ସୁସହାବସ୍ଥାନର ନିଦର୍ଶନ

ମଣିଷ ଓ ଧର୍ମ ଏକାସଙ୍ଗେ ସୃଷ୍ଟି ହୋଇନାହାନ୍ତି। ପ୍ରଥମେ ସୃଷ୍ଟି ହୋଇଛି ମଣିଷ। ପରେ ମଣିଷ ସୃଷ୍ଟି କରିଛି ଆନୁଷ୍ଠାନିକ ଧର୍ମ। କ୍ରମେ ରୁଚି ଓ ବିଶ୍ୱାସ ଅନୁସାରେ ଧର୍ମ ବହୁଧା ବିଭକ୍ତ ହୋଇଛି ଓ ଧର୍ମକୁ କେନ୍ଦ୍ର କରି ଗୋଷ୍ଠୀ ସୃଷ୍ଟି ହୋଇଛି। ପ୍ରତ୍ୟେକ ଧର୍ମୀୟ ଗୋଷ୍ଠୀ ନିଜକୁ ଶ୍ରେଷ୍ଠ ଓ ଅନ୍ୟକୁ ନିକୃଷ୍ଟ ପ୍ରତିପାଦନ କରିବାକୁ ଚେଷ୍ଟା କରୁଛନ୍ତି। ଫଳରେ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଛି ଦ୍ୱନ୍ଦ୍ୱ ଓ କଳହ। ପୃଥିବୀରେ ଧର୍ମକୁ ନେଇ ଅନେକ ଯୁଦ୍ଧ ସଂଘଟିତ ହୋଇ ରକ୍ତପାତ ହୋଇଛି। ଆମେ ଜନ୍ମ ନେବାବେଳେ କୌଣସି ଧର୍ମ ବା ସମ୍ପ୍ରଦାୟ ବାଛିବା ପାଇଁ ସୁଯୋଗ ପାଇ ନ ଥାଉ। ଏଣୁ କୌଣସି ଧର୍ମ ବା ସମ୍ପ୍ରଦାୟ ଆମର ଅସ୍ମିତା ବୋଲି ଭାବିବା ଠିକ୍‌ ନୁହେଁ। ସବୁ ଧର୍ମର ଊର୍ଦ୍ଧ୍ୱରେ ରହିଛି ମାନବ ଧର୍ମ। ପାରସ୍ପରିକ ସ୍ନେହ, ଶ୍ରଦ୍ଧା ଓ ପ୍ରେମ ହେଉଛି ଏହି ମାନବ ଧର୍ମର ଭିତ୍ତି। ମଣିଷର ବିଶ୍ୱାସ ଓ ରୁଚି ଭିନ୍ନ ହୋଇପାରେ ଓ ସେହି ଅନୁସାରେ ସେ ଯେକୌଣସି ଧର୍ମ ଗ୍ରହଣ କରିପାରେ। ମାତ୍ର ମଣିଷ ଭାବରେ ସେ ପୃଥିବୀର ଯେ କୌଣସି ମଣିଷଠାରୁ ଅଭିନ୍ନ। ଏଣୁ ଗୋଟିଏ ଛାତ ତଳେ ପରିବାରର ବିଭିନ୍ନ ସଦସ୍ୟ ବିଭିନ୍ନ ଧର୍ମରେ ଆସ୍ଥା ସ୍ଥାପନ କଲେ ମଧ୍ୟ ସେମାନଙ୍କ ମଧ୍ୟରେ ସୁସହାବସ୍ଥାନ ସମ୍ଭବ ଯଦି ସେମାନେ ମାନବଧର୍ମରେ ବିଶ୍ୱାସୀ। ଏହା ସ୍ବଚକ୍ଷୁରେ ଦେଖିଥିଲେ ବିଶିଷ୍ଟ ଲେଖିକା ସୁଧା ମୂର୍ତ୍ତି।

ସୁଧା ମୂର୍ତ୍ତିଙ୍କ ଇନ୍‌ଫୋସିସ୍‌ ଫାଉଣ୍ଡେଶନରେ ଜଣେ ସ୍ବେଚ୍ଛାସେବୀ ଭାବରେ କାର୍ଯ୍ୟରତ ଥିଲେ ରହମନ। ବାଙ୍ଗାଲୋରରେ ବନରଘଟ୍ଟା ରୋଡ୍‌ରେ ତାଙ୍କ ଘର। ଥରେ ରହମନଙ୍କ ଦ୍ୱାରା ମଧ୍ୟାହ୍ନଭୋଜନ ନିମନ୍ତେ ନିମନ୍ତ୍ରିତ ହୋଇ ସୁଧା ମୂର୍ତ୍ତି ତାଙ୍କ ଘରେ ପହଞ୍ଚତ୍ଲେ। ରହମନ ଥିଲେ ଜଣେ ମୁସଲମାନ ଓ ତାଙ୍କ ସ୍ତ୍ରୀ ଥିଲେ କିଣ୍ଡରଗାର୍ଟନର୍‌ ଶିକ୍ଷୟିତ୍ରୀ ସଲମା। ସୁଧା ଚକିତ ହୋଇଥିଲେ ତାଙ୍କ ମାଆ ଓ ଭଉଣୀଙ୍କ ପରିଚୟ ଜାଣି। ମାଆ କାଶୀବାଈ ଓ ଭଉଣୀ ଉଷା ଥିଲେ ହିନ୍ଦୁ। କଥା ପ୍ରସଙ୍ଗରେ ରହମନ ସୁଧା ମୂର୍ତ୍ତିଙ୍କୁ ତାଙ୍କ ପରିବାରର ଯେଉଁ କାହାଣୀଟି ଶୁଣାଇଥିଲେ ତାହା ଥିଲା ଧାର୍ମିକ ବିବିଧତା ସତ୍ତ୍ୱେ ଏକ ସାଧ୍ୟ ସୁସହାବସ୍ଥାନର ବାର୍ତ୍ତା।

ଜମିଦାର ଶ୍ରୀକାନ୍ତ ଦେଶାଇଙ୍କ ଦଶ ଏକର ଜମି ଚାଷ କରୁଥିଲେ ଦତ୍ତୁରାମ୍‌। ଜମିଦାରବାବୁ ବର୍ଷକୁ ଥରେ ଆସି ତାଙ୍କଠାରୁ ଚାଷ ଅର୍ଜିତ ଅର୍ଥ ସଂଗ୍ରହ କରୁଥିଲେ। ଦତ୍ତୁରାମ୍‌ଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ତାଙ୍କ ବସାକୁ ଲାଗି ଆଉ ଏକ ବସାରେ ରହିଲେ ହୁସେନ୍‌ ବାବୁ। ଦତ୍ତୁରାମ୍‌ଙ୍କ ସ୍ତ୍ରୀ କାଶୀବାଈ ଓ ହୁସେନ୍‌ଙ୍କ ସ୍ତ୍ରୀ ଫତିମାଙ୍କ ସ୍ବଭାବ ଭିନ୍ନ ଥିବାରୁ ସେମାନଙ୍କ ମନ ମିଶିଲା ନାହିଁ। ଅଧିକାଂଶ ସମୟରେ ଉଭୟେ କଳହରେ ମଗ୍ନ ରହିଲେ। କାଶୀବାଈଙ୍କ କୁକୁଡ଼ା ଫତିମାଙ୍କ ଘରେ ଅଣ୍ଡା ଦେଲେ ଫତିମା ଦାବି କରୁଥିଲେ ତାଙ୍କ କୁକୁଡ଼ା ଅଣ୍ଡା ଦେଇଛି ଓ ତାକୁ ସେ ଫେରାଉ ନ ଥିଲେ। ଗୋଟିଏ କୂଅ ଉଭୟ ବ୍ୟବହାର କରୁଥିବାରୁ ଏକ ସମୟରେ ଲୁଗା ସଫା କରିବା ଓ ବାସନ ମାଜିବା ସମୟରେ ଛୋଟ ଛୋଟ କଥାକୁ ନେଇ ସେମାନେ କଳହ କରୁଥିଲେ। ଜଣକର ଛେଳି ଆଉ ଜଣକ ଗଛର ପତ୍ର କାହିଁକି ଖାଇଲା-ତାକୁ ନେଇ ମଧ୍ୟ କଳହ ହେଉଥିଲା। ମାତ୍ର ଅପରପକ୍ଷରେ ଦତ୍ତୁରାମ୍‌ ଓ ହୁସେନ୍‌ ଏହି କଳହ ଦ୍ୱାରା ପ୍ରଭାବିତ ନ ହୋଇ ସେମାନଙ୍କ ସୁସମ୍ପର୍କ ଜାରି ରଖିତ୍ଥିଲେ।

କାଶୀବାଈଙ୍କ ଝିଅ ଉଷାଙ୍କୁ ଯେତେବେଳେ ଦୁଇବର୍ଷ ହେଲା ଓ ସେ ଅଗଣାରେ ଖେଳିବା ଆରମ୍ଭ କଲା, ଫତିମା ତା’ ପ୍ରତି ଆକର୍ଷିତ ହେଲେ। ତା’ ସଙ୍ଗେ ଖେଳିଲେ ଓ ଆନନ୍ଦ ପାଇଲେ। ସମୟକ୍ରମେ ଫତିମା ଗର୍ଭବତୀ ହେଲେ। ଠିକ୍‌ ସମୟରେ ତାଙ୍କର ଏକ ପୁତ୍ରସନ୍ତାନ ଜନ୍ମ ହେଲା। ମାତ୍ର ଫତିମା ତାକୁ ଜନ୍ମ ଦେଇ ପ୍ରାଣତ୍ୟାଗ କଲେ। ସେହି ଘଟଣା କାଶୀବାଈଙ୍କ ହୃଦୟକୁ ବିଗଳିତ କଲା। ସେହି ପିଲାଟିର ନାମ ଥିଲା ରହମନ୍‌। ହୁସେନ୍‌ ବାବୁଙ୍କ କେହି ନିକଟ ସମ୍ପର୍କୀୟ ନ ଥିବାରୁ ନିଜେ ହିଁ ପୁଅକୁ ଲାଳନପାଳନ କଲେ। ଦିନେ ରାତିରେ ମାତୃହରା ରହମନ୍‌ ଏତେ ଜୋର୍‌ରେ କାନ୍ଦିଲା ଯେ ହୁସେନ୍‌ ତାକୁ ତୁନି କରିପାରିଲେ ନାହିଁ। କାଶୀବାଈଙ୍କ ମାତୃହୃଦୟ ବିଗଳିତ ହେଲା। ସେହି ରାତିରେ ସେ ହୁସେନ୍‌ଙ୍କ ଘରକୁ ଯାଇ କହିଲେ, ”ଶିଶୁଟିକୁ ମୋତେ ଦିଅ। ମୁଁ ଜଣେ ମାଆ। ତାକୁ କେମିତି ତୁନି କରିହେବ ତାହା ମୋତେ ଜଣା।“ କାଶୀବାଈ ଶିଶୁକୁ ଆଣିଲେ ଓ ତାକୁ ତୁନି କଲେ। ତା’ ପରଠାରୁ ସେ ଶିଶୁ ରହମନ୍‌କୁ ମାତୃସ୍ନେହ ଦେଇ ଲାଳନପାଳନ କଲେ। ରହମନ୍‌ ଓ ଉଷା ଭାଇ ଭଉଣୀ ଭଳି ମାଆ କାଶୀବାଈଙ୍କ ଦ୍ୱାରା ପାଳିତ ହେଲେ। ସମୟକ୍ରମେ ହୁସେନ୍‌ ବାବୁଙ୍କ ମୃତ୍ୟୁ ହେଲା। କାଶୀବାଈ ଥିଲେ ଜଣେ ଧର୍ମ ସଚେତନ ମହିଳା। ରହମନ୍‌ ମୁସଲମାନ ସନ୍ତାନ ହୋଇଥିବାରୁ ତାକୁ ନମାଜ ପଢ଼ିବା ପାଇଁ ଓ କୋରାନ୍‌ ପାଠ କରିବା ପାଇଁ ମସ୍‌ଜିଦ ପଠାଉଥିଲେ। ତତ୍‌ସଙ୍ଗେ ସଙ୍ଗେ ହିନ୍ଦୁ ପର୍ବପର୍ବାଣିରେ ମଧ୍ୟ ତାକୁ ସାମିଲ କରୁଥିଲେ। ସ୍ନାତକ ଶିକ୍ଷା ସମାପ୍ତ ହେଲା ପରେ ଦିନେ କାଶୀବାଈ ରହମନ୍‌କୁ କହିଲେ, ”ତୋ ମା’ ବାପାଙ୍କ ଫଟୋ ନାହିଁ। ଏଣୁ ତୁ ମକ୍କା ଆଡ଼େ ମୁହଁ କରି ଆଲ୍ଲାଙ୍କୁ ପ୍ରାର୍ଥନା କଲା ପରେ ତୋ ମା’ ବାପାଙ୍କୁ ପ୍ରାର୍ଥନା କରି ସେମାନଙ୍କ ଆଶୀର୍ବାଦ ଭିକ୍ଷା କର।“ ରହମନ୍‌ କାଶୀବାଈଙ୍କ ପାଦସ୍ପର୍ଶ କରି କହିଲା, ”ଏହି ଜୀବନରେ ତୁମେ ମୋ ମକ୍କା ଓ ତୁମେ ମୋ ମାଆ।“ ଏହା ଶୁଣି ଭାବବିହ୍ବଳ ହୋଇଥିଲେ କାଶୀବାଈ। ପରବର୍ତ୍ତୀ ସମୟରେ ରହମନ୍‌ ଚାକିରି କଲା, ବିବାହ କଲା ଓ ସଂସାର କଲା। ତା’ର ଘର କାନ୍ଥରେ ଶୋଭାପାଇଲା ଲଗାଲଗି ଦୁଇଟି ଫଟୋ- ଗୋଟିଏ ମକ୍କାର ଓ ଅନ୍ୟଟି ଭଗବାନ୍‌ ଶ୍ରୀକୃଷ୍ଣଙ୍କର। ହିନ୍ଦୁ-ମୁସଲମାନ ମୂଲ୍ୟବୋଧର ସାଧ୍ୟ ସୁସହାବସ୍ଥାନର ବାର୍ତ୍ତା ଦେଲା ରହମନ୍‌ର ପରିବାର। ସାରା ଦୁନିଆକୁ ସୂଚାଇ ଦେଲା କୌଣସି ଆନୁଷ୍ଠାନିକ ଧର୍ମ ଆମର ଅସ୍ମିତା ନୁହେଁ, ମାନବିକତା ହେଉଛି ଆମର ଅସ୍ମିତା।

କେବଳ ପାରିବାରିକ ନୁହେଁ, ସାମାଜିକ ଜୀବନରେ ମଧ୍ୟ ଧାର୍ମିକ ବିବିଧତା ସତ୍ତ୍ୱେ ସୁସହାବସ୍ଥାନ ସମ୍ଭବ। ଭାରତର ପ୍ରାକ୍ତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ବାପା ଥିଲେ ଜଣେ ନିଷ୍ଠାପର ମୁସଲମାନ। ରାମନାଥସ୍ବାମୀ ମନ୍ଦିରର ପୂଜକ ପାକ୍ଷୀ ଲକ୍ଷ୍ମଣ ଶାସ୍ତ୍ରୀ ଥିଲେ ତାଙ୍କର ଅନ୍ତରଙ୍ଗ ବନ୍ଧୁ। ସେ ଅଞ୍ଚଳରେ ଥିବା ଚର୍ଚ୍ଚର ଫାଦର ଥିଲେ ବନ୍ଧୁ ବୋଡ଼ାଲ। ପ୍ରତ୍ୟେକ ନିଜ ନିଜର ଧର୍ମୀୟ ପରମ୍ପରା ଅନୁସାରେ ପୋଷାକ ପିନ୍ଧୁଥିଲେ। ତିନିଜଣ ଭିନ୍ନ ଭିନ୍ନ ଧାର୍ମିକ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ସେମାନେ ପରସ୍ପରକୁ ମିତ୍ର ଚକ୍ଷୁରେ ଦେଖୁଥିଲେ। ପ୍ରତ୍ୟେକ ଶୁକ୍ରବାର ସନ୍ଧ୍ୟାରେ ସେମାନେ ଏକତ୍ର ବସି ସହରର ବିଭିନ୍ନ ଘଟଣା ଆଲୋଚନା କରୁଥିଲେ। ତିନି ଧର୍ମର ଲୋକମାନଙ୍କ ମଧ୍ୟରେ କିପରି ଶାନ୍ତିପୂର୍ଣ୍ଣ ବାତାବରଣ ରହିବ ସେ ସମ୍ପର୍କରେ ସେମାନେ ସର୍ବଦା ଚେଷ୍ଟିତ ଥିଲେ। ସବୁ ଧର୍ମାବଲମ୍ବୀମାନଙ୍କ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଥିଲା। ରାମେଶ୍ୱରମ୍‌ର ବୈଶିଷ୍ଟ୍ୟ। ସେଠାରେ ଧାର୍ମିକ ବିବିଧତା ସୁସହାବସ୍ଥାନ ପଥରେ କେବେ ବି ଅନ୍ତରାୟ ସୃଷ୍ଟି କରି ନ ଥିଲା।

ମନେପଡ଼େ ଏକ କ୍ଷୁଦ୍ର କାହାଣୀ। ସ୍କୁଲରେ ନାମ ଲେଖାଇବା ପାଇଁ ବାପା ଅନୱାର୍‌ ସରିଫ୍‌ ଓ ମାଆ ଲକ୍ଷ୍ମୀଦେବୀ ପୁଅ ଜୀବନକୁ ନେଇ ସ୍କୁଲ ଆସିଲେ। ପ୍ରଧାନ ଶିକ୍ଷକ ମା’ ବାପାଙ୍କୁ ପଚାରିଲେ, ‘ଧର୍ମ କ’ଣ ଲେଖିବି?’ ସେମାନେ କହିଲେ, ‘କୌଣସି ଧର୍ମ ଲେଖନ୍ତୁ ନାହିଁ।’ ପ୍ରଧାନ ଶିକ୍ଷକ ଚିନ୍ତିତ ହୋଇପଡ଼ିଲେ ଓ କହିଲେ, ”ପିଲାଟି ଯେତେବେଳେ ବଡ଼ ହୋଇଯିବ, ସେତେବେଳେ ସେ ଧର୍ମର ଆବଶ୍ୟକତା ଅନୁଭବ କରିବ।“ ଅନୱାର୍‌ ଓ ଲକ୍ଷ୍ମୀଦେବୀ କହିଲେ, ”ସେତେବେଳେ ଜୀବନ ନିଜ ରୁଚି ଓ ଇଚ୍ଛା ଅନୁସାରେ ନିଜ ପାଇଁ ଧର୍ମ ବାଛିବ।“ ଏହି କଥା କହିବାର ତାତ୍ପର୍ଯ୍ୟ ହେଉଛି ନିଜକୁ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ୍‌ ଭାବରେ ପରିଚୟ ଦେଇ ତାହା ନିଜର ଅସ୍ମିତା ବୋଲି କହିବା ଠିକ୍‌ ନୁହେଁ। ଆମର ପ୍ରଥମ ଅସ୍ମିତା ହେଉଛି ଆମେ ମଣିଷ ଓ ମାନବିକତା ଆମର ଧର୍ମ। କୌଣସି ଆନୁଷ୍ଠାନିକ ଧର୍ମରେ ବିଶ୍ୱାସ ନ କରି ମଧ୍ୟ ଜଣେ ମଣିଷ ଭାବରେ ଶୃଙ୍ଖଳିତ ଜୀବନଯାପନ କରିବା ସମ୍ଭବ।
ପ୍ରାକ୍ତନ ଅଧ୍ୟକ୍ଷ, ଡିଏଭି ସ୍ବୟଂଶାସିତ କଲେଜ, ଟିଟିଲାଗଡ଼
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri