ଇଚ୍ଛା ଅପୂର୍ଣ୍ଣ ରହିଲେ ରହୁ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ବଲିଉଡ୍‌ର ଉଦୀୟମାନ ତାରକା ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ମରଣର କାରଣ ରହସ୍ୟାବୃତ। କେହି କେହି କହନ୍ତି ଯେ, ଏହା ପଛରେ ରହିଛି ଷଡ଼ଯନ୍ତ୍ର। କିନ୍ତୁ ଅନ୍ୟ ସୂତ୍ରରୁ ସେ ବେକରେ ରଶିରୁ ଝୁଲି ଆମତ୍ହତ୍ୟା କରିଥିବା ସମ୍ଭାବ୍ୟ ଖବର ପ୍ରକାଶ ପାଇଥିଲା। ଯଦି ପ୍ରକୃତରେ ଏହା ଆମତ୍ହତ୍ୟାଜନିତ ଦେହାବସାନ, ତେବେ ଅନ୍ୟ ଏକ ଦୃଷ୍ଟିକୋଣରୁ ବିଷୟଟି କରାଯିବା ପ୍ରାସଙ୍ଗିକ ହୋଇପାରେ। ଉଲ୍ଲେଖନୀୟ ଯେ, ସେ ଜୀବଦ୍ଦଶାରେ କେତୋଟି ଇଚ୍ଛା ପୂରଣ କରିବାକୁ ମନସ୍ଥ କରିଥିଲେ। ଏହି ତାଲିକାରେ ରହିଥିଲା- ବିମାନ ଚଳାଇବା, ବାମହାତରେ କ୍ରିକେଟ୍‌ ଖେଳିବା, ଚାମ୍ପିୟନ ସହ ଟେନିସ୍‌ ଖେଳିବା, ମୋର୍ସ କୋଡ୍‌ ଶିଖିବା, ପିଲାମାନଙ୍କୁ ମହାକାଶ ସମ୍ବନ୍ଧରେ ଜାଣିବାକୁ ସାହାଯ୍ୟ କରିବା, ଚନ୍ଦ୍ର ମଙ୍ଗଳ ବୃହସ୍ପତି ଓ ଶନିକୁ ପ୍ରକ୍ଷେପ ପଥ ସକାଶେ ବିବରଣ ଫର୍ଦ୍ଦ ପ୍ରସ୍ତୁତ କରିବା, ହଜାରେ ଗଛ ଲଗାଇବା, ତାଙ୍କ ଦିଲ୍ଲୀ କଲେଜ ଅଫ୍‌ ଇଞ୍ଜିନିୟରିଂରେ ଗୋଟିଏ ସନ୍ଧ୍ୟା ବିତାଇବା, କୈଳାସ ପର୍ବତରେ ଧ୍ୟାନ କରିବା, ଗୋଟିଏ ବହି ଲେଖିବା, ବୈଦିକ ଜ୍ୟୋତିଷ ଶାସ୍ତ୍ର ବୁଝିବା, ଜଙ୍ଗଲରେ ସପ୍ତାହେ କଟାଇବା ଇତ୍ୟାଦି ଇତ୍ୟାଦି ପଚାଶଟି ଇଚ୍ଛା। ତାଙ୍କ ସ୍ବପ୍ନର ଏହି ତାଲିକାରେ ରହିଛି ଏମିତି ଅନେକ ବିଷୟ, ଯାହାକି ହାସଲ କରିବା ଦୁଃସାଧ୍ୟ। ତାଙ୍କ ସ୍ବଳ୍ପ ଜୀବନକାଳ ସକାଶେ ଏଥିପାଇଁ ଏହି ସ୍ବପ୍ନମାନ ସାକାର ହୋଇ ପାରି ନ ଥିଲା ବୋଲି କେହି କେହି ମତ ଦେଇପାରନ୍ତି। ତେବେ ପ୍ରଶ୍ନ ଉଠୁଛି, ଯଦି ତାଙ୍କ ଇଚ୍ଛା ପୂର୍ଣ୍ଣ ହୋଇଥା’ନ୍ତା ସେ କ’ଣ ଖୁସି ହୋଇଥା’ନ୍ତେ? ଜଣେ ତା’ର ସମସ୍ତ ଅଭିଳାଷ ନିଜ ଜୀବଦ୍ଦଶାରେ ଚରିତାର୍ଥ କରିପାରିବ, ଏମିତି ସମ୍ଭାବନା ଆଶା କରିବା ଧୃଷ୍ଟତା ମାତ୍ର। ଏହି ମର୍ମରେ ଅଷ୍ଟ୍ରେଲୀୟ ନର୍ସ ବ୍ରୋନି ଓ୍ବେର ନିଜ ଅଭିଜ୍ଞତାରୁ ଯେଉଁ ତଥ୍ୟ ଅବଗତ ହୋଇଛନ୍ତି, ତାହା ପ୍ରଣିଧାନଯୋଗ୍ୟ।
ସେବିକା ବ୍ରୋନି ଓ୍ବେରଙ୍କୁ ଯେଉଁ ଦାୟିତ୍ୱ ନ୍ୟସ୍ତ ହୋଇଥିଲା, ତାହା ଥିଲା ତାଙ୍କ ଓ୍ବାର୍ଡରେ ଥିବା ରୋଗୀମାନଙ୍କ ପୀଡ଼ା ହ୍ରାସ କରିବା। ତାଙ୍କ ଓ୍ବାର୍ଡରେ ଏମିତି ରୋଗୀମାନେ ରହୁଥିଲେ, ଯେଉଁମାନଙ୍କ ଆୟୁଷ ସମ୍ଭବତଃ ଆଉ ବାର ସପ୍ତାହରୁ ଅଧିକ ନ ଥିଲା। ସେ ‘ଇନ୍‌ସ୍ପିରେସନ ଆଣ୍ଡ ଚାଏ’ ନାମକ ଗୋଟିଏ ବ୍ଲଗ୍‌ ଆରମ୍ଭ କଲେ, ଯେଉଁଥିରେ ଶେଷନିଃଶ୍ୱାସ ପାଇଁ ଅପେକ୍ଷାରତ ବ୍ୟକ୍ତିଙ୍କ ଅନ୍ତିମ ବିଚାର, ଅନୁଭବ, ଇଚ୍ଛା ପରି ବିଷୟମାନ ରେକର୍ଡ କରାଯାଉଥିଲା। ଯେତେବେଳେ ପୀଡ଼ିତମାନଙ୍କୁ ସେମାନଙ୍କ ଜୀବନର ଅବସୋସ ବିଷୟରେ ପଚରା ଯାଉଥିଲା, ସେମାନେ ଯେଉଁ ଉତ୍ତର ଦେଉଥିଲେ, ତନ୍ମଧ୍ୟରେ ମୁଖ୍ୟତଃ ରହିଥିଲା:୧. ଅନ୍ୟମାନେ ମୋ’ଠାରୁ ଯେମିତି ଜୀବନ ଚାହୁଁଥିଲେ, ମୁଁ ସେମିତି ବଞ୍ଚତ୍ଲି। ମୋର ସାହସିକତା ଅଭାବରୁ ମୁଁ ନିଜ ଜୀବନ ବଞ୍ଚାଇ ପାରିଲି ନାହିଁ। ୨. ମୁଁ ଜୀବନରେ ଏତେ ପରିଶ୍ରମ କରିବା ଠିକ୍‌ ନ ଥିଲା। ୩. ସାଙ୍ଗସାଥୀ, ବନ୍ଧୁବାନ୍ଧବଙ୍କ ସହ ମୁଁ ଅଧିକ ସମ୍ପର୍କ ରଖିବା କଥା। ଏମାନଙ୍କଠାରୁ ମୁଁ ଦୂରେଇ ରହି ଭୁଲ୍‌ କଲି।
ଏହି ଅନୁଧ୍ୟାନଲବ୍ଧ ନିଷ୍କର୍ଷରୁ ପ୍ରତୀତ ହୁଏ ଯେ, ପ୍ରତିଟି ବ୍ୟକ୍ତି ଯେତେବେଳେ ତା’ ଜୀବନ ପ୍ରତି ସିଂହାବଲୋକନ କରେ, ସେ ଅବଶ୍ୟ ଅତୃପ୍ତ ରହେ। ଭାବେ ଯେ, ଆହୁରି କିଛି କାମ ବା ଲକ୍ଷ୍ୟ ସେ କରିପାରିଥା’ନ୍ତା, ଯାହା ସେ କରିପାରିଲା ନାହିଁ। ଏହି କାମଗୁଡ଼ିକ ବିଭିନ୍ନ କାରଣରୁ ସଂପୂର୍ଣ୍ଣ ହୋଇ ନ ଥିବାରୁ ସେ ଅନୁତପ୍ତ ଓ ଅତୃପ୍ତ। ଅବଶ୍ୟ ପ୍ରାରବ୍ଧ ଓ ପୁନର୍ଜନ୍ମରେ ଆସ୍ଥା ରଖିଥିବା ଲୋକେ ବିଶେଷ ବିବ୍ରତ ହୋଇ ନ ପାରନ୍ତି, ଯଦିଚ ଏହି ବିକଳ୍ପ ମତ ବିବାଦୀୟ। ଅନ୍ୟମାନଙ୍କ ପରି ଆସନ୍ନ ମୃତ୍ୟୁ ସେମାନଙ୍କୁ ବିକ୍ଷୁବ୍ଧ କରି ନ ପାରେ। ତେବେ ଏହି ମତବାଦ ଅଗ୍ରାହ୍ୟ କରୁଥିବା ଲୋକେ ସାମ୍‌ନା କରୁଥିବା ଅଗଣିତ (କେତୋଟି ଅସମ୍ଭବ ମଧ୍ୟ) ଇଚ୍ଛାମାନ ସାମାଜିକ, ବ୍ୟକ୍ତିଗତ ବା ସର୍ବସାଧାରଣ ସହ ସଂଶ୍ଳିଷ୍ଟ। ସୁଶାନ୍ତ ସିଂଙ୍କ ପଚାଶଟି ଇଚ୍ଛା ଭାଗ୍ୟ ବଳରେ ପୂର୍ଣ୍ଣ ହୋଇ ପାରିଥିଲେ ମଧ୍ୟ ଆଉ ପଚାଶ କ’ଣ, ପାଞ୍ଚ ଶହ, ପାଞ୍ଚ ହଜାର ନୂତନ ଅଭିଳାଷ ତାଙ୍କ ମନକୁ ଅବଶ୍ୟ ଜାବୁଡ଼ି ଧରିଥା’ନ୍ତା। ଆମ ମାନସିକତା ଏମିତି ଯେ, ଆମ ଇଚ୍ଛା ଭଣ୍ଡାର ବର୍ଦ୍ଧିଷ୍ଣୁ ଓ ଅସରନ୍ତି।
ଏହି ପୃଷ୍ଠଭୂମିରେ ଆମ ସ୍ମରଣକୁ ଆସେ ଜର୍ମାନୀ ଲୋକକଥା ଓ କାହାଣୀରେ ବର୍ଣ୍ଣିତ ଫାଉଷ୍ଟ ନାମକ ଏକ ଚରିତ୍ର। ଷୋଡ଼ଶ ଶତାବ୍ଦୀରେ ପଦାର୍ପଣ କରିଥିବା ଏହି ସଫଳ ବ୍ୟକ୍ତି ଜଣକ ଆଦ୍ୟ ଜୀବନରେ ଜ୍ଞାନୀ ଓ ବିଦ୍ୱାନ୍‌ ହୋଇଥିବା ସତ୍ତ୍ୱେ ସେ ଏଥିରେ ସନ୍ତୁଷ୍ଟ ନ ଥିଲା। କିମ୍ବଦନ୍ତୀ ଅନୁସାରେ ଫାଉଷ୍ଟ ନିଜ ସ୍ଥିତି ବଦଳାଇବାକୁ ସଇତାନ ସହ ଚୁକ୍ତି କଲା। ସର୍ତ୍ତାନୁସାରେ ସେ ତା’ର ଆଧ୍ୟାମତ୍ିକତା ଓ ଆମତ୍ାକୁ ତ୍ୟାଗ କରି ସାଂସାରିକ ସୁଖ, ସମ୍ଭୋଗ ତଥା ବୈଷୟିକ ସମ୍ପଦର ଅଧିକାରୀ ହେବ। ନିଜ ଯାଦୁକରୀ କ୍ଷମତା ବଳରେ ସଇତାନ ଫାଉଷ୍ଟକୁ ଗୋଟିଏ ରୋଗୀରେ ପରିଣତ କରିଦେଲା। ସେ ଧନ, ଯଶ, କ୍ଷମତା ଇତ୍ୟାଦି ପ୍ରତି ଆସକ୍ତ ହେଲା। ସଂପ୍ରତି ଆମେ ସମସ୍ତେ ଏହି ଫାଉଷ୍ଟିଆନ୍‌ ଆପୋସ ଚୁକ୍ତି ଦ୍ୱାରା ବନ୍ଧା ପଡ଼ିଛେ। ବସ୍ତୁବାଦୀ ଆଭିମୁଖ୍ୟ ନେଇ ଜୀବନ ନିର୍ବାହ କରୁଛେ। ଈଶ୍ୱର ଆମ ପାଇଁ ଆଦରଣୀୟ ନ ହୋଇ ସଇତାନର ଦାସତ୍ୱ ଆମେ ବରଣ କରିଛେ। ଆମ ଆଶା ଅସୁମାରି। ତେଣୁ ଯେତେ ସଫଳ ହେଲେ ମଧ୍ୟ ଆମେ ମୃତ୍ୟୁକାଳୀନ ଅଭାବବୋଧର ଶିକାର ହୋଇଥାଉ।
ଆମର ଏହି ଦୁଃସ୍ଥିତି ସମ୍ପର୍କରେ ସଦ୍‌ଗୁରୁ ଜାଗି ବସୁଦେବ ଏକ ମହତ୍ତ୍ୱପୂର୍ଣ୍ଣ ବିଷୟ ପ୍ରକାଶ କରିଛନ୍ତି। ମୋ ପାଖକୁ ଲୋକେ ଆସି ଆଶୀର୍ବାଦ ମାଗିବା ବେଳେ ମତେ ସେମାନଙ୍କ ସ୍ବପ୍ନର ଆକାଂକ୍ଷିତ ସଫଳତା ସମ୍ପର୍କରେ ଜଣାନ୍ତି। କିନ୍ତୁ ମୁଁ ସେମାନଙ୍କୁ କହେ ଯେ, ତୁମମାନଙ୍କ କିଛି ସ୍ବପ୍ନ ଅପୂର୍ଣ୍ଣ ରହୁ। ଏଥିରେ ସେମାନେ ଦୁଃଖିତ ଓ କୁପିତ ହୁଅନ୍ତି। ଏହି ସମ୍ପର୍କରେ ସେ ସ୍ପଷ୍ଟୀକରଣ ଦେଇଛନ୍ତି ”ତୁମେ ଯାହା ପୂର୍ବରୁ ଜ୍ଞାତ, ତୁମେ ସେଇ ସମ୍ପର୍କିତ ସଫଳତାରେ ବନ୍ଧା ହୋଇଯାଉଛ। ତେବେ ଜୀବନରେ ନୂତନତ୍ୱ ରହିଲା କେଉଁଠି? ତେଣୁ ଯାହା ଚାହୁଁଛ ତାହା ନ ପାଇଲେ ଉତ୍ତମ।“ ଏହି ମନ୍ତ୍ର ଜୀବନର ମାନ୍ଦାବସ୍ଥା ହଟାଇ ଅକଳ୍ପନୀୟ କ୍ଷେତ୍ରରେ ତମକୁ ପହଞ୍ଚାଇବ। ଜାଗିଙ୍କ ଏହି ସ୍ପଷ୍ଟୀକରଣ ସର୍ବସମ୍ମତ ନ ହୋଇପାରେ, କିନ୍ତୁ ଅପୂର୍ଣ୍ଣ ଇଚ୍ଛା ଥାଇ ଆମେ ମରିବାକୁ ସହର୍ଷେ ଗ୍ରହଣ କରିପାରିବା ତ?
ମୋ: ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri