୁଥିବା ବ୍ୟକ୍ତି, ମଣିଷ ନୁହନ୍ତି ବରଂ ଅସୁର ସମାନ। କାରଣ ଦାନା ବାନ୍ଧିସାରିଥିବା ଦାନବତ୍ୱ ତାଙ୍କଠାରେ ଆଧିପତ୍ୟ ଜାହିର କରୁଥାଏ। ଆଉ, ଏହିମାନେ ହିଁ ତ ସମାଜ ପାଇଁ ଅନେକ ବିପଦର କାରଣ ସାଜନ୍ତି, ଠିକ୍‌ ଗୋବିନ୍ଦ ସାହୁମାନଙ୍କ ପରି। କେବଳ ଗୋବିନ୍ଦ ସାହୁମାନେ ଯେ ମାନବରୂପୀ ଦାନବ ତାହା ନୁହଁ, ଏମାନଙ୍କୁ ପ୍ରତ୍ୟକ୍ଷ ଅବା ପରୋକ୍ଷରେ ସହାୟତା କରୁଥିବା ବ୍ୟକ୍ତିସମୂହ ବି ସମ ପର୍ଯ୍ୟାୟର। ଆମ ଶାସ୍ତ୍ର କୁହେ ”ଯେଉଁମାନେ ଭ୍ରଷ୍ଟାଚାରକୁ କୌଣସି ନା କୌଣସି ବାଗରେ ପ୍ରଶ୍ରୟ ଦିଅନ୍ତି, ସେମାନେ ସମ ଅପରାଧରେ ଦୋଷୀ ଏବଂ ସ୍ବ-ଅର୍ଜିତ ପାପ କାରଣରୁ ନର୍କରେ ବି ପଡ଼ନ୍ତି।“ କେବଳ ଗୋବିନ୍ଦ ସାହୁମାନଙ୍କ ଭିତରେ ଏମାନେ ବଳ ବା ସାହସ ଭରନ୍ତି ନାହିଁ, ଅନେକ ଗୋବିନ୍ଦ ମାନଙ୍କୁ ତିଆରି କରିବାରେ ବି ଭୂମିକା ନିର୍ବାହ କରିଥାନ୍ତି। ବନଭୂମିର ଲକ୍ଷ ଲକ୍ଷ ଗଛଗୁଡ଼ିକୁ ଗୋଟେ ଦିଆସିଲି କାଠି ଯେମିତି ଜାଳି ପୋଡ଼ି ଛାରଖାର କରିଦିଏ, ସେମିତି ବି ସମାଜର ସୁନ୍ଦର ମୁଖମଣ୍ଡଳକୁ କଦର୍ଯ୍ୟ କରିଦିଅନ୍ତି ଜଣେ ଜଣେ ଗୋବିନ୍ଦ। ପରିଣତରେ ଅଜସ୍ର ଦୁଃଖ ଓ ବେଦନାରେ ସନ୍ତାପିତ ହୁଏ ଏ ସମାଜ। ଏହି କଥାଟିକୁ ଆମେ ଭୁଲି ଯାଉଥିବାର ଏବଂ ଗୋବିନ୍ଦମାନଙ୍କ କୁତ୍ସିତ କାରନାମାଗୁଡ଼ିକୁ କୋଣଠେସା କରିଦେବାକୁ କାରସାଦି କରୁଥିବାର ସାଧାରଣରେ ମନେହେଉଛି। ଆତ୍ମାକୁ ବହୁତ ବାଧୁଥିବାରୁ ଅତି କଠୋର ସତ୍ୟକୁ ଏଠାରେ ଉପସ୍ଥାପନ କରିବାକୁ ବାଧ୍ୟ ହେଉଛି।
ଅନ୍ତରାତ୍ମାର ଡାକ ଶୁଣୁଥିବା ଚେତନଶୀଳ ମଣିଷମାନଙ୍କୁ ଏମିତି ଖୁବ୍‌ ବ୍ୟଥିତ କରେ। ସେମାନେ ଅନ୍ୟାୟ-ଅଧର୍ମ-ଅନାଚାରକୁ ସହି ନ ପାରି ଘୋର ବିରୋଧ କରିଥାନ୍ତି। ଅନ୍ୟାୟ-ଅଧର୍ମ ପକ୍ଷରେ କେବେ ରହିପାରନ୍ତି ନାହିଁ। ଅନ୍ତରାତ୍ମା ତାଙ୍କୁ ମାରି ଗୋଡ଼ାଏ, ଠିକ୍‌ ଆବ୍ରାହମ ଲିଙ୍କନଙ୍କ କ୍ଷେତ୍ରରେ ଘଟିଥିଲା ପରି। ଏକଦା ଆମେରିକାର ଜଣେ ଅତି ଧନାଢ଼୍ୟବ୍ୟକ୍ତି ଲିଙ୍କନଙ୍କୁ ଭେଟି ତାଙ୍କ ମୋକଦ୍ଦମା ଲଢ଼ିବାକୁ ପ୍ରବର୍ତ୍ତାଇଲେ। ପ୍ରଚୁର ଅର୍ଥର ଲାଳସା ବି ଦେଖାଇଲେ। ଧୈର୍ଯ୍ୟର ସହିତ ସବୁକଥା ଶୁଣି ସାରିଲା ପରେ ଲିଙ୍କନ କହିଲେ- ”ଜଣେ ପେସାଦାର ଓକିଲଭାବେ ମୁଁ ମୋର ବୃତ୍ତିଗତ ସମୟ ବିକ୍ରି କରିପାରେ କିନ୍ତୁ ନୈତିକତାକୁ ଜଳାଞ୍ଜଳି ଦେଇପାରିବିନି କି ବିବେକକୁ ବିକିପାରିବି ନାହିଁ। ଏହା କଲେ ମୋ ଅନ୍ତରାତ୍ମା ମୋତେ ଧିକ୍କାର କରି କହିବ- ଲିଙ୍କନ ତୁମେ ମିଥ୍ୟାବାଦୀ, ତୁମେ ପ୍ରବଞ୍ଚକ। ଅନ୍ତରାତ୍ମାର ଡାକକୁ ଏଡ଼ାଇ ଦେଇ ନିଜ ପ୍ରତି ନିଜେ ପ୍ରବଞ୍ଚନା କରିପାରିବିନି। ଏହାଦ୍ବାରା ମୁଁ ବଞ୍ଚତ୍ପାରିବି ନାହିଁ। କାରଣ ପ୍ରତିମୁହୂର୍ତ୍ତରେ ମୋ ଅନ୍ତରାତ୍ମା ମୋତେ ଏହି ପ୍ରକାର ଦଂଶନ କରିଚାଲିବ।“
ଆମେରିକାରୁ ଏବେ ପୁଣି ଫେରିବା ଓଡ଼ିଶାକୁ। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ/ପ୍ରଦର୍ଶିତ ଘଟଣା ସବୁକୁ ନିରୀକ୍ଷଣ କଲେ ମନେହୁଏ, ଏତେସବୁ ପରେ ବି ଏହି କଳଙ୍କିତ ଘଟଣା, ଆଗଧା ଥିବା ଅଧିକାଂଶ ବ୍ୟକ୍ତିବିଶେଷଙ୍କ ଚେତନାକୁ ଛୁଇଁ ନାହିଁ କି ଆତ୍ମାକୁ ଆନ୍ଦୋଳିତ କରୁନାହିଁ ଅଦ୍ୟାବଧି। ଗତ କେଇବର୍ଷର ଘଟଣାବଳୀକୁ ଲକ୍ଷ୍ୟ କଲେ ମନେହୁଏ ସତେଯେମିତି ଉତ୍କର୍ଷର ଭୂମି, ଉତ୍କଳ ଆଜି ଅପଶକ୍ତିଙ୍କ ଅକ୍ତିଆରରେ। ତା’ହୋଇ ନ ଥିଲେ ଦୁଷ୍ଟଶକ୍ତିଙ୍କ ଦୌରାତ୍ମ୍ୟରେ ଶାନ୍ତିପ୍ରିୟ ଶ୍ରୀଜଗନ୍ନାଥଙ୍କ ପାବନକ୍ଷେତ୍ର ଏମିତି କ’ଣ କଲବଲ ହେଉଥାନ୍ତା ? ମାଟିର ମହତ ମଶାଣିମୁହାଁ। ଏପରି ସ୍ଥିତିରେ ସ୍ବାଭାବିକ ଭାବେ ମନରେ ପ୍ରଶ୍ନ ଉଠେ – ସତ୍ତାଲୋଭୀ, ସତ୍ତାଧାରୀଙ୍କ ସମର୍ଥନ ଓ ସହାୟତା ଯଦି ନାହିଁ ତେବେ ଦାନବ ଦଳମାନେ କେଉଁଠୁ ପାଉଛନ୍ତି ଏମିତି ବଳ? ଆଇନକାନୁନ, ଶାସନ ବ୍ୟବସ୍ଥାକୁ ବେଖାତିର କରି ଗୋଟେ ପରେ ଗୋଟେ ଏପରି କାଣ୍ଡସବୁ ଭିଆଇବାକୁ ତାଙ୍କର ଏତେ ସାହସ ଆସୁଛି କେଉଁଠୁ? ଆଇନର ଗୋଡ଼ ନ ଥାଏ। ତେଣୁ ତାକୁ ଚଲେଇବାକୁ ପଡ଼େ। ଆଇନକୁ କାର୍ଯ୍ୟକାରୀ କରିବାକୁ ପଡ଼େ। ଆଇନ ଯଦି ଠିକ୍‌ ବାଟରେ ଚାଲୁଥାନ୍ତା ଏବଂ ପୋଲିସ ତଦନ୍ତଠାରୁ ନ୍ୟାୟିକ ନିଷ୍ପତ୍ତି ପର୍ଯ୍ୟନ୍ତ, ସବୁ ଯଦି ଉଚିତ ଢଙ୍ଗରେ ଚାଲୁଥାନ୍ତା, ତେବେ ଅପରାଧୀ/ଅଭିଯୁକ୍ତମାନେ ଛାତିଫୁଲାଇ ବୁଲନ୍ତେ ନାହିଁ। ଏମିତିସବୁ ଅଘଟଣମାନ ଘଟନ୍ତା ନାହିଁ ଗୋଟାଏ ପରେ ଆଉ ଗୋଟାଏ। ଆମେ କେବେ ଆମ ଚେତନାର ଡାକକୁ ଶୁଣିଛୁ କି? କ୍ଷମତା ନିଶା ବା ପଦ-ପଦବୀର ସାମାନ୍ୟ ମୋହରେ ନିଜ ବିବେକ-ବିଚାରକୁ ବିକି ଦେବାକୁ ବି ପଛାଉ ନାହୁଁ। ତା’ ନ ହୋଇଥିଲେ ବେବିନା, ପରୀ, ସ୍ମିତା, ମାଧବିଲତାଠୁ ମମିତାଙ୍କ ପର୍ଯ୍ୟନ୍ତ ତଦନ୍ତମାନ, ସୁଆଙ୍ଗ ଭଳି ପ୍ରତୀୟମାନ ହୁଅନ୍ତା ନାହିଁ। ସତ୍ୟ ହେଉଛି ସତ୍ୟ, ତାହା ଗୋଟିଏ। ଠିକ୍‌ ପୋଲିସ ତଦନ୍ତରେ ଯେଉଁ ସତ୍ୟ ବାହାରିବ ସେହି ସତ୍ୟ ବି ଉନ୍ମୋଚନ ହେବ ସିବିଆଇ ବା ସ୍ବତନ୍ତ୍ର ନିରପେକ୍ଷ ତଦନ୍ତରେ। ତେବେ ଜନମତକୁ ବେଖାତିର କରି ସିବିଆଇ ତଦନ୍ତକୁ ଏତେ ବିରୋଧ କାହିଁକି?
ସାଧାରଣ ବିଶ୍ୱାସରେ ଆଗଧାଡ଼ିରେ ଥିବା ବ୍ୟକ୍ତିମାନେ ସମାଜ ପାଇଁ ପଥ ପ୍ରଦର୍ଶକ। ସୁସ୍ଥସମାଜ ନିର୍ମାଣରେ ଏମାନଙ୍କ ଭୂମିକା ଅନସ୍ବୀକାର୍ଯ୍ୟ। କିନ୍ତୁ ଦୁର୍ଭାଗ୍ୟବଶତଃ ଆଜି ସମୟରେ ଅନେକ ଆଗଧାଡ଼ିଆ, ସମାଜକୁ କ୍ଷତାକ୍ତ କରୁଥିବାର ଦୃଶ୍ୟମାନ ହୁଏ। ସେମାନେ ସେଲିବ୍ରିଟି ଚିତ୍ରାଭିନେତା ହୁଅନ୍ତୁ ଅବା ରାଜନେତା, କ୍ରୀଡ଼ାବିତ ହୁଅନ୍ତୁ ଅବା ଉଚ୍ଚପଦସ୍ଥ ଅଧିକାରୀ, ଯେଉଁମାନଙ୍କଠାରୁ ଏ ସମାଜ ଅନେକ କିଛି ଅପେକ୍ଷା ରଖେ, ସେମାନେ କିନ୍ତୁ ସମାଜ ପାଇଁ ଅନେକ ବ୍ୟଥା ଓ ବେଦନାର କାରଣ ସାଜୁଛନ୍ତି, ଚାତୁରିପଣରେ। କାରଣ ଏମାନଙ୍କ ଚେତନାସ୍ତର ନିମ୍ନମୁଖୀ ହୋଇ ଚାତୁରିପଣ ଊର୍ଦ୍ଧ୍ୱମୁଖୀ ହୋଇଥାଏ।
ଲୋକପ୍ରିୟ ତେଲୁଗୁ ଅଭିନେତ୍ରୀ ହେଲେ ‘ସାଇ ପଲ୍ଲବୀ’। ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀର ପ୍ରଚାର ପ୍ରସାର ପାଇଁ ଗୋଟେ ଖ୍ୟାତନାମା କମ୍ପାନୀ ଭଲ ପଇସାରେ ପଲ୍ଲବୀଙ୍କୁ ଚୁକ୍ତିବଦ୍ଧ ହେବାକୁ ପ୍ରସ୍ତାବ ଦେଲେ। ‘ପଇସା ପାଇଁ ବିଜ୍ଞାପନ ଜରିଆରେ ଲୋକଙ୍କୁ ଭ୍ରମିତ କରିବାକୁ ମୋ ଅନ୍ତରାତ୍ମା ମୋତେ ବାରଣ କରୁଛି’ କହି ବିନମ୍ରତାର ସହ ପ୍ରସ୍ତାବଟିକୁ ପ୍ରତ୍ୟାଖ୍ୟାନ କଲେ ସେ। ଆଉ ଗୋଟିଏ କଥା, ଯେମିତି ସଫେଦ ପୋଷାକ-ପରିଧାନରେ ପ୍ରତିଫଳିତ ହୁଏନାହିଁ ଆମର ସ୍ବଚ୍ଛପଣ ସେମିତି ବି ଉଚ୍ଚତାରେ ନ ଥାଏ ଉଞ୍ଚାପଣ। ତାହା ନିହିତ ଥାଏ ନୈତିକତା ପ୍ରତି ନିଷ୍ଠା ପ୍ରଦର୍ଶନରେ, ଅନ୍ୟାୟ ପ୍ରତି ଶୂନ୍ୟ ସହନଶୀଳତାରେ। ଅତଏବ, ବିବେକକୁ ଉଜାଗର ରଖି ଆମେ ସଭିଏ ନିଜେ ନିଜକୁ ପଚାରିବା ଉଚିତ, ସମାଜର ପାପାଚାର, ଅନାଚାର, କୁବୃତ୍ତି ବୃଦ୍ଧିରେ, ପ୍ରତ୍ୟକ୍ଷ ଅବା ପରୋକ୍ଷରେ, ଆମର କିଛି ଭୂମିକା ନାହିଁ ତ? ଅତଏବ ଆସନ୍ତୁ ନିଜ ଅନ୍ତରାତ୍ମାର ଡାକକୁ ଶୁଣି, ସୁନ୍ଦର ସମାଜଟିଏ ରଚିବାକୁ ପ୍ରଯତ୍ନ କରିବା।
ଗୋଡିଶୂଳ, ସଜନାଗଡ଼, ବାଲେଶ୍ୱର, ମୋ:୯୪୩୭୪୩୬୦୭୩,
unbiswal05@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭୋଟ ପାଇଁ ନିମନ୍ତ୍ରଣ ପତ୍ର। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି! ହେଲେ ଏହା କୌଣସି ମନଗଢ଼ା କଥା ନୁହେଁ, ବରଂ ପ୍ରତି ଘରେ ଘରେ...

ଶାନ୍ତି ପ୍ରତିଷ୍ଠାରେ ଭିଟୋ ବାଧକ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା ଏବଂ ବିପୁଳ ଧନଜୀବନ କ୍ଷୟରୁ ଶିକ୍ଷାଲାଭକରି ପୃଥିବୀରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ୫ ପ୍ରମୁଖ ରାଷ୍ଟ୍ର ଯଥା-ବ୍ରିଟେନ୍‌,...

ବ୍ୟକ୍ତି ନୁହେଁ, ଦେଶ ସର୍ବୋପର

ବୃହସ୍ପତି ସାମଲ ଆରମ୍ଭରୁ ମୌର୍ଯ୍ୟ, ଗୁପ୍ତ, ଚୋଳ, ଚାଲୁକ୍ୟ, କୁଶାଣଙ୍କ ଭଳି ବ଼ଂଶାନୁକ୍ରମିକ ରାଜାରାଜୁଡ଼ା ଶାସନ ପରେ ବାହ୍ୟ ଆକ୍ରମଣକାରୀ ଖିଲ୍ଲିଜ, ତୋଗଲକ ଓ ମୋଗଲ...

କାନାଡ଼ାରେ ଶିଖ୍‌

ଭାରତ ଓ କାନାଡ଼ା ସମ୍ପର୍କ ପୁଣି ବିଗିଡ଼ିବାରେ ଲାଗିଲାଣି। ୨୦୨୩ ଜୁନ୍‌ରେ କାନାଡ଼ାର ବ୍ରିଟିଶ କଲମ୍ବିଆସ୍ଥିତ ଏକ ଗୁରୁଦ୍ୱାରାରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ କୁହାଯାଉଥିବା ହରଦୀପ ସିଂ...

ଏଇ ଭାରତରେ

ଉତ୍ତରପ୍ରଦେଶର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ବିକାଶ ନାୟକ ଇକୋଟୁରିଜମ୍‌କୁ ପ୍ରୋତ୍ସାହିତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବଡ଼ କଥା ହେଉଛି ଏକ...

ତୁମ ଆଡ଼େ କେମିତ

ଡ. ଦ୍ୱିତୀ ଚନ୍ଦ୍ର ସାହୁ ସକାଳୁ ସକାଳୁ ମନେ ପଡ଼ିଗଲା କି କ’ଣ ଦୂର ବାଟ ବନ୍ଧୁ ଜଣେ ଫୋନ୍‌ କଲେ। ଚାଲି ଚାଲି ମୋବାଇଲର...

ଓଡ଼ିଶାରେ ଭାଷା

ଲୋକନାଥ ପଣ୍ଡା ଫେବୃଆରୀ ମାସରେ ତିନିଦିନ ଧରି ଭୁବନେଶ୍ୱରଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ...

ଓଡ଼ିଆପ୍ରେମୀ ନାହାନ୍ତି

ଓଡ଼ିଶାରେ ନିର୍ବାଚନ ଚାଲିଥିବା ବେଳେ ଏବେ ‘ଅସ୍ମିତା’ ସର୍ବାଧିକ ବ୍ୟବହୃତ ଶବ୍ଦ ପାଲଟିଯାଇଛି। ସବୁ ଦଳ ଏହି ପ୍ରସଙ୍ଗକୁ ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି। ସାହିତ୍ୟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri