୨୨ବର୍ଷର ଲୁଚକାଳି ଶେଷ

ଭୁବନେଶ୍ୱର(ବ୍ୟୁରୋ)/ କଟକ ଅଫିସ୍‌,୨୩।୨(ବ୍ୟୁରୋ):  ଶେଷ ହୋଇଛି ୨୨ବର୍ଷର ଲୁଚକାଳି ଖେଳ। ୧୯୯୯ ଜାନୁୟାରୀ ୯ତାରିଖ ରାତିରେ ଅଞ୍ଜନା ମିଶ୍ରଙ୍କୁ ଗଣବଳାତ୍କାର କରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ନିଜ ନାମ ଓ ପରିଚୟ ପରିବର୍ତ୍ତନ କରି ମହାରାଷ୍ଟ୍ର ଆମ୍ବିଭ୍ୟାଲିରେ ରହୁଥିବା ବିବନଙ୍କୁ ସିବିଆଇ କୋର୍ଟରେ ହାଜର କରାଯାଇଛି। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇଦିଆଯାଇଛି। ବିଳମ୍ବରେ ହେଲେ ବି ପୋଲିସର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପୀଡ଼ିତା ଅଞ୍ଜନା।
କଟକ ଡିସିପି କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରତାଦା ସମ୍ମିଳନୀରେ ପୋଲିସ କମିଶନର(ସିପି) ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇ କହିଛନ୍ତି ଯେ, ୧୯୯୯ ଜାନୁୟାରୀ ୯ରେ ଜଣେ ସାମ୍ବାଦିକ ବନ୍ଧୁଙ୍କ ସହ ଅଞ୍ଜନା ଭୁବନେଶ୍ୱରରୁ କଟକ ଯାଉଥିବାବେଳେ ବାରଙ୍ଗ ନିକଟରେ
୩ଜଣ ଅଭିଯୁକ୍ତ ସେମାନଙ୍କୁ ଅଟକାଇ ମାରଣାସ୍ତ୍ର ଦେଖାଇବା ସହ ଗଣବଳାତ୍କାର କରିଥିଲେ। ଉକ୍ତ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ପ୍ରଦୀପ ସାହୁ ଓରଫ ପଦିଆ ଏବଂ ଧୀରେନ୍ଦ୍ର ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ପାଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଫେରାର ଥିଲେ। ଉକ୍ତ ଘଟଣାର ତଦନ୍ତ ସିବିଆଇ କରୁଥିଲେ ମଧ୍ୟ ବିବନଙ୍କୁ ଗିରଫ କରିବାରେ ସଫଳ ହୋଇପାରି ନ ଥିଲା। ଶେଷରେ କମିଶନରେଟ୍‌ ପୋଲିସ ଅପରେଶନ୍‌ ‘ସାଇଲେଣ୍ଟ ଭାଇପର’ ମାଧ୍ୟମରେ ମହାରାଷ୍ଟ୍ର ଆମ୍ବିଭ୍ୟାଲିରୁ ତାଙ୍କୁ ଗିରଫ କରିଥିଲା। ବିବନ ଦୀର୍ଘଦିନ ହେବ ସେଠାରେ ପରିଚୟ ବଦଳାଇ ଏକ କମ୍ପାନୀରେ ପାଣି ପାଇପ ମିସ୍ତ୍ରିଭାବେ କାର୍ଯ୍ୟ କରୁଥିଲେ। ନିଜକୁ ଜଳନ୍ଧର ସ୍ବାଇଁ ଭାବେ ପରିଚୟ ଦେଇ ସେଠାରେ ରହୁଥିଲେ। ଏନେଇ ବିଶେଷ ସୂତ୍ରରୁ ଖବର ପାଇବା ପରେ ପୋଲିସ କମିଶନର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ୪ଜଣିଆ ସ୍ପେଶାଲ ଟିମ୍‌ ମହାରାଷ୍ଟ୍ର ପୁଣେ ଆମ୍ବିଭ୍ୟାଲି ଯାଇ ବିବନଙ୍କୁ କାବୁ କରିଥିଲା।
ଅଞ୍ଜନା ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ୨ଜଣଙ୍କ ମଧ୍ୟରୁ ପ୍ରଦୀପଙ୍କ ଗତବର୍ଷ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଅନ୍ୟତମ ଅଭିଯୁକ୍ତ ଧୀରେନ୍ଦ୍ରଙ୍କୁ ୩ମାସ ତଳେ ସିପି ଷଡ଼ଙ୍ଗୀ ଚୌଦ୍ୱାର ଜେଲ୍‌ରେ ଭେଟିଥିଲେ। ସେଠାରେ ଧୀରେନ୍ଦ୍ରଙ୍କ ସହଯୋଗୀ ବିବନଙ୍କୁ ବିକେ(ବାରଙ୍ଗ କିଙ୍ଗ) ନାରେ ଡାକୁଥିବା ଜାଣିବାକୁ ପାଇଥିଲେ। ଏହାପରେ ମୁଖ୍ୟ ଅଭିଯୁକ୍ତ ବିବନଙ୍କୁ ଧରିବା ପାଇଁ ‘ସାଇଲେଣ୍ଟ୍‌ ଭାଇପର’ ନାମକ ଏକ ଅପରେଶନ୍‌ ଆରମ୍ଭ କରାଯାଇଥିଲା। କଟକ ଡିସିପି ପ୍ରତୀକ ସିଂ, ଅତିରିକ୍ତ ଡିସିପି ପ୍ରମୋଦ ରଥ, ଇନ୍ସପେକ୍ଟର ସ୍ପେଶାଲ ସ୍କ୍ବାଡ୍‌ ଅଜୟ କୁମାର ଦାସ ଏବଂ ବାରଙ୍ଗ ପୋଲିସ ଷ୍ଟେଶନ ଆଇଆଇସି ଶଶିକାନ୍ତ ରାଉତଙ୍କୁ ନେଇ ଏକ ୪ଜଣିଆ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। କମିଶନର ବ୍ୟକ୍ତିଗତ ଭାବେ ଏହି ଅପରେଶନର ତଦାରଖ କରିଥିତ୍ଲେ। ତେବେ ତଦନ୍ତରୁ ମୁଖ୍ୟ ଅଭିଯୁକ୍ତ ବିବନ ମୁମ୍ବାଇ-ପୁଣେ ରାସ୍ତାରେ ଲୋନାଭାଲାର ଆମ୍ବିଭ୍ୟାଲିରେ ନାମ ପରିବର୍ତ୍ତନ କରି ଜଳନ୍ଧର ସ୍ବାଇଁ ଭାବେ ରହୁଛନ୍ତି ବୋଲି ଟିମ୍‌ ଜାଣିବାକୁ ପାଇଥିଲା। ସେ ୨୦୦୭ରୁ ସେଠାରେ ରହୁଥିବାବେଳେ ୨୦୧୧ରୁ ସ୍ଥାୟୀ ନିଯୁକ୍ତି ପାଇଛନ୍ତି। ଏମିତିକି ବିବନ ସେଠାରେ ନୂଆ ନାମରେ ସ୍ଥାୟୀ ଚାକିରି, ବ୍ୟାଙ୍କ ଆକାଉଣ୍ଟ ଓ ଆଧାର କାର୍ଡ ମଧ୍ୟ ଖୋଲି ସାରିଥିଲେ। ଚତୁରତାର ସହିତ ପୋଲିସ ଆଖିରେ ଧୂଳି ଦେଇ ବିବନ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗରେ ଥିଲେ। ଏପରି କି ଅନ୍ୟମାନଙ୍କ ମାଧ୍ୟମରେ ପରିବାରକୁ ସୂଚନା ପଠାଇବା ସହ ଟଙ୍କା ମଧ୍ୟ ଦେଉଥିଲେ। ବିବନ ନିଜ ନାମରେ ମୃତ୍ୟୁ ପ୍ରମାଣପତ୍ର କାଢିବାକୁ ପରିବାର ଲୋକଙ୍କୁ ବାରମ୍ବାର ବାଧ୍ୟ କରୁଥିଲେ। ସେ କାମ କରୁଥିବା କମ୍ପାନୀରେ ନିଜ ସ୍ଥାୟୀ ଠିକଣା ନରଣପୁର ଉଲ୍ଲେଖ କରିଥିଲେ। ଏହା ଜାଣିବା ପରେ ଟିମ୍‌ ଭୂ-ଲେଖରେ ଖୋଜିବାରୁ ଜଳନ୍ଧର ସ୍ବାଇଁ ନାମରେ କେହି ନରଣପୁର ଅଞ୍ଚଳରେ ରହୁ ନ ଥିବା ଜାଣିବାକୁ ମିଳିଥିଲା। ଏହାପରେ ବିବନ ବିଶ୍ୱାଳ ହିଁ ଜଲନ୍ଧର ବୋଲି ବିଶ୍ୱାସ ଦୃଢୀଭୂତ ହୋଇଥିଲା। ଏନେଇ ବାଦାମବାଡ଼ି ଆଇଆଇସି ରଶ୍ମି ରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ଫେବୃଆରୀ ୧୯ରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲା। ସେଠାରେ ପୁଣେ ଗ୍ରାମୀଣ ପୋଲିସର ଏସ୍‌ପି ଅଭିନାଭ ଦେଶମୁଖ୍‌ ଏବଂ ଏଏସ୍‌ପି ନବନୀତ କାନୱାଟଙ୍କ ସମର୍ଥନରେ ଜଲନ୍ଧରଙ୍କୁ ଖୋଜିବା ପାଇଁ ଓଡ଼ିଶା ପୋଲିସ ଏବଂ ମହାରାଷ୍ଟ୍ର ପୋଲିସର ଏକ ମିଳିତ ଟିମ୍‌ ଗଠନ କରାଯାଇଥିଲା। ଜଳନ୍ଧର ଆମ୍ବିଭ୍ୟାଲିଠାରୁ ପ୍ରାୟ ୨.୫ କିଲୋମିଟର ଦୂରରେ ଅବସ୍ଥିତ ଏକ ଘରେ ରହୁଥିବା ଜାଣିବାକୁ ମିଳିଥିଲା। ପୋଲିସ ତାଙ୍କୁ ଧରିବା ପାଇଁ ସାଦା ପୋଷାକରେ ସେଠାକୁ ଯାଇଥିଲା। ତେବେ ବିବନ ସାଧା ପୋଷାକରେ ଥିବା ପୋଲିସକୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। ହେଲେ ପୋଲିସ ତାଙ୍କୁ ମାଡି ବସିଥିଲା। ପୋଲିସ ତାଙ୍କୁ କାବୁ କରି ଓଡ଼ିଶା ଆଣିବାପରେ ତାଙ୍କୁ ସାକ୍ଷୀମାନେ ଚିହ୍ନଟ କରିଥିଲେ। ଏନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ସିବିଆଇକୁ ସୂଚନା ପଠାଯାଇଛି ବୋଲି କମିଶନର କହିଛନ୍ତି। ଏଥିସହ ସେ କହିଛନ୍ତି ଯେ, ଅଭିଯୁକ୍ତ ବିବନଙ୍କ ଗିରଫ ପାଇଁ ଘୋଷିତ ପୁରସ୍କାର ରାଶିକୁ ‘ସାଇଲେଣ୍ଟ ଭାଇପର’ ଅପରେଶନରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ପୁରସ୍କାର ଆକାରରେ ଦେବାକୁ କମିଶନରେଟ୍‌ ପୋଲିସ ସିବିଆଇକୁ ଚିଠି ଲେଖିବ ବୋଲି ସିପି ଷଡ଼ଙ୍ଗୀ କହିଛନ୍ତି।

 

ଅଭିଯୁକ୍ତ ବିବନଙ୍କୁ ଫାଶୀ ଦିଆଯାଉ

ଦୀର୍ଘ ୨୨ବର୍ଷ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଦୀର୍ଘବର୍ଷ ଧରି କଷ୍ଟ ଓ ଯନ୍ତ୍ରଣାରେ କଟିଛି। ତେଣୁ ଅଭିଯୁକ୍ତ ବିବନଙ୍କୁ ଫାଶୀ ଦିଆଯିବା ସହ ମତେ ନ୍ୟାୟ ମିଳୁବୋଲି କହିଛନ୍ତି ବଳାତ୍କାର ପୀଡ଼ିତା ଅଞ୍ଜନା ମିଶ୍ର। ସେ କହିଛନ୍ତି, ନ୍ୟାୟିକ ବ୍ୟବସ୍ଥାରେ ବିଳମ୍ବ ହୋଇଛି। ମାମଲାର ତଦନ୍ତ କରୁଥିବା ସିବିଆଇ ବି ଚୁପ ହୋଇ ବସିପଡ଼ିଥିଲା। ଏବେ ବିବନଙ୍କୁ ଗିରଫ କରିଥିବାରୁ କମିଶନରେଟ ପୋଲିସକୁ ଅଶେଷ ଧନ୍ୟବାଦ। ଘଟଣା ପରେ ତାଙ୍କୁ ବିଭିନ୍ନ ସମୟରେ ମାରିଦେବାକୁ ଚେଷ୍ଟା କରାଯାଇଥିଲା। କାହା ପ୍ରତି ଏଭଳି ଘଟଣା ଘଟିଲେ ତା’ର ଜୀବନ ବରବାଦ ହୋଇଯାଏ। ତେବେ ଏଥିରେ ଭାଙ୍ଗି ନ ପଡ଼ି ଲଢ଼େଇ କରିବାକୁ ବଳାତ୍କାର ପୀଡ଼ିତା ସାହସ କରିବା ଆବଶ୍ୟକ ବୋଲି ଅଞ୍ଜନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା କରି ଦିଆଯାଉଛି ଦୁର୍ଘଟଣାର ରୂପ

ନୂଆପଡ଼ା,୫।୭ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ କୋଟେନଚୁଆ ପଞ୍ଚାୟତ ତିଲେଇଝର ଗାଁରେ ଶୁକ୍ରବାର ରାତିରେ ଜଣେ ଯୁବକଙ୍କ ଟ୍ରାକ୍ଟରରୁ ପଡି ମୃତ୍ୟୁ ଘଟିଥିବା ଖରିଆର ରୋଡ…

ପୋଡ଼ମପେଟା ପରେ ଏବେ ଆର୍ଯ୍ୟପଲ୍ଲୀ: କୂଳ ଲଙ୍ଘୁଛି ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସମୁଦ୍ର କୂଳ କ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ପୋଡ଼ମପେଟା ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର କୂଳ…

ଡରାଇଲା IMD ର ଆକଳନ: ଓଡ଼ିଶାକୁ ରେଡ୍‌ ଆଲର୍ଟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ୱର, ୫ା୭(ବନ୍ଦନା ସେଠୀ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ଲଘୁଚାପ ଶନିବାର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବୀରମହାରାଜପୁର ପ୍ରବଳ ବର୍ଷା, ପୂର୍ବତନ ସରପଞ୍ଚଙ୍କ ଘରେ ପସିଲା ପାଣି

ବୀରମହାରାଜପୁର,୪।୭(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଶନିବାର ସାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ…

ଦଶମନ୍ତପୁରରେ ରେକର୍ଡ ଭାଙ୍ଗିଲା ବର୍ଷା

କୋରାପୁଟ/ନନ୍ଦପୁର,୪ା୭(ଅମିତାଭ ବେହେରା/ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସହରର ମିଶନ କମ୍ପାଉଣ୍ଡ ଛକରେ ଗଛ ପଡ଼ି ୨୬ ନଂ. ଜାତୀୟ ରାଜପଥ…

ଚିକିତ୍ସାରେ ଅବହେଳା, ପ୍ରସୂତିଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ଘଟଣାକୁ ଜିଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱର…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri