Posted inଫୁରସତ

ସଙ୍ଗୀତରେ ସଂଗୀତା

ଓଡ଼ିଶାରେ ଏମିତି କୌଣସି ଘର ହୁଏତ ନ ଥିବ, ଯେଉଁଠି କି ଶ୍ରୀମଦ୍‌ ଭଗବଦ୍‌ଗୀତା ଶ୍ଳୋକର ସ୍ବର ଶୁଭି ନ ଥିବ। ଏହି ସ୍ବରକୁ ନେଇ ଦୀର୍ଘ ୫୦ରୁ ଅଧିକବର୍ଷ ଧରି ସେ ନିଜର ସାଧନା ଜାରି ରଖିଛନ୍ତି। ଏଥିରେ ତାଙ୍କର ଜୀବନ। ଓଡ଼ିଶା ସଙ୍ଗୀତ ଜଗତରେ ଜଣେ ସଫଳ କଣ୍ଠଶିଳ୍ପୀ ଭାବେ ତାଙ୍କର ରହିଛି ଯଥେଷ୍ଟ ସୁଖ୍ୟାତି। ଦେଶ ହେଉ କି ବିଦେଶ ସବୁଠି ଶୁଭେ ତାଙ୍କ ସଙ୍ଗୀତର ସ୍ବର । ପ୍ରାୟ ୧୭ଟି ଭାରତୀୟ ଭାଷାରେ ସେ ଗୀତ ଗାଇବାର ପାରଦର୍ଶିତା ରଖିଛନ୍ତି। ଓଡ଼ିଶୀ ହେଉ କି ହିନ୍ଦୁସ୍ତାନୀ, ଗଜଲ ହେଉ କି ପଲ୍ଲୀ, ସବୁଠି ଶ୍ରୋତାଙ୍କ ମନ ଜିଣିପାରିଛନ୍ତି ସେ। ଏଥିପାଇଁ ତାଙ୍କୁ ମିଳିଛି ଅନେକ ସମ୍ମାନ। ସେ ହେଲେ କଣ୍ଠଶିଳ୍ପୀ ଡ. ସଂଗୀତା ଗୋସ୍ବାଇଁ। ପିତା ଉପେନ୍ଦ୍ର ମହାପାତ୍ର, ମା’ ରମାଦେବୀ। ଗାଁ କଟକ ଜିଲାର ବାଙ୍କିରେ। କିନ୍ତୁ ପିଲାଦିନ କଟିଛି କଟକ କାଜି ବଜାରରେ । ସେ କୁହନ୍ତି, ଏକ ସଂସ୍କୃତିସମ୍ପନ୍ନ ପରିବାରରେ ମୋର ଜନ୍ମ । ଆମେ ମା’ ବାପାଙ୍କ ୬ଝିଅ ଓ ୨ପୁଅ। କିନ୍ତୁ ମା’ ବାପା ଉଭୟେ ସଙ୍ଗୀତରେ ରୁଚି ରଖିଥିଲେ। ଦୁହେଁ ଆମକୁ ପିଲାଟି ଦିନରୁ ଗୀତ ଗାଇବା ପାଇଁ ପ୍ରେରଣା ଦେଉଥିଲେ । ସଙ୍ଗୀତ ଶିକ୍ଷା ପାଇଁ କେବେ ଅବହେଳା କରି ନ ଥିଲେ । ଏଥିପାଇଁ ମୋ ସଙ୍ଗୀତ ଜୀବନର ମୂଳଦୁଆ ପକାଇଥିଲେ। ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ଗୁରୁ କମଲବରନ୍‌ ଚେଲ ସପ୍ତାହକୁ ୨ଥର ତାଳଚେରରୁ ଆମ ଘରକୁ ଆସନ୍ତି। ମାସକୁ ୨୦ଟଙ୍କା ନିଅନ୍ତି। ମୋ ବଡ଼ଭଉଣୀ ସୁଚିତ୍ରା, ସାନଭଉଣୀ ସୁମିତ୍ରା, ଭାଇ ଅଶ୍ୱିନୀ ଗୀତ ଶିଖୁଥିଲୁ କିନ୍ତୁ ବଡ଼ଭଉଣୀ ପଦ୍ମାଳୟା ଓ ଅନ୍ୟଭଉଣୀ ନାଚ ଶିଖୁଥିଲେ। ପ୍ରତିଦିନ ସନ୍ଧ୍ୟାରେ ଆମ ଘରେ ଶ୍ରୀମଦ୍‌ ଭଗବଦ୍‌ଗୀତା ଗାଉଥିଲୁ। ପିଲାଦିନେ ମତେ କକେଇ ମାମି ଡାକୁଥିଲେ, ମାତ୍ର ସାନ ମାଈଁ ପେଚି ବୋଲି ଡାକିଲେ କାରଣ ପିଲାଦିନେ ମୋ ନାକ ଟିକେ ଚେପଟା ଥିଲା । ୧୯୬୬ ମସିହାର କଥା, ୫ବର୍ଷର ହୋଇଥାଏ। ବାପାଙ୍କ ସହିତ ଭଞ୍ଜଜୟନ୍ତୀ ଦେଖିବାକୁ କଟକ ପ୍ୟାରିମୋହନ ଏକାଡେମୀକୁ ଯାଇଥାଏ ।
କିନ୍ତୁ ମୁଁ ଏଠାରେ ଏକ ଗୀତଗାଇବା ପାଇଁ ଝୁଙ୍କ ଲଗାଇ ସେହି ମଞ୍ଚ ଉପରକୁ ଚଢ଼ି ଯାଇଥିଲି । କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ଏବଂ ବାଗ୍ମୀ ରଜତ କର ମୋର ଆଗ୍ରହ ଦେଖି ମତେ ଗୀତଟିଏ ଗାଇବାକୁ ସୁଯୋଗ ଦେଇଥିଲେ। ଏମିତିରେ ଭଞ୍ଜଙ୍କର ଓଡ଼ିଶୀକୁ ଗାଇଥିଲି ।

ଏଥିରେ ସମସ୍ତେ ଖୁସୀ ହୋଇଯାଇଥିଲେ । ତା’ପରେ ମତେ ଏକ ରୌପ୍ୟ ପଦକ ପ୍ରଦାନ କରିଥିଲେ। ସେବେଠାରୁ ଆଉ ପଛକୁ ଚାହିଁନି। ସଙ୍ଗୀତ ମୋ ଜୀବନ ପାଲଟିଛି। ୧୯୭୨ମସିହାରେ କନକଲତା ସିନେମାରେ ଅଭିନୟ କରିଥିଲି ଏବଂ ଗୀତ ଗାଇଥିଲି। । ୧୯୭୯ମସିହାରେ ପ୍ରଥମକରି ଶ୍ରୀମଦ୍‌ ଭଗବଦ୍‌ଗୀତାର ୧୮ଟି ଅଧ୍ୟାୟକୁ ସଂସ୍କୃତରେ ମୋ ସହ ମୋ ଭଉଣୀ ସୁଚିତ୍ରା, ସୁମିତ୍ରା ଗାଇଥିଲେ । କଲିକତାର ଏକ କ୍ୟାସେଟ କମ୍ପାନୀ ଆମର କଣ୍ଠସ୍ବରକୁ ରେକର୍ଡିଂ କରିଥିଲା। ଖୁବ୍‌ ଖୁସୀ ଲାଗିଥିଲା; ଯାହା ମୋ ଜୀବନରେ ସବୁବେଳେ ସ୍ମରଣୀୟ ହୋଇରହିବ । ଏଥିରେ ଅଜସ୍ର ସମର୍ଥନ ମିଳିଥିଲା। ଏଥିସହ ସଂସ୍କୃତରେ ମଧ୍ୟ ଅନେକ ସ୍ତୋତ୍ର, ଓଡ଼ିଶୀ, ଚମ୍ପୂ, ଛାନ୍ଦ, ଭଜନ ଓ ପଲ୍ଲୀ ଗୀତ ଗାଇଛି। ସମୟକ୍ରମେ କଟକ ମହିଳା ଟ୍ରେନିଂ ସ୍କୁଲ, ରେଭେନ୍‌ସା ବାଳିକା ସ୍କୁଲ, ଶୈଳବାଳା ମହାବିଦ୍ୟାଳୟ, ରେଭେନ୍‌ସା କଲେଜରେ ପଢିଲି। ସ୍କୁଲ ବେଳେ ଏନ.ସି.ସି. ଏବଂ ସ୍କାଉଟ୍‌ ଗାଇଡ୍‌ର ବି ନେତୃତ୍ୱ ନେଇଛି। ଓଡ଼ିଆ ଓ ଇଂଲିଶ ଭାଷା ସାହିତ୍ୟରେ ସ୍ନାତକୋତ୍ତର କରିବା ସହ ଇଂଲିଶରେ ପିଏଚ.ଡି. ହାସଲ କରିଛି। ୨୦୦୩ ମସିହାରେ ପ୍ରାଚୀନ କଳାକେନ୍ଦ୍ର ଚଣ୍ଡିଗଡ଼ରୁ ଓଡ଼ିଶୀ ସଙ୍ଗୀତରେ ଭକ୍ତି ସଙ୍ଗୀତର ଧାରା ପାଇଁ ଡକ୍ଟରେଟ ଏବଂ ୨୦୦୬ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ କଥାସମ୍ରାଟ ଫକୀର ମୋହନଙ୍କ ସମାଜ ପ୍ରତି ତାଙ୍କ ଉପନ୍ୟାସରେ ତାଙ୍କ ଦୃଷ୍ଟିକୋଣ ପାଇଁ ଡକ୍ଟରେଟ ପାଇଛି। ଗୋଟିଏ ସ୍କୁଲରେ କିଛିଦିନ ଦିବ୍ୟାଙ୍ଗ ପିଲାଙ୍କୁ ପାଠପଢାଇଲି। ବିଭିନ୍ନ ସମୟରେ ସେବାଶ୍ରମକୁ ବୁଲିବାକୁ ଯାଏ ଏବଂ ସାମର୍ଥ୍ୟମତେ କିଛି ସାହାଯ୍ୟ କରିଥାଏ। କଟକ କ୍ରାଏଷ୍ଟ କଲେଜରେ ଇଂଲିଶ ଅଧ୍ୟାପିକା ଭାବେ ସକାଳେ ଅଧ୍ୟାପନା ସାରି ସଙ୍ଗୀତ ଶିକ୍ଷା ପାଇଁ ବାହାରି ଯାଏ ଓଡ଼ିଶୀ ଗବେଷଣା କେନ୍ଦ୍ର ଭୁବନେଶ୍ୱରକୁ। ଓଡ଼ିଶୀ ଗବେଷଣା କେନ୍ଦ୍ରରେ ପଣ୍ଡିତ ଭୁବନେଶ୍ୱର ମିଶ୍ର ଅଧ୍ୟାପକ ଥିଲେ। ହିନ୍ଦୁସ୍ତାନୀ ଅଳଙ୍କାର, ସଙ୍ଗୀତ ବିଶାରଦ, ସଙ୍ଗୀତ ଭାସ୍କର୍ଯ୍ୟ ଆଦି ପାଠ୍ୟକ୍ରମରେ ସ୍ବର୍ଣ୍ଣପଦକ ପ୍ରାପ୍ତ ହେବା ସହ ସଙ୍ଗୀତରେ ଉଚ୍ଚତର ଗବେଷଣା କରି ଡକ୍ଟରେଟ ଡିଗ୍ରୀ ହାସଲ କରିପାରିଛି। ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଓଡ଼ିଶୀ ସଙ୍ଗୀତରେ ଉଚ୍ଚତର ଶିକ୍ଷା ହାସଲ କରିପାରିଛି। ସମୟକ୍ରମେ ୧୯୮୭ରୁ ୧୯୮୯ଯାଏ ଶିକ୍ଷାଲାଭ କଲି ଏବଂ ପରେ ଏହି ଗବେଷଣା କେନ୍ଦ୍ରରେ ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ ଭାବେ ଯୋଗଦେଲି। କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କଠାରୁ ଗୀତ ଶିଖିଛି। ପଣ୍ଡିତ ହରିପ୍ରସାଦ ଚୌରାସିଆ, ପଣ୍ଡିତ ରଘୁନାଥ ପାଣିଗ୍ରାହୀ, ବୀଣାପାଣି ମିଶ୍ର, ଦୀପକ ବସୁ, ଶୁକଦେବ ପତି, ପ୍ରଫୁଲ୍ଲ କର, ଶ୍ୟାମସୁନ୍ଦର ଧୀର, ସଂଗୀତ ସୁଧାକର ବାଳକୃଷ୍ଣ ଦାଶ, ମାର୍କଣ୍ଡେୟ ମହାପାତ୍ର ଏବଂ ଅକ୍ଷୟ ମହାନ୍ତିଙ୍କ ଭଳି ଉଚ୍ଚମାନର ଶିଳ୍ପୀଙ୍କ ସଂସ୍ପର୍ଶରେ ଆସିପାରିଛି । ଆକାଶବାଣୀର ସର୍ବୋଚ୍ଚ ଗ୍ରେଡ଼ କଣ୍ଠଶିଳ୍ପୀ, ଆଇସିସିଆର ସ୍ବୀକୃତୀପ୍ରାପ୍ତ କଳାକାର ମାନ୍ୟତା ମିଳିଛି। ଓଡ଼ିଆଭାଷାର ସୁରକ୍ଷା ନେଇ ନୀଳଚକ୍ର ତରଫରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳ ସମେତ ବିଚ୍ଛିନ୍ନାଞ୍ଚଳକୁ ଯାଇଛୁ। ଆମେରିକା, ରୁଷିଆ, ଇଂଲଣ୍ଡ, ବାଂଲାଦେଶ ଆଦି ଏକାଧିକ ଦେଶରେ ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗଦେଇପାରିଛି । ସନ୍ଥ ହରିଦାସ ସମ୍ମେଳନ, ଖଜୁରାଓ ମହୋତ୍ସବ, ଏଲୋରା ମହୋତ୍ସବ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ସଙ୍ଗୀତ ସମ୍ମିଳନୀ ଆଦି ମଞ୍ଚରେ ଶାସ୍ତ୍ରୀୟ ଶୈଳୀରେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରି ବହୁ ପ୍ରଶଂସିତ ହୋଇଛି। ଶିଶୁ ଚଳଚ୍ଚିତ୍ର ବରଗଦ, ବିପ୍ଳବ ରାୟଚୌଧୁରୀଙ୍କ ବାଘରେ କଣ୍ଠଦାନ କରିଛି। ଏଇ ଆମ ସଂସାର, ବୋହୂ ହେବ ଏମିତି, ଅଲିଭା ଦାଗ, ସକଳତୀର୍ଥ ତୋ ଚରଣେ ଆଦି ଚଳଚ୍ଚିତ୍ରରେ କଣ୍ଠଦାନ କରିଛି। ସକଳତୀର୍ଥ ତୋ ଚରଣେ-ବୋଲେ ହୁଁ..ଟି ଗୀତ ପାଇଁ ୧୯୯୭ରେ ଶ୍ରେଷ୍ଠ ପାର୍ଶ୍ୱଗାୟିକା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଲୋକଙ୍କ ଭଲପାଇବା ହିଁ ମୋ ପାଇଁ ପ୍ରକୃତ ପୁରସ୍କାର। ୨୦୧୨ରୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଓଡ଼ିିଶୀ ବିଭାଗର ମୁଖ୍ୟ ଅଧ୍ୟାପିକା ଭାବେ ଦାୟିତ୍ୱ ତୁଲାଇଛି। ୨୦୧୬ରେ ଏହି ବିଶ୍ୱବିଦ୍ୟାଳୟରେ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶିକା କାର୍ଯ୍ୟ କରୁଛି। ମାତ୍ର ରିଟାୟର୍ଡ ପରେ ପୁଣି ୧ବର୍ଷ ପାଇଁ ମୁଖ୍ୟ ନିର୍ବାହୀ ଭାବେ କାର୍ଯ୍ୟ କରୁଛି। ଅନ୍ୟପକ୍ଷେ ସ୍ବାମୀଙ୍କ ସହ ଖୁସୀରେ ଅଛି। ସମସ୍ତଙ୍କୁ କହିବି ସା ରେ ଗା ମାକୁ ଭଲପାଆନ୍ତୁ। କଳା ହେଉଛି ଭଗବାନଙ୍କ ଆଶୀର୍ବାଦ। କିନ୍ତୁ ପାଠ ଭଲହେବା ସହିତ ଶାଠ ମିଶିଲେ ଯଶ ହେବ। ମୁଁ ମରିବା ଯାଏ ଗୀତ ଗାଉଥିବି। ସଙ୍ଗୀତ ମୋ ପାଇଁ ଏକ ନିଶା, ନିଆରା ଜୀବନ । କୌଣସି ଲାଳସାରେ ଗୀତ ପଦେ ଗାଇନି। ଆଉ ସେଥିପାଇଁ ନିଜ ରୁଚି ସହ ମୁଁ ସାଲିସ କରିନାହିଁ। ନାଚିବା ପାଇଁ ହୁଏତ ନିର୍ଦ୍ଦିଷ୍ଟ ବୟସ ଥାଏ, ମାତ୍ର ଗୀତ ଗାଇବା ଜୀବନସାରା। ଗୀତର ଭାଷା ନାହିଁ, ସ୍ବର ହିଁ ଆତ୍ମାକୁ ଛୁଏଁ। ମଣିଷକୁ ତା’ର ଅନ୍ତର୍ନିହିତ ବିକାଶରେ ସକ୍ରିୟ ସହଯୋଗ କରେ। ଜଣେ କଣ୍ଠଶିଳ୍ପୀ ଯେଉଁ ଗୀତଗାଏ ତାହାର ଅର୍ଥ ସେ ବୁଝିବା ଏକାନ୍ତ ଆବଶ୍ୟକ।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?