ବାସିରୁଟି

ଜଣେ ଧନୀ ଓ କୃପଣ ବ୍ୟକ୍ତି ଘରେ ଉପସ୍ଥିତ ଥିଲାବେଳେ ଜଣେ ସାଧୁ ଆସି ଦ୍ୱାରଦେଶରେ ଭୋଜନ ପାଇଁ କିଛି ମାଗିଲେ। ବ୍ୟକ୍ତିଟି ସେଥିକୁ କର୍ଣ୍ଣପାତ ନ କରିବାରୁ ,ଘର ଭିତରୁ ଗୁଣବତୀ ନୂଆବୋହୂଟି ସାଧୁଙ୍କୁ କହିଲା,”ବାବା! ଆମେ ତ ଆଜି ‘ବାସିରୁଟି’ ଖାଉଛୁ, କାଲି ଉପାସ ରହିବୁ। ଆପଣଙ୍କୁ କ’ଣ ବା ଦେବୁ?“ ଏକଥା ଶୁଣି ସାଧୁ ବୋହୂକୁ ଆଶୀର୍ବାଦ କରି ଚାଲିଗଲେ। ଏ ସବୁକୁ ଲକ୍ଷ୍ୟକରି ପରିବାରର ସମ୍ମାନହାନି କରିଥିବାରୁ ଶ୍ବଶୁର ବୋହୂକୁ ବାପଘରକୁ ବିଦାକରିଦେବା ପାଇଁ ତା’ର ବାପା, ଭାଇଙ୍କୁ ଡକାଇଲେ। ସେମାନଙ୍କ ପ୍ରଶ୍ନରେ ବୋହୂଟି କହିଲା,”ପୂର୍ବଜନ୍ମରେ ମୋ’ ଶ୍ୱଶୁର,ଶାଶୁ କିଛି ପୁଣ୍ୟକର୍ମ କରିଥିଲେ ବା ‘ରୁଟି’ ସେକିଥିଲେ ବୋଲି ଏ ଜନ୍ମରେ ବା ଆଜି ଧନଶାଳୀ ହୋଇ ତା’ର ଫଳଭୋଗ କରୁଛନ୍ତି। କିନ୍ତୁ ଏ ଜନ୍ମରେ କୌଣସି ପୁଣ୍ୟକର୍ମ, ଦାନ, ଧର୍ମ କରୁନାହାନ୍ତି ବା ‘ରୁଟି’ ସେକୁନାହାନ୍ତି। ତେଣୁ ଆସନ୍ତା ଜନ୍ମ ବା କାଲି ନିଶ୍ଚିତଭାବେ ପୁଣ୍ୟ କର୍ମଫଳ ଭୋଗରୁ ବଞ୍ଚିତହେବେ ବା ଉପାସ ରହିବେ। ଆମେ ଯେହେତୁ ନିଜ କର୍ମଫଳ ଅନୁଯାୟୀ ସେହି ପରିବାରର ସଦସ୍ୟ ଅଛୁ, ଆମକୁ ମଧ୍ୟ ସେହି ସମଦଶା ଭୋଗିବାକୁ ପଡ଼ିବ। ଯଦି ଏପରି କଥା କହିବାରେ ମୋର କିଛି ତୃଟିଥାଏ, ମୋତେ କ୍ଷମାଦେବେ।“ ଏଭଳି ଉତ୍ତରରେ ସମସ୍ତେ ନିରୁତ୍ତର ହୋଇଗଲେ। କାରଣ ନ ଥାଇ ଏ ଦୁନିଆରେ କିଛି ହୁଏ ନାହିଁ। ସବୁକଥାର ପଶ୍ଚାତଭାଗରେ କିଛିନା କିଛି କାରଣ ଅବଶ୍ୟ ରହିଛି। ଯେଉଁ ବ୍ୟକ୍ତିଟି ଏଜନ୍ମରେ ମନ୍ଦକର୍ମ କରି ମଧ୍ୟ ଭଲରେ ଅଛି, ତେବେ ବୁଝିବାକୁ ହେବ ସେ ‘ବାସି’ ଖାଉଛି। ଅର୍ଥାତ୍‌ ପୂର୍ବଜନ୍ମରେ ଯେଉଁ ଭଲକାମ କରିଛି, ଭଲଚିନ୍ତା କରିଛି, ଏଜନ୍ମରେ ତା’ର ଭଲ ଫଳ ଭୋଗୁଛି। ଯେଉଁ ବ୍ୟକ୍ତିଟି ଏ ଜନ୍ମରେ ଭଲକର୍ମ କରି ମଧ୍ୟ ମନ୍ଦଫଳ ଭୋଗୁଛି, ବୁଝିବାକୁ ହେବ, ସେ ମଧ୍ୟ ପୂର୍ବଜନ୍ମରେ କିଛି ମନ୍ଦକର୍ମ କରିଛି। ଏ ସଂସାରରେ ସମସ୍ତେ ନିଜ ପୂର୍ବ କର୍ମଫଳରୂପୀ ‘ବାସିରୁଟି’ ହିଁ ଖାଉଛନ୍ତି।
କର୍ମ ତ୍ରିବିଧ, ଯଥା- ପ୍ରାରବ୍ଧ: ଯେଉଁ କର୍ମ ପୂର୍ବେ କରାଯାଇଥିଲା ଓ ବର୍ତ୍ତମାନ ଫଳଦାନ କରିବାକୁ ଆରମ୍ଭ କଲାଣି। କ୍ରିୟମାଣ: ବର୍ତ୍ତମାନ (ଏଇ) ଜନ୍ମରେ କରାଯାଉଥିବା କର୍ମ। ସଞ୍ଚିତ: ପୂର୍ବରୁ ଏ ଜନ୍ମକୁ ସାଇତା ହୋଇଥିବା କର୍ମଫଳ ବା ଏଇଜନ୍ମରୁ ଆସନ୍ତା ଜନ୍ମକୁ ସାଇତା ହେବାକୁ ଥିବା କର୍ମଫଳ। ପ୍ରତ୍ୟେକଙ୍କୁ ନିଜ କର୍ମଫଳ ଭୋଗିବାକୁ ହିଁ ପଡ଼ିବ। ଯିଏ ଯେଉଁ କର୍ମ ଇଚ୍ଛାକଲେ କରିପାରିବ। ସେଥିପାଇଁ କାହାରିକୁ ମନାନାହିଁ। କିନ୍ତୁ ଫଳଭୋଗ କରିବାରେ ସମସ୍ତେ ପରାଧୀନ। ଫଳଭୋଗ କଲାବେଳେ କେହି ମନାକରି ପାରିବେନାହିଁ, ଏମିତି ମନ୍ଦଫଳ ମୋତେ କାହିଁକି ମିଳିଲା କିମ୍ବା କେହି ଉଲ୍ଲସିତ ହେବେ ନାହିଁ, ଏମିତି ଭଲଫଳ ମୋତେ କାହିଁକି ମିଳିଲା। ଦୁଃଖ ଭୋଗକଲେ ପାପ କର୍ମଫଳ ଓ ସୁଖ ଭୋଗକଲେ ପୁଣ୍ୟ କର୍ମଫଳ ଶେଷ ହୋଇଆସେ। ଦୁଃଖଭୋଗ କଲାବେଳେ ମଧ୍ୟ ଯଦି ଧୈଯ୍ୟର ସହିତ ପୁଣ୍ୟକର୍ମ(ସତ୍‌କର୍ମ) କରାଯାଏ, ତେବେ ଏଇ ଜନ୍ମ ଓ ଆସନ୍ତା ଜନ୍ମକୁ ପୁଣ୍ୟଫଳ ସଞ୍ଚିତ ରୂପେ ଜମା ହୋଇଯାଏ। କିନ୍ତୁ ସୁଖଭୋଗ କରୁଥିବାବେଳେ ପୁନଶ୍ଚ ଯଦି ପୁଣ୍ୟକର୍ମ ନ କରି ପାପକର୍ମ କରାଯାଏ, ତେବେ ଏଇ ଜନ୍ମ ଓ ଆସନ୍ତା ଜନ୍ମକୁ ପାପଫଳ ସଞ୍ଚିତ ରୂପେ ଜମାହୋଇଯାଏ।
ଆମେ ଭୁଲ୍‌ କରୁଛେ କି ଠିକ୍‌ କରୁଛେ, ତା’ ପାଇଁ ଈଶ୍ୱର ଦିନ ଓ ରାତି ରୂପୀ ଦୁଇଟି ସାକ୍ଷୀ ଖଞ୍ଜିଦେଇ ସବୁ ଦେଖୁଛନ୍ତି। ସ୍ବର୍ଗାଦିଲୋକ ସୁଖଭୋଗର ଏବଂ ନର୍କ ଦୁଃଖଭୋଗର ସ୍ଥାନ। ମନୁଷ୍ୟଜନ୍ମ ସୁଖ ଓ ଦୁଃଖ ଭୋଗକରିବା ପାଇଁ ମିଳିନାହିଁ। ଯେଉଁମାନେ ଦୁର୍ଲଭ ମନୁଷ୍ୟଜନ୍ମ ପାଇ ମଧ୍ୟ ସାବଧାନ ନ ଥାନ୍ତି,ଜନ୍ମମୃତ୍ୟୁର ଗତାନୁଗତିକ ପ୍ରବାହରେ ପଡିଥାଆନ୍ତି, ସେମାନଙ୍କ ପାଇଁ ଏହା କେବଳ କର୍ମଭୋଗର ଜନ୍ମ। ପ୍ରକୃତରେ ସୁଖଦୁଃଖରୁ ଊର୍ଦ୍ଧକୁ ଉଠିବା ପାଇଁ,ଅର୍ଥାତ୍‌ ମୁକ୍ତିପାଇବା ପାଇଁ ହିଁ ଦୁର୍ଲଭ ମନୁଷ୍ୟ ଶରୀର ମିଳିଛି। ତେଣୁ ଏହାକୁ ‘କର୍ମଭୋଗ’ର ଜନ୍ମ ନ କହି ‘ସାଧକ’ର ଜନ୍ମ କହିବା ଯଥାର୍ଥ ହେବ। ଈଶ୍ବର କୌଣସି ଦୋଷୀକୁ ଦଣ୍ଡ ଦିଅନ୍ତି ନାହିଁ କି ଶିଷ୍ଟକୁ ପୁରସ୍କୃତ କରନ୍ତି ନାହିଁ। ସେମାନଙ୍କର ନିଜ କର୍ମ ହିଁ ସବୁଫଳ ଦେଉଥାଏ। ସେଥିପାଇଁ ଅନ୍ୟ କେହି ଦାୟୀ ନୁହନ୍ତି। କୌଣସି କାଳରେ, କୌଣସି କ୍ଷେତ୍ରରେ ଏହି ନିୟମର ବ୍ୟତିକ୍ରମ ଘଟେ ନାହିଁ। ଈଶ୍ବର କଦାପି କାହାରି ଧନସମ୍ପଦ ବା ସୁଖ ପାଇଁ, ଦାରିଦ୍ର୍ୟ ବା ଦୁଃଖ ପାଇଁ ଦାୟୀ ନୁହନ୍ତି। ସମସ୍ତେ ନିଜର ସୁକୃତି ପାଇଁ ସୁଖ ଓ ଦୁଷ୍କୃତି ପାଇଁ ଦୁଃଖ ଭୋଗକରନ୍ତି। କୌଣସି ବ୍ୟକ୍ତିଙ୍କ ସୁଖରେ ଆମେ ଖୁସିହେଉ କିମ୍ବା ତାଙ୍କ ଦୁଃଖରେ ମ୍ରିୟମାଣ ହୋଇପଡୁ। ଯେହେତୁ ଆମେ ସୁଖଦୁଃଖ ଭୋଗର କାରଣ ବା ତାଙ୍କ ପୂର୍ବଜନ୍ମର ବୃତ୍ତାନ୍ତ ଜାଣି ନ ଥାଉ। ଆମେ ନିଜ ଚେତନାର କ୍ରମାଗତ ବିକାଶ ଓ ଯୋଗ୍ୟତା ବଢ଼ାଇବା ଦ୍ୱାରା ଭାଗ୍ୟକୁ ବଦଳାଇ ପାରିବା। ଏହା ବ୍ୟତୀତ ଅନ୍ୟ କୌଣସି ସହଜମାର୍ଗ ଖୋଜିବା ନିଜର ଅଜ୍ଞାନତା।

  • ନିମାଇଁ ଚରଣ ଲେଙ୍କା
    ମୋ-୯୨୩୮୬୧୫୪୭୮
    nimaincharanlenka1950@gmail. com

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?