ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି) ପ୍ରସନ୍ନ କୁମାର ପାତ୍ରଙ୍କୁ ଶନିବାର ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଏନେଇ ଶନିବାର ରାଉରକେଲା ଭିଜିଲାନ୍ସ ଡିଭିଜନର ଏସ୍ପି ହରେକୃଷ୍ଣ ମାଝୀ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏସ୍ପି ମାଝୀଙ୍କ ସୂଚନା ଅନୁଯାୟୀ, ପ୍ରସନ୍ନ ପାତ୍ରଙ୍କ ଜ୍ଞାତ ଆୟ ଉତ୍ସ ତୁଳନାରେ ୨୦୪ ପ୍ରତିଶତ ଅଧିକ ସମ୍ପତ୍ତି ଥିବା ଭିଜିଲାନ୍ସ ହିସାବ କରିଛି। ଏହି ସମ୍ପତ୍ତି ସମ୍ପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇପାରି ନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହି ମାମଲାରେ ରାଉରକେଲା ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୩, ତାରିଖ ୧୦।୧୦।୨୦୨୬ରେ ପ୍ରସନ୍ନ ପାତ୍ର ଓ ତାଙ୍କ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗିରଫ ପରେ ତାଙ୍କୁ ସୁନ୍ଦରଗଡ଼ ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତରେ ହାଜର କରିବା ପାଇଁ ଚାଲାଣ କରାଯାଇଛି।
ଭିଜିଲାନ୍ସ ପକ୍ଷରୁ ଠାବ ହୋଇଥିବା ସମ୍ପତ୍ତିର ତାଲିକା
୧. ଭୁବନେଶ୍ୱରର ମଞ୍ଚନାଥ ଭିଲ୍ଲା, ଫେଜ୍-୨, ଏମ୍-୧୦୫ରେ ୨୪୦୦ ବର୍ଗଫୁଟ୍ର ଦୁଇ ମହଲା କୋଠା।
୨. ମଞ୍ଚନାଥ ଭିଲ୍ଲାର ଏମ୍-୧୧୦ରେ ୨୪୦୦ ବର୍ଗଫୁଟ୍ର ଏକ କୋଠା।
୩. ମଞ୍ଚନାଥ ଭିଲ୍ଲାର ଏମ୍-୧୧୫ରେ ୨୪୦୦ ବର୍ଗଫୁଟ୍ର ଆଉ ଏକ କୋଠା।
୪. ଭୁବନେଶ୍ୱରର ବାଲିଅନ୍ତାରେ ୩୦୦୦ ବର୍ଗଫୁଟ୍ର ଏକ କୋଠା।
୫. ନୟାପଲ୍ଲୀରେ ୧୧୫୦ ବର୍ଗଫୁଟ୍ର ଏକ ୩-ବିଏଚ୍କେ ଫ୍ଲାଟ୍।
୬. ଆଉ ଏକ ଫ୍ଲାଟ୍ କିଣିବା ପାଇଁ ୨୯.୫୦ ଲକ୍ଷ ଟଙ୍କା ଅଗ୍ରିମ ପ୍ରଦାନ।
୭. ଭୁବନେଶ୍ୱର ଉପକଣ୍ଠରେ ୭ଟି ମୂଲ୍ୟବାନ ପ୍ଲଟ୍।
୮. ନଗଦ ୧ ଲକ୍ଷ ୨୯ ହଜାର ୫୦୦ ଟଙ୍କା।
୯. ୨୧୨ ଗ୍ରାମ ସୁନା।
୧୦. ବ୍ୟାଙ୍କ ଜମା ଆକାରରେ ୧.୪୬ କୋଟି ଟଙ୍କା।
୧୧. ୩ଟି ମୋଟରସାଇକେଲ୍।
୧୨. ୭.୭୨ ଲକ୍ଷ ଟଙ୍କା ମୂଲ୍ୟର ଘରୋଇ ଆସବାବପତ୍ର।
ଭିଜିଲାନ୍ସ ପକ୍ଷରୁ ଠାବ ହୋଇଥିବା ଏହି ସମ୍ପତ୍ତିର ମୂଲ୍ୟ ଓ ଏହାର ଉତ୍ସ ସମ୍ପର୍କରେ ତଦନ୍ତ ଜାରି ରହିଛି।

