ହାଟଡିହୀ, ୨୪।୧୧ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅନ୍ତର୍ଗତ ଗିରିଗାଁ ବୈତରଣୀ ବାଲି ଘାଟ ନିଲାମରେ ୫.୧୫ କୋଟି ଟଙ୍କାର ଜାଲି ବ୍ୟାଙ୍କ ଗ୍ୟାରେଣ୍ଟି ଦାଖଲ କରିଥିବା ଅଭିଯୁକ୍ତ ଲିଜଧାରୀ ଦୀର୍ଘ ୩ ବର୍ଷ ୧୦ ମାସ ହେବ ଫେରାର ଅଛନ୍ତି। ଇତିମଧ୍ୟରେ ନନ୍ଦିପଦା ଥାନାର ୩ ଜଣ ଥାନାଧିକାରୀ ବଦଳି ସାରିଥିଲେ ମଧ୍ୟ ଅଭିଯୁକ୍ତ ଡକ୍ଟର କୌଶିକ ସାହାଙ୍କୁ ଗିରଫ କରିବାରେ ପୋଲିସ ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ।
ଖୋର୍ଦ୍ଧା ଜିଲା ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳର ସ୍ୱର୍ଗତ ତୁଷାରକାନ୍ତି ସାହାଙ୍କ ପୁଅ ଡକ୍ଟର କୌଶିକ ସାହା (୫୭) ଗିରିଗାଁ ବୈତରଣୀ ବାଲି ଘାଟ ନିଲାମରେ ସର୍ବୋଚ୍ଚ ଦରଦାତା ଭାବେ ମନୋନୀତ ହୋଇଥିଲେ। ନିୟମ ଅନୁଯାୟୀ ସେ ହାଟଡିହୀ ତହସିଲ କାର୍ଯ୍ୟାଳୟରେ ୫.୧୫ କୋଟି ଟଙ୍କାର ଏକ ବ୍ୟାଙ୍କ ଗ୍ୟାରେଣ୍ଟି ଦାଖଲ କରିଥିଲେ, ଯାହା କୋଲକାତାସ୍ଥିତ ବ୍ୟାଙ୍କ ଅଫ୍ ବରୋଦାର ଜି.ସି. ଆଭେନ୍ୟୁ ଧର୍ମତଲା ଶାଖାରୁ ଅଣାଯାଇଥିବା ଦର୍ଶାଯାଇଥିଲା। ତହସିଲଦାର କାଗଜପତ୍ର ଯାଞ୍ଚ କରି ଏହାକୁ ଗ୍ରହଣ କରିଥିଲେ।
ପରବର୍ତ୍ତୀ ସମୟରେ ଦ୍ୱିତୀୟ ସର୍ବୋଚ୍ଚ ଦରଦାତା ତପନ କୁମାର ନନ୍ଦ ଏହି ନିଲାମ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ମାମଲା (WPC No- 12114/2021) ଦାୟର କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ଓଏମଏମସି (OMMC) ନିୟମ ୨୦୧୬ର ନିୟମ-୪୬ ଅନୁଯାୟୀ ଆନନ୍ଦପୁର ଉପଜିଲାପାଳଙ୍କ ଅଦାଲତରେ ଅପିଲ (ମାମଲା ନଂ- ୦୩/୨୦୨୧) କରିଥିଲେ। ଶୁଣାଣି ସମୟରେ ଉପଜିଲାପାଳ ବ୍ୟାଙ୍କ ଗ୍ୟାରେଣ୍ଟିର ସତ୍ୟତା ଉପରେ ସନ୍ଦେହ ପ୍ରକଟ କରି ସମ୍ପୃକ୍ତ ବ୍ୟାଙ୍କଠାରୁ ପୁନର୍ବାର ରିପୋର୍ଟ ତଲବ କରିଥିଲେ, ଯେଉଁଥିରୁ ଗ୍ୟାରେଣ୍ଟିଟି ଜାଲି ବୋଲି ଜଣାପଡ଼ିଥିଲା।
ଏହି ଜାଲିଆତି ଘଟଣା ରାଜସ୍ୱ ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀ ଏବଂ ମାନ୍ୟବର ଓଡ଼ିଶା ଲୋକାୟୁକ୍ତଙ୍କ ଦୃଷ୍ଟିକୁ ଆସିବା ପରେ କେନ୍ଦୁଝର ଅତିରିକ୍ତ ଜିଲାପାଳ ଓ ରାଜସ୍ୱ ବିଭାଗ ଯୁଗ୍ମ ସଚିବଙ୍କ ନିର୍ଦ୍ଦେଶକ୍ରମେ ତତ୍କାଳୀନ ହାଟଡିହୀ ତହସିଲଦାର ଦିଲ୍ଲୀପ କୁମାର ସାହୁ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୁଲିସ ମାମଲା ନଂ ୧୧୪/୨୦୨୨ ରୁଜୁ କରିଥିଲା।
ଅନ୍ୟପକ୍ଷରେ, ଅଭିଯୁକ୍ତ ଡକ୍ଟର ସାହା ଗିରଫଦାରୀ ଏଡ଼ାଇବା ପାଇଁ ୨୨ ନଭେମ୍ବର ୨୦୨୨ରେ ଓଡ଼ିଶା ହାଇକୋର୍ଟରେ ଆଗୁଆ ଜାମିନ (ABLAPL No- 15123/2022) ଆବେଦନ କରିଥିଲେ, ଯାହାକୁ ଅଦାଲତ ୧୭ ଜାନୁଆରୀ ୨୦୨୩ରେ ଖାରଜ କରିଦେଇଥିଲେ। ବର୍ତ୍ତମାନ ଏହି ମାମଲା ହାଟଡିହୀ ଜେଏମଏଫସି (JMFC) କୋର୍ଟରେ (GR No- 196/2022) ବିଚାରାଧୀନ ରହିଛି।
ଅଭିଯୁକ୍ତ ଜଣକ ଏବେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିବା ସୂଚନା ମିଳିଛି। ଏ ସମ୍ପର୍କରେ ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତି କହିଛନ୍ତି ଯେ, “ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ବହୁବାର ଚଢ଼ାଉ କରାଯାଇଛି, କିନ୍ତୁ ସେ ଫେରାର ଅଛନ୍ତି। ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିବା ପାଇଁ ସ୍ଥାନୀୟ ଅଦାଲତରେ ପ୍ରାର୍ଥନା କରାଯାଇଛି ଏବଂ ଖୁବଶୀଘ୍ର ତାଙ୍କୁ ଗିରଫ କରାଯିବ।”

