ପାତ୍ରପୁର, ୨୪।୧୧ (ଉମା ଚରଣ ନେପାକ): ପୁରୁଣା ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ଯାଇ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଛି ତାଙ୍କ ପୁତୁରା। ପାତ୍ରପୁର ଗ୍ରାମର କୃଷ୍ଣ ବେହେରାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ କରି ଜରଡ଼ା ଥାନା ପୋଲିସ ଅଭିଯୁକ୍ତ ବାବୁ ବେହେରାଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି।
ଗତ ୧୮ ତାରିଖ ସନ୍ଧ୍ୟାରେ ପାତ୍ରପୁର ଗ୍ରାମର ଏକ ବାଇକ୍ ସୋରୁମ୍ ନିକଟରୁ କୃଷ୍ଣ ବେହେରାଙ୍କ ରକ୍ତାକ୍ତ ମୃତଦେହ ଜରଡ଼ା ପୋଲିସ ଉଦ୍ଧାର କରିଥିଲା। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ହତ୍ୟାକାଣ୍ଡ ପରଠାରୁ ଅଭିଯୁକ୍ତ ବାବୁ ଫେରାର ହୋଇଯାଇଥିବା ବେଳେ, ପୋଲିସ ତାଙ୍କୁ ସୋମବାର ଗଞ୍ଜାମ-ଗଜପତି ସୀମାନ୍ତ ମାଙ୍କଡ଼ଦିଆଁ ଅଞ୍ଚଳରୁ ଠାବ କରି ଗିରଫ କରିବାରେ ସଫଳ ହୋଇଥିଲା।
ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ବହୁ ବର୍ଷ ପୂର୍ବେ ଅଭିଯୁକ୍ତ ବାବୁଙ୍କ ବଡ଼ବାପା ନାରାୟଣ ବେହେରାଙ୍କ ହତ୍ୟା ମାମଲାରେ କୃଷ୍ଣ ବେହେରା ଦୋଷୀ ସାବ୍ୟସ୍ତ ହୋଇ ୧୧ ବର୍ଷ ଜେଲ୍ଦଣ୍ଡ ଭୋଗିଥିଲେ। ଜେଲ୍ରୁ ମୁକୁଳିବା ପରେ ସେ ପାତ୍ରପୁର ଗ୍ରାମର ଏକ ଦୋକାନରେ କାମ କରୁଥିଲେ।
ଗତ ୧୮ ତାରିଖରେ କୃଷ୍ଣ ଦୋକାନରୁ ଘରକୁ ଫେରୁଥିବା ବେଳେ ରାସ୍ତାରେ ବାବୁଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ଉତ୍ତ୍ୟକ୍ତ ହୋଇ ବାବୁ ଏକ ଠେଙ୍ଗାରେ କୃଷ୍ଣଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ କୃଷ୍ଣଙ୍କ ମୃତ୍ୟୁ ଘଟିଥିଲା।
ବଡ଼ବାପା ନାରାୟଣ ବେହେରାଙ୍କ ହତ୍ୟାର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ସେ କୃଷ୍ଣଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ବାବୁ ପୋଲିସ ନିକଟରେ ସ୍ୱୀକାର କରିଛନ୍ତି। ପୋଲିସ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରିବା ସହ ମୃତକଙ୍କ ପରିବାରବର୍ଗଙ୍କଠାରୁ ତଥ୍ୟ ସଂଗ୍ରହ କରିଛି। ଏନେଇ ଜରଡ଼ା ଥାନାରେ କେସ୍ ନଂ- ୩୯୦/୨୬ରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ମିନାକ୍ଷୀ ଦଳବେହେରା ସୂଚନା ଦେଇଛନ୍ତି।

