ବ୍ୟାଙ୍କ ଡୁବିଲେ

ଆମେରିକାର ଅନ୍ୟତମ ବୃହତ୍‌ ବାଣିଜି୍ୟକ ବ୍ୟାଙ୍କ ସିଲିକନ୍‌ ଭ୍ୟାଲି ବ୍ୟାଙ୍କ (ଏସ୍‌ଭିବି) ବନ୍ଦ ହେବାର ଦୁଇ ଦିନ ପରେ ଅର୍ଥାତ୍‌ ୧୩ ମାର୍ଚ୍ଚ ୨୦୨୩ରେ ନ୍ୟୁୟର୍କର ସିଗ୍‌ନେଚର ବ୍ୟାଙ୍କ ବୁଡ଼ିଯାଇଛି। ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର କୁହାଯାଉଥିବା ଆମେରିକାର ଫେଡେରାଲ ରିଜର୍ଭ ସିଷ୍ଟମ୍‌ କ୍ରମାଗତ ସୁଧହାର ବଢ଼ାଇବାରୁ ତାହାର ସିଧାସଳଖ ପ୍ରଭାବ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଉପରେ ପଡ଼ିଛି। ବୃହତ୍‌ ଟେକ୍ନୋଲୋଜି କମ୍ପାନୀ ଓ ଷ୍ଟାର୍ଟଅପ୍‌ଗୁଡ଼ିକୁ ଋଣ ପ୍ରଦାନ କରିଆସୁଥିବା ବ୍ୟାଙ୍କ ଅର୍ଥ ପରିଚାଳନାରେ ବିଫଳ ହେବାରୁ କାଲିଫର୍ନିଆ ବ୍ୟାଙ୍କିଙ୍ଗ୍‌ ରେଗୁଲେଟର୍ସ ଏସ୍‌ଭିବିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା। ସେହିପରି କ୍ରିପ୍‌ଟୋ କ୍ଷେତ୍ର ଓ ଟେକ୍‌ ଷ୍ଟାର୍ଟଅପ୍‌ଗୁଡ଼ିକୁ ବିପୁଳ ପରିମାଣରେ ଋଣ ଯୋଗାଇଥିବା ସିଗ୍‌ନେଚର ବ୍ୟାଙ୍କ ମଧ୍ୟ ଅନୁରୂପ ସମସ୍ୟାର ସମ୍ମୁଖୀନ ହେବାରୁ ତା’ର କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଛି। ତେବେ ଏହି ଦୁଇ ବ୍ୟାଙ୍କରେ ଅର୍ଥ ଜମା କରିଥିବା ଗ୍ରାହକ ବ୍ୟତିବ୍ୟସ୍ତ ହେବାରୁ ସେମାନଙ୍କୁ ଆମେରିକା କର୍ତ୍ତୃପକ୍ଷ ଆଶ୍ୱାସନା ଦେଇଛନ୍ତି। ଇତିମଧ୍ୟରେ ଏସ୍‌ଭିବି ଜମାକାରୀଙ୍କୁ ଅର୍ଥ ଫେରସ୍ତ କରାଗଲାଣି ବୋଲି ଆମେରିକା ଟ୍ରେଜେରି ପକ୍ଷରୁ କୁହାଯାଇଛି। ଆମେରିକା ଫେଡେରାଲ ରିଜର୍ଭ ମଧ୍ୟ କହିଛି ଯେ, ଦୁଇ ବ୍ୟାଙ୍କର ସମସ୍ତ ଜମାକାରୀ ସମ୍ପୂର୍ଣ୍ଣ ଅର୍ଥ ଫେରିପାଇବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ବ୍ୟାଙ୍କିଙ୍ଗ୍‌ ସଙ୍କଟ ନେଇ ବିଚଳିତ ହୋଇପଡ଼ିଛନ୍ତି। କେଉଁ କାରଣ ଯୋଗୁ ଏଭଳି ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି ତାହାର ତର୍ଜମା କରାଯିବା ସହିତ ଭବିଷ୍ୟତରେ କିଭଳି ଆର୍ଥିକ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରାଯାଇପାରିବ ସେ ନେଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
କୋଭିଡ୍‌ ୧୯ ଯୋଗୁ ବିଶ୍ୱବ୍ୟାପୀ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି। ମହାମାରୀ ସମୟ ପ୍ରଯୁକ୍ତି ସଂଲଗ୍ନ ଡିଜିଟାଲ କ୍ଷେତ୍ର ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଇଥିଲା। ଫଳରେ ନୂଆ ଷ୍ଟାର୍ଟଅପ୍‌ଗୁଡ଼ିକ ସୃଷ୍ଟି ହୋଇ ଉପରଲିଖିତ ବ୍ୟାଙ୍କରୁ ଅର୍ଥ ନେବାରେ ଲାଗିଲେ। ଲୋକେ ବହୁଳ ମାତ୍ରାରେ ଗାଜେଟ୍‌ କିଣିବା ସହିତ ଡିଜିଟାଲ ସର୍ଭିସ୍‌ରେ ଅର୍ଥ ଖର୍ଚ୍ଚ କରିବାରେ ଲାଗିଗଲେ। ଏହାଦ୍ୱାରା ଷ୍ଟାର୍ଟଅପ୍‌ଗୁଡ଼ିକ ଲାଭ କରିବାରୁ ବ୍ୟାଙ୍କରେ ଅଧିକ ଅର୍ଥ ଜମା ହେଲା। ତେଣୁ ସ୍ବଳ୍ପ ସମୟରେ ଏହି ବ୍ୟାଙ୍କଦ୍ୱୟ ଅଧିକ ଲାଭ ପାଇବା ଆଶା କରି ନିଜ ଅର୍ଥକୁ ଦୀର୍ଘମିଆଦୀ ଆମେରିକୀୟ ସରକାରୀ ବଣ୍ଡ୍‌ରେ ବିନିଯୋଗ କରିଚାଲିଲେ। ଯେତେବେଳେ ଦେଶରେ ମୁଦ୍ରାସ୍ଫୀତି ବଢ଼ିବାରେ ଲାଗିଲା ତାହାକୁ ନିୟନ୍ତ୍ରଣକୁ ଆଣିବା ସକାଶେ ଫେଡେରାଲ ରିଜର୍ଭ ସୁଧହାର କ୍ରମାଗତ ବଢ଼ାଇ ଚାଲିଲା। ହେଲେ ସେହି ବଣ୍ଡ୍‌ଗୁଡ଼ିକ ବନ୍ଧକଜନିତ ହୋଇଥିବାରୁ ତାହା ଠିକ୍‌ ଭାବେ କାମ ଦେଲାନି। ଅର୍ଥନୀତିର ନିୟମ ଅନୁଯାୟୀ ସୁଧହାର ସହିତ ବଣ୍ଡ୍‌ର ବିପରୀତ ସମ୍ପର୍କ ରହିଛି। ସରଳ ଭାଷାରେ କହିଲେ ସୁଧହାର ବଢ଼ିଲେ ବଣ୍ଡ୍‌ର ମୂଲ୍ୟ କମିଥାଏ ଓ ସୁଧହାର କମିଲେ ବଣ୍ଡ୍‌ର ମୂଲ୍ୟ ବୃଦ୍ଧି ପାଏ। ଯେହେତୁ ଏହି ଦୁଇ ବ୍ୟାଙ୍କ ପର୍ଯ୍ୟାପ୍ତ ପରିମାଣର ସରକାରୀ ବଣ୍ଡ୍‌ କିଣି ଦେଇଥିଲେ ତାହାର ମୂଲ୍ୟ ହ୍ରାସ ହେବାରୁ ସମ୍ଭାଳିପାରିଲେ ନାହିଁ। ଭାରତରେ ରୁଗ୍‌ଣ ହେଉଥିବା ବ୍ୟାଙ୍କଗୁଡ଼ିକୁ ଟିକସଦାତାଙ୍କ ଅର୍ଥକୁ ବ୍ୟବହାର କରାଯାଇ ଯେଭଳି ସହଜରେ ବେଲ୍‌ଆଉଟ୍‌ ପ୍ୟାକେଜ ଦିଆଯାଉଛି, ସେଭଳି ବ୍ୟବସ୍ଥା ଆମେରିକାରେ ଗ୍ରହଣୀୟ ନୁହେଁ। ଏମିତି ଦେଖିଲେ ଡିଜିଟାଲ ଶିଳ୍ପ ମଧ୍ୟ ପୂର୍ବ ଭଳି ଉପରକୁ ଉଠିପାରୁ ନାହିଁ। ମୋଟାମୋଟି ଭାବେ କହିଲେ ଆମେରିକାର ସେହି ବ୍ୟାଙ୍କଗୁଡ଼ିକର ଭୁଲ୍‌ ପୁଞ୍ଜିଲଗାଣ ନିଷ୍ପତ୍ତି ସେଗୁଡ଼ିକୁ ଡୁବାଇଦେଲା।
ଭାରତ କଥା ଦେଖିଲେ ଏଠାରେ ବ୍ୟାଙ୍କଗୁଡ଼ିକ ପାଇଁ ସ୍ବତନ୍ତ୍ର ଆର୍ଥିକ ନୀତି କ’ଣ, କୌଣସି ନୀତି ଥିବା ଭଳି ମନେହୁଏ ନାହିଁ। ବୃହତ୍‌ କର୍ପୋରେଟ୍‌ ସଂସ୍ଥା ଏବଂ ନକଲି ଦଲିଲ ଦେଖାଇ ବଡ଼ ଠକମାନେ ବ୍ୟାଙ୍କରୁ ଅନେକ କୋଟି ଟଙ୍କାର ଋଣ ନେବାରେ ସକ୍ଷମ ହୋଇଥାଆନ୍ତି। କେବଳ ବ୍ୟାଙ୍କ କର୍ମଚାରୀଙ୍କ ସହଯୋଗ ମିଳବାରୁ ଠକମାନେ ସେମାନଙ୍କ ଲକ୍ଷ୍ୟ ହାସଲ କରିପାରୁଛନ୍ତି। ଦେଶରେ ମୁଦ୍ରାସ୍ଫୀତିକୁ ରୋକିବା ଲାଗି ରିଜର୍ଭ ବ୍ୟାଙ୍କ କ୍ରମାଗତ ରେପୋ ରେଟ୍‌ ବଢ଼ାଇ ଋଣଗ୍ରହୀତାଙ୍କଠାରୁ ପର୍ଯ୍ୟାପ୍ତ ସୁଧ ନେଇ ସାରିଲାଣି। ତଥାପି ମୁଦ୍ରାସ୍ଫୀତି ବୋଲ ମାନୁନାହିଁ। ଏହା ସତ୍ତ୍ୱେ ସରକାରୀ ଆଶ୍ୱସ୍ତି ରହୁଛି ଯେ, ଭାରତୀୟ ଅର୍ଥନୀତି ତଥାପି ବଳିଷ୍ଠ ଅଛି। ଆମେରିକା ଭଳି ଏକ ବ୍ୟବସ୍ଥିତ ଅର୍ଥନୀତି ଯେତେବେଳେ ସାମ୍ପ୍ରତିକ ସ୍ଥିତିରେ ଟଳିପଡ଼ିଲାଣି, ସେତେବେଳେ ଭାରତର ନିୟନ୍ତ୍ରକମାନେ ସ୍ଥାଣୁ ହୋଇ ବସିଛନ୍ତି। ଆମେରିକାର ଜମାକାରୀଙ୍କୁ ସେଠାକାର କର୍ତ୍ତୃପକ୍ଷ ଅର୍ଥ ଫେରାଇବା ସହ ଆଶ୍ୱାସନା ମଧ୍ୟ ଦେଉଛନ୍ତି। ହେଲେ ଭାରତରେ ଅନୁରୂପ ସ୍ଥିତି ଉପୁଜିଲେ ଏଠାକାର ଅର୍ଥନୀତିର ଢାଞ୍ଚା ଦେଖିଲେ ଜମାକାରୀ ସମ୍ପୂର୍ଣ୍ଣ ଅସୁରକ୍ଷିତ। ପଞ୍ଜାବ ଆଣ୍ଡ୍‌ ମହାରାଷ୍ଟ୍ର କୋଅପରେଟିଭ୍‌ ବ୍ୟାଙ୍କ (ପିଏମ୍‌ସି) ଦେବାଳିଆ ହେବା ପରେ ଏହାର ଜମାକାରୀମାନେ ଲଗାଣ ଅର୍ଥ ଫେରିପାଇପାରିଲେ ନାହିଁ। କେବଳ ବ୍ୟାଙ୍କ ନୁହେଁ, ପୁଞ୍ଜି ବଜାରରେ ଭାରତୀୟ ବ୍ୟବସ୍ଥା ଅକାମୀ ହୋଇଯାଇଛି ବୋଲି ହିଣ୍ଡେନ୍‌ବର୍ଗ-ଆଦାନୀ ଘଟଣାରୁ ପ୍ରମାଣିତ ହୋଇଛି। ଏତେବଡ଼ ଆର୍ଥିକ ସମସ୍ୟା ଉପୁଜିବା ସତ୍ତ୍ୱେ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି) ଭଳି ନିୟନ୍ତ୍ରକ ସମ୍ପୂର୍ଣ୍ଣ ଭାବେ ସ୍ଥାଣୁ ପାଲଟିଯାଇଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri