Posted inରାଜ୍ୟ

ସୁଭଦ୍ରା ଓଠରେ ହସ

ଜାନକୀର ବାହାଘର ତା’ ବାପା ଅଠର ବର୍ଷ ନ ପୂରୁଣୁ କରି ଦେଇଥିଲା। ଚିକିଟି ଭଳି ଗାଁରେ ଏବେ ବି କୋଉଠି କୋଉଠି ନିମ୍ନମଧ୍ୟବିତ୍ତ ପରିବାରରେ ଝିଅମାନଙ୍କୁ ଅଳ୍ପ ବୟସରେ ବାହା ଦେଇଦେବାର ଚଳଣି ରହିଛି। ଜାନକୀ ତଳକୁ ଆହୁରି ତିନିଟା ଝିଅ। ବାପା ତା’ର ବିଲମୂଲିଆ। ବଡ଼ ପରିବାରଟିକୁ କଷ୍ଟେମଷ୍ଟେ ଚଳାଏ। ଜାନକୀର ବର ମଧୁ ବରହମ୍‌ପୁରରେ ମିସ୍ତ୍ରି କାମ କରୁଥିଲା। ରୂପ ଗଢ଼ଣ ସରସା ଦେଖି ମଧୁ ମନଖୁସିରେ ବିନା ଜାନିଯୌତୁକରେ ବାହାଘର ପାଇଁ ରାଜି ହେଇଯାଇଥିଲା। ବାହାଘର ପୂର୍ବରୁ ଜାନକୀ ଅଷ୍ଟମ ଶ୍ରେଣୀ ଯାଏ ପାଠ ପଢ଼ିଥିଲା। ଆଉ ଆଗକୁ ପଢ଼େଇବା ପାଇଁ ତା’ ବାପାର ସାମର୍ଥ୍ୟ କାହିଁ ଥିଲା ଯେ!
ମଧୁର ପରିବାରରେ କେବଳ ତା’ର ଜଣେ ବିଧବା ବଡ଼ ଭଉଣୀ ରମାନାନୀ ରହୁଥିଲା। ବଡ଼ ନଣନ୍ଦ ହେଲେ କ’ଣ ହେଲା, ଜାନକୀର ବଡ଼ଭଉଣୀ ଭଳି ସେ ତାକୁ ଆଦରି ନେଲା। ଜାନକୀ ବି ଶାଶୁଘରକୁ ଖୁବ୍‌ଶୀଘ୍ର ଆଦରି ନେଇ ବାପଘର ଦୁଃଖକଷ୍ଟ ଭୁଲି ଯିବାକୁ ଲାଗିଲା। ମଧୁ ଭଲ ରୋଜଗାର କରୁଥିଲା। ଛୋଟ ପରିବାରଟି ଚଳିବାରେ କିଛି ଅସୁବିଧା ହେଉ ନ ଥିଲା। ବେଳେବେଳେ ମଧୁ ଅଧିକା ଖର୍ଚ୍ଚକରି ପକେଇ ଜାନକୀ ପାଇଁ ଛୋଟମୋଟ ଉପହାର ନେଇଆସେ। ମନେ ମନେ ଖୁସୀ ହେଲେ ବି ପିଲାଦିନୁ ଦାରିଦ୍ର୍ୟ ଦେଖି ଆସିଥିବା ଜାନକୀ କୁହେ, ”ହଇ ହେ, ଆଗକୁ ନଜର ପକେଇ ଖର୍ଚ୍ଚବାର୍ଚ୍ଚ କରିବା ନା ଆଉ, ନ ହେଲେ ହଠାତ୍‌ ଲୋଡ଼ା ପଡ଼ିଲା ବୋଇଲେ, କା’କୁ ହାତ ପତେଇବା ଯେ?“ ମଧୁ ବି ତା’ କଥାରେ ସହମତ ହେଇ କୁହେ, ” ହଁ ହଁ, ତୁ ଠିକ୍‌ କଥା କହୁଚୁ। ହଉ ଏଥର ଆଗକୁ ପଇସା ଆତେଇବା। ମୁଁ ତ ତୋତେ ନ ହେଲେ ନାନୀ କି ସବୁଦିନର ମଜୁରି ଆଣି ଧରେଇ ଦେଉଛି। ତମେମାନେ ଯେମିତି ଚଳେଇବ, ସେମିତି ଚାଲିବ।“ ତା’ ସରଳ ନିଷ୍କପଟ କଥାରେ ଜାନକୀର ହୃଦୟ ପୂରିଯାଏ।
ପ୍ରତିଦିନର ଖର୍ଚ୍ଚ ବାଦ୍‌ ଯାଇ କିଛି ସଞ୍ଚୟ ବି କରିପାରୁଥିଲା ଜାନକୀ। ମଧୁ ଏକଥା ଦେଖି ଭାରି ଖୁସି ହେଉଥିଲା। ରମାନାନୀ ବି କହୁଥିଲା, ‘ବୁଝିଲୁରେ ମଧୁ, ଆମ ଜାନକୀ ବଡ଼ ପାରିବାର। ଖାସା ବୋହୂ ପିଲାଟିଏ ଆଣିଛୁ ଏକା।’ ଜାନକୀ ନିଜର ପ୍ରଶଂସା ଶୁଣି ଲାଜେଇ ଯାଉଥିଲା।
ଦିନେ ମଧୁ ତାକୁ କହିଲା, ”ଜାଣିଲୁ ନା ଲୋ, ଆମ ପଧାନମନ୍ତରି ଆମ ଭଳି ଗରିବଗୁରୁବାଙ୍କ ଲାଗି ଗୋଟେ ଭଲ ଯୋଜନା ଆଣିଛନ୍ତି। ତା’ର ନାଁ ହେଲା ଜନମନ ଯୋଜନା। ଏଇଥିରେ ବେଙ୍କରେ ରମାନାନୀ ଆଉ ତୋ’ ନାଁରେ ଖାତା ଖୋଲିବାକୁ କିଛି ହେଲେ ପଇସା ଜମା କରିବାକୁ ପଡ଼ଇନି।“ ଜାନକୀ ଖୁସି ହେଇଗଲା। ପରଦିନ ଆଧାର କାର୍ଡ ଆଉ ରେଶନ କାର୍ଡ, ଫଟୋ ଆଉ ଅନ୍ୟ ସବୁ କାଗଜପତ୍ର ଧରି ମଧୁ ଦୁହିଁଙ୍କୁ ସାଙ୍ଗରେ ନେଇ ଜନଧନ ଯୋଜନାରେ ବେଙ୍କ୍‌ରେ ଖାତା ଖୋଲି ଦେଇ ଆସିଲା। ଦୁଇଟିଯାକ ଖାତାରେ ସେ ନିଜେ ନେଇ ମଝିରେ ମଝିରେ ତିନିଶହ ପାଞ୍ଚଶହ ଜମା କରି ଦେଉଥିଲା। ତିନି ବର୍ଷରେ ଦୁଇଟି ଛୁଆ ତା’ କୋଳ ଭର୍ତ୍ତି କରି ଆସିଗଲେ। ପିଲାମାନଙ୍କ କେତେ କ’ଣ ଖର୍ଚ୍ଚ ବଢ଼ି ଯାଉଥିଲା। ରେଶନ କାର୍ଡରେ ଚାଉଳ ମିଳି ଯାଉଥିଲେ ବି ବଜାରରେ ତେଲ ଲୁଣ ପରିବାପତ୍ର ଦରଦାମ୍‌ ତ ଦିନକୁ ଦିନ ବଢ଼ି ଚାଲୁଥିଲା! ତଥାପି ପରିବାରଟି କଷ୍ଟେମଷ୍ଟେ ଚଳେଇ ନେଉଥିଲା ମଧୁ।
ରମାନାନୀ ଆଉ ଜାନକୀଙ୍କ ପାଦତଳୁ ସେଦିନ ମାଟି ଖସିଗଲା, ଯେଉଁଦିନ ମଧୁ ଭାରାରେ ଚଢ଼ି କାମ କଲାବେଳେ ଭାରସାମ୍ୟ ହରେଇ ପାଞ୍ଚମହଲା ଉଚ୍ଚତାରୁ ପଡ଼ିଗଲା। ଜୀବନ ସିନା ରହିଗଲା, ହେଲେ ମଧୁର ଗୋଟିଏ ପାଖ ଅଙ୍ଗ ସବୁଦିନ ପାଇଁ ଅଚଳ ହେଇଗଲା। କ’ଣ କେମିତି ଘର ଚଳିବ? ଏଣେ ଛୋଟ ପିଲା ଦିଇଟା ସାଙ୍ଗକୁ ମଧୁର ଚିକିତ୍ସା ଭାବି ଭାବି ଥଳକୂଳ ପାଉ ନ ଥା’ନ୍ତି ନଣନ୍ଦ, ଭାଉଜ।
ତାଙ୍କ ପଡ଼ୋଶୀ ନାନୀ ଜଣେ ତାକୁ ଭଲ ଉପାୟଟିଏ ବତେଇଲେ। ‘ତମେ ଇମିଟେସନ ଗହଣାର ବେପାର କରିବ କି?’ ନାନୀ ଆଉ ତାଙ୍କର ଦୁଇ ଝିଅ ବି ଇମିଟେସନ କାନଫୁଲ, ହାର, ଚୁଡ଼ି ଆଦି କଲିକତାରୁ ଆଣି ଏଠି ବଜାରରେ ମେଳା ମଉଚ୍ଛବରେ, କଲେଜ ବାହାରେ ଉଠା ଦୋକାନ କରି ଭଲ ଦୁଇ ପଇସା ଲାଭ କରୁଥିଲେ।
‘ହେଲେ ମୂଳଧନ…’
‘ହଜାରେ ଟଙ୍କାରୁ ବି ତମେ ଏ ବେପାର ଆରମ୍ଭ କରିପାରିବ।’
ଜାନକୀର ମନକୁ ପାଇଲା। ରମାନାନୀକୁ ଆସି ସବୁକଥା କହିଲାଠୁ, ସେ ବି ଭରସା ଦେଲା, ‘ହଉ, ତୁ ଯଦି ଭାବୁଛୁ କରିପାରିବୁ, ତା’ହେଲେ କରେ। ହେଲେ ବେପାର ପାଇଁ ଆମ ପାଖରେ ଧନ କାହିଁ ଅଛି ଯେ?’
”ନାନୀ, ପଡ଼ିଶା ନାନୀ ତ କହିଲେ, ଟଙ୍କା ହଜାରେ ହେଲେ ବି ଆରମ୍ଭ କରିପାରିବ। ମୁଁ ଭାବୁଛି, ମୋର ବେଙ୍କ୍‌ ଖାତାରେ କେତେ ଟଙ୍କା ଥିବ ବୋଲି। ସେତିକି ଆଣିଲେ ଆରମ୍ଭ କରିପାରିବି ଯେ, ପିଲାମାନେ ଆଉ ୟା’ଙ୍କ କଥା କେମିତି ବୁଝିପାରିବି?“ ‘ଆଲୋ, ତୁ ଏସବୁ ଚିନ୍ତା କରେନା। ମୁଁ ତ ଅଛି! ତୁ ଆଗ କାମ ଆରମ୍ଭ କରେ।’
ଜାନକୀ ମୂଳଧନ ହଜାରେ ଟଙ୍କାରେ କିଛି ମାଳି, କାନଫୁଲ, କ୍ଲିପ, ଚୁଡ଼ି କିଣିକି ଛୋଟ ପସରାଟେ ନେଇ ଉମେନ୍‌ସ କଲେଜ ଆଗରେ ବସିଲା। ଦଶଟଙ୍କା, କୋଡ଼ିଏ ଟଙ୍କାର ଫେସନ ଜିନିଷ ଦେଖି ଝିଅମାନେ ଆଗ୍ରହରେ କିଣିନେଲେ। ପ୍ରଥମ ଦିନ ଜାନକୀର ମୂଳଧନ ବାଦ୍‌ ଆହୁରି ତିନିଶହ ଟଙ୍କା ଲାଭ ହେଲା। ଏମିତି ପ୍ରତିଦିନ କିଛି କିଛି ନୂଆ ଜିନିଷ କିଣି ସୁଲଭ ଦରରେ ବିକି ଦୁଇ ପଇସା ଅଧିକ ଲାଭ କରିପାରିଲା। କେବେ କୋଉ ଶ୍ରମିକ ବସ୍ତି ତ କେବେ କୋଉ ମେଳା ଯାତ୍ରା ବି ପଡ଼ୋଶୀଙ୍କ ସହିତ ଯାଏ। ମଧୁର ଔଷଧପତ୍ର ସାଙ୍ଗକୁ ଘରଖର୍ଚ୍ଚ ବି ରହିଛି। କଷ୍ଟେମଷ୍ଟେ ଚଳେଇବାକୁ ପଡ଼େ। ଏମିତି ଏମିତି ବିତି ଗଲା ଆଉରି ଦି’ ବର୍ଷ।
ସେଦିନ ପଡ଼ିଶା ଘର ଝିଅ ଲିତା ତାକୁ ଆସି ଖୁବ୍‌ ଖୁସିରେ କହିଲା, ”ଭାଉଜ, ଏଥର ତମର ଦୁଃଖ ଯିବ। ନୂଆ ସରକାର ଆମ ତୁମ ଭଳି ସ୍ତ୍ରୀଲୋକମାନଙ୍କ ପାଇଁ ଗୋଟେ ଭଲ ଯୋଜନା ଆଣିଛନ୍ତି। ତା’ ନାଁ ହେଉଛି ସୁଭଦ୍ରା ଯୋଜନା। ଆମ ଜଗନ୍ନାଥ ମାହାପୁରୁଙ୍କ ଭଉଣୀ ସୁଭଦ୍ରାଙ୍କ ନାଁ ଅନୁସାରେ ଏଇ ଯୋଜନା ସବୁ ସ୍ତ୍ରୀଲୋକଙ୍କୁ ନିଜ ଗୋଡ଼ରେ ଠିଆ ହେବାକୁ ସାହାଯ୍ୟ କରିବ।“
ଜାନକୀ ଖୁସି ହେଇଗଲା। ”ସତେ କି! ହେଲେ କେମିତି କ’ଣ ହେଇପାରିବ?“ ଲିତା ତା’ର ୟୁଟ୍ୟୁବ୍‌ ଖୋଲି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଭାଷଣ ଶୁଣେଇ ଦେଲା। ପାଞ୍ଚ ହଜାର ଟଙ୍କା ବେଙ୍କ୍‌ ଖାତାକୁ ଆସିଲେ, ମହିଳାମାନେ ନିଜେ ସ୍ବାବଲମ୍ବୀ ହେବାକୁ ସମ୍ବଳ ପାଇବେ। ସିଲେଇ ଠୁଁ ନେଇ ଖଲିପତ୍ର ଦନା ତିଆରି, ପରିବା ଚାଷ ଠୁଁ ନେଇ ଛତୁଚାଷ, ଯେ କୌଣସି କାମରେ ସେଇ ଅର୍ଥ ବିନିଯୋଗ କରି ରୋଜଗାରକ୍ଷମ ହେବା ସହିତ ପରିବାରକୁ ସହାୟତା ଯୋଗେଇ ପାରିବେ। ଏସବୁ ଶୁଣି ଜାନକୀ ଓ ରମାନାନୀ ଆଶ୍ଚର୍ଯ୍ୟ ହେଉଥିଲେ। ‘ହେଲେ ଆମେ କିମିତି ଏଇ ଟଙ୍କା ପାଇବା?’ ରମାନାନୀ ଜାଣିବାକୁ ପଚାରିଲା।
ସେଉଠୁ ଲିତା ବୁଝେଇ ଦେଲା, ”ତମ ଦିହିଙ୍କ ନଁାରେ ବେଙ୍କ୍‌ ଖାତା ତ ଅଛି। ଖାଲି ଜନସେବା କେନ୍ଦ୍ରରୁ ଫର୍ମ ଆଣି ପୂରଣ କରି ଜମା କରିଦେବା କଥା। ତମର ଆଧାର କାର୍ଡ ଆଉ ଫୋନ ନମ୍ବର ବେଙ୍କ୍‌ ଖାତାରେ ଯୋଡ଼ା ହେଇଥିବ ଖାତା ଖୋଲାବେଳେ।“ ‘ହଁ, ହେଇଛି ତ।’ ”ତା’ ହେଲେ ଆଉ କିଛି ଅସୁବିଧା ନାହିଁ। କାଲି ଯାଇ ଏଇ ସାହି ମୁଣ୍ଡରେ ଯୋଉ ଜନସେବା କେନ୍ଦ୍ର ଅଛି, ସେଇଠୁ ଫର୍ମ ନେଇ ଆସ ଦୁଇଜଣଙ୍କର। ଏକାଥରେ ଦି’ଜଣଙ୍କର ପାଞ୍ଚ ପାଞ୍ଚ, ଦଶହଜାର ହେଲେ ତମେ ଦି’ଜଣ ମିଶି ଗୋଟେ ମନୋହରି ଦୋକାନ କରିପାରିବ। ବେଙ୍କ୍‌ରେ ଟଙ୍କା ଥିଲେ ହିଁ ସ୍ତ୍ରୀଲୋକଟିଏ ନିଜେ ସ୍ବାବଲମ୍ବୀ ହେବାକୁ କିଛି ନୂଆ କାମ କରିପାରିବ ଆଉ ପରିବାରକୁ ସ୍ବଚ୍ଛଳ କରିପାରିବ।“
ରମାନାନୀ ଶୁଣି ଖୁସିରେ କହିଲେ, ‘ଭଲ କଥା ନା। ଯା’ହେଉ ସରକାର ଏତେ ଦିନକେ ଆମ ଦୁଃଖ ବୁଝିଲେ।’
ଜାନକୀ ଖୋଲା ଆଖିରେ ସ୍ବପ୍ନ ଦେଖିବାକୁ ଲାଗିଲା। ”ଆହାଃ ନାନୀ, ଏତିକି ତମ ଭାଇ ଶୁଣି କେତେ ଖୁସି ହେଇଯିବେ ନା। ସେ ସୁଭଦ୍ରା ମାଆ ଇଚ୍ଛା କଲେ ଆମ ଦୁଃଖ ଦୂର ହେଇଯିବ।“
ଜାନକୀ ସେଦିନ ରାତିରେ ସ୍ବପ୍ନ ଦେଖିଲା, ସେ ଛୋଟିଆ କେବିନଟିଏ କରିଛି। ସେଇଠି ସବୁ ଇମିଟେସନ ଚୁଡ଼ି ଗହଣା ରଖିଛି। ତା’ର ଦୋକାନରେ ଝିଅମାନଙ୍କ ଗହଳି ଲାଗି ରହିଛି। ସେ ଆହୁରି ଆହୁରି ବେପାର ବଢ଼ାଉଛି। ନିଜେ ପିଲାଦିନେ ଶିଖିଥିବା କେତେ ପ୍ରକାର ମାଳିବୁଣା, ଚୁଡ଼ି ଡିଜାଇନ କରିବା ବିଦ୍ୟାକୁ ଉପଯୋଗ କରି ନିଜ ହାତ ତିଆରି ଜିନିଷ ରଖିଛି।
ସେସବୁର ଚାହିଦା ବଢୁଛି। ଜାନକୀ ଉଠାକେବିନ ଛାଡ଼ି ଦୋକାନ ଘରଟିଏ ଭଡ଼ା ନେଉଛି। ତାକୁ ଓ ନାନୀକୁ ପ୍ରତି ଛ’ ମାସରେ କିସ୍ତିୱାରି ପାଞ୍ଚହଜାର ଲେଖାଏ ଦୁହିଁଙ୍କ ବେଙ୍କ୍‌ ଆକାଉଣ୍ଟକୁ ଆସୁଛି ଆଉ ସେ ସେହି ଅର୍ଥ ବିନିଯୋଗ କରି ତା’ର ବ୍ୟବସାୟ ବଢ଼ାଇଛି। ସ୍ବାବଲମ୍ବୀ ହେବା ସହିତ ଘର ପରିବାରର ସବୁ ଦାୟିତ୍ୱ ତୁଲେଇ ପାରୁଛି। ଜାନକୀ ଆହୁରି ସ୍ବପ୍ନ ଦେଖିଲା, ସେ ନିଜେ ବିଭିନ୍ନ ଇମିଟେସନ ଗହଣା ଡିଜାଇନ କରିବା ସହିତ ଆଉରି ଅନ୍ୟ ଝିଅମାନଙ୍କୁ ବି ଶିଖୋଉଛି ଏବଂ ତା’ ଉଦ୍ୟମରେ ଗଢ଼ି ଉଠିଛି ଗୋଟେ ଷ୍ଟାର୍ଟ ଅପ୍‌। ତାକୁ ଆଉ ରମାନାନୀଙ୍କୁ ‘ସୁଭଦ୍ରା ଅପା’ ଆଖ୍ୟା ମିଳୁଛି। ତାଙ୍କ କାହାଣୀକୁ ”ମୋ ସୁଭଦ୍ରା ସ୍ତରୀ’ କରାହେଉଛି। ତା’ର ଉଦ୍ୟମରେ ସଫଳତା ଦେଖି ଖୋଦ୍‌ ମୁଖ୍ୟମନ୍ତ୍ରୀ ମଞ୍ଚକୁ ଡାକି ତାକୁ ଆଉ ରମାନାନୀଙ୍କୁ ସମ୍ମାନ ଦେଉଛନ୍ତି। “ ଜାନକୀ ଓ ରମାନାନୀ ଦୁହେଁ ଏମିତି ମଧୁର ସ୍ବପ୍ନ ଦେଖିବାକୁ ଲାଗିଲେ।
ଜନସେବା କେନ୍ଦ୍ରରେ ସୁରୁଖୁରୁରେ ଦୁହିଁଙ୍କ ପାଇଁ ଫର୍ମ ଆଣି ପୂରଣ କରି ଜମା କରିଦେଇ ଆସିଲା ଜାନକୀ। କିଛି ଦିନରେ ତା’ ପାଖକୁ ଫୋନଗଲା, ଦି’ଜଣଙ୍କ ବେଙ୍କ୍‌ ଖାତାରେ ପାଞ୍ଚ ହଜାର ଲେଖାଏ ଜମା ହେଇଯାଇଛି। ବିଛଣାରେ ଏକପାଖିଆ ଶୋଇଥିଲା ମଧୁ। ଜାନକୀ ଯାଇ ତା’ କାନ ପାଖରେ ଧୀରେ କହିଲା, ”ହେଇଟି ଶୁଣୁଛ ନା। ଏଥର ଆମର ଦୁଃଖ ଯିବ। ଏଇ ଦଶହଜାର ଟଙ୍କାରେ ନାନୀ ଆଉ ମୁଁ ମିଶି ଲେଡିଜ କର୍ନର କରିବୁ। ମୁଁ ନିଜେ ଏମିତି ସୁନ୍ଦର ହାତତିଆରି ଇମିଟେସନ ମାଳି, ଗହଣା ଗଢ଼ିବି ଯେ ଆମ ଜିନିଷର ଡିମାଣ୍ଡ ବଢ଼ିବାରେ ଲାଗିବ। ଦେଖିବ, ଆମର ଆଉ କିଛି ବି ଅସୁବିଧା ରହିବନି। ପଇସା ଅଭାବରୁ ସିନା ତମର ଭଲରେ ଚିକିତ୍ସା ହେଇପାରୁନି ଏବେ। ଭଲରେ ବ୍ୟବସାୟ ବଢ଼ିଯିବ ତ ତମର ଭଲରେ ଚିକିତ୍ସା କରିବାକୁ ଆଉ ଅସୁବିଧା ହେବନି। ଦେଖିବ, ତମେ ଦିନେ ନିଶ୍ଚୟ ପୂରା ଭଲ ହେଇଯିବ।“
ମଧୁର ଶୁଖୁଲା ମୁହଁରେ ହସଟିକେ ଚହଟିଗଲା, ଆଉ ତା’ ସାଙ୍ଗକୁ ଗୋଟିଏ ଆଖିର କଡ଼ରୁ ଝରି ଆସିଲା ଲୁହଧାରେ। କାନ୍ଥରେ ଝୁଲୁଥିବା ତିନିଠାକୁରଙ୍କ ବିଗ୍ରହ ଆଡ଼କୁ ଚାହିଁଲା ଜାନକୀ। ମାଆ ସୁଭଦ୍ରାଙ୍କ ଓଠରେ ଲାଖି ରହିଥିଲା ଆଶ୍ୱାସନାର ଧାରେ ହସ।

ମୌସୁମୀ ଦାସ୍‌
– ସତ୍ୟନଗର, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?