Posted inଫୁରସତ

ଆଜିର ଦିନରେ ଅନ୍ୟପାଇଁ ଉଦାହରଣ ଏସବୁ ପ୍ରେମକାହାଣୀ: ଶୁଣିଲେ ଆଖି ହେବ ଓଦା, ଖୁସିରେ ଭରିବ…

ପ୍ରେମ ଶାଶ୍ୱତ, ସୁନ୍ଦର ଓ ପବିତ୍ର। ଏଥିରେ ଥାଏ ପରସ୍ପର ପ୍ରତି କେବଳ ନିଚ୍ଛକ ଭଲପାଇବା। ଆଉ ଏହି ଭଲପାଇବା ଦେଖେନାହିଁ ଜାତି, ଧର୍ମ କି ସୁନ୍ଦର ରୂପ ରଙ୍ଗ। କେବଳ ନିର୍ମଳ ମନଟିଏ ଆବଶ୍ୟକ ହୁଏ ଜଣଙ୍କର ହୃଦୟକୁ ଚିହ୍ନିବାକୁ ତାକୁ ଆପଣାର କରିବାକୁ। ସେମିତି କିଛି ନିଚ୍ଛକ ପ୍ରେମ ସମ୍ପର୍କକୁ ନେଇ ଏହି ଉପସ୍ଥାପନା…

ଚିତ୍ରକଳା ଯୋଡ଼ିଦେଲା ସମ୍ପର୍କ: କଟକ ନନ୍ଦିସାହି ନିବାସୀ ପ୍ରଦୀପ ଚନ୍ଦ୍ର ଦାସଙ୍କ ତିନି ପୁଅ ମଧ୍ୟରୁ ସବା ସାନ ହେଲେ ଜୟଦୀପ ଦାସ। ପିଲାଟି ଦିନରୁ ଚିତ୍ରକଳା ପ୍ରତି ତାଙ୍କର ଥିଲା ଖୁବ୍‌ ଦୁର୍ବଳତା। ସେଥିପାଇଁ ସାଙ୍ଗସାଥୀ ମେଳରେ ତାଙ୍କର ଥିଲା ଏକ ଭିନ୍ନ ପରିଚୟ। ଏତେ ସବୁ ପରେ ବି ତାଙ୍କ ଜୀବନରେ ରହିଯାଇଥିଲା ଗୋଟେ ଦୁଃଖ। ସେ ଥିଲେ ଜନ୍ମରୁ ମୂକବଧିର। ତଥାପି ସେ ହାରି ନ ଥିଲେ। ସ୍ବାବଲମ୍ବୀ ହେବା ପାଇଁ ସ୍ନାତକ ଶିକ୍ଷା ସମାପ୍ତି ପରେ ସେ ବି.କେ. କଲେଜ ଅଫ୍‌ ଆର୍ଟ ଆଣ୍ଡ କ୍ରାଫ୍ଟରେ ଚିତ୍ରକଳାରେ ମାଷ୍ଟର ଡିଗ୍ରୀ ହାସଲ କରିବା ନିମନ୍ତେ ନାମ ଲେଖାଇଥିଲେ। ଆଉ ସେହିଠାରେ ହିଁ ତାଙ୍କର ଦେଖା ହୋଇଥିଲା ଶୁଭଶ୍ରୀ କାନୁନ୍‌ଗୋ ନାମ୍ନୀ ଜଣେ ଝିଅ ସାଙ୍ଗରେ। ସ୍ବଭାଗ୍ୟକୁ ସେ ବି ସେଠାରେ ଚିତ୍ରକଳାରେ ମାଷ୍ଟର ଡିଗ୍ରୀ ପାଇଁ ଆଡ୍‌ମିଶନ ନେଇଥିଲେ। ଚିତ୍ର ଆଙ୍କିବାରେ ନିପୁଣା ହୋଇଥିଲେ ମଧ୍ୟ ଜୟଦୀପଙ୍କ ପରି ଶୁଭଶ୍ରୀ ବି ଥିଲେ ଜନ୍ମରୁ ବଧିର। ହେଲେ ସେ ଥଙ୍ଗେଇ ଥଙ୍ଗେଇ ଟିକେ କଥା କହିପାରନ୍ତି, ଯାହାକୁ ସାମ୍ନା ଲୋକ ଭଲକି ଶୁଣିଲେ ହୁଏତ କିଛି ବୁଝିଯାଇପାରିବେ। ତେବେ ସେ ଯାହା ହେଉ, ସାମାନ୍ୟ ଦେଖାରୁ ଜୟଦୀପ ଓ ଶୁଭଶ୍ରୀଙ୍କ ଭିତରେ ବନ୍ଧୁତାର ଏକ ସମ୍ପର୍କ ଗଢ଼ି ଉଠିଥିଲା। ସେମାନେ ପରସ୍ପରର ଭାବନାକୁ ଖୁବ୍‌ ଭଲ ଭାବରେ ବୁଝିପାରୁଥିବା ଲକ୍ଷ୍ୟ କରି ଜୟଦୀପଙ୍କ କେତେଜଣ ସାଙ୍ଗ ଏକଥା ଜୟଦୀପଙ୍କ ଘର ଲୋକଙ୍କୁ ଜଣାଇଲେ। ଜୟଦୀପ ଖୁବ୍‌ ଛୋଟ ଥିଲାବେଳେ ତାଙ୍କ ମା’ ଯେହେତୁ ଆରପାରିକୁ ଚାଲିଯାଇଥିଲେ, ତେଣୁ ତାଙ୍କ କାକା, ଖୁଡ଼ୀ ଏହି ତିନି ଭାଇଙ୍କର ସବୁ ଭଲମନ୍ଦ କଥା ବୁଝୁଥିଲେ। ଜୟଦୀପଙ୍କ ବିଷୟରେ ଏକଥା ଜାଣିବା ପରେ କାକା, ଖୁଡ଼ୀ ବି ଖୁବ୍‌ ଖୁସି ହୋଇଥିଲେ ଜୟଦୀପଙ୍କ ଭବିଷ୍ୟତକୁ ନେଇ। ବଡ଼ ଦୁଇଭାଇ ଯେହେତୁ ବାହା ହୋଇ ଘରସଂସାର କରିସାରିଥିଲେ, ତେଣୁ ସେମାନେ ସେହି ଝିଅ ସହିତ ଜୟଦୀପଙ୍କ ବିବାହ କରିଦେବାକୁ ନିଷ୍ପତ୍ତି ନେଇ କଟକ କନିକାଛକ ନିକଟସ୍ଥ ଶୁଭଶ୍ରୀଙ୍କ ଘରକୁ ପ୍ରସ୍ତାବ ନେଇ ଯାଇଥିଲେ। ଉଭୟଙ୍କ ପରିବାର ଏହି ପ୍ରସ୍ତାବରେ ସହମତ ହୋଇ ଆଜକୁ ପ୍ରାୟ ୬/୭ ବର୍ଷ ତଳେ ସେମାନଙ୍କୁ ବିବାହ ବନ୍ଧନରେ ବାନ୍ଧି ଦେଇଥିଲେ। ଜୟଦୀପ ଯେତିକି ସଂସ୍କାରି ଓ ଧର୍ମପରାୟଣ ଶୁଭଶ୍ରୀ ବି ସେତିକି ସରଳ ଆଉ ନିଷ୍କପଟ। ସବୁ ପରିସ୍ଥିତିକୁ ସମ୍ଭାଳି ନେବାର କ୍ଷମତା ରହିଛି ଉଭୟଙ୍କ ପାଖରେ। ତେଣୁ ଜୟଦୀପ ଓ ଶୁଭଶ୍ରୀ ଆଦର୍ଶ ପତିପତ୍ନୀ ଭାବେ ନିଜ ସାଂସାରିକ ଜୀବନକୁ ସୁରୁଖୁରୁରେ ଅତିବାହିତ କରିଚାଲିଛନ୍ତି। ୟା’ଭିତରେ ରାଜଦୀପ ନାମରେ ତାଙ୍କର ୫ ବର୍ଷର ପୁଅଟିଏ ମଧ୍ୟ ହୋଇସାରିଲାଣି। ଭଗବାନଙ୍କ କୃପାରୁ ପୁଅଟି ବି ଖୁବ୍‌ ସୁନ୍ଦର ଆଉ ଶାରୀରିକ ଓ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛି। ଉଭୟ ଜୟଦୀପ ଓ ଶୁଭଶ୍ରୀ ବର୍ତ୍ତମାନ କଟକର ଦୁଇଟି ଭିନ୍ନ ଭିନ୍ନ ୟୁ.ପି. ସ୍କୁଲ୍‌ରେ ଆର୍ଟ ଟିଚର୍‌ ଭାବେ କାର୍ଯ୍ୟ କରିବା ସହ ଓଡ଼ିଶାରେ ଅନୁଷ୍ଠିତ ବିଭିନ୍ନ ଚିତ୍ର ପ୍ରତିଯୋଗିତାରେ ଭାଗ ନେଇ ୟା’ଭିତରେ ଅନେକ ପୁରସ୍କାର ଓ ସମ୍ମାନ ପାଇସାରିଲେଣି। ଏପରି କି ଫାଇନ୍‌ ଆର୍ଟରେ ଅପୂର୍ବ କୃତି ପାଇଁ ଲଳିତ କଳା ଏକାଡେମୀ ତଥା ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଉଭୟ ପୁରସ୍କୃତ ମଧ୍ୟ ହୋଇସାରିଲେଣି। ତେଣୁ ଶେଷରେ କେବଳ ଏତିକି କୁହାଯାଇପାରେ, ଜୟଦୀପ ଓ ଶୁଭଶ୍ରୀଙ୍କର ସମ୍ପର୍କକୁ ନିବିଡ଼ କରିବାରେ ସାଙ୍ଗ ଓ ପରିବାର ଲୋକଙ୍କର ଯେତିକି ସହଯୋଗ ରହିଛି, ଚିତ୍ରକଳାର ମଧ୍ୟ ସେତିକି ଅବଦାନ ରହିଛି। ତେଣୁ ଉଭୟଙ୍କ ଭିତରେ ଏହି ନିବିଡ଼ତା ଏମିତି ଅତୁଟ ରହିଥାଉ, ଏହା ହିଁ ଆମର କାମନା।

ଫେସ୍‌ବୁକ୍‌ରୁ ସମ୍ପର୍କ ଯୋଡ଼ିହେଲା :ପୁରୀ ସୁଆରସାହିର ବାସିନ୍ଦା କୃପାସିନ୍ଧୁ ନାୟକ। ବୃଦ୍ଧା ମା’ ଓ ଧର୍ମପତ୍ନୀଙ୍କୁ ନେଇ ତାଙ୍କ ସଂସାର। ନବମ ଶ୍ରେଣୀରେ ପଢ଼ିଲାବେଳେ ବାପାଙ୍କର ମୃତ୍ୟୁ ହୋଇଯିବାରୁ କୃପାସିନ୍ଧୁଙ୍କ ପାଠପଢ଼ାରେ ଡୋରି ବାନ୍ଧି ହୋଇଗଲା। ଅବଶ୍ୟ ସେତେବେଳକୁ ବଡ଼ ତିନି ଭଉଣୀଙ୍କର ବିବାହ ସରିଥିଲା। କିନ୍ତୁ ମା’ ଦୁର୍ବଳ ହୋଇଯାଇ ଥିବାରୁ ପରିବାରର ଗୁଜୁରାଣ ମେଣ୍ଟାଇବାକୁ ଶେଷରେ କୃପାସିନ୍ଧୁଙ୍କୁ ଏକ ମେଡିସିନ ଷ୍ଟୋରରେ ଯାଇ କାମ କରିବାକୁ ପଡ଼ିଲା। ଶାନ୍ତ, ସରଳ ତଥା ପରୋପକାରୀ ସ୍ବଭାବ ଯୋଗୁ ଖୁବ୍‌ କମ୍‌ ଦିନରେ ତାଙ୍କର ଅନେକ ଲୋକଙ୍କ ସହ ପରିଚୟ ହୋଇଗଲା। କ୍ରମେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପାଇଁ ସେ କାମ କରିବାକୁ ଲାଗିଲେ। ସେହି ସ୍ବେଚ୍ଛାସେବୀ ଅନୁଷ୍ଠାନର ଆଉ ଜଣେ କର୍ମକର୍ତ୍ତା କଟକ ବିଲହାଟ, ମଣିଜଙ୍ଗର ସୁଷମାରାଣୀ ନାୟକ ଫେସ୍‌ବୁକ୍‌ ମାଧ୍ୟମରେ କୃପାସିନ୍ଧୁଙ୍କ ସମ୍ପର୍କରେ ଜାଣି ତାଙ୍କୁ ପ୍ରଥମେ ଫ୍ରେଣ୍ଡ ରିକ୍ବେଷ୍ଟ ପଠାଇଥିଲେ। ପାଖାପାଖି ମାସେ ପରେ କୃପାସିନ୍ଧୁ ସୁଷମାଙ୍କର ରିକ୍ବେଷ୍ଟକୁ ଆକ୍ସେପ୍ଟ କରିବା ସହ ତାଙ୍କୁ ଚାଟିଂ ମାଧ୍ୟମରେ ପରିଚୟ ପଚାରିଥିଲେ। କିଛି ସମୟର ଚାଟିଂ ଭିତରେ ସେମାନଙ୍କ ଭିତରେ ନିବିଡ଼ ସମ୍ପର୍କ ଗଢି ଉଠିଥିଲା। ଏପରି କି ସୁଷମାଙ୍କ ମନରେ କୃପାସିନ୍ଧୁଙ୍କ ପ୍ରତି ଭଲ ପାଇବା ଆସି ଯାଇଥିଲା ଆଉ ସେ ବିଳମ୍ବ ନ କରି ନିଜ ମନକଥାକୁ ତାଙ୍କ ଆଗରେ କହି ମଧ୍ୟ ଦେଲେ। କୃପାସିନ୍ଧୁ ବି ତାଙ୍କ ଭଲପାଇବାକୁ ସ୍ବୀକୃତି ଦେଲେ। ଏତେପରେ ବି ସୁଷମା ଖୁସି ହୋଇପାରୁ ନ ଥିଲେ। କାରଣ ସୁଷମାଙ୍କର ପିଲାଦିନରୁ ବାମପାଦଟି ଠିକ୍‌ରେ କାମ କରୁ ନ ଥିଲା, ଯଦ୍ଦ୍ବାରା ସେ ଛୋଟେଇ ଛୋଟେଇ ଚାଲୁଥିଲେ। ତା’ସହିତ ସେ ଦେଖିବାକୁ ଟିକେ କଳା ଥିଲେ। ତେଣୁ କୃପାସିନ୍ଧୁଙ୍କୁ ସବୁ ସତକଥା ଜଣାଇ ଦେବାକୁ ଠିକ୍‌ ଭାବିଲେ। ଏପରି କି କୃପାସିନ୍ଧୁଙ୍କଠାରୁ ଫୋନ ନମ୍ବର ମଗାଇ ତାଙ୍କୁ ଭିଡିଓ କଲ୍‌ କରି ସେ ଦେଖିବାକୁ କେମିତି ଏବଂ କିପରି ଛୋଟେଇ ଛୋଟେଇ ଚାଲୁଛନ୍ତି ଦେଖାଇଥିଲେ। ସବୁକିଛି ଜାଣିବା ଓ ଦେଖିବା ପରେ ବି କୃପାସିନ୍ଧୁ ସୁଷମାଙ୍କୁ ନିଜର କରିବାକୁ ରାଜି ହୋଇଥିଲେ। ଉଭୟ ନିଜ ନିଜର ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇଲେ। କୃପାସିନ୍ଧୁଙ୍କ ପକ୍ଷରୁ କିଛି ଅସୁବିଧା ନ ଥିଲେ ହେଁ ସୁଷମାଙ୍କ ପରିବାର ଲୋକେ ଏ କଥାକୁ ସହଜରେ ଗ୍ରହଣ କରିପାରୁ ନ ଥିଲେ। କାରଣ ସେମାନଙ୍କର ଡର ଥିଲା ହୁଏତ ସୁଷମାଙ୍କୁ କୃପାସିନ୍ଧୁ ଠକି ଦେଇ ଅଧାରାସ୍ତାରେ ହାତ ଛାଡ଼ିଦେବେ। ସେଥିପାଇଁ ସୁଷମା ବାଧ୍ୟ ହୋଇ କେବଳ ମା’ଙ୍କଠାରୁ ଅନୁମତି ନେଇ ଜାନୁୟାରୀ ୧, ୨୦୨୦ରେ ନିଜ ଘରଛାଡ଼ି କୃପାସିନ୍ଧୁଙ୍କ ଘରକୁ ଚାଲି ଆସିଲେ। କୃପାସିନ୍ଧୁ ଓ ତାଙ୍କ ମା’ ସୁଷମାଙ୍କୁ ସ୍ନେହରେ ଆଦରି ନେଇଥିଲେ। ଆଉ ଜାନୁୟାରୀ ୪ରେ ସେମାନେ ପୁରୀ ଜଗନ୍ନାଥ ମନ୍ଦିରରେ ବିବାହ କରି ଖୁସିରେ ତାଙ୍କ ସାଂସାରିକ ଜୀବନ ଆରମ୍ଭ କରିଥିଲେ। ୟା’ ଭିତରେ ତାଙ୍କ ବିବାହକୁ ବର୍ଷେ ବିତିଗଲାଣି। ଆଉ ସେମାନଙ୍କ ଭଲ ପାଇବା ବି ଆହୁରି ନିବିଡ଼ ହୋଇଗଲାଣି। ଏପରି କି ସୁଷମାଙ୍କ ପରିବାର ଲୋକେ ମଧ୍ୟ ସେମାନଙ୍କ ବିବାହକୁ ସ୍ବୀକୃତି ଦେବା ସହ ତାଙ୍କୁ ଆପଣେଇ ନେଲେଣି। ଆଗକୁ ବି ସେମାନଙ୍କ ସମ୍ପର୍କ ଆହୁରି ଦୃଢ ହେଉ ଏତିକି ହିଁ ଆମର କାମ୍ୟ।

ସାଙ୍ଗମାନଙ୍କ ସହଯୋଗରୁ ସମ୍ପର୍କ ସ୍ଥାପନା ହେଲା : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଧୀନ ସାନହାତିଆଗଡ଼ି ଗାଁର ବାସିନ୍ଦା ହେଲେ ମଙ୍ଗୁଳି ପରିଡ଼ା। ତାଙ୍କର ତିନି ପୁଅ ମଧ୍ୟରୁ ସବା ସାନ ପୁଅଙ୍କର ନାମ ହୃଷୀକେଶ ପରିଡ଼ା। ଘରର ଦୁର୍ବଳ ଆର୍ଥିକାବସ୍ଥା ପାଇଁ ନବମ ପାସ୍‌ କରିବା ପରେ ପାଠପଢ଼ା ଛାଡ଼ି ହୃଷୀକେଶ ପୁରୀରେ ଯାଇ ଦିନ ମଜୁରିଆ ଭାବେ କାମ କରୁଥିଲେ। ହେଲେ ଦୁର୍ଭାଗ୍ୟ ଥରେ ଭାରା ଉପରେ ଠିଆ ହୋଇ କାମ କରୁଥିବା ସମୟରେ ହଠାତ୍‌ ଭାରା ଭାଙ୍ଗି ଯିବାରୁ ସେ ପ୍ରାୟ ୧୫ ଫୁଟ ଉଚ୍ଚତାରୁ ତଳକୁ ଖସି ପଡ଼ିଲେ ଆଉ ଭାରାତକ ତାଙ୍କ ଉପରେ ଲଦି ହୋଇଗଲା। ଏହି ଘଟଣାରେ ହୃଷୀକେଶଙ୍କ ଅଣ୍ଟା ହାଡ଼ ଭାଙ୍ଗିଗଲା; ଯଦ୍ଦ୍ବାରା ସେ ଆଉ ଚଲାବୁଲା କରିବାକୁ ସକ୍ଷମ ହେଲେ ନାହିଁ। ଘରକୁ ଫେରି ଆସିଲେ। ଯୁବାବସ୍ଥାରେ ପୁଅର ଏଭଳି ଦାରୁଣ ଦୁଃଖକୁ ଦେଖି ଓ ତା’ର ଭବିଷ୍ୟତ କଥା ଚିନ୍ତା କରି ହୃଷୀକେଶଙ୍କ ବୃଦ୍ଧ ମା’ବାପା ଖୁବ୍‌ ଭାଙ୍ଗି ପଡ଼ିଲେ। ହେଲେ ହୃଷୀକେଶଙ୍କ ବଡ଼ ଭାଇ ଓ ଭାଉଜମାନେ ସେମାନଙ୍କୁ ବୁଝାଇବା ସହ ହୃଷୀକେଶଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ ନେବେ ବୋଲି କଥା ଦେଇଥିଲେ। ଏମିତିରେ କିଛିଦିନ ବିତିଗଲା। କ୍ରମେ ହୃଷୀକେଶ ଦୁଇଟି ଆଶାବାଡ଼ି ସହାୟତାରେ ଟିକେ ଟିକେ ଚଲାବୁଲା କରିବାକୁ ଲାଗିଲେ। ଗତ ୩/୪ ବର୍ଷ ତଳେ ହୃଷୀକେଶ ତାଙ୍କର ଦୁଇଜଣ ସାଙ୍ଗଙ୍କ ସହ ବାଇକ୍‌ରେ ବସି ରିଘାଗଡ଼ସ୍ଥିତ ଶ୍ରୀ ବଳଦେବଜିଉ ମନ୍ଦିରକୁ ବୁଲିବାକୁ ଯାଇଥିଲେ। ସେଠାରେ ଜଣେ ଝିଅକୁ ଦେଖି ତା’ ପ୍ରେମରେ ହୃଷୀକେଶ ଏମିତି ପଡ଼ିଗଲେ ଯେ, ତା’ର ନାମ ଓ ଘର ପରିବାର ବିଷୟରେ ଜାଣିବା ପାଇଁ ତା’ର ଅଜାଣତରେ ସାଙ୍ଗମାନଙ୍କ ସହ ତାକୁ ପିଛା କରିଥିଲେ। ଘଡ଼ିଆମାଳ ପଞ୍ଚାୟତ ଅଧୀନ ପଞ୍ଚୁପଲି ଗାଁରେ ଥିଲା ସେହି ଝିଅଟିର ଘର ଆଉ ତା’ ନାମ ଦୀପାଞ୍ଜଳି। ସବୁକିଛି ତଥ୍ୟ ବୁଝିବା ପରେ ହୃଷୀକେଶଙ୍କର କେତେଜଣ ସାଙ୍ଗ ସେ ଗାଁକୁ ଆଉ ୨/୩ଥର ଯାଇ ସେଠାକାର କିଛି ପିଲାଙ୍କ ସହ ବନ୍ଧୁତା ସ୍ଥାପନ କରି କୌଶଳ କ୍ରମେ ଦୀପାଞ୍ଜଳିଙ୍କର ଫୋନ୍‌ ନମ୍ବର ସଂଗ୍ରହ କରି ଆଣିଥିଲେ। ତା’ପରେ ହୃଷୀକେଶ ଫୋନ୍‌ କରିଥିଲେ ଦୀପାଞ୍ଜଳିଙ୍କ ପାଖକୁ। କିନ୍ତୁ ସାହସ କରି କିଛି କହି ନ ପାରି ଫୋନ୍‌କୁ ବାରମ୍ବାର କାଟି ଦେଉଥିଲେ। ୪/୫ଥର ଏମିତି କରିବା ପରେ ସାଙ୍ଗମାନେ ବୁଝାଇବାରୁ ସେ ମନରେ ସାହସ ବାନ୍ଧି କଥାହେଲେ। ଦୀପାଞ୍ଜଳିଙ୍କୁ ସବୁ ଘଟଣା ସମ୍ପର୍କରେ କହିବା ସହ ନିଜ ଶାରୀରିକ ସମସ୍ୟା ବିଷୟରେ ବି ଜଣାଇ ଦେଇଥିଲେ। ଏମିତି ଥରେ ଦୁଇଥର କଥାବାର୍ତ୍ତା ଭିତରେ ଦୀପାଞ୍ଜଳି ମଧ୍ୟ ହୃଷୀକେଶଙ୍କ ସରଳ ଓ ନିଷ୍କପଟ ହୃଦୟକୁ ଭଲପାଇ ବସିଲେ। ବେଶ୍‌ କିଛିଦିନ ସେମାନଙ୍କର ଫୋନ୍‌ରେ ବାର୍ତ୍ତାଳାପ ଚାଲିଲା। ଏମିତି କି ଥରେ ପ୍ଲାନିଂ କରି ସେମାନେ ରାଜନଗରରେ ଦେଖା ମଧ୍ୟ ହୋଇଥିଲେ। ଧୀରେ ଧୀରେ ଘରଲୋକେ ବି ସେମାନଙ୍କ ସମ୍ପର୍କ ବିଷୟରେ ଜାଣିଗଲେ। ହୃଷୀକେଶଙ୍କ ପକ୍ଷରୁ କିଛି ଅସୁବିଧା ନ ଥିଲେ ହେଁ ଦୀପାଞ୍ଜଳିଙ୍କ ପରିବାର ଲୋକେ କିନ୍ତୁ ଖୁବ୍‌ ବିରୋଧ କରିଥିଲେ। ତେଣୁ ବାଧ୍ୟ ହୋଇ ଦୀପାଞ୍ଜଳି ଜାନୁୟାରୀ ୧୨, ୨୦୧୭ରେ ଘର ଛାଡ଼ି ହୃଷୀକେଶଙ୍କ ସାଙ୍ଗରେ ପଳେଇ ଆସିଲେ। ହୃଷୀକେଶଙ୍କ ଘରଲୋକେ ବିଶେଷ କରି ତାଙ୍କ ବଡ଼ଭାଇ ଏ ବିଷୟରେ ଜାଣିବା ପରେ ଉଭୟଙ୍କୁ ଘରକୁ ନେଇ ଆସିଥିଲେ ଆଉ ଜାନୁୟାରୀ ୨୨ରେ ବୈଦିକ ରୀତିରେ ସେମାନଙ୍କର ବିବାହ କରାଇ ଦେଇଥିଲେ। ଅବଶ୍ୟ ସେ ସମୟରେ ଦୀପାଞ୍ଜଳିଙ୍କ ପରିବାର ତରଫରୁ ଥାନାରେ ଏତଲା ଦିଆଯାଇଥିଲା। କିନ୍ତୁ ଉଭୟ ପ୍ରାପ୍ତ ବୟସର ହୋଇ ସାରିଥିବାରୁ ଆପୋସ ବୁଝାମଣାରେ ଲେଖାପଢ଼ା ହୋଇ ସେମାନଙ୍କର ଯଥାରୀତି ବିବାହ ସମ୍ପନ୍ନ ହୋଇଥିଲା। ସେବେଠାରୁ ବେଶ୍‌ ଖୁସିରେ ସେମାନଙ୍କର ସାଂସାରିକ ଜୀବନ ବିତି ଚାଲିଛି। ଆଉ ସେ ଦୁହିଁଙ୍କ ସବୁ ଭଲମନ୍ଦ କଥା ହୃଷୀକେଶଙ୍କ ଭାଇଭାଉଜ ବୁଝିବା ସହ ଖୁସିରେ ସମସ୍ତେ ଏକାଠି ଅଛନ୍ତି।

ନିଃସ୍ବାର୍ଥପର ଭଲପାଇବା ହିଁ ଏମାନଙ୍କୁ ଏକାଠି କଲା : କେରଳର ଶାହାନା ଓ ପ୍ରଣବଙ୍କ ଅପୂର୍ବ ପ୍ରେମ କାହାଣୀ ସତରେ ବେଶ୍‌ ହୃଦୟସ୍ପର୍ଶୀ। ଆଜକୁ ପ୍ରାୟ ୬/୭ ବର୍ଷ ତଳେ ପ୍ରଣବ ଜଣେ କଲେଜ ଛାତ୍ର ଥିଲେ। ପାଠରେ ଯେମିତି ଆଗୁଆ ଥିଲେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ବି ତାଙ୍କର ଭୂମିକା ସେମିତି ଗୁରୁତ୍ୱପୂର୍ଣ ରହୁଥିଲା। ସେଥିପାଇଁ ସେ ସମସ୍ତଙ୍କର ପ୍ରିୟ ଥିଲେ। ହଠାତ୍‌ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ସେ ପକ୍ଷାଘାତର ଶିକାର ହେଲେ। ଅନେକ ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହୋଇଥିଲେ ହେଁ ସେ ଆଉ ଚଲାବୁଲା କରିବାକୁ ସକ୍ଷମ ହେଲେ ନାହିଁ। କୁଆଡ଼େ ଯିବାକୁ ହେଲେ ତାଙ୍କୁ ହୁଇଲ ଚେୟାର୍‌ର ସହାୟତା ନେବାକୁ ପଡ଼ୁଥିଲା। ତଥାପି ତାଙ୍କ ଭିତରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତି ଥିବା ଦୁର୍ବଳତା ସେମିତି ଅତୁଟ ରହିଥିଲା। ଯେଉଁଥିପାଇଁ ସ୍ଥାନୀୟ ଅଞ୍ଚଳରେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା ମନ୍ଦିରର କୌଣସି ପୂଜାପାଠର ଆୟୋଜନ ହେଉଥିବା ଖବର ପାଇବା ମାତ୍ରେ ପ୍ରଣବ ହୁଇଲ୍‌ ଚେୟାରରେ ବସି ସେଠାରେ ଆଗେ ପହଞ୍ଚି ଯାଉଥିଲେ। ଧୀରେ ଧୀରେ ତାଙ୍କର ଏଭଳି ଦୁର୍ବଳତା ସମ୍ପର୍କରେ ଜାଣି ତାଙ୍କ ସାଙ୍ଗମାନେ କାର୍ଯ୍ୟକ୍ରମସ୍ଥଳୀରେ ପ୍ରଣବ ହୁଇଲ୍‌ ଚେୟାରରେ ବସି ବୁଲୁଥିବାର ବିଭିନ୍ନ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ଅପଲୋଡ୍‌ କରି ଦେଇଥିଲେ। ସେମିତି ଏକ ଭିଡିଓକୁ ଦେଖି ଥିରୁଭାନନ୍ତପୁରମ୍‌ର ଶାହାନା ନାମ୍ନୀ ଜଣେ ଝିଅ ପ୍ରଣବଙ୍କୁ ଫେସ୍‌ବୁକ୍‌ରେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ। ତା’ପରେ ଧୀରେ ଧୀରେ ସେମାନଙ୍କ ଭିତରେ ଚାଟିଂ ହେବା ସହ ଉଭୟଙ୍କର ଫୋନ୍‌ ନମ୍ବର ବି ଶେୟାର୍‌ କରିଥିଲେ। କିଛିଦିନ ଏମିତି ଚାଲିବା ପରେ ଶାହାନା ତାଙ୍କ ତରଫରୁ ପ୍ରଥମେ ପ୍ରଣବଙ୍କୁ ପ୍ରେମ ନିବେଦନ କରିଥିଲେ। ପ୍ରଣବ ବି ମନେମନେ ଶାହାନାକୁ ପସନ୍ଦ କରୁଥିଲେ ମଧ୍ୟ ଜାଣିଜାଣି ତାଙ୍କ ଭବିଷ୍ୟତକୁ ନଷ୍ଟ କରିବାକୁ ଚାହୁଁ ନ ଥିଲେ। ସେଥିପାଇଁ ସେ ଶାହାନାକୁ ଅଣଦେଖା କରିବାକୁ ଲାଗିଲେ। ଏପରି କି ପରିବାର ଲୋକଙ୍କ ସହାୟତାରେ ତାଙ୍କର ଅନ୍ୟ କୌଣସି ଝିଅ ସହିତ ସମ୍ପର୍କ ଅଛି ବୋଲି ମିଛରେ ଶାହାନାଙ୍କୁ ଜଣାଇଲେ। ତଥାପି ଶାହାନା ମାନି ନ ଥିଲେ, ସେ ପ୍ରଣବଙ୍କୁ ଥରେ ଦେଖା କରିବାକୁ ଚାହୁଁଥିଲେ। ପ୍ରଣବଙ୍କ ପରିବାର ଲୋକେ ଭାବିଲେ ଶାହାନା ଥରେ ଆସି ପ୍ରଣବର ଶାରୀରିକ ଅବସ୍ଥାକୁ ଆଖିରେ ଦେଖିଲେ ହୁଏତ ମତ ପରିବର୍ତ୍ତନ କରିଦେବ, ସେଥିପାଇଁ ସେମାନେ ଶାହାନାକୁ ଘରକୁ ଡକାଇଲେ। ହେଲେ ସବୁକିଛି ଓଲଟପାଲଟ ହୋଇଗଲା। ପାଖରେ ପ୍ରଣବକୁ ପାଇ ଶାହାନା ଭାବବିହ୍ବୋଳ ହେବା ସହ ତାଙ୍କୁ ବିବାହ କରିବା ପାଇଁ ଜିଦି ଧରି ବସିଲେ। ଶେଷରେ ତାଙ୍କ ନିଃସ୍ବାର୍ଥପର ଭଲ ପାଇବା ଆଗରେ ସମସ୍ତଙ୍କୁ ହାର୍‌ ମାନିବାକୁ ପଡ଼ିଲା। ଆଉ ପରିବାର ଲୋକେ ସେମାନଙ୍କର ବୈଦିକ ରୀତିରେ ବିବାହ କରିଦେଲେ।

ନିଚ୍ଛକ ଭଲ ପାଇବା ହିଁ ଏମାନଙ୍କୁ ଖୁସିରେ ରଖିଛି: କୋଲକାତାର ବାପ୍ପାଦିତ୍ୟ ନାଗ୍‌ ଓ ତାଙ୍କ ପତ୍ନୀ ଜିଜା ଘୋଷଙ୍କ ପ୍ରେମକାହାଣୀ ବି ବେଶ୍‌ ମନଛୁଆଁ। ଜିଜା, ଯିଏ କି ସେରେବ୍ରାଲ ପାଲ୍ସି ନାମକ ଏକ ରୋଗରେ ଆକ୍ରାନ୍ତ। ଏହା ଏକପ୍ରକାର ନ୍ୟୁରୋଲୋଜିକାଲ୍‌ ଡିସ୍‌ଅର୍ଡର, ଯାହା ବ୍ୟକ୍ତିଙ୍କର ଶାରୀରିକ ଗତି ଅର୍ଥାତ୍‌ ଚଲାବୁଲା କରିବାର କ୍ଷମତାକୁ ପ୍ରଭାବିତ କରିବା ସହ ସେମାନଙ୍କ ମାଂସପେଶୀକୁ ବି ଦୁର୍ବଳ କରି ଦେଇଥାଏ। ଜିଜା ଏ ରୋଗରେ ଆକ୍ରାନ୍ତ ହୋଇଥିଲେ ବି ମାନସିକ ସ୍ତରରେ ସେ କିନ୍ତୁ ଥିଲେ ଖୁବ୍‌ ଦୃଢ଼। ପାଠ ପଢି ନିଜର ଏକ ପରିଚୟ ସୃଷ୍ଟି କରିବାର ଲକ୍ଷ୍ୟରେ ସେ ଆଗକୁ ମାଡ଼ି ଚାଲିଥିଲେ। ତାଙ୍କ ପଛରେ କିଏ କ’ଣ କହୁଛି ସେ ଦିଗ ପ୍ରତି ତାଙ୍କର ଆଦୌ ଭ୍ରୂକ୍ଷେପ ନ ଥିଲା। ୟୁକେରୁ ମାଷ୍ଟର ଇନ୍‌ ଡିଜାବିଲିଟି ଷ୍ଟଡି ସମାପ୍ତ କରିବା ପରେ ଜିଜା ଭାରତ ଫେରି ଆସି ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସେରେବ୍ରାଲ୍‌ ପାଲ୍ସିର ଡିଜାବିଲିଟି ଡିପାର୍ଟମେଣ୍ଟର ମୁଖ୍ୟ ଭାବେ କାମ କଲେ। ଏହାପରେ ୨୦୦୮ରେ ସେ ହ୍ୟୁମାନ୍‌ ରାଇଟ୍ସ ଲ’ ନେଟ୍‌ଓ୍ବର୍କର ଜଣେ ସାମାଜିକ କର୍ମୀ ଭାବେ କାମ କରିବାକୁ ଲାଗିଲେ। ଏହିଠାରେ ହିଁ ତାଙ୍କର ବାପ୍ପାଦିତ୍ୟଙ୍କ ସହ ସାକ୍ଷାତ ହୋଇଥିଲା। ବାପ୍ପାଦିତ୍ୟ ଏଠାରେ ଲିଗାଲ୍‌ କନ୍‌ସଲ୍‌ଟାଣ୍ଟ ଭାବେ କାମ କରୁଥିଲେ। ଶାରୀରିକ ସ୍ତରରେ ସମ୍ପୂର୍ଣ୍ଣ ସକ୍ଷମ ନ ହୋଇ ବି ଜିଜା ବିଦେଶରେ ଏକାରହି ପାଠ ପଢ଼ିବା ଆଉ ନିଜର ବୁଦ୍ଧିମତ୍ତା ବଳରେ ବଡ଼ ବଡ଼ ସମସ୍ୟାକୁ ସମାଧାନ କରିବାର ଦକ୍ଷତାକୁ ଦେଖି ବାପ୍ପାଦିତ୍ୟ କ୍ରମେ ଜିଜାଙ୍କୁ ପସନ୍ଦ କରିବାକୁ ଲାଗିଲେ। କିନ୍ତୁ ଏକଥା ଅନ୍ୟମାନଙ୍କୁ ଖାସ୍‌କରି ବାପ୍ପାଦିତ୍ୟଙ୍କ ପରିବାର ଲୋକଙ୍କୁ ପସନ୍ଦ ନ ଥିଲା। ହେଲେ ବାପ୍ପାଦିତ୍ୟ ଥିଲେ ନିଜ ନିଷ୍ପତ୍ତିରେ ଅଟଳ। ସେ ଜିଜାଙ୍କୁ ପ୍ରେମ ନିବେଦନ କଲେ, ହେଲେ ଜିଜା ପ୍ରଥମେ ଅମଙ୍ଗ ଥିଲେ। କିନ୍ତୁ ପରେ ବାପ୍ପାଦିତ୍ୟଙ୍କ ଭଲପାଇବାକୁ ସ୍ବୀକାର କରି ୨୦୧୩ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେବେଠାରୁ ତାଙ୍କ ବୈବାହିକ ଜୀବନ ବେଶ୍‌ ଖୁସିରେ ବିତୁଛି। ୟା’ଭିତରେ ସେମାନେ ଏକ ଝିଅକୁ ପୋଷ୍ୟ ଭାବେ ଗ୍ରହଣ କରି ତା’ର ମା’ବାପା ହେବାର ସୌଭାଗ୍ୟ ମଧ୍ୟ ଅର୍ଜନ କରିସାରିଲେଣି।

– ଅମ୍ବ୍ରିତା ମିଶ୍ର
ତଥ୍ୟ ସହାୟତା: ଅଭିଜିତ ଚନ୍ଦ୍ର,
ଯଜ୍ଞେଶ୍ୱର ମହାନ୍ତି, ଭାସ୍କର ରାଉତରାୟ


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?