ନୂଆଦିଲ୍ଲୀ,୭ା୧୦: ହରିୟାଣାର ସୋନିପତରୁ ଆସିଛି ଛାତିଥରା ଘଟଣା।ଇନଷ୍ଟାଗ୍ରାମ୍ରେ ହୋଇଥିବା ପ୍ରେମ ଓ ବିବାହ କରିବାକୁ ନେଇ ମା’ ପ୍ରତିବନ୍ଧକ ସାଜିବାରୁ ନିଜ ପ୍ରେମିକ ସହ ମିଶି ମା’ଙ୍କୁ ହତ୍ୟା କଲେ ଝିଅ । ପ୍ରଥମେ ମହିଳାଙ୍କ ମୃତ୍ୟୁ କରେଣ୍ଟ ଲାଗିବାରୁ ହୋଇଥିବା କୁହାଯାଇଥିଲା। କିନ୍ତୁ ପୋଷ୍ଟମର୍ଟମ୍ ରିପୋର୍ଟ ସାମ୍ନାକୁ ଆସିବା ପରେ ପୂରା ଘଟଣାର ରହସ୍ୟ ଖୋଲିଛି । ଏହି ଘଟଣାରେ ପୋଲିସ ମୁକିମପୁର ଗାଁର ବାସିନ୍ଦା ବିକାଶଙ୍କୁ ଗିରଫ କରିଛି । ଘଟଣା ପରେ ସୋନିପତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନା ଅନୁସାରେ, ଅକ୍ଟୋବର ୩ ତାରିଖରେ ବିପିଏସ୍ ମହିଳା ମେଡିକାଲ କଲେଜ, ଖାନପୁରରୁ ଜଣେ ମହିଳାଙ୍କ ମୃତ୍ୟୁ ନେଇ ପୋଲିସକୁ ଖବର ମିଳିଥିଲା। ମୃତ ମହିଳାଙ୍କ ନାଁ ରାମେଶ୍ୱରୀ। ପ୍ରାଥମିକ ସୂଚନାରେ କରେଣ୍ଟ ଲାଗିବାରୁ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା। ଘଟଣାସ୍ଥଳରେ ରାମେଶ୍ୱରୀଙ୍କ ଝିଅ ଜାନଭୀ ଏବଂ ତାଙ୍କ ବନ୍ଧୁ ବିକାଶ ଉପସ୍ଥିତ ଥିଲେ। ଅକ୍ଟୋବର ୪ରେ ସେକ୍ଟର-୨୭ ଥାନା ପୋଲିସ ମହିଳାଙ୍କ ମୃତଦେହର ପୋଷ୍ଟମର୍ଟମ୍ କରାଇଥିଲା।ଅକ୍ଟୋବର ୫ରେ ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ପୋଲିସ ଆଶ୍ଚର୍ଯ୍ୟଜନକ ତଥ୍ୟ ପାଇଥିଲା। ରାମେଶ୍ୱରୀଙ୍କ ମୃତ୍ୟୁ କରେଣ୍ଟ ଲାଗିବାରୁ ନୁହେଁ, ବରଂ ଗଳା ଚିପିବାରୁ ହୋଇଥିଲା ବୋଲି ରିପୋର୍ଟରୁ ଜଣାପଡ଼ିଥିଲା।
ଏହାପରେ ପୋଲିସର ସନ୍ଦେହ ଜାନଭୀଙ୍କ ବନ୍ଧୁ ବିକାଶଙ୍କ ଉପରେ ଯାଇଥିଲା। ପଚରାଉଚରା ବେଳେ ବିକାଶ ରାମେଶ୍ୱରୀଙ୍କ ହତ୍ୟା ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଇଥିବା ପୋଲିସ କହିଛି। ସୂଚନା ଅନୁସାରେ, ରାମେଶ୍ୱରୀ ଓ ତାଙ୍କ ଝିଅ ଜାନଭୀ ସୋନିପତର ସେକ୍ଟର-୧୫ରେ ଭଡ଼ା ଘରେ ରହୁଥିଲେ। ଜାନଭୀ ଇନଷ୍ଟାଗ୍ରାମ୍ରେ ରିଲ୍ସ ତିଆରି କରି ପୋଷ୍ଟ କରୁଥିଲେ। ସେଠାରେ ହିଁ ଡିଜିଟାଲ୍ ମାର୍କେଟିଂ କରୁଥିବା ବିକାଶଙ୍କ ସହ ତାଙ୍କର ପରିଚୟ ହୋଇଥିଲା ଏବଂ ପରେ ଏହା ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା।
ଅଭିଯୋଗ ଅନୁସାରେ, ଜାନଭୀ ଓ ବିକାଶ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ମା’ ରାମେଶ୍ୱରୀ ଏହି ବିବାହରେ ରାଜି ନଥିଲେ। ଏହାକୁ ନେଇ ଉଭୟ ମିଶି ରାମେଶ୍ୱରୀଙ୍କୁ ଗଳା ଚିପି ହତ୍ୟା କରିଥିବା ପୋଲିସ ତଦନ୍ତରେ ସାମ୍ନାକୁ ଆସିଛି। ହତ୍ୟା ପରେ ଘଟଣାକୁ ଲୁଚାଇବା ପାଇଁ ରାମେଶ୍ୱରୀଙ୍କ ମୃତ୍ୟୁ କରେଣ୍ଟ ଲାଗିବାରୁ ହୋଇଥିବା ମିଛ କାହାଣୀ ତିଆରି କରାଯାଇଥିବା ପୋଲିସ କହିଛି । କିନ୍ତୁ ପୋଷ୍ଟମର୍ଟମ୍ ରିପୋର୍ଟ ସବୁ ରହସ୍ୟ ଖୋଲିଦେଇଥିଲା।
ପୋଲିସ ବିକାଶଙ୍କୁ ଗିରଫ କରି କୋର୍ଟରେ ହାଜର କରିବା ସହ ରିମାଣ୍ଡରେ ନେବାକୁ ପ୍ରସ୍ତୁତି କରୁଛି । ଘଟଣାର ଅନ୍ୟାନ୍ୟ ଦିଗ ନେଇ ତଦନ୍ତ ଜାରି ରହିଛି । ଅନ୍ୟପକ୍ଷରେ, ଜାନଭୀଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।

