
ଜୟପୁର,୨୪ା୯: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ ଦଳର ଅଧ୍ୟକ୍ଷ ପଦ ଲାଗି ହେବାକୁ ଥିବା ନିର୍ବାଚନ ନିମନ୍ତେ ନାମାଙ୍କନପତ୍ର ଦାଖଲ କରିବେ। କେରଳରେ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଶୁକ୍ରବାର ଗେହଲଟ ଏହା କହିଛନ୍ତି। କିଏ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ, ସେ ସମ୍ପର୍କରେ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାଜ୍ୟ ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ ଅଜୟ ମାକେନ ନିଷ୍ପତ୍ତି ନେବେ ବୋଲି ଗେହଲଟ ସୂଚନା ଦେଇଛନ୍ତି। ରାହୁଲଙ୍କୁ ଅଧ୍ୟକ୍ଷ କରାଇବା ଲାଗି ବିଭିନ୍ନ ରାଜ୍ୟ କଂଗ୍ରେସ କମିଟି ପ୍ରସ୍ତାବ ଗୃହୀତ କରାଇଛନ୍ତି। ଗେହଲଟ ତାଙ୍କୁ ଭେଟି ନିଷ୍ପତ୍ତି ବଦଳାଇବା ଲାଗି ଅନୁରୋଧ କରିଥିଲେ। ତେବେ ଗାନ୍ଧୀ ପରିବାରରୁ କେହି ଅଧ୍ୟକ୍ଷ ହେବେ ନାହିଁ, ଏହା ଚୂଡ଼ାନ୍ତ ନିଷ୍ପତ୍ତି ବୋଲି ରାହୁଲ ସ୍ପଷ୍ଟ କରିଦେଇଥିବା ଗେହଲଟ ଗଣମାଧ୍ୟମକୁ କହିଛନ୍ତି।
ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ସମ୍ପର୍କିତ ପ୍ରଶ୍ନରେ ଗେହଲଟ୍ କହିଥିଲେ, ଯିଏ କଂଗ୍ରେସ ଅଧ୍ୟକ୍ଷ ହେବେ ଏବଂ ଆଜି ପର୍ଯ୍ୟନ୍ତ ଯେଉଁମାନେ ଅଧ୍ୟକ୍ଷ ହୋଇଛନ୍ତି, ସେମାନେ ମୁଖ୍ୟମନ୍ତ୍ରୀ ପଦରେ ରହିନାହାନ୍ତି। ଯଦି ତାଙ୍କୁ ଦଳ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବାର ସୁଯୋଗ ମିଳେ, ତେବେ ସେ କେବଳ ସେହି ପଦବୀ ପାଇଁ କାର୍ଯ୍ୟ କରିବେ। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସେନେଇ ସୋନିଆ ଗାନ୍ଧୀ ଓ ମାକେନ ଏକତ୍ର ନିଷ୍ପତ୍ତି ନେବେ ବୋଲି ଗେହଲଟ ସୂଚନା ଦେଇଛନ୍ତି। ସେହିପରି ଅନ୍ୟତମ ମୁଖ୍ୟମନ୍ତ୍ରୀ ଦାବିଦାର ସଚିନ ପାଇଲଟଙ୍କୁ ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ଜୟପୁରରେ ରହିବା ଏବଂ ବିଧାୟକମାନଙ୍କୁ ଭେଟିବା ଲାଗି ଦଳ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। କେରଳରେ ରାହୁଲଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବା ପରେ ସଚିନ ଶୁକ୍ରବାର ଜୟପୁର ଫେରି ନିଷ୍ପତ୍ତିକୁ ଅପେକ୍ଷା କରିଥିବା ଜଣାପଡ଼ିଛି। ତାଙ୍କ ବ୍ୟତୀତ ସି.ପି. ଜୋଷୀ ଏବ ବି.ଡି. କାଲ୍ଲା ମଧ୍ୟ ମୁଖ୍ୟମନ୍ତ୍ରୀ ହେବା ଲାଗି ଲବି ଚଲାଇଥିବା କୁହାଯାଉଛି।