ନୂଆଦିଲ୍ଲୀ, ୨୦।୧୧: IPL ୨୦୨୬ ପରେ ଭାରତୀୟ ଟିମ୍ରୁ ବାଦ ପଡ଼ିଥିଲେ ସୂର୍ଯ୍ୟକୁମାର ଯାଦବ। ଏବେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ନିଜର ବିସ୍ଫୋରକ ପ୍ରଦର୍ଶନ ଜରିଆରେ ପୁଣିଥରେ ଟିମ ଇଣ୍ଡିଆକୁ ଫେରିବା ପାଇଁ ଦାବିଦାରୀ ଉପସ୍ଥାପନ କରୁଛନ୍ତି। ସୂର୍ଯ୍ୟ ୩ଟି ମ୍ୟାଚରେ ୧୬୭ ରନ ସଂଗ୍ରହ କରି ନିଜ ଫର୍ମକୁ ଫେରିଛନ୍ତି। ଏବେ ଏକ ସାକ୍ଷାତକାରରେ ସେ ନିଜ ଫର୍ମକୁ ଫେରିବାର ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଇଛନ୍ତି। ପ୍ରକୃତରେ, କିଛି ଦିନ ପୂର୍ବରୁ ସୂର୍ଯ୍ୟକୁମାରଙ୍କ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ହୋଇଥିଲା। ଏହା ପରଠାରୁ ସେ କ୍ରମାଗତ ଭାବେ ରନ ସଂଗ୍ରହ କରୁଛନ୍ତି।
ନଭେମ୍ବର ୬ ତାରିଖରେ ସୂର୍ଯ୍ୟକୁମାର ଯାଦବ ଓ ତାଙ୍କ ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ। ଏହା ପରେ ସୟଦ ମୁସ୍ତାକ ଅଲୀ ଟ୍ରଫି ଜରିଆରେ ସେ ପଡ଼ିଆକୁ ଫେରିଥିଲେ। ହାଇଦ୍ରାବାଦ ବିପକ୍ଷ ପ୍ରଥମ ମ୍ୟାଚରେ ସେ ୬୦ ରନର ଅପରାଜିତ ଇନିଂସ ଖେଳିଥିଲେ। ଗୁଜରାଟ ବିପକ୍ଷରେ ୮୨ ରନ କରିଥିବା ବେଳେ ଗୋଆ ବିପକ୍ଷରେ ମଧ୍ୟ ୨୫ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଏହା ପୂର୍ବରୁ IPL ୨୦୨୬ ସୂର୍ଯ୍ୟକୁମାରଙ୍କ ପାଇଁ ଭୁଲିଯିବା ଭଳି ଏକ ଅନୁଭୂତି ଥିଲା।
ସୂର୍ଯ୍ୟକୁମାର ନିଜ ଫର୍ମକୁ ଫେରିବାର ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତକୁ ଦେଇଛନ୍ତି। ସେ କହିଛନ୍ତି, ମୋତେ ଲାଗୁଛି, ସେହି ସାକ୍ଷାତ ମୋ ପାଇଁ ବେଶ ଶୁଭ ଥିଲା। ମୁଁ ପୁଣିଥରେ ରନ କରିବା ଆରମ୍ଭ କରିଛି। ତାଙ୍କ ସହ ମୋର ସାକ୍ଷାତ ବହୁତ ଭଲ ଥିଲା। ମୁଁ ଭାବିଥିଲି ଆମ ମଧ୍ୟରେ ୫ରୁ ୧୦ ମିନିଟ କଥାବାର୍ତ୍ତା ହେବ। କିନ୍ତୁ ସେ ମୋ ପାଇଁ ଓ ମୋ ପରିବାର ପାଇଁ ୪୦ରୁ ୪୫ ମିନିଟ ସମୟ ଦେଇଥିଲେ। ଏହା ଏକ ବିଶେଷ ମୁହୂର୍ତ୍ତ ଥିଲା। ପରିସ୍ଥିତିକୁ କିପରି ସମ୍ଭାଳିବାକୁ ହୁଏ, ସେ ବିଷୟରେ ମୁଁ ତାଙ୍କ ସହ କଥା ହୋଇଥିଲି। ଆମେ ଖେଳାଳି, ଖେଳ ସମୟରେ ଚାପରେ ରହିଥାଉ। କଠିନ ପରିସ୍ଥିତିକୁ ସେ କିପରି ସମ୍ଭାଳନ୍ତି, ମୁଁ ତାଙ୍କୁ ପଚାରିଥିଲି। ସେ ମୋର ସମସ୍ତ ପ୍ରଶ୍ନର ଅତି ସୁନ୍ଦର ଭାବେ ଉତ୍ତର ଦେଇଥିଲେ। ଏହା ମୋ ହୃଦୟକୁ ଛୁଇଁଯିବା ଭଳି ଏକ ମୁହୂର୍ତ୍ତ ଥିଲା।
ଗତ କିଛି ବର୍ଷ ଧରି ସୂର୍ଯ୍ୟକୁମାର ଯାଦବ ଭାରତୀୟ T20I ଟିମର ଜଣେ ପ୍ରମୁଖ ଖେଳାଳି ଥିଲେ। ତାଙ୍କ ଅଧିନାୟକତ୍ୱରେ ହିଁ ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଜିତିଥିଲା। ଏହା ପରେ ସୂର୍ଯ୍ୟା ଏସୀୟ କ୍ରୀଡ଼ା ଓ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ ପଦକ ଜିତିବା କଥା କହିଥିଲେ। ତେବେ ଚୟନକର୍ତ୍ତାମାନେ ଏକ ଚକିତ କରିବା ଭଳି ନିଷ୍ପତ୍ତି ନେଇ ସୂର୍ଯ୍ୟାଙ୍କୁ ଟିମ ଇଣ୍ଡିଆରୁ ବାଦ ଦେବା ସହ ଶ୍ରେୟସ ଆୟରଙ୍କୁ ନୂଆ ଅଧିନାୟକ ନିଯୁକ୍ତ କରିଥିଲେ। ଏବେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ମୁମ୍ବାଇ ପକ୍ଷରୁ ରନ କରି ସୂର୍ଯ୍ୟକୁମାର ପୁଣିଥରେ ଟିମ ଇଣ୍ଡିଆକୁ ଫେରିବା ପାଇଁ ଦାବି ଜଣାଉଛନ୍ତି। ଆଗକୁ ମଧ୍ୟ ଯଦି ତାଙ୍କର ଏହି ପ୍ରଦର୍ଶନ ଜାରି ରହେ, ତେବେ ଜଣେ ଖେଳାଳି ଭାବେ ସେ ଭାରତୀୟ ଟିମକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି।

