ଦିଗପହଣ୍ଡି, ୧୦।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ କଉଡ଼ିଆ ଗ୍ରାମର ଶମ୍ଭୁ ପ୍ରଧାନ ଓରଫ ମୁନା ଏବଂ ତାଙ୍କ ସ୍ତ୍ରୀ କଳ୍ପନା ପ୍ରଧାନଙ୍କୁ ଠକେଇ ମାମଲାରେ ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ବହୁ ସଂଖ୍ୟକ ମହିଳାଙ୍କଠାରୁ କୌଶଳକ୍ରମେ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରି ଆତ୍ମସାତ୍ କରିବା ପରେ ଉକ୍ତ ଦମ୍ପତି ଦୀର୍ଘଦିନ ଧରି ଫେରାର ଥିଲେ। ଥାନା ମାମଲା ନଂ. ୩୧୫/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ସ୍ୱାମୀ-ସ୍ତ୍ରୀଙ୍କୁ ଦିଗପହଣ୍ଡି ଉପକାରାଗାରକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ବିଭିନ୍ନ ଅଣବ୍ୟାଙ୍କିଂ ମାଇକ୍ରୋ ଫାଇନାନ୍ସ ସଂସ୍ଥା ପକ୍ଷରୁ କଉଡ଼ିଆ, କଙ୍କୋରଡ଼ା, ଆଡ଼ପଡ଼ା, ଖଲିଙ୍ଗି ପ୍ରଭୃତି ଗ୍ରାମାଞ୍ଚଳର ମହିଳାମାନଙ୍କୁ ଗ୍ରୁପ୍ ଋଣ ପ୍ରଦାନ କରାଯାଉଥିଲା। ପରବର୍ତ୍ତୀ ସମୟରେ ଚୁକ୍ତି ମୁତାବକ ଋଣ ସହ ସୁଧ ଆଦାୟ କରାଯାଉଥିଲା। ଏହି ସୁଯୋଗରେ କଉଡ଼ିଆ ଗ୍ରାମର କଳ୍ପନା ଓ ତାଙ୍କ ସ୍ୱାମୀ ଶମ୍ଭୁ ଫାଇନାନ୍ସ କମ୍ପାନୀରୁ ଋଣ ନେଉଥିବା ସ୍ୱଳ୍ପ ଶିକ୍ଷିତ ତଥା ନିରକ୍ଷର ମହିଳାମାନଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରୁଥିଲେ। ଅଧିକ ସୁଧ ଦେବାର ପ୍ରତିଶ୍ରୁତି ଦେଇ ସେମାନଙ୍କୁ ନିଜ ଘରକୁ ଡାକି ବିଭିନ୍ନ ସମୟରେ ପ୍ରାୟ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଯାଇଥିଲେ। ପରେ ଉଭୟେ ପରିବାର ସହ ଗ୍ରାମରୁ ଫେରାର ହୋଇଯାଇଥିଲେ।
ଗ୍ରାମବାସୀ ବହୁ ଖୋଜାଖୋଜି କରିବା ସତ୍ତ୍ୱେ ଦମ୍ପତିଙ୍କ ସନ୍ଧାନ ପାଇନଥିଲେ। ଅନ୍ୟପକ୍ଷରେ, ଋଣ ପ୍ରଦାନ କରିଥିବା ଅଣବ୍ୟାଙ୍କିଂ ସଂସ୍ଥାର ଶାଖା ପରିଚାଳକ ଓ କର୍ମଚାରୀମାନେ ଗ୍ରାମର ଋଣଗ୍ରହୀତା ମହିଳାମାନଙ୍କ ଘରକୁ ଘର ବୁଲି ଋଣ ସହ ସୁଧ ଆଦାୟ ପାଇଁ ପହଞ୍ଚିଥିଲେ। ଏହା ଦେଖି ଋଣ ନେଇଥିବା ବହୁ ମହିଳା ଭୟରେ ଲୁଚି ରହିଥିଲେ। ପରେ ଦମ୍ପତିଙ୍କ ଠକେଇ ସମ୍ପର୍କରେ ଘଟଣା ପ୍ରଘଟ ହେବା ପରେ ସମସ୍ତେ ତାଜୁବ ହୋଇଯାଇଥିଲେ।
ଏହି ଠକେଇର ଶିକାର ହୋଇଥିବା କଉଡ଼ିଆ ଗ୍ରାମର ଯାଜ୍ଞସେନୀ ପ୍ରଧାନ ଗତ ୧ ତାରିଖରେ ଉଭୟଙ୍କ ବିରୋଧରେ ପାଟପୁର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ଥାନାଧିକାରୀ (ଆଇଆଇସି) ଦୀପ୍ତି ରଞ୍ଜନ ବେହେରା ଅଭିଯୁକ୍ତ ଶମ୍ଭୁ ଓ ତାଙ୍କ ସ୍ତ୍ରୀ କଳ୍ପନାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।
ଦମ୍ପତି ଗ୍ରାମକୁ ଫେରିଥିବା ଖବର ପାଇ ତଦନ୍ତକାରୀ ଅଧିକାରୀ ଏସ୍.ଆଇ. ଶ୍ରୀନିବାସ ଦାସ ସଦଳବଳେ ଗ୍ରାମରେ ଚଢ଼ାଉ କରି ଉଭୟଙ୍କୁ କାବୁ କରି ଥାନାକୁ ଆଣିଥିଲେ। ସେମାନଙ୍କ ନିକଟରୁ ଠକେଇ ସମ୍ପର୍କିତ ବିଭିନ୍ନ ଦଲିଲ ଜବତ କରାଯାଇଥିଲା। ପରେ ରବିବାର ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି।

