ବ୍ୟାଙ୍କ ଡୁବିଲେ

ଆମେରିକାର ଅନ୍ୟତମ ବୃହତ୍‌ ବାଣିଜି୍ୟକ ବ୍ୟାଙ୍କ ସିଲିକନ୍‌ ଭ୍ୟାଲି ବ୍ୟାଙ୍କ (ଏସ୍‌ଭିବି) ବନ୍ଦ ହେବାର ଦୁଇ ଦିନ ପରେ ଅର୍ଥାତ୍‌ ୧୩ ମାର୍ଚ୍ଚ ୨୦୨୩ରେ ନ୍ୟୁୟର୍କର ସିଗ୍‌ନେଚର ବ୍ୟାଙ୍କ ବୁଡ଼ିଯାଇଛି। ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର କୁହାଯାଉଥିବା ଆମେରିକାର ଫେଡେରାଲ ରିଜର୍ଭ ସିଷ୍ଟମ୍‌ କ୍ରମାଗତ ସୁଧହାର ବଢ଼ାଇବାରୁ ତାହାର ସିଧାସଳଖ ପ୍ରଭାବ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଉପରେ ପଡ଼ିଛି। ବୃହତ୍‌ ଟେକ୍ନୋଲୋଜି କମ୍ପାନୀ ଓ ଷ୍ଟାର୍ଟଅପ୍‌ଗୁଡ଼ିକୁ ଋଣ ପ୍ରଦାନ କରିଆସୁଥିବା ବ୍ୟାଙ୍କ ଅର୍ଥ ପରିଚାଳନାରେ ବିଫଳ ହେବାରୁ କାଲିଫର୍ନିଆ ବ୍ୟାଙ୍କିଙ୍ଗ୍‌ ରେଗୁଲେଟର୍ସ ଏସ୍‌ଭିବିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା। ସେହିପରି କ୍ରିପ୍‌ଟୋ କ୍ଷେତ୍ର ଓ ଟେକ୍‌ ଷ୍ଟାର୍ଟଅପ୍‌ଗୁଡ଼ିକୁ ବିପୁଳ ପରିମାଣରେ ଋଣ ଯୋଗାଇଥିବା ସିଗ୍‌ନେଚର ବ୍ୟାଙ୍କ ମଧ୍ୟ ଅନୁରୂପ ସମସ୍ୟାର ସମ୍ମୁଖୀନ ହେବାରୁ ତା’ର କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଛି। ତେବେ ଏହି ଦୁଇ ବ୍ୟାଙ୍କରେ ଅର୍ଥ ଜମା କରିଥିବା ଗ୍ରାହକ ବ୍ୟତିବ୍ୟସ୍ତ ହେବାରୁ ସେମାନଙ୍କୁ ଆମେରିକା କର୍ତ୍ତୃପକ୍ଷ ଆଶ୍ୱାସନା ଦେଇଛନ୍ତି। ଇତିମଧ୍ୟରେ ଏସ୍‌ଭିବି ଜମାକାରୀଙ୍କୁ ଅର୍ଥ ଫେରସ୍ତ କରାଗଲାଣି ବୋଲି ଆମେରିକା ଟ୍ରେଜେରି ପକ୍ଷରୁ କୁହାଯାଇଛି। ଆମେରିକା ଫେଡେରାଲ ରିଜର୍ଭ ମଧ୍ୟ କହିଛି ଯେ, ଦୁଇ ବ୍ୟାଙ୍କର ସମସ୍ତ ଜମାକାରୀ ସମ୍ପୂର୍ଣ୍ଣ ଅର୍ଥ ଫେରିପାଇବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ବ୍ୟାଙ୍କିଙ୍ଗ୍‌ ସଙ୍କଟ ନେଇ ବିଚଳିତ ହୋଇପଡ଼ିଛନ୍ତି। କେଉଁ କାରଣ ଯୋଗୁ ଏଭଳି ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି ତାହାର ତର୍ଜମା କରାଯିବା ସହିତ ଭବିଷ୍ୟତରେ କିଭଳି ଆର୍ଥିକ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରାଯାଇପାରିବ ସେ ନେଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
କୋଭିଡ୍‌ ୧୯ ଯୋଗୁ ବିଶ୍ୱବ୍ୟାପୀ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି। ମହାମାରୀ ସମୟ ପ୍ରଯୁକ୍ତି ସଂଲଗ୍ନ ଡିଜିଟାଲ କ୍ଷେତ୍ର ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଇଥିଲା। ଫଳରେ ନୂଆ ଷ୍ଟାର୍ଟଅପ୍‌ଗୁଡ଼ିକ ସୃଷ୍ଟି ହୋଇ ଉପରଲିଖିତ ବ୍ୟାଙ୍କରୁ ଅର୍ଥ ନେବାରେ ଲାଗିଲେ। ଲୋକେ ବହୁଳ ମାତ୍ରାରେ ଗାଜେଟ୍‌ କିଣିବା ସହିତ ଡିଜିଟାଲ ସର୍ଭିସ୍‌ରେ ଅର୍ଥ ଖର୍ଚ୍ଚ କରିବାରେ ଲାଗିଗଲେ। ଏହାଦ୍ୱାରା ଷ୍ଟାର୍ଟଅପ୍‌ଗୁଡ଼ିକ ଲାଭ କରିବାରୁ ବ୍ୟାଙ୍କରେ ଅଧିକ ଅର୍ଥ ଜମା ହେଲା। ତେଣୁ ସ୍ବଳ୍ପ ସମୟରେ ଏହି ବ୍ୟାଙ୍କଦ୍ୱୟ ଅଧିକ ଲାଭ ପାଇବା ଆଶା କରି ନିଜ ଅର୍ଥକୁ ଦୀର୍ଘମିଆଦୀ ଆମେରିକୀୟ ସରକାରୀ ବଣ୍ଡ୍‌ରେ ବିନିଯୋଗ କରିଚାଲିଲେ। ଯେତେବେଳେ ଦେଶରେ ମୁଦ୍ରାସ୍ଫୀତି ବଢ଼ିବାରେ ଲାଗିଲା ତାହାକୁ ନିୟନ୍ତ୍ରଣକୁ ଆଣିବା ସକାଶେ ଫେଡେରାଲ ରିଜର୍ଭ ସୁଧହାର କ୍ରମାଗତ ବଢ଼ାଇ ଚାଲିଲା। ହେଲେ ସେହି ବଣ୍ଡ୍‌ଗୁଡ଼ିକ ବନ୍ଧକଜନିତ ହୋଇଥିବାରୁ ତାହା ଠିକ୍‌ ଭାବେ କାମ ଦେଲାନି। ଅର୍ଥନୀତିର ନିୟମ ଅନୁଯାୟୀ ସୁଧହାର ସହିତ ବଣ୍ଡ୍‌ର ବିପରୀତ ସମ୍ପର୍କ ରହିଛି। ସରଳ ଭାଷାରେ କହିଲେ ସୁଧହାର ବଢ଼ିଲେ ବଣ୍ଡ୍‌ର ମୂଲ୍ୟ କମିଥାଏ ଓ ସୁଧହାର କମିଲେ ବଣ୍ଡ୍‌ର ମୂଲ୍ୟ ବୃଦ୍ଧି ପାଏ। ଯେହେତୁ ଏହି ଦୁଇ ବ୍ୟାଙ୍କ ପର୍ଯ୍ୟାପ୍ତ ପରିମାଣର ସରକାରୀ ବଣ୍ଡ୍‌ କିଣି ଦେଇଥିଲେ ତାହାର ମୂଲ୍ୟ ହ୍ରାସ ହେବାରୁ ସମ୍ଭାଳିପାରିଲେ ନାହିଁ। ଭାରତରେ ରୁଗ୍‌ଣ ହେଉଥିବା ବ୍ୟାଙ୍କଗୁଡ଼ିକୁ ଟିକସଦାତାଙ୍କ ଅର୍ଥକୁ ବ୍ୟବହାର କରାଯାଇ ଯେଭଳି ସହଜରେ ବେଲ୍‌ଆଉଟ୍‌ ପ୍ୟାକେଜ ଦିଆଯାଉଛି, ସେଭଳି ବ୍ୟବସ୍ଥା ଆମେରିକାରେ ଗ୍ରହଣୀୟ ନୁହେଁ। ଏମିତି ଦେଖିଲେ ଡିଜିଟାଲ ଶିଳ୍ପ ମଧ୍ୟ ପୂର୍ବ ଭଳି ଉପରକୁ ଉଠିପାରୁ ନାହିଁ। ମୋଟାମୋଟି ଭାବେ କହିଲେ ଆମେରିକାର ସେହି ବ୍ୟାଙ୍କଗୁଡ଼ିକର ଭୁଲ୍‌ ପୁଞ୍ଜିଲଗାଣ ନିଷ୍ପତ୍ତି ସେଗୁଡ଼ିକୁ ଡୁବାଇଦେଲା।
ଭାରତ କଥା ଦେଖିଲେ ଏଠାରେ ବ୍ୟାଙ୍କଗୁଡ଼ିକ ପାଇଁ ସ୍ବତନ୍ତ୍ର ଆର୍ଥିକ ନୀତି କ’ଣ, କୌଣସି ନୀତି ଥିବା ଭଳି ମନେହୁଏ ନାହିଁ। ବୃହତ୍‌ କର୍ପୋରେଟ୍‌ ସଂସ୍ଥା ଏବଂ ନକଲି ଦଲିଲ ଦେଖାଇ ବଡ଼ ଠକମାନେ ବ୍ୟାଙ୍କରୁ ଅନେକ କୋଟି ଟଙ୍କାର ଋଣ ନେବାରେ ସକ୍ଷମ ହୋଇଥାଆନ୍ତି। କେବଳ ବ୍ୟାଙ୍କ କର୍ମଚାରୀଙ୍କ ସହଯୋଗ ମିଳବାରୁ ଠକମାନେ ସେମାନଙ୍କ ଲକ୍ଷ୍ୟ ହାସଲ କରିପାରୁଛନ୍ତି। ଦେଶରେ ମୁଦ୍ରାସ୍ଫୀତିକୁ ରୋକିବା ଲାଗି ରିଜର୍ଭ ବ୍ୟାଙ୍କ କ୍ରମାଗତ ରେପୋ ରେଟ୍‌ ବଢ଼ାଇ ଋଣଗ୍ରହୀତାଙ୍କଠାରୁ ପର୍ଯ୍ୟାପ୍ତ ସୁଧ ନେଇ ସାରିଲାଣି। ତଥାପି ମୁଦ୍ରାସ୍ଫୀତି ବୋଲ ମାନୁନାହିଁ। ଏହା ସତ୍ତ୍ୱେ ସରକାରୀ ଆଶ୍ୱସ୍ତି ରହୁଛି ଯେ, ଭାରତୀୟ ଅର୍ଥନୀତି ତଥାପି ବଳିଷ୍ଠ ଅଛି। ଆମେରିକା ଭଳି ଏକ ବ୍ୟବସ୍ଥିତ ଅର୍ଥନୀତି ଯେତେବେଳେ ସାମ୍ପ୍ରତିକ ସ୍ଥିତିରେ ଟଳିପଡ଼ିଲାଣି, ସେତେବେଳେ ଭାରତର ନିୟନ୍ତ୍ରକମାନେ ସ୍ଥାଣୁ ହୋଇ ବସିଛନ୍ତି। ଆମେରିକାର ଜମାକାରୀଙ୍କୁ ସେଠାକାର କର୍ତ୍ତୃପକ୍ଷ ଅର୍ଥ ଫେରାଇବା ସହ ଆଶ୍ୱାସନା ମଧ୍ୟ ଦେଉଛନ୍ତି। ହେଲେ ଭାରତରେ ଅନୁରୂପ ସ୍ଥିତି ଉପୁଜିଲେ ଏଠାକାର ଅର୍ଥନୀତିର ଢାଞ୍ଚା ଦେଖିଲେ ଜମାକାରୀ ସମ୍ପୂର୍ଣ୍ଣ ଅସୁରକ୍ଷିତ। ପଞ୍ଜାବ ଆଣ୍ଡ୍‌ ମହାରାଷ୍ଟ୍ର କୋଅପରେଟିଭ୍‌ ବ୍ୟାଙ୍କ (ପିଏମ୍‌ସି) ଦେବାଳିଆ ହେବା ପରେ ଏହାର ଜମାକାରୀମାନେ ଲଗାଣ ଅର୍ଥ ଫେରିପାଇପାରିଲେ ନାହିଁ। କେବଳ ବ୍ୟାଙ୍କ ନୁହେଁ, ପୁଞ୍ଜି ବଜାରରେ ଭାରତୀୟ ବ୍ୟବସ୍ଥା ଅକାମୀ ହୋଇଯାଇଛି ବୋଲି ହିଣ୍ଡେନ୍‌ବର୍ଗ-ଆଦାନୀ ଘଟଣାରୁ ପ୍ରମାଣିତ ହୋଇଛି। ଏତେବଡ଼ ଆର୍ଥିକ ସମସ୍ୟା ଉପୁଜିବା ସତ୍ତ୍ୱେ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି) ଭଳି ନିୟନ୍ତ୍ରକ ସମ୍ପୂର୍ଣ୍ଣ ଭାବେ ସ୍ଥାଣୁ ପାଲଟିଯାଇଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri