ପ୍ରଯୁକ୍ତି: ସମୟର ବିଶ୍ୱକର୍ମା

ଡ. ଗୌରୀଶଙ୍କର ସାହୁ

ଯନ୍ତ୍ରପାତି, କଳା ଓ କୌଶଳ ସାମଗ୍ରିକ ଭାବେ ପ୍ରଯୁକ୍ତିର ସ୍ବରୂପ ନିଏ। ବସ୍ତୁ ଓ ପଦାର୍ଥ ସୃଷ୍ଟି କରେ। ଆବଶ୍ୟକୀୟ ସେବା ଯୋଗାଇଥାଏ। ଏମିତି ବି ହୁଏ, ଯନ୍ତ୍ରାଂଶରେ ପ୍ରଯୁକ୍ତି ନିହିତ ଥାଏ, ଯାହା ଯନ୍ତ୍ରାଂଶଟିକୁ ଚଳାଉଥିବା ଶ୍ରମଜୀବୀକୁ ଜଣା ନ ଥାଏ, ହେଲେ ସେ ଏହା କିପରି କାର୍ଯ୍ୟକ୍ଷମ ହେବ, କିପରି ଉପତ୍ାଦନ କରିବ, ଏତିକି ଜାଣିଥାଏ ଓ ଚଳାଇଥାଏ ବଡ଼ ବଡ଼ ଶିଳ୍ପ ସଂସ୍ଥା। କଞ୍ଚାମାଲ, ଶ୍ରମିକ,ବିଶେଷଜ୍ଞଙ୍କର ଶାରୀରିକ ଓ ବୌଦ୍ଧିକ ସମ୍ବଳ ତଥା କାର୍ଯ୍ୟଦକ୍ଷତା ବଳରେ ମୂଲ୍ୟଯୁକ୍ତ ହୁଏ ଓ ମୂଲ୍ୟବାନ ସମ୍ପଦ ସୃଷ୍ଟି ହୁଏ। ପରିଶ୍ରମ, କାର୍ଯ୍ୟଦକ୍ଷତା ଓ କୁଶଳୀ ହାତ କୋଇଲାକୁ କଳାହୀରା କରିପାରେ।
ନୋବେଲ୍‌ ବିଜେତା ରୋନାଲ୍‌ଡ କୋସ୍‌, ୧୯୩୭ ସାଲ୍‌ରେ ‘The Nature of the Firm’ ଶୀର୍ଷକ ସନ୍ଦର୍ଭଟିଏ ଲେଖିଥିଲେ। ଏହାକୁ ପଢ଼ିଲେ ଜାଣିପାରିବେ କିପରି ପ୍ରଯୁକ୍ତି କାର୍ଯ୍ୟ ଓ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିଥାଏ। ବିନିମୟ ଓ ସୂଚନା, କାର୍ଯ୍ୟକ୍ଷେତ୍ର ମଧ୍ୟରେ ଓ କାର୍ଯ୍ୟକ୍ଷେତ୍ରମାନଙ୍କ ମଧ୍ୟରେ ଶ୍ରମିକର ଦକ୍ଷତା ବିକାଶ ସହ ସମ୍ବନ୍ଧିତ ଏବଂ ବ୍ୟବସାୟର ବୃଦ୍ଧିହ୍ରାସର କାରଣ ସାଜିଥାଏ। ପ୍ରଯୁକ୍ତି ଶ୍ରମିକର ପାରଦର୍ଶିତା ଓ କାର୍ଯ୍ୟଦକ୍ଷତାକୁ ବୃଦ୍ଧିକରିଥାଏ। କାମ କରିବାର ପରିବେଶ, ପରିସ୍ଥିତି ପରିବର୍ତ୍ତନ ପୂର୍ବକ କଠିନ କାମକୁ ସହଜ କରିଥାଏ ।
ତତ୍କାଳ ସୂଚନା ପ୍ରେରଣର ସୁବିଧା ଓ ମଜୁରି ପ୍ରଦାନ ବ୍ୟବସ୍ଥା ଏବେ ବ୍ୟବସାୟରେ ସର୍ବବ୍ୟାପୀ ହୋଇପାରିଛି। ଅନ୍‌ଲାଇନ୍‌ ଯୋଗାଯୋଗ ଶ୍ରମିକ ଓ ବିଶେଷଜ୍ଞମାନଙ୍କ ମଧ୍ୟରେ ଘନିଷ୍ଠ ସହଯୋଗ ଏବଂ ସହଭାଗିତା ବୃଦ୍ଧି କରିଥାଏ ତଥା ଦୂରରେ ଥିବା ଲୋକଙ୍କୁ ଏପରି ଲାଗିଥାଏ, ଯେମିତି ସେମାନେ ପାଖରେ ଅଛନ୍ତି। ଭିଡିଓ କନ୍‌ଫରେନ୍‌ସିଂ, କ୍ଲାଉଡ୍‌ ମାଧ୍ୟମରେ ତଥ୍ୟ ବିନିମୟ ଯୁଗରେ କାର୍ଯ୍ୟକ୍ଷେତ୍ରର ଭୌଗୋଳିକ ସଂଜ୍ଞାରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି। ବାସ୍ତବରେ ସୂଚନା ପ୍ରଯୁକ୍ତି ଯୋଗାଯୋଗକୁ ସହଜ, ସରଳ ଓ ସମର୍ଥ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟର ଧାରା ଓ ଧାରଣାକୁ ନୂତନ ସଂଜ୍ଞା ଦେଇଛି ତଥା ନୂତନ ରୂପରେ ରଙ୍ଗାୟିତ କରିଛି। ଶିଳ୍ପ ସଂସ୍ଥାର ରୂପ ଓ ସ୍ବରୂପ ମଧ୍ୟ ପରିବର୍ତ୍ତିତ ହୋଇଛି। ସୂଚନା ପ୍ରଯୁକ୍ତିର ବିକାଶ ବଳରେ କମ୍ପ୍ୟୁଟର ନେଟ୍‌ୱର୍କ ମାଧ୍ୟମରେ ଦୂରରେ ରହି ନିୟନ୍ତ୍ରଣ କରିବା କଳା ଓ କୌଶଳ ଲାଭ କରିଛି ମଣିଷ। ଉପତ୍ାଦନ ମୂଲ୍ୟ, ଗୁଣବତ୍ତା ବୃଦ୍ଧି ସହ ପରିବେଶ ସୁରକ୍ଷା ଓ ବ୍ୟକ୍ତି ସୁରକ୍ଷା ସୁନିଶ୍ଚିତ କରାଯାଇପାରିଛି। ଇଣ୍ଟରନେଟ୍‌ର ଆବିର୍ଭାବ ପରେ ତତ୍କାଳ ସୂଚନା ଆଦାନ ପ୍ରଦାନ ସହ ଘରେ ବସି ଦୁନିଆର ସବୁ ପାର୍ଥିବ ଓ ଅପାର୍ଥିବ ପାଠାଗାରରୁ ତଥ୍ୟ ଅଧିଗ୍ରହଣ ଓ ଜ୍ଞାନଲାଭ ସମ୍ଭବପର ହୋଇପାରିଛି। ଘରେ ବସି କାମ କରିବା ଧାରା ଶିଳ୍ପସଂସ୍ଥାର ସଂଜ୍ଞା ବଦଳାଇ ଦେଇଛି। ଉପତ୍ାଦନ ଶିଳ୍ପକୁ ପଛରେ ପକାଇ ଦେଇଛି ସେବା ପ୍ରଦାନକାରୀ ବ୍ୟବସାୟ ସବୁ।
ଆମେରିକାର ସତୁରି ପ୍ରତିଶତ ଶିଳ୍ପସଂସ୍ଥା ସ୍ଲାକ୍‌ ନାମକ ମେସେଜିଙ୍ଗ୍‌ ପ୍ଲାଟ୍‌ଫର୍ମରେ ସୂଚନା ଆଦାନ ପ୍ରଦାନ କରନ୍ତି। କଗ୍‌ନିଜାଣ୍ଟ, ଏଚ୍‌.ସି.ଏଲ୍‌.ଟି., ଇନ୍‌ଫୋସିସ୍‌, ଟି.ସି.ଏସ୍‌., ଟେକ୍‌ ମହିନ୍ଦ୍ରା, ୱିପ୍ରୋ ପ୍ରଭୃତି ବିଶ୍ୱର ଅଗ୍ରଣୀ ଆଇ.ଟି. ସଂସ୍ଥାଗୁଡ଼ିକର ବାର୍ଷିକ ଅଭିବୃଦ୍ଧି ହାର୨୫ ପ୍ରତିଶତରୁ ଅଧିକ ବୋଲି ୦୧ ଅଗଷ୍ଟ ୨୦୨୩ରେ ଇକନମିଷ୍ଟ ପତ୍ରିକାରେ ପ୍ରକାଶିତ ନିବନ୍ଧରୁ ଜଣାପଡ଼ିଛି। ଭାରୀ ଶିଳ୍ପଗୁଡ଼ିକ ସମ୍ପ୍ରତି ସ୍ଥିତାବସ୍ଥା ବଜାୟ ପାଇଁ ସଂଘର୍ଷ କରୁଛନ୍ତି। ସ୍ବୟଂକ୍ରିୟତା(ଅଟୋମେସନ୍‌) ଗୋଟିଏ ପଟେ ଶିଳ୍ପ ସଂସ୍ଥାରେ ଛଟେଇର କାରଣ ସାଜିଥିବା ବେଳେ, ଆର ପଟେ ନୂଆ ଶିଳ୍ପସଂସ୍ଥା ଗଠନର ମାଧ୍ୟମ ହୋଇପାରିଛି। ଅନ୍‌ଲାଇନ୍‌ ଶିଳ୍ପ ଘରେ ବସି, ଗାଁରେ ବସି ବଡ଼ ଶିଳ୍ପସଂସ୍ଥାରେ କାମ କରିବାର ସୁଯୋଗ ସୃଷ୍ଟି କରିଛି। ଚାକିରିର ସ୍ବରୂପ ମଧ୍ୟ ପରିବର୍ତ୍ତିତ ହୋଇଛି। ଜଣେ ଲୋକ ଏକାସାଥିରେ ଏକାଧିକ ସଂସ୍ଥାରେ କାମ କରି ଅଧିକ ରୋଜଗାର କରିପାରୁଛି। ଫ୍ରିଲାନ୍ସ କର୍ମଜୀବୀମାନଙ୍କ ମହତ୍ତ୍ୱ ବୃଦ୍ଧି ପାଇଛି। ସ୍ବାଧୀନ କାମ, ସ୍ବାଧୀନ କର୍ମଜୀବୀ ବର୍ତ୍ତମାନ ଅର୍ଥ ବ୍ୟବସ୍ଥାର ସିଂହଭାଗ ମାଡ଼ିବସିଲେଣି। ଏହାକୁ ଗିଗିଲିଙ୍ଗ (Giggling) କୁହାଯାଉଛି।
ପରିବର୍ତ୍ତିତ ପରିସ୍ଥିତିରେ ଜ୍ଞାନଲାଭ, କୌଶଳ ଅଧିଗ୍ରହଣ ଓ ଦକ୍ଷତା ବିକାଶର ମାଧ୍ୟମ ପାଲଟିଛି ଆଭାସୀ ଶ୍ରେଣୀଗୃହ। ମାସାଚୁସେଟ୍‌ ପ୍ରଯୁକ୍ତି ପ୍ରତିଷ୍ଠାନ (MIT)ର ”Circuit & Electronics’ ପାଠ୍ୟକ୍ରମ ୧୬୦ଟି ଦେଶର ପାଖାପାଖି ଲକ୍ଷେ ଛାତ୍ରୀଛାତ୍ର ଗ୍ରହଣ କରିଛନ୍ତି। ମାସିଭଲି ଓପନ୍‌ ଅନ୍‌ଲାଇନ୍‌ କୋର୍ସ (ମୁକ୍‌) ଗୁଣବତ୍ତା ଦୃଷ୍ଟିରୁ ଯଥେଷ୍ଟ ଭଲ ଓ ଦେଶର କୋଣ ଅନୁକୋଣରେ ପହଞ୍ଚତ୍ ସାଧାରଣ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କୁ ଉଚ୍ଚମାନର ଶିକ୍ଷାଦାନ ଯୋଗାଇପାରିଛି।
ଶିଳ୍ପ ବିପ୍ଳବ ପୂର୍ବରୁ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ଭାରିମାତ୍ରାରେ କଞ୍ଚାମାଲ୍‌ ଠୁଳକରି କୌଳିକ ବୃତ୍ତିଧାରୀ କର୍ମଜୀବୀମାନଙ୍କୁ ଯୋଗାଉଥିଲେ। କର୍ମଜୀବୀମାନେ ଉପତ୍ାଦନ କଲାପରେ ବସ୍ତୁ ଓ ସେବା ପୁଣି ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ଦ୍ୱାରା ଖାଉଟିମାନଙ୍କ ପାଖରେ ପହଞ୍ଚୁଥିଲା। ବଡ଼ ବଡ଼ ଶିଳ୍ପସଂସ୍ଥା ଗଢ଼ିଉଠିଲା ପରେ କୌଳିକ ବୃତ୍ତିଗୁଡ଼ିକ ଚାପରେ ରହିଲେ। ପୁଞ୍ଜିବାଦୀ ଶିଳ୍ପ ବ୍ୟବସ୍ଥାରେ ଗୋଟିଏ ଶିଳ୍ପସଂସ୍ଥାରେ କେନ୍ଦ୍ରୀଭୂତ ହେଲେ ଶ୍ରମିକଗୋଷ୍ଠୀ। ଚାକିରିଆ ଗୋଷ୍ଠୀ ସୃଷ୍ଟି ହେଲେ ଓ ସୃଷ୍ଟି ହେଲେ ଶ୍ରମିକ ଶ୍ରେଣୀ। ଶୋଷଣ, କଷଣ, ସାହିତ୍ୟ, ସଂସ୍କୃତି ଓ ସାମାଜିକ ବ୍ୟବସ୍ଥାରେ ପ୍ରତିଫଳିତ ହେଲା।
ପ୍ରଯୁକ୍ତିର ବିକାଶ କେନ୍ଦ୍ରୀଭୂତ ଶିଳ୍ପ ବ୍ୟବସ୍ଥାକୁ ପୁଣି ରୂପାନ୍ତରିତ ହେଲା। ଆଇ.ଟି. ଶିଳ୍ପ ଓ ଅନ୍ୟାନ୍ୟ ସାମ୍ପ୍ରତିକ ଶିଳ୍ପ ଅର୍ଥନୀତିରେ ବିଛେଇ ହୋଇ ରହିଲେ କର୍ମଜୀବୀ ଭୌଗୋଳିକ ବନ୍ଧନକୁ ଛିଣ୍ଡାଇ, ପରସ୍ପରଠାରୁ ଦୂରରେ ରହି। ଆମାଜନ, ଫ୍ଲିପ୍‌କାର୍ଟ, ଓଲା ଓ ଉବର ଯୁଗରେ ଶିଳ୍ପସଂସ୍ଥାନର ସଂଜ୍ଞା ପରିବର୍ତ୍ତନ ହୋଇଗଲାଣି। ସ୍ବାଧୀନତା, ସ୍ବାଧୀନଚେତା ଓ କର୍ମକୁଶଳତା ସାମାଜିକ-ରାଜନୈତିକ-ସାଂସ୍କୃତିକ ଜୀବନରେ ପ୍ରତିଫଳିତ ସୋସିଆଲ୍‌ ମିଡିଆଯୁଗରେ।
ଆଦିମକାଳରୁ ପ୍ରତ୍ୟେକଟି ବୈଷୟିକ ବିକାଶ କାମ କରିବାର ପଦ୍ଧତିକୁ ପରିବର୍ତ୍ତିତ କରିଆସିଛି। ଲଙ୍ଗଳ ଆବିଷ୍କାର ହେବାପରେ ଧନୁଶର, ଚକ୍ର ଛାଡ଼ି ଶିକାରୀ ଚଷାପୁଅଟିଏ ହେଲା, ଚାଷବାସ କଲା, ଜଙ୍ଗଲ ଛାଡ଼ି ଗାଁରେ ରହିଲା। ମୁଦ୍ରଣ ଯନ୍ତ୍ର, ଘୂର୍ଣ୍ଣନ ଯନ୍ତ୍ର, ଜଳବିଦ୍ୟୁତ୍‌ ତଥା ତାପଜ ବିଦ୍ୟୁତ୍‌ ପ୍ରକଳ୍ପ, ସୂତାକଳ ଚାଷୀମାନଙ୍କୁ ଶ୍ରମିକ ସଜେଇ ସହରାଭିମୁଖୀ କଲା। ଡିଜିଟାଲ୍‌ ବିପ୍ଳବ ଶ୍ରମିକ ଶ୍ରେଣୀକୁ ସଫ୍ଟଓ୍ବେର ଇଞ୍ଜିନିୟର ସଜାଇ ଘରୁ ମଧ୍ୟ କାମ କରାଇପାରେ, ଛୋଟ ସହର ମଧ୍ୟ ଅର୍ଥନୀତିର କେନ୍ଦ୍ରସ୍ଥଳୀ ହୋଇପାରେ ପ୍ରମାଣିତ କରିଛି। ୱେ ଥ୍ରୀ କାର୍ଯ୍ୟଶୈଳୀରେ ବୈପ୍ଳବିକ ପରିବର୍ତ୍ତନ ଆଣିବାର ସୁଯୋଗ ସୃଷ୍ଟି କରିଛି। ପ୍ରଯୁକ୍ତି କାମ କରିବାର କଳା ଓ କୌଶଳକୁ ପ୍ରଭାବିତ କରି ପରିବର୍ତ୍ତନର ବାର୍ତ୍ତା ଆଣିଛି ଆମ ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ଜୀବନରେ। ‘କର୍ମସୁ କୌଶଳମ୍‌’-ର ଅର୍ଥ ଧୀରେ ଧୀରେ ବୁଝାପଡ଼ୁଛି।
ପ୍ରାଧ୍ୟାପକ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ହିମାଚଳ ପ୍ରଦେଶ
ମୋ: ୭୯୭୮୪୨୧୮୩୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri