ଶିକ୍ଷକ ନିଯୁକ୍ତି ଓ ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ

ଅମରେନ୍ଦ୍ର ଦାସ

 

ରାଜ୍ୟ କ୍ୟାବିନେଟର ଅନୁମୋଦନ ପରେ ସେପ୍ଟେମ୍ବର ୪, ୨୦୨୦ରେ ରାଜ୍ୟପାଳ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧ୍ୟାଦେଶ ଅନୁମୋଦନ କରିଛନ୍ତି। ଅଧ୍ୟାଦେଶର ପ୍ରଥମ ଭାଗରେ ଉଲ୍ଲେଖ ଅଛି ଯେ, ବିଧାନସଭା ଏବେ ବସୁ ନ ଥିବାରୁ ଏବଂ ସାମ୍ପ୍ରତିକ ପରିସ୍ଥିତିକୁ ଅନୁଧ୍ୟାନ କରି ରାଜ୍ୟପାଳ ହୃଦ୍‌ବୋଧ କଲେ ଯେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ରେ ତୁରନ୍ତ ସଂଶୋଧନ ଅଣାଯିବା ଅପରିହାର୍ଯ୍ୟ। କେଉଁ ଜରୁରିକାଳୀନ ପରିସ୍ଥିତି ଉପୁଜିଲାରୁ ଦୁଇତୃତୀୟାଂଶ ସଂଖ୍ୟାଗରିଷ୍ଠତା ଉପଭୋଗ କରୁଥିବା ଏକ ସରକାରଙ୍କୁ ଏମିତି ଏକ ଅଧ୍ୟାଦେଶ ଅତି ତରବରିଆ ଭାବରେ ଆଣିବାକୁ ପଡିଲା ତାହା ଏବେ ବି ଅସ୍ପଷ୍ଟ ରହୁଛି। ସାରା ରାଜ୍ୟର ନାଗରିକମାନେ କରୋନା କଟକଣା ମାନି ନିଜର ଜୀବନ ଜୀବିକାକୁ ବଞ୍ଚାଇବାର ଉପାୟ ଖୋଜୁଥିବାବେଳେ ଅତି ତରବରିଆ ଭାବରେ ଏହି ଅଧ୍ୟାଦେଶ ଅଣାଯିବାର ରହସ୍ୟ ଭେଦ କରିହେଉନି! ବିଶ୍ୱବିଦ୍ୟାଳୟ ହିତ ପାଇଁ ମଣୁଥିବା ଏହି ଅଧ୍ୟାଦେଶ ଆଣିବା ପୂର୍ବରୁ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ଏବଂ ଗବେଷଣାରତ ଶିକ୍ଷକମାନଙ୍କୁ ପରାମର୍ଶ କରାଯାଇଛି କି?
ଅଧ୍ୟାଦେଶରେ ଯେଉଁ କେତୋଟି ଶୀର୍ଷକ ଉପରେ ବାଦବିବାଦ ଉପୁଜିଛି ତାହାହେଲା (୧) ଓଡ଼ିଶା ଲୋକ ସେବା ଆୟୋଗ ଦ୍ୱାରା ବିଶ୍ୱବିଦ୍ୟାଳୟର ଶିକ୍ଷକ ନିଯୁକ୍ତି ଏବଂ ରାଜ୍ୟ ଚୟନ ବୋର୍ଡ ଦ୍ୱାରା ଅଣ-ଶିକ୍ଷକ କର୍ମଚାରୀ ନିଯୁକ୍ତି; (୨) ବିଶ୍ୱବିଦ୍ୟାଳୟର ସିନେଟ ଉଚ୍ଛେଦ; (୩) ସିଣ୍ଡିକେଟର ସମ୍ପ୍ରସାରଣ ଏବଂ ସେଥିରେ ଉଚ୍ଚଶିକ୍ଷା ବିଭାଗର ସଚିବ କିମ୍ବା ତାଙ୍କର ପ୍ରତିନିଧି ରହିବାର ବ୍ୟବସ୍ଥା; (୪) କୁଳପତି ଚୟନ କମିଟିରେ ସିଣ୍ଡିକେଟର ପ୍ରତିନିଧିଙ୍କୁ ବାହାର କରି ତାଙ୍କ ଜାଗାରେ ଉଚ୍ଚ ଶିକ୍ଷାବିଭାଗର ପ୍ରତିନିଧି ହିସାବରେ ଜଣେ ଶିକ୍ଷାବିତ ରହିବେ ଏବଂ କୁଳାଧିପତିଙ୍କ ଦ୍ୱାରା ମନୋନୀତ ସଦସ୍ୟ କେବଳ ଜଣେ ପୂର୍ବତନ ମୁଖ୍ୟସଚିବ ବା କେନ୍ଦ୍ର ସଚିବ ପାହ୍ୟାର ଅଧିକାରୀ ହୋଇଥିବେ।
ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ନେଇ ଅନେକ ବାଦବିବାଦ ଉପୁଜିଛି। କେତେବେଳେ କୁଳପତିଙ୍କ ନିଯୁକ୍ତି ନେଇ ବିବାଦ ଉପୁଜିଛି ତ ଆଉ କେତେବେଳେ ଶିକ୍ଷକ ନିଯୁକ୍ତିକୁ ନେଇ। କୁଳପତିଙ୍କ ନିଯୁକ୍ତି ନେଇ ଯଦି କିଛି ବିବାଦ ଉପୁଜିଛି ତାହା ପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଦାୟୀ କରିବା ଯୁକ୍ତିସଙ୍ଗତ ନୁହେଁ। କୁଳପତିଙ୍କ ନିଯୁକ୍ତିରେ କିପରି ଅଧିକ ପାରଦର୍ଶିତା ଅଣାଯାଇପାରିବ ତା’ ବିଷୟରେ ଅଧିକ ମାନସମନ୍ଥନ ଆବଶ୍ୟକ। ଠିକ୍‌ ସେହିପରି କୁଳପତିଙ୍କ କାର୍ଯ୍ୟକଳାପକୁ କିପରି ଅଧିକ ଉତ୍ତରଦାୟୀ କରିହେବ ତା’ ଉପରେ ପୃଥକ୍‌ ଆଲୋଚନା ଆବଶ୍ୟକ।
ଏହି ଲେଖାରେ ଆମେ ଦୃଷ୍ଟିପାତ କରିବା ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନେଇ। ବିଗତ କିଛିବର୍ଷ ଧରି ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିଯୁକ୍ତିରେ ଯେଉଁ ସ୍ଥିତାବସ୍ଥା ଜାରି ରହିଛି ତା’ର ପ୍ରଥମ କାରଣ ହେଲା; ସଂରକ୍ଷଣ ନୀତିକୁ ନେଇ ବିବାଦ। ଏହି ବିବାଦ ଉଚ୍ଚନ୍ୟାୟାଳୟଠାରୁ ଆରମ୍ଭ କରି ସର୍ବୋଚ୍ଚନ୍ୟାୟାଳୟ ପର୍ଯ୍ୟନ୍ତ ଯାଇଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ହରଡଘଣାରେ ପଡିଛନ୍ତି। ବିଶ୍ୱବିଦ୍ୟାଳୟରେ କାର୍ଯ୍ୟକାରୀ ହେବାକୁ ଥିବା ସଂରକ୍ଷଣ ନୀତିକୁ ସ୍ପଷ୍ଟ କରିବାକୁ ଯାଇ ରାଜ୍ୟ ସରକାରଙ୍କର ଉଚ୍ଚଶିକ୍ଷା ବିଭାଗ ନିଜେ ଅପଦସ୍ଥ ହୋଇଛନ୍ତି। ବିବାଦଟି ହେଲା, ନିଯୁକ୍ତିର କେଉ ଁସୋପାନରେ ସଂରକ୍ଷଣ ନୀତି ଲାଗୁ ହେବ? ନିଯୁକ୍ତିର ପ୍ରାରମ୍ଭିକ ସୋପାନରେ ନା ପଦୋନ୍ନତିର ପ୍ରତିଟି ପାହାଚରେ? ସଂରକ୍ଷଣର ଆନୁପାତିକ ହିସାବ କେଉଁ ସ୍ତରରେ ହେବା ଉଚିତ? ବିଭାଗ ସ୍ତରରେ ନା ବିଶ୍ୱବିଦ୍ୟାଳୟ ସ୍ତରରେ? ମହିଳାଙ୍କ ପାଇଁ ସଂରକ୍ଷଣ ପୃଥକ୍‌ ଭାବରେ ହିସାବ ହେବ ନା ସଂରକ୍ଷଣ ଭିତରେ ସଂରକ୍ଷଣ ହିସାବ ହେବ?
ଦ୍ୱିତୀୟ ବିବାଦଟି ହେଲା କେଉଁ ନୀତି ଆଧାରରେ ଶିକ୍ଷକ ନିଯୁକ୍ତି ହେବ? ରାଜ୍ୟ ସରକାରଙ୍କର ଆଇନ ନା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ମାର୍ଗଦର୍ଶିକା ପାଳନ ହେବ? ବିଶ୍ୱବିଦ୍ୟାଳୟ ମାର୍ଗଦର୍ଶିକା ଅନୁସାରେ ଯଦି କୌଣସି ବିଶ୍ୱବିଦ୍ୟାଳୟ ନିଯୁକ୍ତି କରନ୍ତି, କେତେକ ପ୍ରାର୍ଥୀ ରାଜ୍ୟ ଆଇନ ଅନୁସାରେ କାହିଁକି ହେଲାନି ବୋଲି ନ୍ୟାୟାଳୟରେ ଅଭିଯୋଗ କରନ୍ତି। ଠିକ୍‌ ସେହିପରି ରାଜ୍ୟ ଆଇନ ଅନୁସାରେ ନିଯୁକ୍ତି ହେଲେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଙ୍କର ମାର୍ଗଦର୍ଶିକାର ଉଲ୍ଲଂଘନ ହୋଇଛି ବୋଲି ଆଉ କିଛି ପ୍ରାର୍ଥୀ ନ୍ୟାୟାଳୟରେ ଅଭିଯୋଗ କରନ୍ତି।
ତୃତୀୟ ବିବାଦଟି ହେଲା ଚୁକ୍ତିଭିତ୍ତିକ ନିଯୁକ୍ତି ପାଇ ବର୍ଷବର୍ଷ ଧରି କାର୍ଯ୍ୟରତ ଶିକ୍ଷକ ଏବଂ ଅଣ-ଶିକ୍ଷକ କର୍ମଚାରୀଙ୍କର ନିଯୁକ୍ତି ନିୟମିତ ହେବା ଉଚିତ ନା ଅନୁଚିତ?
ନୂଆ ଅଧ୍ୟାଦେଶ ଏହିସବୁ ଅସଙ୍ଗତି ଦୂର କରିନାହିଁ। ସରକାର ଯଦି ପ୍ରକୃତରେ ବିଶ୍ୱବିଦ୍ୟାଳୟରେ ଲାଗି ରହିଥିବା ନିଯୁକ୍ତି ସମସ୍ୟା ସମାଧାନ କରିବାକୁ ଚାହୁଁଛନ୍ତି ତେବେ ସଂରକ୍ଷଣ ନୀତି ସ୍ପଷ୍ଟ କରନ୍ତୁ। ବିଶ୍ୱବିଦ୍ୟାଳୟର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ୟୁଜିସି ମାର୍ଗଦର୍ଶିକାକୁ ସମ୍ପୂର୍ଣ୍ଣଭାବରେ ଲାଗୁ ପାଇଁ ନୀତି ସ୍ପଷ୍ଟ କରନ୍ତୁ। ଅଧ୍ୟାଦେଶରେ ବିଶ୍ୱବିଦ୍ୟାଳୟର ଶିକ୍ଷକ ନିଯୁକ୍ତି ଦାୟିତ୍ୱ ଓଡ଼ିଶା ଲୋକ ସେବା ଆୟୋଗଙ୍କୁ ହସ୍ତାନ୍ତର କରାଯାଇଛି। ନିଯୁକ୍ତି ପାଇଁ ଆୟୋଗ ପରୀକ୍ଷା କିମ୍ବା ପରୀକ୍ଷା ସହ ସାକ୍ଷାତ୍‌କାର କରିବାର ବ୍ୟବସ୍ଥା ରଖାଯାଇଛି। ନିଯୁକ୍ତି ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ମାର୍ଗଦର୍ଶିକାକୁ ଅନୁସରଣ କରିବା ସହିତ ଲୋକ ସେବା ଆୟୋଗଙ୍କର ନିୟମାବଳୀ ଅନୁସରଣ କରିବା ପାଇଁ ଉଲ୍ଲେଖ କରିଛନ୍ତି। ଏହା ନିଯୁକ୍ତି ପ୍ରକ୍ରିୟାକୁ ଆହୁରି ଅଧିକ ଜଟିଳ କରିବ ଏବଂ ନିଯୁକ୍ତି ବର୍ଷବର୍ଷ ଧରି ନ ହୋଇପାରିବାର ଆଶଙ୍କା ଦେଖାଯାଉଛି। ନୂତନ ଅଧ୍ୟାଦେଶ ୟୁଜିସି ମାର୍ଗଦର୍ଶିକା ଏବଂ ରୁଷା ମାର୍ଗଦର୍ଶିକାର ବ୍ୟତିକ୍ରମ କରୁଥିବାରୁ ଏମାନଙ୍କଠାରୁ ଆର୍ଥିକ ସହାୟତା ପାଇବାରେ ବାଧା ଉପୁଜିବାର ସମ୍ଭାବନା ବି ରହୁଛି।
ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ମାର୍ଗଦର୍ଶିକାରେ ଲିଖିତ ପରୀକ୍ଷା ବିଷୟରେ କେଉଁଠି ବ୍ୟବସ୍ଥା ନାହିଁ। ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇଁ ନେଟ ଏବଂ ପିଏଚଡିକୁ ବାଧ୍ୟତାମୂଳକ କରାଯାଇଛି। ଜାତୀୟସ୍ତରରେ ହେଉଥିବା ନେଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲାପରେ ଏହାର ବୈଧତା ସବୁଦିନ ପାଇଁ ରୁହେ ଏବଂ ସାର୍ଟିଫିକେଟରେ ପ୍ରାର୍ଥୀଜଣକ ଅଧ୍ୟାପକ ହେବା ପାଇଁ ଉପଯୁକ୍ତ ହେଲେ ବୋଲି ଲିଖିତ ରୁହେ। ଯେହେତୁ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ସହ ଗବେଷଣା କାମ ହୁଏ ପିଏଚଡି ହାସଲ କରିବା ଅତ୍ୟାବଶ୍ୟକ। ଭଲ ବିଶ୍ୱବିଦ୍ୟାଳୟରେ ପିଏଚଡି ଡିଗ୍ରୀ ପାଇବାର ଧାରା ଏତେ ଜଟିଳ ଯେ ଛାତ୍ରୀ ବା ଛାତ୍ର ଜଣକ କୌଣସି ଗୋଟିଏ ବିଷୟରେ ଗଭୀର ଅଧ୍ୟବସାୟ କରିବାକୁ ପଡ଼େ। ପିଏଚଡିରେ ନାମ ଲେଖାଇଲା ବେଳକୁ ଲିଖିତ ପରୀକ୍ଷା ଏବଂ ମୌଖିକ ସାକ୍ଷାତ୍‌କାରର ସମ୍ମୁଖୀନ ହେବାକୁ ପଡେ। ଅନେକ ଜାଗାରେ ପିଏଚଡି କରିବା ପାଇଁ ମଧ୍ୟ ନେଟ ଅତ୍ୟାବଶ୍ୟକ ବି ହୋଇଥାଏ। ଗବେଷଣା ସନ୍ଦର୍ଭ ଦାଖଲ ପୂର୍ବରୁ ଉଚ୍ଚମାନର ଜର୍ନାଲରେ ଗବେଷଣା ନିବନ୍ଧ ଛାପିବାକୁ ପଡେ। କୌଣସି ଗୋଟିଏ ବିଷୟରେ ଏତେ ଅଧ୍ୟବସାୟ କରି ପିପିଏଚଡି ପାଇସାରିବା ପରେ ତାକୁ ଯଦି ପୁଣି ସ୍ନାତକୋତ୍ତର ପାଠ୍ୟକ୍ରମ ଉପରେ ପର୍ଯ୍ୟବସିତ ପ୍ରଶ୍ନକୁ ନେଇ ସମସ୍ତ ବିଷୟରେ ଲିଖିତ ପରୀକ୍ଷା କରାଯାଏ ସେ ହୁଏତ ବିଫଳ ହେବ। ସେଥିପାଇଁ ଶିକ୍ଷକ ନିଯୁକ୍ତି ଲାଗି ୟୁଜିସି ତରଫରୁ କୌଣସି ଲିଖିତ ପରୀକ୍ଷାର ବ୍ୟବସ୍ଥା ରଖାଯାଇ ନାହିଁ ବରଂ ଉଚ୍ଚକୋଟୀର ଗବେଷକମାନଙ୍କୁ ନିଯୁକ୍ତ କରିବା ପାଇଁ ସେମାନଙ୍କର ଗବେଷଣା ଉପରେ ଆଧାରିତ ନିବନ୍ଧ ପ୍ରକାଶନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗୁଣାତ୍ମକ ନିବନ୍ଧ ପ୍ରକାଶନକୁ ମୂଲ୍ୟାୟନ କରିବା ଆଦୌ ଜଟିଳ ନୁହେଁ। ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆମେ ଯଦି ବିଶ୍ୱସ୍ତରୀୟ କରିବା ପାଇଁ ଲକ୍ଷ୍ୟ ରଖୁଛେ ତେବେ ବିଶ୍ୱସ୍ତରୀୟ ନିଯୁକ୍ତି ପନ୍ଥା ଗ୍ରହଣ କରିବାକୁ ପଡିବ।
ଶିକ୍ଷକ ଚୟନ ପ୍ରକ୍ରିୟାକୁ ଅଧିକ ସ୍ବଚ୍ଛ କରିବା ପାଇଁ ଦୁଇଟି କିମ୍ବା ତିନୋଟି ସୋପାନରେ କରାଯାଇପାରିବ। ପ୍ରଥମ ପର୍ଯ୍ୟାୟରେ ବିଶ୍ୱବିଦ୍ୟାଳୟର ବିଭାଗସ୍ତରରେ ଦରଖାସ୍ତଗୁଡ଼ିକ ବଛାଯାଇପାରିବ। ସର୍ବନିମ୍ନ ଯୋଗ୍ୟତା ହାସଲ କରୁଥିବା ପ୍ରାର୍ଥୀମାନଙ୍କର ଏକ ତାଲିକା ବାହାରକରି ଗବେଷଣାରେ ଅବଦାନକୁ ନେଇ ସେମାନଙ୍କର ଏକ ତାଲିକା ପ୍ରକାଶନ କରାଯାଇପାରିବ। ଏଠାରେ ମନେରଖିବାକୁ ହେବ ଯେ ବିଭିନ୍ନ ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ମୂଲ୍ୟାୟନ ପନ୍ଥା ଅବଲମ୍ବନ କରାଯାଉଥିବାରୁ ପରୀକ୍ଷାରେ ହାସଲ କରିଥିବା ନମ୍ବରକୁ ନେଇ ମାନ୍ୟତା ନିରୂପଣ ଠିକ୍‌ ହେବନାହିଁ। ସେଥିପାଇଁ ଜାତୀୟସ୍ତରରେ କରାଯାଉଥିବା ନେଟ ପରୀକ୍ଷା କିମ୍ବା ପିଏଚଡିକୁ ସର୍ବନିମ୍ନ ଯୋଗ୍ୟତା ରଖାଯାଇପାରିବ। ଏହି ତାଲିକା ପ୍ରସ୍ତୁତି କରିସାରିବାପରେ ଗବେଷଣାରେ ଅବଦାନକୁ ନେଇ ଏକ ସୂଚୀ ପ୍ରସ୍ତୁତ କରାଯାଇପାରିବ। ଗବେଷଣାରେ ଅବଦାନକୁ ମୂଲ୍ୟାୟନ କରିବା ପାଇଁ ୟୁଜିସିର ମାର୍ଗଦର୍ଶିକା ବ୍ୟବହାର କରାଯାଇପାରିବ। ଏହି ଅନୁସାରେ ସର୍ବାଧିକ ନମ୍ବର ରଖୁଥିବା ପ୍ରାର୍ଥୀମାନଙ୍କୁ ଖାଲିପଡିଥିବା ପଦବୀ ସଂଖ୍ୟାର ଦଶଗୁଣ ପ୍ରାର୍ଥୀଙ୍କୁ ପରବର୍ତ୍ତୀ ପର୍ଯ୍ୟାୟକୁ ନିଆଯାଇପାରିବ। ଏହି ପର୍ଯ୍ୟାୟରେ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଗବେଷଣା ସମ୍ବନ୍ଧିତ ଏକ ବକ୍ତବ୍ୟ ଛାତ୍ରୀଛାତ୍ର୍ର ତଥା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଆଗରେ ରଖିବା ପାଇଁ ନିମନ୍ତ୍ରଣ କରାଯାଇପାରିବ। ଏହି ପର୍ଯ୍ୟାୟରେ ସମସ୍ତଙ୍କର ମତାମତ ଆଧାରରେ ମୂଲ୍ୟାୟନ କରି ଖାଲିଥିବା ପଦବୀର ତିନିଗୁଣ ପ୍ରାର୍ଥୀଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ମୌଖିକ ସାକ୍ଷାତ୍‌କାର ପାଇଁ ନିମନ୍ତ୍ରଣ କରାଯାଇପାରିବ। ମୌଖିକ ସାକ୍ଷାତ୍‌କାରରେ ନିମନ୍ତ୍ରିତ ହେବାକୁ ଥିବା ବିଷୟ ବିଶାରଦମାନଙ୍କ ଏକ ତାଲିକା ସିଣ୍ଡିକେଟ ଦ୍ୱାରା ପ୍ରସ୍ତୁତ କରାଯିବା ଆବଶ୍ୟକ। ସେଥିପାଇଁ ସିଣ୍ଡିକେଟରେ ଅଧ୍ୟାପନା ଏବଂ ଗବେଷଣାରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ହିଁ ସିଣ୍ଡିକେଟର ସଦସ୍ୟ ହେବା ଉଚିତ। ଏହା ହେଲେ କୁଳପତି ନିଜ ଇଚ୍ଛାରେ କୌଣସି ବିଷୟ ବିଶାରଦମାନଙ୍କୁ ଡାକିପାରିବେ ନାହିଁ ବରଂ କେବଳ ସିଣ୍ଡିକେଟ ଦ୍ୱାରା ପୂର୍ବ ଚୟନ ବ୍ୟକ୍ତିମାନଙ୍କୁ ହିଁ ନିମନ୍ତ୍ରଣ କରିପାରିବେ। କୁଳପତିଙ୍କୁ ନିଯୁକ୍ତି ପ୍ରକ୍ରିୟାର ଗୁରୁଦାୟିତ୍ୱରେ ସାହାଯ୍ୟ କରିବା ପାଇଁ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ସାହାଯ୍ୟ କରିପାରିବେ। ମୌଖିକ ସାକ୍ଷାତ୍‌କାରରେ ପ୍ରତ୍ୟେକ ପ୍ରାର୍ଥୀ ପାଇଥିବା ନମ୍ବରକୁ ମଧ୍ୟ ବିଶ୍ୱବିଦ୍ୟାଳୟର ୱେବ୍‌ସାଇଟରେ ପ୍ରକାଶନ କରି ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କର ଏକ ତାଲିକା ପ୍ରକାଶନ କରାଯାଇପାରିବ। ବିଶ୍ୱବିଦ୍ୟାଳୟଗୁଡିକର ସମସ୍ୟା ସମାଧାନ ପାଇଁ ଅନ୍‌ଲାଇନ ମାଧ୍ୟମରେ ସମସ୍ତ କାର୍ଯ୍ୟରତ ଶିକ୍ଷକ, ଛାତ୍ରୀଛାତ୍ର ଏବଂ ବୁଦ୍ଧିଜୀବୀମାନଙ୍କର ମତାମତ ନେଇ ଅଧ୍ୟାଦେଶ ଆଣିଥିଲେ ଏହା ଅନେକ ସହାୟକ ହୋଇଥାନ୍ତା।
ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ
dasamarendra@gmail.com


Enter your email to get our daily news in your inbox.

All Right Reserved By Dharitri.Com

କହିବା କାହାକୁ, ଶୁଣିବ କିଏ

ଛନ୍ଦା ମିଶ୍ର ଯେଉଁ କଥାକୁ ଡର ଥିଲା ତାହା ହିଁ ହେଲା। ଆଶା ଥିଲା, ସରକାର ଆଉ କିଛି କରନ୍ତୁ ବା ନ କରନ୍ତୁ, ନିର୍ବାଚନ...

ଏଇ ଭାରତରେ

ସାରା ଦେଶରେ ଟ୍ରାଫିକ୍‌ ନିୟମ କଡ଼ାକଡି ହେବା ପରେ ପୋଲିସ ଦ୍ୱାରା ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଜରିମାନା କରାଯାଉଛି। ଗୋଟିଏ ଗାଡି ଉପରେ ଯେଭଳି ଜରିମାନା...

ହେଲିକପ୍ଟର ମନି ଏକ ବଡ଼ ବିକଳ୍ପ

ଡ. ସନ୍ତୋଷ କୁମାର ମହାପାତ୍ର ଦିନକୁ ଦିନ କରୋନା ସଂକ୍ରମଣର ପ୍ରଭାବ ଅଧିକରୁ ଅଧିକ ଭୟଙ୍କର ହେଉଛି। ଏହା କେବଳ ଏକ ସ୍ବାସ୍ଥ୍ୟ ସମସ୍ୟା ହୋଇ...

ଏଇ ଭାରତରେ

ଗଛ ମ୍ୟୁଜିୟମ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କେରଳର ଭି.ମହମ୍ମଦ କୋୟା ସୃଷ୍ଟି କରିଛନ୍ତି ଏଭଳି ଗଛ ମ୍ୟୁଜିୟମ। ଏହା ବି ଭି.କେ.ଏମ୍‌...

ଇଏ କ’ଣ ସତରେ ଗପ

ସୁଧାକର ଦାସ ଏବେ ଦିନେ ସକାଳୁ ଇଚ୍ଛା ହେଲା, ଘରେ ଚା’ ନ ପିଇ ଛକ ଦୋକାନରେ ଚା’ ପିଇବାକୁ। ଏମିତିରେ ଶୀତୁଆ ସକାଳର କଅଁଳ...

ଋଣ ପରିଶୋଧ

ରଞ୍ଜନ କୁମାର ଦାସ ଭାରତୀୟ ପ୍ରଶାସନିକ ସେବାର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିକଟରେ ଚଣ୍ଡିଗଡ଼ ଯାଇଥିଲି। ମାସେକାଳ ଧରି ଚାଲିବାକୁ ଥିବା ଏହି...

ଭଲ ମଣିଷ ସନ୍ଧାନରେ

ଲଲାଟ କେଶରୀ ନାୟକ ଆଚାର୍ଯ୍ୟ ଚାଣକ୍ୟ ଏକାଧାରରେ ଜଣେ ନୈଷ୍ଠିକ ବ୍ରାହ୍ମଣ, ଶିକ୍ଷକ, ଦାର୍ଶନିକ, ଅର୍ଥନୀତିଜ୍ଞ ଏବଂ ଜଣେ ଭଲ ଉପଦେଷ୍ଟା ଥିଲେ। ଆର୍ଯ୍ୟ ସଭ୍ୟତା...

ମୋର ମରିବାର ନାହିଁ

ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ ବୋଲି ଜାଣିଥିଲେ ମଧ୍ୟ କିଏ କରିପାରେ ଏମିତି ଔଦ୍ଧତ୍ୟପୂର୍ଣ୍ଣ ଆସ୍ଫାଳନ, ‘ମୋର ମରିବାର ନାହିଁ!’ ବିଶେଷତଃ ସେଇ ସମୟରେ, ଯେତେବେଳେ...

Coronavirus Update

Archives

Model This Week

Why Dharitri