ଶ୍ରୀମନ୍ଦିର ଓ ଶାଳୀନ ପୋଷାକ

ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ଓଡ଼ିଆ ଜାତିର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର। ଏହାର ସୁରକ୍ଷା ପାଇଁ ଅତୀତରେ ଓଡ଼ିଆ ରାଜା ଓ ପ୍ରଜାଗଣ ଆଗକୁ ଆସି ବାହ୍ୟ ଶତ୍ରୁମାନଙ୍କ ଆକ୍ରମଣକୁ ପ୍ରତିହତ କରିଛନ୍ତି। ପରେ ଓଡ଼ିଶାର ନିର୍ବାଚିତ ଗଣତାନ୍ତ୍ରିକ ସରକାରଗୁଡ଼ିକ ବିଶେଷକରି ଏବକାର ଶାସନ ଶ୍ରୀମନ୍ଦିର ସୁରକ୍ଷା ତଥା ଏହାର ସୌନ୍ଦର୍ଯ୍ୟକରଣ ଲାଗି ଅହରହ ଚେଷ୍ଟିତ। ସେଥିପାଇଁ ଶ୍ରୀମନ୍ଦିର ଏବେ ସୁରକ୍ଷିତ ଓ ଏହାର କଳା ଭାସ୍କର୍ଯ୍ୟ ଅକ୍ଷତ। ନୀଳାଚଳ ଧାମ ସାରା ଜଗତରେ ଦିବ୍ୟ ଚେତନାର ବାହକ। ଶ୍ରୀମନ୍ଦିରରେ ବିରାଜିତ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ,ସୁଭଦ୍ରା ଓ ସୁଦର୍ଶନଙ୍କ ମହିମା ମଧ୍ୟ ବିଶ୍ୱବିଦିତ। ମନ୍ଦିରରେ ସବୁ ନୀତିକାନ୍ତି ବି ସ୍ବତନ୍ତ୍ର। ଏତେସବୁ ଦିବ୍ୟ ଗରିମା ବହନ କରୁଥିବା ମନ୍ଦିରରେ ଏବେ ଧାଡ଼ି ଦର୍ଶନ ଖୁବ୍‌ ବ୍ୟବସ୍ଥିତ, ଶୃଙ୍ଖଳିତ। ତେବେ ପରିବର୍ତ୍ତିତ ସମୟକୁ ଲକ୍ଷ୍ୟ କରି ଶ୍ରୀମନ୍ଦିର ପ୍ରଶାସନ ଆଉ ପାଦେ ଆଗକୁ ଯାଇ ଦର୍ଶନ ବ୍ୟବସ୍ଥାରେ ଯୋଡ଼ିଛନ୍ତି ଡ୍ରେସ୍‌ କୋଡ୍‌। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ନିୟମ ଅନୁଯାୟୀ ଶାଳୀନ ପୋଷାକ ନ ପିନ୍ଧିଲେ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ ନାହିଁ। ଅକ୍ଟୋବର ୯ରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ନୀତି ସବ୍‌କମିଟି ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଭକ୍ତମାନଙ୍କୁ ସମୟକ୍ରମେ ସଚେତନ କରାଯାଇ ଏହି ନିୟମ ୧ ଜାନୁୟାରୀ ୨୦୨୪ରେ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି। ନିୟମ ମୁତାବକ ୧୨ ବର୍ଷରୁ କମ୍‌ ପିଲାଙ୍କ ପାଇଁ ଏହା ଲାଗୁ ହେବ ନାହିଁ। ୧୨ ବର୍ଷରୁ ଊର୍ଦ୍ଧ୍ୱ ଭକ୍ତମାନେ ଶାଳୀନ ପୋଷାକ ପିନ୍ଧିଲେ ମନ୍ଦିରରେ ପ୍ରବେଶ କରିବେ।
ଶ୍ରୀମନ୍ଦିରରେ ଦିଅଁଙ୍କ ପାଇଁ ଖଞ୍ଜାଯାଇଛି ୧୨ ମାସରେ ତେର ପର୍ବ। ଶାନ୍ତିଶୃଙ୍ଖଳା ଓ ପବିତ୍ରତା ହେଉଛି ଏସବୁର ମୂଳମନ୍ତ୍ର। ଦର୍ଶନଠାରୁ ପୂଜା ବ୍ୟବସ୍ଥାରେ ମନ୍ଦିର ପ୍ରଶାସନର ରହିଛି ନିଷ୍ଠାପର ଉଦ୍ୟମ। ତେବେ ଏବକାର ଡ୍ରେସ୍‌ କୋଡ୍‌ ମନ୍ଦିର ଇତିହାସରେଏକ ନୂତନ ଓ ସଂସ୍କାରଧର୍ମୀ ଅଭିିଯାନ। ଅତୀତରୁ ଏଯାବତ୍‌ ମନ୍ଦିରର ସବୁ କାର୍ଯ୍ୟକଳାପକୁ ଏ ଜାତି ସର୍ବଦା ଗ୍ରହଣ କରିଛି ଓ ସମ୍ମାନ ଦେଇ ପାଳନ ମଧ୍ୟ କରିଆସୁଛି। ତେବେ ଡ୍ରେସ୍‌ କୋଡ୍‌କୁ ମାନିବାକୁ ଆଗଭର ବା ନ ହେବ କାହିଁକି? ବେଶପୋଷାକ ଓ ଖାଦ୍ୟର ମନ ଉପରେ ଗଭୀର ପ୍ରଭାବ ଅଛି। ଏସବୁ ବ୍ୟକ୍ତିର ଅନ୍ତର୍ନିହିତ ଚେତନାକୁ ପ୍ରଭାବିତ କରେ। ଏଗୁଡ଼ିକ ସାତ୍ତ୍ୱିକ ହେଲେ ତାହାର ପ୍ରଭାବ ସକାରାତ୍ମକ ହୋଇଥାଏ। ଏଣୁ ଶ୍ରୀମନ୍ଦିରକୁ ଶାଳୀନ ପୋଷାକ ପିନ୍ଧି ଗଲେ ତାହାର ପ୍ରଭାବ ସକାରାମତ୍କ ହେବା ସ୍ବଭାବିକ।
ଦିଅଁଙ୍କର ସ୍ବତନ୍ତ୍ର ନୀତିକାନ୍ତିରେ ସେମାନଙ୍କ ବେଶ ଓ ପୋଷାକର ଦିବ୍ୟ ପ୍ରଭାବ ଅଛି। ସେମାନଙ୍କ ଛପନଭୋଗ, ମହାପ୍ରସାଦ ସାତ୍ତ୍ୱିକ ଗୁଣ ଭରିଦିଏ। ତାଙ୍କ ଖାଦ୍ୟ ଓ ପୋଷାକ ପ୍ରତ୍ୟେକ ଭକ୍ତଙ୍କ ଚେତନାକୁ ସ୍ପନ୍ଦିତ କରୁଥିବାବେଳେ ଆମେ ଶାଳୀନ ପୋଷାକ ପିନ୍ଧି ଦର୍ଶନ କଲେ ମନରେ ଆହୁରି ଅଧିକ ଆଧ୍ୟାତ୍ମିକତା ଭରିଯିବ ନିଶ୍ଚୟ।
ଧର୍ମନିରପେକ୍ଷ ଭାରତ ବର୍ଷରେ ବିଭିନ୍ନ ଧର୍ମର ବିଶେଷ ଧର୍ମୀୟ ଭାବନା ରହିଛି। ସଭିଙ୍କ ଧର୍ମୀୟ ନୀତି ନିୟମ ସ୍ବତନ୍ତ୍ର। ମୁସଲମାନ ସମ୍ପ୍ରଦାୟରେ ମସ୍‌ଜିଦରେ କିମ୍ବା ଖ୍ରୀଷ୍ଟଧର୍ମର ଚର୍ଚ୍ଚରେ ପୋଷାକର ସଂଯମତା ଦେଖିବାକୁ ମିଳେ। ଶିଖ୍‌ ଧର୍ମର ଗୁରୁଦ୍ୱାରରେ ନୀତି ଆଧାରିତ ପୋଷାକର ସ୍ବଚ୍ଛତା ଓ ପବିତ୍ରତା ନିଆରା। ସେହିଭଳି କଶ୍ମୀରରୁ କନ୍ୟାକୁମାରୀ ଯାଏ ବିଭିନ୍ନ ରାଜ୍ୟରେ ଥିବା ହିନ୍ଦୁ ମନ୍ଦିରଗୁଡ଼ିକରେ ଡ୍ରେସ୍‌ କୋଡ୍‌ ଲାଗୁ ହୋଇସାରିଛି। ଜମ୍ମୁ-କଶ୍ମୀରର ବାଓ୍ବେ ଓ୍ବାଲି ମାତା ମନ୍ଦିର, ମହାରାଷ୍ଟ୍ର ନାଗପୁରସ୍ଥିତ ଦୁର୍ଗାମାତା ମନ୍ଦିର, ଅମ୍ବିକା ଦେବୀ ମନ୍ଦିର, ବିଠଲ ରୁକ୍ମିଣୀ ମନ୍ଦିର ସମେତ ୧୬ଟି ମନ୍ଦିରରେ ଡ୍ରେସ୍‌ କୋଡ୍‌ ଲାଗୁ କରାଯାଇଛି। ଏହା ବ୍ୟତୀତ ଉତ୍ତରାଖଣ୍ଡର ଦକ୍ଷିଣେଶ୍ୱର ମହାଦେବ ମନ୍ଦିର (ହରିଦ୍ୱାର) ଓ ନୀଳକଣ୍ଠ ମହାଦେବ ମନ୍ଦିର (ଋଷିକେଶ); ରାଜସ୍ଥାନର ଝାରଖଣ୍ଡ ମହାଦେବ ମନ୍ଦିର (ଜୟପୁର) ଏବଂ ଗୁଜରାଟର ଦ୍ୱାରିକାଧୀଶ ମନ୍ଦିର, ତାମିଲନାଡ଼ୁର କପିଳେଶ୍ୱର ଓ ପାର୍ଥସାରଥି ମନ୍ଦିର ସମେତ ଆହୁରି ଅନେକ ପୂଜାପୀଠରେ ଶାଳୀନ ପୋଷାକ ପିନ୍ଧିବାକୁ ନେଇ ନିୟମ କାର୍ଯ୍ୟକାରୀ ହୋଇଛି। ତେବେ ଏ କ୍ଷେତ୍ରରେ ଶ୍ରୀମନ୍ଦିର ପ୍ରଶାସନର ଏବକାର ନିଷ୍ପତ୍ତି ଏକ ନୂଆ ଫର୍ଦ୍ଦ ଯୋଡ଼ିହେବାକୁ ଯାଉଛି।
ଡ୍ରେସ୍‌ କୋଡ୍‌ର ପ୍ରଭାବ ଅଛି ବୋଲି ଏହାକୁ ବିଭିନ୍ନ କ୍ଷେତ୍ରରେ ସ୍ବୀକାର କରାଯାଇଛି। ଏହା ଶୃଙ୍ଖଳା ଓ ସମାନତାର ପ୍ରତୀକ। ଏହା ଏକୀକତ୍ୱ ଭାବର ସଙ୍କେତ। କେବଳ ଧର୍ମୀୟ ବିଚାରଧାରା କିମ୍ବା ବ୍ୟବସ୍ଥାରେ ନୁହେଁ, ବରଂ ଗଣତାନ୍ତ୍ରିକ ବିଚାରରେ ଏହା ଦେଖାଯାଇଛି। ଗତମାସ ଅର୍ଥାତ୍‌ ୨୭ ସେପ୍ଟେମ୍ବରରେ ବିଶ୍ୱର ସର୍ବପୁରାତନ ଗଣତାନ୍ତ୍ରିକ ମନ୍ଦିର ଭାବେ ପରିଚିତ ଆମେରିକାର କଂଗ୍ରେସ ସିନେଟ୍‌ ମଧ୍ୟ ଡ୍ରେସ୍‌ କୋଡ୍‌କୁ ପାସ୍‌ କରିଛି। ଶିକ୍ଷାର ମନ୍ଦିର ସ୍କୁଲ ଓ କଲେଜଗୁଡ଼ିକରେ ଡ୍ରେସ୍‌ କୋଡ୍‌ର ସକାରାତ୍ମକ ପ୍ରଭାବ ପରିଦୃଷ୍ଟ। ସଭିଙ୍କ ସହଯୋଗ, ସମ୍ମିଳିତ ପ୍ରୟାସ ଏବଂ ଏକମତ ରହିଲେ ଡ୍ରେସ୍‌ କୋଡ୍‌ ସୁରୁଖୁରୁରେ ପାଳନ କରାଯାଇପାରିବ ଓ ତାହା ଫଳପ୍ରସୂ ହୋଇପାରିବ। ସାମାଜିକ ସ୍ତରରେ ଏହାର ପ୍ରଭାବ ଯେମିତି ସୁଦୂରପ୍ରସାରୀ ଧର୍ମୀୟସ୍ତରରେ ଏହା ଅନନ୍ୟ। ଏଣୁ ଶ୍ରୀମନ୍ଦିରର ଏବକାର ଡ୍ରେସ୍‌ କୋଡ୍‌ ନିଷ୍ପତ୍ତି ଏକ ଦିବ୍ୟ ତଥା ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ନୀତିକୁ ଶ୍ରୀମନ୍ଦିରରୁ ଆରମ୍ଭ କରାଯାଇଛି ସତ, କିନ୍ତୁ ଏହାକୁ ଓଡ଼ିଶାର କୋଣ ଅନୁକୋଣରେ ଥିବା ଦେବଦେବୀଙ୍କ ମନ୍ଦିରକୁ ସମ୍ପ୍ରସାରିତ କରାଯିବା ଦରକାର। ଭୁବନେଶ୍ୱରର ପ୍ରଭୁ ଲିଙ୍ଗରାଜ, ପୁରୀର ପ୍ରଭୁ ଲୋକନାଥ, କାକଟପୁର ମା’ ମଙ୍ଗଳା, ଝଙ୍କଡ଼ବାସିନୀ ମା’ ଶାରଳା, କେନ୍ଦ୍ରାପଡ଼ାର ବଳଦେବଜୀଉ, ଯାଜପୁରର ମା’ ବିରଜା, ଘଟଗାଁର ମା’ ତାରିଣୀ, ସମ୍ବଲପୁରର ମା’ ସମଲେଇ ଓ ରାୟଗଡ଼ାର ମଝିଘରିଆଣୀ ଆଦି ମନ୍ଦିରଗୁଡ଼ିକରେ ଶାଳୀନ ପୋଷାକ ପିନ୍ଧି ଦର୍ଶନ ବ୍ୟବସ୍ଥା କରାଯିବା ଆବଶ୍ୟକ। ପୁରୀ ନୀଳାଚଳ ଧାମରୁ ଆରମ୍ଭ ହୋଇଥିବା ଡ୍ରେସ୍‌ କୋଡ୍‌ ପ୍ରତ୍ୟେକ ଭକ୍ତଙ୍କୁ ଦିଅଁ ଦର୍ଶନ ପାଇଁ ପ୍ରେରିତ କରୁ, ଏତିକି ଆଶା ରଖିବା।
-ଶିବ ପ୍ରସାଦ ପୁହାଣ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?