ଶ୍ରୀଜୀଉଙ୍କ ମାଉସୀ ମା’

ପ୍ରଫୁଲ୍ଲ କୁମାର ସାହୁ

ରଥ ଦ୍ରୁତଗତିରେ ଆଗେଇ ଚାଲିଛି ଅଯୋଧ୍ୟା ଅଭିମୁଖେ। ଗୁରୁ ବଶିଷ୍ଠଙ୍କ ସହସା ଡାକରା ପାଇ ମାତୁଳାଳୟରୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ଭରତ ଓ ଶତ୍ରୁଘ୍ନ। ପଥ ମଧ୍ୟରେ ଦୁଇ ଭାଇଙ୍କ ମନକୁ ଶଙ୍କାଗ୍ରସ୍ତ କରୁଛି ଗୋଟିଏ ପରେ ଗୋଟିଏ ଅଶୁଭ ସଂକେତ। କେଉଁଠି କାକମାନଙ୍କ ଅଶୁଭ ରାବ ତ କେଉଁଠି ଶୁଣିବାକୁ ମିଳୁଛି ଶୃଗାଳର ବିକୃତ ସ୍ବର। ଅଯୋଧ୍ୟା ନଗରୀରେ ରଥ ପ୍ରବେଶ ମାତ୍ରେ ସେ ଆଶଙ୍କାକୁ ବହୁଗୁଣିତ କରିଦେଇଛି ନଗରବାସୀଙ୍କ ବିଷଣ୍ଣଭାବ। ରଥ ରାଜନଅର ସମ୍ମୁଖରେ ପହଞ୍ଚିଲାକ୍ଷଣି ସେମାନେ ଏକମୁହାଁ ଭିତରକୁ ପ୍ରବେଶ କଲେ ମନରେ ଏକ ଅଜଣା ଭୟ ଓ ଉଦ୍‌ବେଗ ନେଇ। ନଅର ଭିତରେ ପ୍ରାୟ ସମସ୍ତଙ୍କୁ ଆଚ୍ଛନ୍ନ କରି ରଖିଥିଲା ଏକ ବିଷାଦର କଳା ବାଦଲ। କିଛି ବୁଝିବା ପୂର୍ବରୁ ମାତା ପିତା ଓ ପ୍ରାଣପ୍ରିୟ ଅଗ୍ରଜଙ୍କ ଦର୍ଶନ ପାଇଁ ବ୍ୟାକୁଳ ହୋଇ ଉଠିଲା ଭରତଙ୍କ ପ୍ରାଣ। ଏତିକିବେଳେ ମାତା କୈକେୟୀ ଅନ୍ତପୁରରୁ ବାହାରି ଆସିଲେ ସହାସ୍ୟ ବଦନରେ। ପଚାରି ବୁଝିଲେ ପିତ୍ରାଳୟର କୁଶଳ ବାର୍ତ୍ତା। ସଂକ୍ଷେପରେ ସର୍ବ କୁଶଳ କହି ଆପଣା କୁଳର କୁଶଳ ଜିଜ୍ଞାସା କଲେ ପୁତ୍ର ଭରତ। ପିତା କେମିତି ଅଛନ୍ତି ଓ ଅଗ୍ରଜ କାହାନ୍ତି ଆଦି ଅନେକ ପ୍ରଶ୍ନ ପଚାରିଗଲେ ଅତି ବ୍ୟଗ୍ରତାର ସହିିତ। କିଛି ନୀରବ ରହିି ମୁହଁ ଖୋଲିଲେ ମାତା କୈକେୟୀ। କହିଗଲେ ମହାରାଜାଙ୍କୁ ବର ମାଗିବାଠାରୁ ରାମ ବନବାସ ପର୍ଯ୍ୟନ୍ତ ସକଳ ଘଟଣା। ପ୍ରଥମେ ନିଜ କାନକୁ ଏକଥା ବିଶ୍ବାସ କରିପାରିଲେନି ଭରତ। ପର ମୁହୂର୍ତ୍ତରେ ମନେହେଲା ଆକାଶଟା ଯେମିତି ତାଙ୍କ ମଥା ଉପରେ ଛିଡି ପଡୁଛି ଖଣ୍ଡ ଖଣ୍ଡ ହୋଇ। ଆଖିରୁ ଝରିିିପଡିଲା ଧାର ଧାର ଲୁହ। ବହୁ ସମୟ ପରେ ପ୍ରକୃତିସ୍ଥ ହୋଇ ଭାବିଲେ,ପୁତ୍ରକୁ ସିଂହାସନରେ ବସାଇବା ପାଇଁ ଜଣେ ନାରୀ କ’ଣ କେବେ ନିଜ ସ୍ବାମୀକୁ ମୃତ୍ୟୁମୁଖକୁ ଠେଲିଦେଇ ପାରେ! ତେବେ ଏହା ହିଁ କ’ଣ ମା’ କୈକେୟୀଙ୍କର ଅସଲ ରୂପ! ନା ନିଜେ ରାଜମାତା ହେବା ପାଇଁ ଯିଏ ପୁତ୍ରାଧିକ ରାମଚନ୍ଦ୍ରଙ୍କୁ ଚଉଦ ବର୍ଷ ବନବାସ ପଠାଇଦେଇ ପାରେ, ସେ କେବେ କାହାର ମା’ ହୋଇପାରେନି। ମନ ଭିତରେ ପୂରିଉଠିଲା ଘୃଣା। କ୍ରୋଧରେ ଫାଟିପଡିଲା ଛାତି। ସେହି ମୁହୂର୍ତ୍ତରେ ସେ ସୂର୍ଯ୍ୟ, ଅଗ୍ନି ତଥା ଦଶ ଦିଗପାଳଙ୍କୁ ସାକ୍ଷୀରଖି ପ୍ରତିଜ୍ଞା କଲେ କୈକେୟୀଙ୍କ ରାଜମାତା ହେବାର ସ୍ବପ୍ନକୁ ସେ କେବେ ସଫଳ ହେବାକୁ ଦେବେନି କି ଆଉ ତାଙ୍କୁ ମା’ ବୋଲି ସମ୍ବୋଧନ କରିବେ ନାହିଁ ପିଣ୍ଡରେ ପ୍ରାଣଥିବା ପର୍ଯ୍ୟନ୍ତ। ପୁତ୍ର ଭରତର ଏଭଳି ପ୍ରକାଶ୍ୟ ପ୍ରତିଜ୍ଞାରେ ହତବାକ୍‌ ହୋଇଗଲେ କୈକେୟୀ। ତାଙ୍କ ପାଟିରୁ ବାକ୍ୟ ସ୍ଫରିବା ପୂର୍ବରୁ ଅଯୋଧ୍ୟାର ଭାବୀ ରାଜା ଭରତ ଘରୁ ବାହାରି ଗଲେ ଝଡ଼ ବେଗରେ । ତେଣେ ଦୁଃଖ ଓ ଅନୁଶୋଚନାରେ କାନ୍ଦି କାନ୍ଦି ଭୂମିରେ ଲୋଟିଗଲେ ମାତା କୈକେୟୀ। ବିତିଗଲା ବର୍ଷ ପରେ ବର୍ଷ। ହେଲେ ଜନନୀ ଆଖିରୁ ଶୁଖିଲାନି ଲୁହ। ଦୁଃଖର ନିଆଁରେ ଜଳି ଜଳି କ୍ଷୀଣ ହେବାକୁ ଲାଗିଲା ଶରୀର। ମନରେ କେବଳ ସେହି ଗୋଟିଏ ଚିନ୍ତା, କେବେ ବନବାସର ଅବଧି ସାରି ଅଯୋଧ୍ୟା ଫେରିଆସିବେ ରାମ ଲକ୍ଷ୍ମଣ ଓ ସୀତା। ସେମାନଙ୍କ ଫେରିବା ବାଟକୁ ଚାହିଁ ସେ କେବଳ ଦିନ ଗଣିଚାଲିଲେ ସକାଳ ସଞ୍ଜ।
ଶେଷରେ ଅନ୍ତଃହେଲା ତାଙ୍କ ଦୀର୍ଘ ପ୍ରତୀକ୍ଷାର ଦିନ। ରାବଣ ଓ କୁମ୍ଭକର୍ଣ୍ଣ ଆଦି ଅସୁରମାନଙ୍କୁ ବିନାଶ କରି ଅଯୋଧ୍ୟା ଫେରି ଆସିଲେ ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ର। ତାଙ୍କ ପ୍ରତ୍ୟାବର୍ତ୍ତନରେ ଅଯୋଧ୍ୟାବାସୀଙ୍କ ମନରେ ଖେଳିଗଲା ଏକ ଅନିର୍ବଚନୀୟ ଆନନ୍ଦର ଲହରି। ବାଦ୍ୟ ନୃତ୍ୟ ସଂଗୀତରେ କମ୍ପି ଉଠିଲା ଅଯୋଧ୍ୟା ନଗରୀ। ରାମଚନ୍ଦ୍ରଙ୍କ ଦର୍ଶନ ପାଇଁ ଛୁଟିଲା ଜନତାର ସୁଅ। ଗୁରୁ ବଶିଷ୍ଠଙ୍କୁ ପ୍ରଣିପାତ ପୂର୍ବକ ଅପେକ୍ଷାରତ ଅଯୋଧ୍ୟାବାସୀଙ୍କୁ କୃତଜ୍ଞତା ଜଣାଇ ପ୍ରଥମେ ମା’ କୈକେୟୀଙ୍କ ଦର୍ଶନ ଇଚ୍ଛାକଲେ ରଘୁକୁଳ ତିଳକ ରାମଚନ୍ଦ୍ର। ଅତି ଉଦ୍‌ବିଗ୍ନ ଚିତ୍ତରେ ଯନ୍ତ୍ରବତ ତାଙ୍କ ପୁରରେ ପହଞ୍ଚି ସାଷ୍ଟାଙ୍ଗ ପ୍ରଣିପାତ କରିବାକ୍ଷଣି ମା’ବାହୁ ପ୍ରସାରି ପ୍ରିୟପୁତ୍ରକୁ କୋଳେଇ ନେଲେ ଭାବ ଗଦ୍‌ ଗଦ୍‌ ଚିତ୍ତରେ। ଆଖିରୁ ଝରିପଡିଲା ଟୋପା ଟୋପା ଅଶ୍ରୁ। ଅନ୍ତର୍ଯ୍ୟାମୀ ଅନ୍ତର ବେଦନାକୁ ଚାପିରଖି ମା’କୈକେୟୀଙ୍କ ଭଗ୍ନ ସ୍ବାସ୍ଥ୍ୟକୁ ଦେଖୁଥିଲେ ବିସ୍ମୟ ବିସ୍ଫାରିତ ନେତ୍ରରେ।
ତେଣେ ଗୁରୁ ବଶିଷ୍ଠଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଗଲା ଅଭିଷେକ ଉତ୍ସବ ପାଇଁ ଆୟୋଜନ। ଦ୍ବାରେ ଦ୍ବାରେ ଶୋଭା ପାଇଲା ସୁବର୍ଣ୍ଣ କଳସ। ଶୁଭ ଦିବସର ମଙ୍ଗଳ ମୁହୂର୍ତ୍ତରେ ସିଂହାସନରେ ଉପବେଶନ କଲେ ରଘୁକୁଳ ତିଳକ ରାମଚନ୍ଦ୍ର। ଏହି ଅବସରରେ କୃତଜ୍ଞତା ସ୍ବରୂପ ସୁଗ୍ରୀବ ଓ ଅଙ୍ଗଦ ଆଦି ବାନରମାନଙ୍କ ମନୋବାଞ୍ଛା ପୂର୍ଣ୍ଣ ପାଇଁ ସେ ପ୍ରଦାନ କଲେ ନାନା ପ୍ରକାର ଉପହାର। ଅଦୂରରେ ଥାଇ ଏହା ଦେଖୁଥିଲେ ମାତା କୈକେୟୀ। ଅନ୍ତରର ବ୍ୟଥା ଓ ବେଦନାର ତାଡନାକୁ ଆଉ ଏଡି ନ ପାରି ପହଞ୍ଚିଗଲେ ରାଜା ରାମଚନ୍ଦ୍ରଙ୍କ ସମ୍ମୁଖରେ। କାନି ପାତିଦେଇ କହିଲେ, ହେ ରାଜନ୍‌! ମୋର ଏକ ଅଭିଳାଷ ଅଛି, ପୂର୍ଣ୍ଣ କରିପାରିବ? ସହସା ସିଂହାସନରୁ ଉଠି ଆସିଲେ ରାମଚନ୍ଦ୍ର। ଅନ୍ତର୍ଯ୍ୟାମୀଙ୍କୁ ଅଜଣା ନ ଥିଲା ମା’ଙ୍କ ଅନ୍ତର ବେଦନା। ତଥାପି ଅତି ନମ୍ରତାର ସହିତ କହିଲେ କୁହନ୍ତୁ ମାତେ, କ’ଣ ଅଭିଳାଷ। କୋହଭରା କଣ୍ଠରେ କୈକେୟୀ କହିଲେ, ମୁଁ ପୁତ୍ର ଭରତ ମୁହଁରୁ ମା’ ଡାକ ଶୁଣିବାକୁ ଚାହେଁ। ଏତିକି କେବଳ ମୋର ମାଗୁଣି। ଭରତ ଆଡ଼କୁ ଚାହିଁଲେ ଅଗ୍ରଜ ରାମଚନ୍ଦ୍ର। ଆଦେଶ ବୁଝିଗଲେ ଅନୁଜ ଭରତ। ହାତଯୋଡ଼ିି କାକୁସ୍ଥ ମୁଦ୍ରାରେ କହିଲେ, ଆପଣଙ୍କର ଯେ କୌଣସି ଆଦେଶ ମୁଁ ପାଳନ କରିପାରେ, ମାତ୍ର ଏହି ଗୋଟିଏ ଆଦେଶ ପାଳନ ପାଇଁ ମୁଁ ଅକ୍ଷମ। କାରଣ ମୋର ଜନ୍ମଦାତ୍ରୀଙ୍କୁ ମୁଁ ଆଉ ମା’ ବୋଲି ସମ୍ବୋଧନ କରିବିନାହିଁ ବୋଲି ପ୍ରତିଜ୍ଞା କରିଛି ସୂର୍ଯ୍ୟ ଓ ଅଗ୍ନିଙ୍କୁ ସାକ୍ଷୀ ରଖି। କୁହନ୍ତୁ ଅଗ୍ରଜ, ସୂର୍ଯ୍ୟ ବଂଶର ଦାୟାଦ ହୋଇ ମୁଁ ସେ ପ୍ରତିଜ୍ଞା ଭାଙ୍ଗିବି କେମିତି? ଧର୍ମ ସଂକଟରେ ପଡ଼ିଗଲେ ରାମଚନ୍ଦ୍ର। କିଂ କର୍ତ୍ତବ୍ୟ ବିମୂଢ ଅବସ୍ଥାରେ ରହିଗଲେ କିିଛିକ୍ଷଣ। ଭରତଙ୍କ ବିବଶତା ଓ ଶ୍ରୀରାମଙ୍କ ନୀରବତା ଦେଖି ବାଧା ମାନିଲାନି ମାତା କୈକେୟୀଙ୍କ ଆଖିର ଲୁହ। ଅନ୍ତର୍ଯ୍ୟାମୀଙ୍କ ଅନ୍ତରକୁ ସମ୍ପୂର୍ଣ୍ଣ ବିଗଳିତ କରିଦେଲା ମାତୃ ହୃଦୟର କୋହ। ମା’ଙ୍କର ଦୁଇ ହାତକୁ ଜାବୁଡି ଧରି ଖୁବ୍‌ ଗମ୍ଭୀର ଭାବରେ କହିଲେ (ଯାହା ଅନ୍ୟମାନଙ୍କ ପାଇଁ ଥିଲା ଅବୋଧ୍ୟ)ମାନବ ଜାତିର କଲ୍ୟାଣ ପାଇଁ ଜଣେ ମା’ କେତେ ତ୍ୟାଗ କରିପାରେ, ତୁମେ ହିଁ ତା’ର ସର୍ବକାଳୀନ ଦୃଷ୍ଟାନ୍ତ। ମାତ୍ର ତମର ଏ ତ୍ୟାଗର ଋଣ ଶୁଝିବା ମୋ ପାଇଁ ଏ ଜନ୍ମରେ ପ୍ରାୟତଃ ଅସମ୍ଭବ। ସେଥିପାଇଁ ମୁଁ କ୍ଷମାପ୍ରାର୍ଥୀ। ହେଲେ କଥା ଦେଉଛି ତମରି ବାତ୍ସଲ୍ୟ ମମତାରେ ବାନ୍ଧିହୋଇ ମୁଁ ଧରାବତରଣ କରିବି ଥରକୁ ଥର। ଦ୍ବାପର ଯୁଗରେ ମୁଁ ଦେବକୀ ନନ୍ଦନ କୃଷ୍ଣ ରୂପରେ ଜନ୍ମ ନେବି ଏବଂ ତୁମେ ହେବ ମୋର ଯଶୋଦା ମା’। ଆଉ କଳି କାଳରେ ମୁଁ ଯେତେବେଳେ ନୀଳାଚଳ ଧାମରେ ଦାରୁବ୍ରହ୍ମ ରୂପରେ ବିରାଜମାନ କରିବି, ସେତେବେଳେ ତମେ ସେଠାରେ ପୂଜା ପାଇବ ମାଉସୀ ମା’ ଅର୍ଦ୍ଧାସନୀ ରୂପରେ। ଫି ବର୍ଷ ଗୁଣ୍ଡିଚା ଯାତ୍ରା ବେଳେ ତମ ଦର୍ଶନ ଲାଭ କରିବି ଏବଂ ବାହୁଡ଼ା ବେଳେ ତମ ହାତ ତିଆରି ପୋଡପିଠା ଖାଇ ସନ୍ତୁଷ୍ଟ ହେବି, ଯାହାକୁ ପ୍ରସାଦ ଭାବରେ ଗ୍ରହଣ କରି ଧନ୍ୟ ହେବେ ଲକ୍ଷ ଲକ୍ଷ ଭକ୍ତ। କୁହ ମା’ ଏଥିରେ ତମେ କ’ଣ ଖୁସି ନୁହଁ ? ମାତା ଓ ପୁତ୍ର ମଧ୍ୟରେ ଏ ବାର୍ତ୍ତାଳାପ ଅନ୍ୟମାନଙ୍କ ପାଇଁ ଅବୋଧ୍ୟ ଥିଲା ସତ, ହେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି କୈକେୟୀ ମା’ଙ୍କ ଶୁଖିଲା ଓଠରେ ଖେଳିଯାଇଥିଲା ଧାରେ ହସର ଲହରି।
ତ୍ରେତୟା ଯୁଗରେ ମା’ଙ୍କୁ ଯେଉଁ କଥା ଦେଇଥିଲେ ତାକୁ ଏଯାଏ ଭୁଲିନାହାନ୍ତି ମହାପ୍ରଭୁ। ତେଣୁ ପ୍ରତିବର୍ଷ ଘୋଷଯାତ୍ରା ଅବସରରେ ରଥ ଯାଉଣୁ ଆସୁଣୁ ଅଟକୁଛି ମାଉସୀ ମା’ ମନ୍ଦିର ସମ୍ମୁଖରେ। ସିଂହଦ୍ବାରରୁ ଶ୍ରୀଗୁଣ୍ଡିଚା ମନ୍ଦିର ଯିବା ବାଟରେ ଦଇତାପତିସାହି ପାଶର୍‌ବରେ ଥିବା ବଳଗଣ୍ଡି ନିକଟରେ ଅବସ୍ଥିତ ମାଉସୀ ମା’ ମନ୍ଦିର। କେଶରୀ ବଂଶର ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ପଚିଶ ହାତ ଉଚ୍ଚତା ବିଶିଷ୍ଟ ମନ୍ଦିରରେ ପୂଜା ପାଉଛନ୍ତି ସାହାଣ ପଥରରେ ନିର୍ମିତ ମାଉସୀ ମା’ ଦେବୀ ଅର୍ଦ୍ଧାସନୀଙ୍କ ଦ୍ବିଭୁଜା ବିଗ୍ରହ। ରଥଯାତ୍ରା ସମୟରେ ମାଉସୀ ମା’ ମନ୍ଦିର ଖୁବ୍‌ ଚଳଚଞ୍ଚଳ ହୋଇଉଠେ ଏବଂ ଭକ୍ତ ପାଇଁ ପାଲଟି ଯାଏ ବିଶେଷ ଆକର୍ଷଣ। ବିଧି ଅନୁସାରେ ଶ୍ରୀଗୁଣ୍ଡିଚା ଦିନ ମାଉସୀ ମା’ ମନ୍ଦିର ନିକଟରେ ତିନି ରଥ ଟିକେ ଅଟକିଯାଏ ଏବଂ ଭାଇ ଭଉଣୀ ମାଉସୀ ମା’ଙ୍କୁ ସାକ୍ଷାତ କରି ତରତର ହୋଇ ଚାଲି ଯାଆନ୍ତି ଗୁଣ୍ଡିଚା ମନ୍ଦିର ଅଭିମୁଖେ। ହେଲେ ଗଲାବେଳେ ମାଉସୀ ମା’ଙ୍କୁ ମନେ ପକାଇ ଦେଇ ଯାଆନ୍ତି ପୋଡ଼ପିଠା କଥା। ନବଦିନ ଯାତ୍ରା ସାରି ଫେରିବା ବେଳେ ଅର୍ଥାତ୍‌ ବାହୁଡା ଦିନ ମାଉସୀ ମା’ ମନ୍ଦିର ପାଖରେ ତିନିରଥ ପୁଣି ଅଟକେ ଏବଂ ମାଉସୀ ମା’ ମନ୍ଦିର ପକ୍ଷରୁ ଶ୍ରୀଜୀଉଙ୍କୁ ଅର୍ପଣ କରାଯାଏ ପୋଡ଼ପିଠା। ଏହି ପିଠା ପ୍ରତି ମହାପ୍ରଭୁଙ୍କର ରଙ୍କପଣ ହିଁ ମାଉସୀ ମା’ଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଓ ଆତ୍ମୀୟତା। ସତରେ ବାତ୍ସଲ୍ୟ ମମତାର ବନ୍ଧନ କେତେ ଶକ୍ତ ତା’ର ଏକ ଶ୍ରେଷ୍ଠ ନିଦର୍ଶନ ହେଉଛି ରଥଯାତ୍ରା ଓ ମାଉସୀ ମା’ ମନ୍ଦିରରେ ପ୍ରଚଳିତ ବିଧି।
ପଡ଼ିଆବେଡ଼ା, ମୟୂରଭଞ୍ଜ
ମୋ:୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri