ତେହରାନ,୨୬ା୧୧: ଇରାନର ଏକ ପୋଲିସ ହାଜତରେ ମହସା ଅମିନିଙ୍କ ମୃତ୍ୟୁ ଘଟଣାକୁ ନେଇ ବାଧ୍ୟତାମୂଳକ ହିଜାବ ଆଇନ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ହୋଇଥିଲା। ଏହାର ୪ ବର୍ଷ ପରେ ମୁଣ୍ଡକୁ ହିଜାବରେ ନ ଢାଙ୍କି ସଙ୍ଗୀତ ପରିବେଷଣ କରିଥିବାରୁ ତେହରାନ ଗାୟିକା ପରାସ୍ତୁ ଅହମଦିଙ୍କୁ ୭୪ ଥର ଚାବୁକମାଡ଼ ଦିଆଯାଇଛି। ପ୍ରତିପକ୍ଷ ଆଇନଜୀବୀ ମୋସ୍ତାଫା ନିଲିଙ୍କ ଅନୁଯାୟୀ ସୋମବାର କୋମ୍ ସହରରେ ଅହମଦି ଓ ତାଙ୍କ କନ୍ସର୍ଟ ଟିମ୍ର ୪ ଜଣ ସଦସ୍ୟଙ୍କୁ ୭୪ ଥର ଲେଖାଏ ଚାବୁକମାଡ଼ କରାଯାଇଥିଲା। କୋମ୍ର ଆପରାଧିକ ଦଣ୍ଡ ପ୍ରବର୍ତ୍ତନ କାର୍ଯ୍ୟାଳୟରେ ଏହି ଦଣ୍ଡ କାର୍ଯ୍ୟକାରୀ ହୋଇଥିଲା। ଇରାନର ବାଧ୍ୟତାମୂଳକ ହିଜାବ ଆଇନର ଅବମାନନା କରି ୨୦୨୪ ଡିସେମ୍ବରରେ ଏକ ଅନ୍ଲାଇନ ସଙ୍ଗୀତ କାର୍ଯ୍ୟକ୍ରମରେ ଗାୟିକା ହାତ ନ ଥିବା ପୋଷାକ ପିନ୍ଧି ଓ ବିନା ହିଜାବରେ କେଶକୁ ଖୋଲା ରଖି ଗୀତ ଗାଇଥିବାରୁ ତାଙ୍କୁ ଦଣ୍ଡିତ କରାଯାଇଛି।
ଧର୍ମୀୟ ସମ୍ମିଳନୀ ଓ ରକ୍ଷଣଶୀଳ ଧର୍ମୀୟ ପ୍ରତିଷ୍ଠାନ ପାଇଁ ଜଣାଶୁଣା କୋମ୍ ସହର ନିକଟ ଐତିହାସିକ ଡେଇର-ଇ-ଗଚିନ କାରାଭାନସେରାଇଠାରେ ୨୦୨୪ ଡିସେମ୍ବରରେ ଅହମଦିଙ୍କ କାରାଭାନସେରାଇ କନ୍ସର୍ଟ ସଙ୍ଗୀତ କାର୍ଯ୍ୟକ୍ରମର ଚିତ୍ରୋତ୍ତୋଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୌଣସି ପ୍ରତ୍ୟକ୍ଷ ଦର୍ଶକ ନ ଥିଲେ। ପୁରୁଷ ବାଦ୍ୟକାରଙ୍କ ଗହଣରେ ଅହମଦି ଏକ କଳାରଙ୍ଗର ହାତ ନ ଥିବା ପୋଷାକ ପିନ୍ଧି ଓ କେଶ ଖୋଲାରଖି ଗାଉଥିଲେ। ବେଆଇନ ସଙ୍ଗୀତ କାର୍ଯ୍ୟକ୍ରମ ଅଭିଯୋଗରେ ଇରାନ କର୍ତ୍ତୃପକ୍ଷ ଅହମଦି ଓ ତାଙ୍କ ଟିମ୍ ବିରୋଧରେ ମାମଲାର ବିଚାର ଆରମ୍ଭ କରିଥିଲେ। କୋମ୍ର ଆପରାଧିକ ଅଦାଲତ ଅହମଦି ଓ ଅନ୍ୟ ୮ ଜଣଙ୍କୁ ଗତ ଜୁନ୍ରେ ଦୋଷୀସାବ୍ୟସ୍ତ କରିଥିଲେ। ଚାବୁକମାଡ଼ ଦଣ୍ଡ ସହ ସେମାନଙ୍କ ଅଡିଓ ଭିଜୁଆଲ କାର୍ଯ୍ୟକ୍ରମ ଓ ୨ ବର୍ଷ ପାଇଁ ଦେଶ ଛାଡ଼ିବା ଉପରେ ନିଷେଧାଦେଶ ଲଗାଯାଇଥିଲା।

