ସ୍ବଦେଶ ପ୍ରେମର କବି ଶ୍ରୀଅରବିନ୍ଦ

ବିମଳ ପ୍ରସନ୍ନ ଦାସ

ଅଗଷ୍ଟ ୧୫ ତାରିଖ ୧୮୭୨ ମସିହା ମହାଯୋଗୀ ଶ୍ରୀଅରବିନ୍ଦଙ୍କ ପବିତ୍ର ଜନ୍ମତିଥି। ସେହି ଆକାଂକ୍ଷିତ ଦିବସରେ ୧୯୪୭ରେ ଆମ ଦେଶ ସ୍ବାଧୀନତା ଲାଭ କରିଥିଲା। ଏହା କେତେ ଲୁହ ଓ ଲହୁର ଅଭୁଲା ସ୍ମୃତିର ସ୍ମାରକୀ। କାଳବକ୍ଷରେ ଇତିମଧ୍ୟରେ ୭୪ ବର୍ଷ ବିତି ଗଲାଣି। ସ୍ବାଧୀନ ଭାରତର ୭୫ତମ ପବିତ୍ର ଜୟନ୍ତୀ ଆଜି ପାଳନ କରୁଛି। ଏହି ଦିନର ତାତ୍ପର୍ଯ୍ୟ ବୁଝାଇବାକୁ ଯାଇ ଶ୍ରୀଅରବିନ୍ଦ କହିଥିଲେ ‘ମୋ ଜନ୍ମ ଦିନରେ ଭାରତ ସ୍ବାଧୀନତା ଲାଭ କରିବା ଏକ କାକତାଳିକ ଘଟଣା ନୁହେଁ। ଏହା ବିଧାତାର ବିଧାନ।’ ବିଦେଶୀ ଶାସନର ବିଲୁପ୍ତି ଥିଲା ତାଙ୍କ ତ୍ୟାଗ ଓ ତପସ୍ୟାର ପ୍ରଥମ ଓ ପ୍ରଧାନ ପ୍ରୟାସ। ସେ ସମ୍ପର୍କରେ କେତୋଟି ଐତିହାସିକ ଘଟଣା ଉଲ୍ଲେଖ କରିବା ଏ ଆଲେଖ୍ୟର ଉଦ୍ଦେଶ୍ୟ।
୧୯୦୮ ମସିହା ଶୁକ୍ରବାର ମେ ପହିଲା। ଐତିହାସିକ ‘ବନ୍ଦେ ମାତରମ୍‌’ ଆନ୍ଦୋଳନର ବିଖ୍ୟାତ ଆଲିପୁର ବୋମା କେସ୍‌ରେ ଦୁଇଜଣ ୟୁରୋପୀୟ ମହିଳାଙ୍କର ମୃତ୍ୟୁ ହେବାରୁ ଶ୍ରୀଅରବିନ୍ଦଙ୍କୁ ଏହି ହତ୍ୟା ତଥା ଆନ୍ଦୋଳନର ମୁଖ୍ୟ ଅପରାଧୀ ଭାବରେ ପୋଲିସର ମିଥ୍ୟା ଅଭିଯୋଗ ଫଳରେ ଗିରଫ କରାଗଲା। ଉକ୍ତ ମିଥ୍ୟା ଅଭିଯୋଗର ବିଚାର ଆଲିପୁର ଦୌରାଜଜ୍‌ଙ୍କ ଅଦାଲତରେ ହେବା ସମୟରେ ଶ୍ରୀଅରବିନ୍ଦଙ୍କ ତରଫରୁ ବାରିଷ୍ଟର ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ ବଳିଷ୍ଠ ଯୁକ୍ତି ଉପସ୍ଥାପନା କରି କହିଥିଲେ- ଶ୍ରୀଅରବିନ୍ଦ କେବଳ ଏହି ବିଚାରାଳୟ ସମ୍ମୁଖରେ ନୁହେଁ, ଇତିହାସର ବିଚାରାଳୟ ସମ୍ମୁଖରେ ଆଜି ଦଣ୍ଡାୟମାନ। ଆଜିର ଏହି ବାଦ ପ୍ରତିବାଦ ନୀରବ ହୋଇଯିବାର ବହୁତ ଦିନ ପରେ ଏହି ଉତ୍ତେଜନା, ଏହି ବିକ୍ଷୋଭ ଶାନ୍ତ ହୋଇଯିବା ପରେ ସ୍ବୟଂ ପୃଥିବୀ ପୃଷ୍ଠରୁ ବିଦାୟ ନେବାର ବହୁତ ଦିନ ପରେ, ସେ (ଶ୍ରୀଅରବିନ୍ଦ) ଏ ଦେଶରେ ପୂଜାପାଇବେ ସ୍ବଦେଶ ପ୍ରେମର କବି ଜାତୀୟତାର ବାର୍ତ୍ତାବହ ଏବଂ ମାନବ ସମାଜର ଗଭୀର ପ୍ରେମିକ ହିସାବରେ। ତାଙ୍କ ମୃତ୍ୟୁର ବହୁତ ଦିନ ପରେ ତାଙ୍କର ବାଣୀ କେବଳ ଭାରତରେ ନୁହେଁ, ସାଗର ମହାସାଗର ଅତିକ୍ରମ କରି ଦେଶ ବିଦେଶରେ ଧ୍ୱନିତ ଓ ପ୍ରତିଧ୍ୱନିତ ହେବାକୁ ଲାଗିବ। ତାଙ୍କର ବାଣୀ ସାରା ବିଶ୍ୱରେ ଏବେ ଧ୍ୱନିତ ଓ ପ୍ରତିଧ୍ୱନିତ ହୋଇଛି। ବନ୍ଦୀଶାଳାରୁ ମୁକ୍ତ ହୋଇ ଭାରତର ଏହି ପ୍ରାଣ ପୁରୁଷ ତ୍ରାଣକର୍ତ୍ତା, ସତ୍ୟଦ୍ରଷ୍ଟା, ବିପ୍ଳବୀ, ସ୍ବଦେଶ ପ୍ରେମର କବି, ଜାତୀୟତାର ବାର୍ତ୍ତାବହ ଓ ଗଭୀର ମାନବବାଦୀ ମହାଯୋଗୀ ଶ୍ରୀଅରବିନ୍ଦ ପଣ୍ଡିଚେରୀରେ ପଦାର୍ପଣ କଲେ ୪ ଏପ୍ରିଲ ୧୯୧୦ରେ। ଆରମ୍ଭ ହେଲା ନୂତନ ମାନବ ଜାତିର ପ୍ରତିଷ୍ଠା ପାଇଁ ତାଙ୍କ ଯୋଗ ସାଧନାମୟ ଜୀବନର ଏକାନ୍ତ ଗଭୀର ସାଧନା। ତାଙ୍କ ଜନ୍ମତିଥିରେ ୧୯୪୭ ଅଗଷ୍ଟ ୧୫ରେ ଭାରତର ସ୍ବାଧୀନତାକୁ ସେ ଏକ ଐଶ୍ୱରୀକ ସମନ୍ବୟ ବୋଲି ଅଭିହିତ କରିଛନ୍ତି।
ସମଗ୍ର ମଣିଷ ଜାତିର ଭବିଷ୍ୟତ ଓ ସାରା ବିଶ୍ୱରେ ଭାରତର ଆଧ୍ୟାମତ୍ିକ ଭୂମିକା ସମ୍ପର୍କରେ ତାଙ୍କର ବାର୍ତ୍ତା ବିପୁଳ ସମ୍ଭାବନା, ମହାନ୍‌ ଭରସା ଓ ପରମ ଆଶ୍ୱାସନା ବହନ କରିଛି। ଏହି ପରିପ୍ରେକ୍ଷୀରେ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କୁ ୧୯୨୨ରେ ସେ ଲେଖିଥିବା ପତ୍ର ଗଭୀର ତାତ୍ପର୍ଯ୍ୟପୂର୍ଣ୍ଣ।
-ସମ୍ଭବତଃ ଆପଣ ଜାଣିଥିବେ ମୋର ବର୍ତ୍ତମାନର ଆଦର୍ଶ କ’ଣ? ଆଉ ତଦନୁଯାୟୀ ଜୀବନ ଓ କର୍ମ ପ୍ରତି ମୋର ମନୋଭାବ କ’ଣ? ଗୋଟିଏ ଧାରଣା ମୋ ଭିତରେ ବଦ୍ଧମୂଳ ହୋଇଛି, ଯାହା ଆଗରୁ ବି ରହିଥିଲା… ତେବେ ଏତେ ସ୍ପଷ୍ଟ ହୋଇ ନ ଥିଲା- ଦିନକୁ ଦିନ ସେହି ଜିନିଷଟି ଅଧିକ ସ୍ପଷ୍ଟ ହୋଇଯାଉଛି, ଯାହା କଥା ମୁଁ ଏଠି କହିବାକୁ ଯାଉଛି। ଜୀବନ ତଥା କର୍ମ ସମୂହର ଯଥାର୍ଥ ଆଧାର ଯାହାକୁ ଖାଲି ଯୋଗସାଧନା ଦ୍ୱାରା ହିଁ ବିକଶିତ କରାଯାଇ ପାରିବ। ଉତ୍ତରୋତ୍ତର ଏଇ ଜିନିଷଟି ମୋ ଆଗରେ ସ୍ପଷ୍ଟ ହୋଇ ଯାଉଛି ଯେ, ମଣିଷ ଜାତି ଖାଲି ବ୍ୟର୍ଥ ଚକ୍ରରେ ଅନବରତ ଚକା-ଭଉଁରି ଭଳି ଘୂରୁଛି। ଯେତେବେଳ ଯାଏ ଏ ଜାତି ଗୋଟିଏ ନୂଆ ପ୍ରତିଷ୍ଠା ଖୋଜି ନ ପାଇଛି, ଅର୍ଥାତ୍‌ ଗୋଟିଏ ନୂଆ ସ୍ତରର ଉପରକୁ ଉଠିଯାଇ ସେଠାରେ ନିଜର ଆସ୍ଥାନ ଜମାଇ ନ ବସିଛି, ସେହିଭଳି ପୁରୁଣା ଗୁଳା ଭିତରେ ପଡ଼ି ଚକା-ଭଉଁରି କାଟିବା ହିଁ ତା’ର ସାର ହେବ। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ସାରା ସଂସାର ପାଇଁ ଭାରତବର୍ଷ ହିଁ ସେହି ମହାବ୍ରତ ସମ୍ପନ୍ନ କରିବ- ସେହି ମହାନ୍‌ ବିଜୟ ସେ ଲାଭ କରିବ- ଉପରସ୍ତରକୁ ଉଠିବା ପାଇଁ।
ମାତ୍ର ମୁଁ ଯେଉଁ ମହତର ଚେତନାର କଥା କହୁଛି, ତା’ର କାର୍ଯ୍ୟକାରୀ ଶକ୍ତିର ଠିକ୍‌ ଠିକ୍‌ ରୂପରେଖ କ’ଣ? କେଉଁ କେଉଁ ସର୍ତ୍ତ ମାନି ସେଇ ଚେତନା ବାସ୍ତବ ରୂପ ନେଇ ଆମକୁ ସାହାଯ୍ୟ କରିବ, ପୁଣି କିପରି ଭାବରେ ତାହାକୁ ତଳକୁ ଓହ୍ଲାଇ ଅଣାଯାଇ ପାରିବ ଓ ତାହା କେଉଁ ଧାରା ଅନୁଯାୟୀ କାର୍ଯ୍ୟ କରିବାକୁ ଲାଗିବ ଏବଂ ସର୍ବୋପରି ମାନବ ଜୀବନ ଉପରେ ତା’ର କି ପ୍ରଭାବ ପଡ଼ିବ, କେଉଁ ପ୍ରକାରରେ ଆମେ ଆମର ବର୍ତ୍ତମାନର ଉପାଦାନ ଓ କାରଣଗୁଡ଼ିକୁ ଯଥା ମନ, ବୁଦ୍ଧି, ପ୍ରାଣ ଓ ଶରୀରକୁ ଏଇ ମହାନ୍‌ ରୂପାନ୍ତର ବଳରେ ସେଗୁଡ଼ିକର ସତ୍ୟ ସ୍ବରୂପକୁ ଅର୍ଥାତ୍‌ ସୁସିଦ୍ଧ ଆଧାରରେ ପରିଣତ କରିପାରିବା- ଏସବୁ ସମସ୍ୟାର ସମାଧାନ ମୁଁ ନିଜର ଅନୁଭୂତି ଦ୍ୱାରା ପାଇବାକୁ କେବେଠାରୁ ପ୍ରୟାସ କରୁଛି ଏବଂ ମୁଁ ଏବେ ଗୋଟିଏ ନିଶ୍ଚିତ ଆଧାରକୁ ଓ ପ୍ରଶସ୍ତ ନିଗୂଢ଼ ଜ୍ଞାନକୁ ପାଇସାରିଛି। ଏଇ ନିଗୂଢ଼ ରହସ୍ୟର ଅନେକାଂଶ ଆୟତ୍ତ କରି ନେଇଛି। ଅବଶ୍ୟ ଏବେ ବି ସମ୍ପୂର୍ଣ୍ଣରୂପେ ଓ ଅବ୍ୟର୍ଥ ଶକ୍ତିରେ ମୁଁ ତାହା ଲାଭ କରିନାହିଁ। ଅତଏବ ଏବେ ବି ମୋତେ କର୍ମ କ୍ଷେତ୍ରରୁ ଅଲଗା ରହିବାକୁ ପଡୁଛି। କାରଣ ମୁଁ ଦୃଢ଼ ପ୍ରତିଜ୍ଞା କରିଛି ଯେ ଯେତେବେଳ ଯାଏ ବାହାରର କର୍ମରେ ନିଜକୁ ମିଶାଇ ନାହିଁ, ତା’ ଭିତରେ ପିଶିବି ନାହିଁ, ମୋ ଆଧାରକୁ ନିର୍ଦ୍ଦୋଷ ଓ ସୁସିଦ୍ଧ ନ କରିବା ଯାଏ ମୁଁ କୌଣସି ନୂତନ କାମ କରିବି ନାହିିଁ।
ଶ୍ରୀଅରବିନ୍ଦ ଏହି ଚିଠି ୨୨ ନଭେମ୍ବର ୧୯୨୨ରେ ଲେଖିଥିଲେ। ସେହି ଦିନଠାରୁ ନୂଆ କର୍ମଶକ୍ତି ଓ ଆଦର୍ଶ ଉପରେ ତାଙ୍କର ପ୍ରଭୁତ୍ୱ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଲା ଏବଂ ଏହି ତପସ୍ୟାର ସିଦ୍ଧି ଦିଗରେ ସେ ସମ୍ପୂର୍ଣ୍ଣ ନିମଗ୍ନ ହୋଇଥିଲେ। ତାଙ୍କର ସେହି କର୍ମ ଓ ତପସ୍ୟାର ଲକ୍ଷ୍ୟ ହେଉଛି ସମଗ୍ର ଜୀବନକୁ ଗ୍ରହଣ କରିବା। ସକଳ କ୍ରିୟାକଳାପକୁ ଅଧ୍ୟାମତ୍ ଭାବାପନ୍ନ କରିବା। ଅଥଚ କୌଣସି କର୍ମକୁ ତ୍ୟାଗ ନ କରିବା। ଶ୍ରୀଅରବିନ୍ଦଙ୍କର ଦୃଢ଼ ବିଶ୍ୱାସ ଯେ ଏକ ନବୀନ ଓ ଉଦାର ମାର୍ଗରେ ଆପଣାର ମହାନ୍‌ ଅଧ୍ୟାମତ୍ ଆଦର୍ଶକୁ ଅନୁସରଣ କରିବା ଏବଂ ସେହି ଆଦର୍ଶ ଜଗତକୁ ଉଦ୍ଧାର କରିବ। ପାର୍ଥିବ କ୍ରମ ବିକାଶ ଭିତରେ ଶ୍ରୀଅରବିନ୍ଦଙ୍କ ସମଗ୍ର ଜୀବନ ଏକ ଗଭୀର ତପସ୍ୟା।
୧୯୨୪ ନଭେମ୍ବର ୨୬, ଶ୍ରୀଅରବିନ୍ଦଙ୍କ ଯୋଗ ସାଧନାମୟ ଜୀବନରେ ମହାସିଦ୍ଧିର ବିଜୟ ବାର୍ତ୍ତା ଉଦ୍‌ଘୋଷିତ ହେଲା ‘ଏଇ ଭାରତରେ ମହାମାନବର ସାଗର ତୀରେ।’ ଏହାର ଅବ୍ୟବହିତ ପରେ ୧୯୨୮ରେ ବିଶ୍ୱକବି ରବୀନ୍ଦ୍ର ନାଥ ମହାଯୋଗୀ ଶ୍ରୀଅରବିନ୍ଦଙ୍କୁ ସାକ୍ଷାତ କରି ତାଙ୍କର ଅନୁଭୂତି ନିଜ ଅମ୍ଳାନ କୃତି ‘ନମସ୍କାର’ କବିତାରେ ଲିପିବଦ୍ଧ କରିଛନ୍ତି। ଭାରତର ପ୍ରାଣ-ପୁରୁଷ, ତ୍ରାଣକର୍ତ୍ତା, ସିଦ୍ଧସାଧକ, ମହାଯୋଗୀ, ମହାନ୍‌ ବିପ୍ଳବୀ, ସତ୍ୟଦ୍ରଷ୍ଟାଙ୍କ ପ୍ରତି ଅନ୍ତରର ଗଭୀର ଶ୍ରଦ୍ଧାଞ୍ଜଳି ନିବେଦନ କରି କବିଗୁରୁ କହିଛନ୍ତି: ‘ଭାରତ ଆମତ୍ାର ବାଣୀ ମୂର୍ତ୍ତି ତୁମେ’। ମୋ ମନ କହିଲା ସେ ହିଁ ତାଙ୍କ ଅନ୍ତରର ଆଲୋକ ଦେଇ ବାହାରେ ଆଲୋକ ଜଳାଇବେ। ସେଥିପାଇଁ ତାଙ୍କର ମୁଖଶ୍ରୀରେ ଶାଶ୍ୱତ ଦୀପ୍ତି ଓ ଉଜ୍ଜ୍ୱଳ ଆଭା। ମୁଁ ତାଙ୍କୁ କହି ଆସିଲି ଆମତ୍ାର ବାଣୀ ବହନ କରି ଆପଣ ଆମ୍ଭମାନଙ୍କ ମଧ୍ୟକୁ (ବାହାର ଜଗତକୁ) ଆସିବେ, ଏହି ଅପେକ୍ଷାରେ ରହିଲୁ। ସେହି ବାଣୀରେ ଭାରତର ପଞ୍ଚଜନ୍ୟ ନିନାଦିତ ହେବ। ‘ଶୁଣନ୍ତୁ ସର୍ବେ ଅମୃତସ୍ୟ ପୁତ୍ରଃ’। ଏହା ହିଁ ଥିଲା ‘ଅରବିନ୍ଦ ରବୀନ୍ଦ୍ରର ଘେନ ନମସ୍କାର।’ ଆଜି ତାଙ୍କ ୧୪୯ତମ ପବିତ୍ର ଜୟନ୍ତୀରେ ତାଙ୍କୁ ଏ ଜାତିର କୋଟି ପ୍ରଣାମ।
ମୋ: ୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri