ଧୃତରାଷ୍ଟ୍ରୀୟ ପିତୃତ୍ୱ

ଅଧ୍ୟାପକ ନିରଞ୍ଜନ ପାଢ଼ୀ

ପିତୃତ୍ୱ ବୋଧହୁଏ ପ୍ରତ୍ୟେକ ପୁରୁଷ ଜୀବନ ପାଇଁ ଏକ ବାଞ୍ଛିତ ବରଦାନ। ସଭିଙ୍କୁ ପିତୃତ୍ୱର ମୁଗ୍ଧ ଅନୁଭବ ସବୁବେଳେ ସମ୍ମୋହିତ କରିଆସିଛି। ପ୍ରତ୍ୟେକ ସନ୍ତାନ ନିଜ ପିତାଙ୍କ ସତ୍ତାର ସଯତ୍ନ ଲାଳିତ ସନ୍ତକନାମା, ନିଜ ଅଚିର ଅସ୍ତିତ୍ୱର ସଙ୍କେତ ଓ ସମ୍ଭାବନା। ସୁତରାଂ, ମା’ ଗର୍ଭରୁ ଭୂମିଷ୍ଠ ହୋଇ ପୁଅଟି ପୃଥିବୀର ପ୍ରଥମ ଆଲୋକ ସଂସ୍ପର୍ଶରେ ଆସିବାଠାରୁ ସେ ନିଜେ ଶେଷ ଆଲୋକ ଦେଖିବାଯାଏ ପିତାଟିଏ ନିଜ ମଧ୍ୟରେ ତା’ ସନ୍ତାନକୁ ଦେଖୁଥାଏ ଓ ସନ୍ତାନ ମଧ୍ୟରେ ନିଜକୁ ଖୋଜୁଥାଏ। ସନ୍ତାନର ଦୀର୍ଘାୟୁ କାମନା କରି ସେ ମନ୍ଦିରରେ ପୂଜାପାଠ କରେ ଓ ତା’ର ଭବିଷ୍ୟତ ଗଢ଼ିବାକୁ ନିଜ ବର୍ତ୍ତମାନକୁ ଉଜାଡ଼ି ଦେଇଥାଏ। ପୁଅଟି ବୁଝୁ କି ନ ବୁଝୁ, ସେ ନିଜକୁ ବୁଝାଏ ଯେ, ତା’ ଜୀବନ ନିଜ ପାଇଁ ନୁହେଁ; ନିଜ ସନ୍ତାନ ପାଇଁ ହିଁ ଅଭିପ୍ରେତ!
ସୃଷ୍ଟିର ଏହି ସଚରାଚର ସଂଘଟନ ବାହାରେ କିଛି ପିତାଙ୍କ ଅନ୍ଧ ବାତ୍ସଲ୍ୟ ଏମିତି ଉତ୍କଟ ଭାବେ ସେମାନଙ୍କୁ ଆକ୍ରାନ୍ତ କରିଥାଏ ଯେ, ସେମାନଙ୍କ ସନ୍ତାନ ସଂସ୍କାରର ବାଟ ହୁଡ଼ି ଅବାଟରେ ପାଦ ବଢ଼ାଇଲେ ମଧ୍ୟ ଅତିରିକ୍ତ ପୁତ୍ରପ୍ରେମରେ ଏହା ତାଙ୍କୁ ଦେଖାଯାଏ ନାହିଁ, ଠିକ୍‌ ଧୃତରାଷ୍ଟ୍ରଙ୍କ ପରି। ଧୃତରାଷ୍ଟ୍ର କେବଳ ଶାରୀରିକ ଭାବେ ଚକ୍ଷୁହୀନ ନ ଥିଲେ। ନିଜ ସନ୍ତାନଙ୍କ ପ୍ରତି ଏକ ବିଚିତ୍ର ବାତ୍ସଲ୍ୟର ଅତିରିକ୍ତ ମୋହ ତାଙ୍କ ଚେତନାକୁ ଅନ୍ଧ କରିଦେଇଥିଲା। ତାଙ୍କ ଉଦଣ୍ଡ ସନ୍ତାନଙ୍କ ଉତ୍ପାତ ଅତି ଉତ୍କଟ ଭାବେ ଅନ୍ୟମାନଙ୍କ ଦ୍ୱାରା ଅନୁଭୂତ ହେଉଥିଲେ ବି ତାଙ୍କ ଆଖିରେ ସେମାନେ ଥିଲେ ସୁନାମୁଣ୍ଡା। ବ୍ୟକ୍ତିସ୍ବାର୍ଥର ବିଚାର ତାଙ୍କୁ ଏମିତି କବଳିତ କରି ରଖିଥିଲା ଯେ, ତାଙ୍କ ଅନ୍ତଃଚକ୍ଷୁ ମଧ୍ୟ ଅକାମୀ ହୋଇଯାଇଥିଲା। ବିଡ଼ମ୍ବନାର ବିଷୟ, ଧୃତରାଷ୍ଟ୍ରଙ୍କ ପିତୃତ୍ୱର ଦୃଷ୍ଟାନ୍ତ କେବଳ ସେକାଳର ମହାଭାରତ ସହ ସରିଯାଇନାହିଁ। ଏଯାଏ ବି ବହୁ ଧୃତରାଷ୍ଟ୍ର ଏଠି ଆତଯାତ ହେଉଛନ୍ତି।
ସେମିତି ଜଣେ ଧୃତରାଷ୍ଟ୍ରଙ୍କ କଥା। ଏ ଧୃତରାଷ୍ଟ୍ର ସେ ଧୃତରାଷ୍ଟ୍ରଙ୍କ ପରି ଶାରୀରିକ ଭାବେ ଚକ୍ଷୁହୀନ ନ ଥିଲେ ମଧ୍ୟ ନିଜ ପୁଅ ପାଇଁ ଅନ୍ଧ ବାତ୍ସଲ୍ୟରେ ଆକ୍ରାନ୍ତ ହୋଇ ସାମ୍ନାରେ ଥିବା ସତ୍ୟକୁ ଦେଖି ପାରୁନଥିଲେ। ତାଙ୍କ ଅନ୍ତଃଚକ୍ଷୁର ଅନ୍ଧତ୍ୱ ପାଇଁ ଜଣେ ପରିଚିତ ପଡ଼ୋଶୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଛି। କଥା ହେଲା, ଏହି ନବ୍ୟ ଧୃତରାଷ୍ଟ୍ରଙ୍କ ଦିବ୍ୟ ନନ୍ଦନ ଦୁର୍ଯ୍ୟୋଧନ ଏକ ନିଭୃତ ସ୍ଥାନରେ ସାଙ୍ଗମାନଙ୍କ ସହ ଗଞ୍ଜେଇ ସେବନ କରୁଥିବାବେଳେ ଏହି ବିଷମ ଦୃଶ୍ୟଟିକୁ ଦେଖିଲେ ଧୃତରାଷ୍ଟ୍ରଙ୍କ ଜଣେ ଶୁଭେଚ୍ଛୁ ବନ୍ଧୁ। ଆଗକୁ ବହୁ ପଥ ବାକି ରହିଥିବାବେଳେ ତାରୁଣ୍ୟର ଏହି ଅପଯାତ୍ରା ପିଲାଟି ପାଇଁ ଭୟଙ୍କର ହେବ ବୋଲି ବିଚାରି ସେ ଏକାନ୍ତରେ ନିଜ ବନ୍ଧୁଙ୍କୁ ଚେତାଇଦେଲେ। ନିଜ ତରୁଣ ପୁଅ ସମ୍ପର୍କରେ ଏପରି ଏକ ଦୁଃସମ୍ବାଦ ପାଇ ଯେ କେହି ବାପା ଚିନ୍ତିତ ହେବା ଓ ସମ୍ବାଦଟିର ସତ୍ୟତା ପରଖିବା ପାଇଁ ଅନ୍ୟ କିଛି ସୂତ୍ରରୁ ଅନୁସନ୍ଧାନ କରିବା ଅତ୍ୟନ୍ତ ସ୍ବାଭାବିକ ଥିଲା। ମାତ୍ର ଆମର ଏ ଧୃତରାଷ୍ଟ୍ର ବାବୁ ଜଣଙ୍କ କହିଲେ, ”ମୁଁ ତା’ ବୟସର ହୋଇଥିଲା ବେଳେ ଲୁଚାଇ ଲୁଚାଇ ସିଗାରେଟ୍‌ ଟାଣୁଥିଲି। ଏବେ ସମୟ ବଦଳିଛି। ପିଲାମାନେ ଅଧିକ ଆଧୁନିକ ହେଲେଣି ପରା!“ ବନ୍ଧୁଜଣକ ନୀରବି ଯାଇଥିଲେ ଆଉ କଥା ନ ଥା’ନ୍ତା। ମାତ୍ର ପର ପର୍ଯ୍ୟାୟରେ ତାଙ୍କୁ ସେହି ଧୃତରାଷ୍ଟ୍ରଙ୍କଠୁଁ ଯେଉଁ ପରାଭବ ଭୋଗିବାକୁ ପଡ଼ିଥିଲା, ତାହା ଉପରେ ପଡ଼ି ସଦାଚାର ସପକ୍ଷରେ ଉପଦେଶ ଦେଉଥିବା ସଜ୍ଜନମାନଙ୍କୁ ନିରୁତ୍ସାହିତ କରିବ ବୋଲି ଭାବି ସର୍ବାଦୌ ଅପ୍ରକାଶ୍ୟ ରହିବା ବାଞ୍ଛନୀୟ!
ଜଣେ ପଥହୁଡ଼ା ତରୁଣକୁ ଶୋଧନ କରିବାକୁ ଯାଇ ଆହତ ଓ ଅପମାନିତ ହେବା ସହିତ ସ୍ତ୍ରୀଙ୍କଠାରୁ ଧିକ୍କାର ଶୁଣିଥିବା ବନ୍ଧୁ ତଥାପି ବ୍ୟସ୍ତବିବ୍ରତ ହୋଇପଡୁଥିଲେ ସେଇ ପିଲାଟି ପାଇଁ। ସେ ଭାବୁଥିଲେ, ଏମିତି ବାପାଙ୍କଠୁ କଠୋର ଅନୁଶାସନ ପରିବର୍ତ୍ତେ ଏକ ଲଗାମହୀନ କାରୁଣ୍ୟର ସବୁଜ ସଂକେତ ମିଳିଗଲା ପରେ ପୁଅଟି ରାବଣ ନ ହୋଇ ରାମ ହେବା ପାଇଁ କାହିଁକି ବା ମନ ବଳାଇବ! ସୁତରାଂ, ସେ ଗଞ୍ଜେଇ ଛାଡ଼ି କାଲି ବ୍ରାଉନ୍‌ସୁଗାର ଖାଇବ, ବହୁ ଲୋକଙ୍କୁ ଅସମ୍ମାନିତ କରିବ; ତା’ ବାପାଙ୍କ ବୋଝ ଉଠାଇବା ପରିବର୍ତ୍ତେ ସମଗ୍ର ସମାଜ ଉପରେ ବୋଝ ହୋଇ ପଡ଼ିବ ଓ ମହାଭାରତର ଦୁର୍ଯ୍ୟୋଧନ ପରି କାହାର ଜୀବନ ନେବାର ଉପକ୍ରମ କରି ଅକାଳରେ ନିଜ ଜୀବନ ହରାଇ ବସିବ।
ଆଉ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଦୃଷ୍ଟାନ୍ତ। ପ୍ରାୟ ଦଶବର୍ଷ ପୂର୍ବରୁ ପ୍ରଧାନଶିକ୍ଷକ ପଦରୁ ଅବସର ନେଇଥିବା ଜଣେ ବ୍ୟକ୍ତି ସେଦିନ ସନ୍ଧ୍ୟାରେ ରାଜଧାନୀର ଏକ ଗଳିରାସ୍ତା ଦେଇ ପଦଚାରଣ କରୁଥିବାବେଳେ କାନରେ ମୋବାଇଲ ଦେଇ ଗୋଟିଏ ହାତରେ ସ୍କୁଟି ଚଳାଉଥିବା ଜଣେ କିଶୋରୀ କନ୍ୟା ତାଙ୍କୁ ଧକ୍କା ଦେଇ ତଳେ ପକାଇଦେଲେ। ସାମାନ୍ୟ ଆହତ ହୋଇଥିବା ବାଳିକାଟିକୁ ବୃଦ୍ଧ ମହୋଦୟ ଅଭିଭାବକୀୟ ଆକଟ କରି ଗାଡ଼ି ଚଳାଉଥିବାବେଳେ ମୋବାଇଲ କାହିଁକି ବ୍ୟବହାର କରୁଛ ବୋଲି ତାଗିଦା କଲାରୁ ଝିଅଟି ଉତ୍ତର ଦେଲା, ”ତେବେ ମୋବାଇଲ ହୋଇଛି କାହିଁକି?“ ଏହାପରେ ବୃଦ୍ଧଙ୍କର ଝାଡ଼ିଝୁଡ଼ି ହୋଇ ଚୁପ୍‌ଚାପ୍‌ ଚାଲିଯିବାର ଥିଲା। ମାତ୍ର ସେ ତାହା ନ କରି ଏକ ଶିକ୍ଷକୀୟ ସଂସ୍କାର ନେଇ ପାଖ ଦୋକାନୀଠାରୁ କିଶୋରୀଟିର ଠିକଣା ଠାବ କଲେ ଓ ଏତେ କଅଁଳ ବୟସରେ ତା’ର ଏ ପ୍ରକାର ଉଦ୍ଦାମତା ଭବିଷ୍ୟତରେ ତା’ ପାଇଁ ଅନିଷ୍ଟକର ହୋଇପାରେ ବୋଲି ତା’ବାପାଙ୍କୁ ଚେତାଇଦେଲେ। ମାତ୍ର ଆଚାର୍ଯ୍ୟ ମହୋଦୟଙ୍କ ଚେତାବନୀରେ ଭୟଙ୍କର ଭାବେ ତାତି ଉଠିଲେ କିଶୋରୀଟିର ବାପା। କହିଲେ, ”ମୋ ଝିଅର ଭବିଷ୍ୟତ ପ୍ରତି ଦୃଷ୍ଟିଦେବାକୁ ମୁଁ ତ ଆପଣଙ୍କୁ ନିଯୁକ୍ତି ଦେଇନାହିଁ! ବିନା ନିଯୁକ୍ତି ବା ନିମନ୍ତ୍ରଣରେ ଆପଣ ମୋ ଘରଯାଏ ଚାଲି ଆସିଲେ କିପରି?“ ଅପମାନିତ ବୃଦ୍ଧଙ୍କ ବାହୁଡ଼ି ଆସିବାକୁ ତର ସହିଲା ନାହିଁ।
ନିକଟରେ ଆମେରିକାର ଏକ ବିଚାରାଳୟ ଜଣେ କିଶୋର ଅପରାଧୀର ବିଚାର କରି ତା’କୁ ଦଣ୍ଡିତ କରିବା ପରିବର୍ତ୍ତେ ତା’ ମା’ବାପାଙ୍କ ପ୍ରତି ଦଣ୍ଡବିଧାନ କରିଛନ୍ତି। ଆମ ଆଲୋଚିତ ଦୁଇ ବାପାଙ୍କ ପରି ହୋଇଥିବେ ବୋଧହୁଏ ସେଇ ବାପା ମା’ ନୁହେଁ; ଯାହାଙ୍କ ପାଖରେ ନିଜ ପୁଅର ଚାଲିଚଳଣ ବା ଅଭ୍ୟାସ ଆଚରଣ ଖବର ନେବାକୁ ସମୟ ନ ଥିବ ବା ଯେତେବେଳେ ବି ଥିବ, ସେତେବେଳେ ଏକ ଅନ୍ଧ ବାତ୍ସଲ୍ୟ ତାଙ୍କୁ ଏମିତି ଆବୋରି ବସିବ ଯେ ସେ କିଛି ଦେଖିପାରୁ ନ ଥିବେ! ୟେ ପ୍ରସଙ୍ଗରେ ଆମ ଲୋକକଥାର ଛୋଟ ଆଖ୍ୟାନଟିଏ। ନିଜ ମାଆର ପ୍ରତ୍ୟକ୍ଷ ପ୍ରରୋଚନାରେ ପ୍ରଥମେ କାକୁଡ଼ି, କଦଳୀ ଚୋରି କରି ପରେ ବଡ଼ ଡକାୟତଟିଏ ପାଲଟି ଯାଇଥିବା ପୁଅ ଯେତେବେଳେ ଧରାପଡ଼ି ଫାଶୀ ପାଇଲା, ସେତେବେଳେ ତାକୁ ପଚରା ଯାଇଥିଲା ”ମୃତ୍ୟୁ ପୂର୍ବରୁ ତୋର ଶେଷ ଇଚ୍ଛା କ’ଣ?“ ଉତ୍ତରରେ ପୁଅଟି ଶେଷଥର ପାଇଁ ନିଜ ମାଆକୁ ଭେଟିବାକୁ ଚାହିଁଲା। ମାଆକୁ ଭେଟୁ ଭେଟୁ ପୁଅଟି ତା’ କାନକୁ ଦାନ୍ତରେ କାମୁଡ଼ି ଛିଣ୍ଡାଇ ଦେଇ କହିଲା, ”ମୋ ଅଭିଶପ୍ତ ଜୀବନର ଯେଉଁ ଆଦ୍ୟ ଅଧ୍ୟାୟ ତୋର ପିଠି ଥାପୁଡାଠଁୁ ଆରମ୍ଭ ହୋଇଥିଲା, ଏ ଛିଣ୍ଡା କାନଟି ହେଉଛି ତାହାର ଏକ ସତେଜ ସ୍ମାରକୀ। ଏ ସ୍ମାରକୀ ସବୁଦିନ ପାଇଁ ଗୋଟିଏ ନିଷ୍ଠୁର ସତ୍ୟକୁ ସ୍ମରଣ କରାଇ ଦେଉଥିବ ଯେ ତୋର ସହଯୋଗ ମିଳି ନ ଥିଲେ ଅକାଳରେ ମୁଁ ଫାଶୀ ପାଇ ନ ଥା’ନ୍ତି!“ ଆମ ଆଲୋଚିତ ଧୃତରାଷ୍ଟ୍ର ପିତା ଦୁହେଁ ଛିଣ୍ଡାକାନର ଏକ କାହାଣୀଟି ପଢ଼ିଥିବେ କି ନାହିଁ କେଜାଣି!!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର-୧୦
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?