ମୁମ୍ୱାଇ: ବଲିଉଡ ସୁପରଷ୍ଟାର୍ ଶାହରୁଖ ଖାନ (Shah Rukh Khan) କଥିତ ଭାବେ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କୁ ଏକ ‘ମାନହାନିକାରକ’ (defamatory) ଇନଷ୍ଟାଗ୍ରାମ ରିଲ ପାଇଁ ଆଇନଗତ ନୋଟିସ ପଠାଇଛନ୍ତି । ବାସ୍ତବରେ ଇନଫ୍ଲୁଏନସର ସୁବିଜ୍ଞ ଶର୍ମା (Suvigya Sharma) ଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ସେ ଆଧ୍ୟାତ୍ମିକ ଗୁରୁ ସଦଗୁରୁଙ୍କ କାର୍ଯ୍ୟକ୍ରମରେ ଶାହରୁଖ ଖାନଙ୍କ ଉପସ୍ଥିତିକୁ ନେଇ ବିଭ୍ରାନ୍ତିକର ଏବଂ ମାନହାନିକାରକ ଦାବି କରିଥିଲେ । ଭାଇରାଲ ହୋଇଥିବା ଏହି ରିଲରେ ଶାହରୁଖ ଖାନଙ୍କୁ ଅନ୍ୟ ଅତିଥିମାନଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳୁଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ସମ୍ପୂର୍ଣ୍ଣ ମାମଲା ସୁବିଜ୍ଞ ଶର୍ମାଙ୍କ ଏକ ଭାଇରାଲ ଇନଷ୍ଟା ରିଲ ସହିତ ଜଡ଼ିତ । ରିଲରେ ଅନନ୍ତ ଅମ୍ୱାନୀ ଆଧ୍ୟାତ୍ମିକ ଗୁରୁ ସଦଗୁରୁଙ୍କୁ ଭେଟୁଥିବା ଦେଖାଯାଉଛି । ଏହା ପରେ ଶାହରୁଖ ଖାନ ଏବଂ ଅନନ୍ତ ଅମ୍ୱାନୀ ମଧ୍ୟ କଥାବାର୍ତ୍ତା କରୁଥିବା ନଜର ଆସୁଛନ୍ତି । ଇନଫ୍ଲୁଏନସର ନିଜ ପୋଷ୍ଟରେ ଦାବି କରିଛନ୍ତି ଯେ କଥାବାର୍ତ୍ତା ସମୟରେ ଶାହରୁଖ ଖାନଙ୍କୁ “ଚୁପ ରହିବା” ପାଇଁ କୁହାଯାଇଥିଲା ।
ନଭେମ୍ୱର ୨୩ ତାରିଖର ଆଇନଗତ ନୋଟିସରେ ଶାହରୁଖ ଖାନଙ୍କ ଓକିଲମାନେ ଅଭିଯୋଗ କରିଛନ୍ତି ଯେ ଭିଡିଓ ସହିତ ଲେଖାଯାଇଥିବା କ୍ୟାପସନର ଉଦ୍ଦେଶ୍ୟ କଥାବାର୍ତ୍ତାର ପ୍ରସଙ୍ଗକୁ ବିକୃତ କରି ଉପସ୍ଥାପନ କରିବା ଏବଂ ଅଭିନେତାଙ୍କ ଭାବମୂର୍ତ୍ତି ଓ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ଥିଲା । ରିପୋର୍ଟ ଅନୁଯାୟୀ, ଧାରା ୩୫୬ (Section 356) ର ଉଲ୍ଲେଖ କରି ନୋଟିସରେ କୁହାଯାଇଛି ଯେ ଏହି ଅଭିଯୋଗଗୁଡ଼ିକ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ମିଥ୍ୟା ।
ଏଥିରେ ଏହା ମଧ୍ୟ କୁହାଯାଇଛି ଯେ ବିନା କୌଣସି ପ୍ରମାଣରେ ଏଭଳି କଣ୍ଟେଣ୍ଟ ପ୍ରଚାର କରିବା ଦ୍ୱାରା ଅଭିନେତାଙ୍କ ସାର୍ୱଜନୀନ ଭାବମୂର୍ତ୍ତି ଉପରେ ଖରାପ ପ୍ରଭାବ ପଡ଼ିପାରେ । ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ ର ଧାରା ୩୫୬ (ଯାହା ମାନହାନି ସହିତ ସମ୍ୱନ୍ଧିତ) ର ଉଲ୍ଲେଖ କରି ଆଇନଗତ ନୋଟିସରେ କୁହାଯାଇଛି ଯେ କୌଣସି ବ୍ୟକ୍ତି ଠୋସ ପ୍ରମାଣ ବିନା ସାର୍ୱଜନୀନ ବ୍ୟକ୍ତିତ୍ୱ (public figures) ଙ୍କ ବିଷୟରେ ମିଥ୍ୟା ଏବଂ କ୍ଷତିକାରକ ବୟାନ ପ୍ରଚାର କରିପାରିବେ ନାହିଁ ।
ରିପୋର୍ଟ ଅନୁଯାୟୀ, ସୁବିଜ୍ଞ ଶର୍ମାଙ୍କୁ ପାଞ୍ଚଟି ଦାବି ପୂରଣ କରିବା ଏବଂ ନିଆଯାଇଥିବା ପଦକ୍ଷେପର ଲିଖିତ ନିଶ୍ଚିତକରଣ (written confirmation) ଦେବା ପାଇଁ ୪୮ ଘଣ୍ଟାର ସମୟ ଦିଆଯାଇଛି । ଏହି ଦାବିଗୁଡ଼ିକ ମଧ୍ୟରେ ଇନଷ୍ଟାଗ୍ରାମ ରିଲକୁ ତୁରନ୍ତ ହଟାଇବା, ଏହି ଦାବିକୁ ଆଗକୁ ସେୟାର କରିବା ବା ପ୍ରଚାର କରିବାରୁ ରହିବା, ଏବଂ ଭିଡିଓ ସହ ଜଡ଼ିତ କ୍ୟାପସନ ଓ ବୟାନଗୁଡ଼ିକୁ ହଟାଇବା ବା ସେଥିରେ ସଂଶୋଧନ କରିବା ସାମିଲ ରହିଛି ।
ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ଶାହରୁଖ ଖାନ ନିଜର ବହୁପ୍ରତୀକ୍ଷିତ ଆକ୍ସନ ଫିଲ୍ମ ’କିଙ୍ଗ’ (King) ର ରିଲିଜ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏହି ଫିଲ୍ମଟି ଖ୍ରୀଷ୍ଟମାସରେ ରିଲିଜ ହେବାକୁ ଯାଉଛି ଏବଂ ଏଥିରେ ଶାହରୁଖ ଖାନ ପ୍ରଥମ ଥର ପାଇଁ ନିଜ ଝିଅ ସୁହାନା ଖାନଙ୍କ ସହ ସ୍କ୍ରିନ ସେୟାର କରୁଥିବା ନଜର ଆସିବେ । ଏହା ବ୍ୟତୀତ ଫିଲ୍ମର ଷ୍ଟାର୍ କାଷ୍ଟରେ ଦୀପିକା ପାଦୁକୋଣ, ଅଭିଷେକ ବଚ୍ଚନ, ରାନୀ ମୁଖାର୍ଜୀ ଏବଂ ଅନ୍ୟ କଳାକାରମାନେ ମଧ୍ୟ ସାମିଲ ଅଛନ୍ତି ।

