ବ୍ରହ୍ମପୁର/ଦିଗପହଣ୍ଡି, ୧୭।୪(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସ୍ନାୟୁ ଶଲ୍ୟ ବିଭାଗରୁ ଆଉ ଏକ ବିରଳ ତଥା ସଫଳ ଅସ୍ତ୍ରୋପଚାର ଘଟଣା ପଦାକୁ ଆସିଛି। ଗଜପତି ଜିଲା ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ରାଉଳପଡା ଗ୍ରାମର ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର ସଫଳତା ପୂର୍ବକ ସମ୍ପନ୍ନ ହେବାପରେ ଶୁକ୍ରବାର ଛାତ୍ରଙ୍କୁ ମେଡ଼ିକାଲରୁ ଘରକୁ ଛାଡି ଦିଆଯାଇଛି। ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ପୁଅ ବାଙ୍କେଶ୍ବରୀ(୧୧) ଗତ ମାର୍ଚ୍ଚ ୨୬ ତାରିଖ ସକାଳେ ସ୍କୁଲକୁ ଯାଉଥିବା ସମୟରେ ସାଇକେଲରୁ ପଡି ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କର ମସ୍ତିଷ୍କ ବାହାରକୁ ବାହାରି ଯାଇଥିଲା। ଆମ୍ବୁଲାନ୍ସ ଯୋଗେ ବାଙ୍କେଶ୍ୱରୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ଅଣାଯିବା ପରେ ସମସ୍ତ ପ୍ରକାର ଚିକିତ୍ସା ଆରମ୍ଭ କରାଯାଇଥିଲା। ଡାକ୍ତରୀ ଟିମଙ୍କ ଅସ୍ତ୍ରୋପଚାର ପରେ ତାଙ୍କୁ ଦୀର୍ଘ ୧୩ ଦିନ ଧରି ଆଇସିୟୁରେ ରଖାଯାଇଥିଲା। ଅସ୍ତ୍ରୋପଚାର ଓ ଚିକିତ୍ସା ଦିଗରେ ସ୍ନାୟୁଶଲ୍ୟ ବିଭାଗୀୟ ମୁଖ୍ୟ ଡା. ରବିନାରାୟଣ ପଣ୍ଡାଙ୍କ ସମେତ ଡା. ଦେବଦତ୍ତ ସେନାପତି, ଡା. ଦେବଶ୍ରୀ ମହାପାତ୍ର, ଡା. ତୁଷାର କାନ୍ତ ରଥ, ଡା. ପି. ହରିପ୍ରସାଦ ସାମିଲ ଥିବାବେଳେ ଶିଶୁଟିର ମାତାପିତା ଓ ସମ୍ପର୍କୀୟ ଡାକ୍ତରୀ ଟିମଙ୍କୁ ସେମାନଙ୍କ କୃତଜ୍ଞତା ଜଣାଇଛନ୍ତି। ଏଥି ପୂର୍ବରୁ ଦିଗପହଣ୍ଡିର ଆଇନଜୀବୀ ହରପ୍ରସାଦ ରଥଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରି କ୍ରମଶଃ ବଢୁଥିବା ପ୍ରାୟ ୩ ଶହ ଗ୍ରାମର ମାଂସ ପିଣ୍ଡୁଳା(ଟ୍ୟୁମର)କୁ ସଫଳତାର ସହ ବାହାର କରି ବିଭାଗୀୟ ଡାକ୍ତରୀ ଟିମ ପ୍ରସଂଶା ସାଉଁଟିଥିଲେ।

