ଶ୍ରୀମନ୍ଦିର ଓ ଶଙ୍କରାଚାର୍ଯ୍ୟ

ଶ୍ରୀଜଗନ୍ନାଥଙ୍କ ତତ୍ତ୍ୱ, ମହିମା, ଅଲୌକିକ ଅନୁଭୂତି ନାମରେ ସ୍ବକଳ୍ପିତ ତଥ୍ୟ ଓ ଗଳ୍ପ ମାଧ୍ୟମରେ ଆତ୍ମପ୍ରଚାର ପାଇଁ କେତେଜଣ ବ୍ୟକ୍ତି ଓ ସଂସ୍ଥା ପ୍ରତିଦ୍ବନ୍ଦ୍ୱିତା କରୁଥିବା ବେଳେ ଶ୍ରୀମନ୍ଦିର ଓ ଶ୍ରୀଜୀଉମାନଙ୍କ ସମ୍ପର୍କରେ ଅନେକ ତଥ୍ୟ ଏବେ ବି ସର୍ବମ୍ମତ ହୋଇପାରିନାହିଁ। ସ୍କନ୍ଦ ପୁରାଣରେ ସୂଚିତ ତଥ୍ୟକୁ ଐତିହାସିକମାନେ ଅସ୍ବୀକାର କରିଛନ୍ତି। ଇତିହାସ ଅନୁଯାୟୀ ଶୋଭନ ଦେବଙ୍କ ଶାସନ କାଳରେ ରକ୍ତବାହୁଙ୍କ ଆକ୍ରମଣ ଯୋଗୁ ଶ୍ରୀମନ୍ଦିର ପ୍ରତି ବିପଦ ଥିବାରୁ ସେବକମାନେ ତତ୍କାଳୀନ ସୋନପୁର ରାଜ୍ୟ ଅନ୍ତର୍ଗତ କୋଟସମଲାଇ ନିକଟରେ ଥିବା ଛେଳିଆ ପାହାଡ଼ରେ ଶ୍ରୀଜୀଉମାନଙ୍କୁ ପାତାଳୀ କରିଥିଲେ। ତାହାର ୧୪୪ବର୍ଷ ପରେ ଶିଷ୍ୟଙ୍କ ଗହଣରେ ଆଦି ଶଙ୍କରାଚାର୍ଯ୍ୟ ସାରା ଭାରତ ଭ୍ରମଣ କରୁଥିବାବେଳେ ୮୧୦ ମସିହାରେ ପୁରୀରେ ପହଞ୍ଚିଥିଲେ। ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବିଗ୍ରହ ନ ଥିବା ଜାଣି ଧ୍ୟାନ ବଳରେ ଶ୍ରୀଜୀଉମାନଙ୍କ ଉପସ୍ଥିତି ସମ୍ପର୍କରେ ସମ୍ୟକ ସୂଚନା ପାଇ ସେ ସୋନପୁର ଅଭିମୁଖେ ଯାତ୍ରା କରିଥିଲେ। କିନ୍ତୁ ଶ୍ରୀଜୀଉମାନଙ୍କର ଅୟ ସହ ବ୍ରହ୍ମ ମଧ୍ୟ ନଷ୍ଟଭ୍ରଷ୍ଟ ହୋଇଥିବାରୁ ଶଙ୍କରାଚାର୍ଯ୍ୟ ତାଙ୍କ ପ୍ରିୟ ଶିଷ୍ୟ ଭାରତୀ ଆଚାର୍ଯ୍ୟଙ୍କୁ ନେପାଳ ପଠାଇ ଗଣ୍ଡୁକୀ ନଦୀରୁ ଜୀବନ୍ତ ଶାଳଗ୍ରାମ ଆଣିଥିଲେ। ତାହାକୁ ବ୍ରହ୍ମଭାବେ ସ୍ଥାପନକରି ଶ୍ରୀଜୀଉମାନଙ୍କ ବିଗ୍ରହ ନିର୍ମାଣ ଓ ପ୍ରତିଷ୍ଠା କରିଥିଲେ ଏବଂ ନେପାଳ ନରେଶଙ୍କୁ ପାଟ୍ଟମହାନାୟକ ଭାବେ ସମ୍ମାନିତକରି ଶ୍ରୀଜୀଉମାନଙ୍କ ସେବା ପୂଜାର୍ଚ୍ଚନା ଅଧିକାର ଦେଇଥିଲେ। ପରେ କୋଶଳୀ ଡଙ୍ଗାରେ ଶ୍ରୀଜୀଉମାନଙ୍କୁ ପୁରୀ ଅଣାଯାଇଥିଲା। ମତାନ୍ତରେ ପାତାଳୀ ସମୟରେ ଶ୍ରୀଜୀଉମାନଙ୍କ ଅଙ୍ଗ ନଷ୍ଟ ହୋଇଥିଲେ ବି ବ୍ରହ୍ମ ଅକ୍ଷୁଣ୍ଣ ରହିଥିଲା। ଶ୍ରୀଅଙ୍ଗ ସୁରକ୍ଷା ଓ ଶ୍ରୀମୁଖ ଔଜଲ୍ୟ ପାଇଁ କସ୍ତୁରୀ, ନେପାଳରେ ମିଳୁଥିବାରୁ ନେପାଳ ନରେଶଙ୍କୁ କସ୍ତୁରୀ ଯୋଗାଇବା ପାଇଁ ସେବାପୂଜା ଅଧିକାର ଓ ପଦବୀ, ଉତ୍କଳର କୌଣସି ପରବର୍ତ୍ତୀ ନରେଶ ପ୍ରଦାନ କରିଥିଲେ। ଆଦିଗୁରୁ ପୁରୀରେ ଗୋବର୍ଦ୍ଧନ ପୀଠ ସ୍ଥାପନା କରି ତାଙ୍କର ଉତ୍ତରାଧିକାରୀ ଭାବେ ଅନନ୍ତଶ୍ରୀ ପଦ୍ମପାଦଙ୍କୁ ଦାୟିତ୍ୱ ଦେଇ ଓଡ଼ିଶାରୁ ବିଦାୟ ନେଇଥିଲେ। ୧୪୪ ବର୍ଷ ପରେ ଶ୍ରୀଜୀଉମାନଙ୍କ ସେବାପୂଜା ବନ୍ଦଥିବାରୁ ସେଥିପାଇଁ ସେବକ ନିଯୁକ୍ତି ସହ ପରବର୍ତ୍ତୀ ପରିଚାଳନା ଦାୟିତ୍ୱ ଓଡ଼ିଶାର ନରପତିଙ୍କୁ ଦେଇଥିବା ବିଶ୍ବସନୀୟ।
ମୋଗଲ ଶାସନ ସମୟରେ ଶ୍ରୀମନ୍ଦିର ଉପରେ ବାରମ୍ବାର ଆକ୍ରମଣ ଯୋଗୁ ଶ୍ରୀଜୀଉମାନଙ୍କୁ ଓଡ଼ିଶାର ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାର ଇତିହାସ ରହିଛି। ୧୫୬୮ରେ ଚିଲିକା ମଧ୍ୟରୁ କଳାପାହାଡ଼ ଶ୍ରୀଜୀଉମାନଙ୍କୁ ଚମଡ଼ା ଦଉଡ଼ିରେ ବାନ୍ଧି ହାତୀ ପିଠିରେ ନେବା, ଗଙ୍ଗା ନଦୀକୂଳରେ ଦାହକରିବା ସମୟରେ ବିଶର ମହାନ୍ତି ମୃଦଙ୍ଗ ମଧ୍ୟରେ ବ୍ରହ୍ମକୁ ଆଣିବା ଏବଂ କୁଜଙ୍ଗ ରାଜ ପରିବାର ଦ୍ବାରା ନବକଳେବର ହୋଇ କିଛି ବର୍ଷ ପରେ ଶ୍ରୀବିଗ୍ରହମାନଙ୍କୁ ପୁରୀ ଆଣିବାର ଇତିହାସ ରହିଛି। କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ୧୭୩୩ ରେ ତକି ଖାଁ ଦ୍ବାରା ଶ୍ରୀମନ୍ଦିରକୁ ଶେଷ ଆକ୍ରମଣ ପର୍ଯ୍ୟନ୍ତ ଶ୍ରୀବିଗ୍ରହମାନଙ୍କର ସ୍ଥାନାନ୍ତର ସମୟରେ ତାଙ୍କ ସହ ସେବାପୂଜା ପାଇଁ ଯାଇଥିବା ସେବକମାନେ କେତେ ଶତପ୍ରତିଶତ ପୁରୀକୁ ଫେରି ନ ଥିଲେ। ଅପରପକ୍ଷରେ ବହୁଚର୍ଚ୍ଚିତ ଛତିଶା ନିଯୋଗ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ନ ଥିବା ବେଳେ ସେବା ସଂଖ୍ୟା ଶତାଧିକ ରହିଥିଲା। ତନ୍ମଧ୍ୟରୁ ଅନେକ ସେବା ଲୋପ ପାଇସାରିଛି। କିନ୍ତୁ ବଂଶାନୁକ୍ରମିକ ସେବା ଯୋଗୁ ସେବକଙ୍କ ସଂଖ୍ୟା ବହୁ ସଂଖ୍ୟାରେ ବଢ଼ିଯାଇଛି।
ଦେଶ ସ୍ବାଧୀନ ହେବା ପରେ ୧୯୫୫ରେ ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନା ଭାର ହାତକୁ ନେଲେ। ଗଜପତି ଆଦ୍ୟ ସେବକ ଓ ପରିଚାଳନା କମିଟିର ମୁଖ୍ୟ ମାନ୍ୟତା ପାଇଲେ। ତାଙ୍କ ବଂଶ ପରମ୍ପରା ଅନୁଯାୟୀ ଯେପରି ଜ୍ୟେଷ୍ଠ ପୁଅ ସମସ୍ତ ଅଧିକାର ପାଏ ସେହି ବ୍ୟବସ୍ଥା ଶ୍ରୀମନ୍ଦିର ସେବାପୂଜା ପାଇଁ ପ୍ରଚଳିତ ହୋଇଥିଲେ ଆଜି ସେବକଙ୍କ ସଂଖ୍ୟା ସୀମିତ ରହିଥାନ୍ତା। ଫଳରେ ଶ୍ରୀଜୀଉମାନଙ୍କ ନିତିକ୍ରାନ୍ତି ନିଶ୍ଚିତ ଶୃଙ୍ଖଳିତ ହେଉଥାନ୍ତା। କିନ୍ତୁ ସେବକମାନେ ବଂଶବୃଦ୍ଧି ଯୋଗୁ ନିଜର ସେବାକୁ ପରିବାର ମଧ୍ୟରେ ଆପୋସ ବଣ୍ଟନ କରିଦେଲେ। ଫଳତଃ ଗୋଟିଏ ସେବା ପାଇଁ ଅନେକ ସେବକ ସୃଷ୍ଟି ହେଲେ। ସେବକଙ୍କ ସଂଖ୍ୟା ବୃଦ୍ଧି ସହ ବିଶୃଙ୍ଖଳିତ ଆଚରଣ ଶ୍ରୀମନ୍ଦିର ପରିଚାଳନା ପାଇଁ ବାଧକ ଏବଂ ଅର୍ଥ ପାଇଁ ଭକ୍ତଙ୍କ ଭାବାବେଗ ପ୍ରତି ଦୌରାତ୍ମ୍ୟ ଆଦୌ ଅନୁକୂଳ ନୁହେଁ , ଯାହା କି ପ୍ରତ୍ୟେକ ଦର୍ଶନାର୍ଥୀ ଓ ପ୍ରଶାସନ ବେଶ୍‌ ଅନୁଭବ କରୁଛନ୍ତି।
ଅପରପକ୍ଷରେ ପୁରୀ ଏକ ଆଧ୍ୟାତ୍ମିକ ସ୍ଥଳୀ ଓ ଭାରତର ଚାରିଧାମ ମଧ୍ୟରୁ ଅନ୍ୟତମ। ଏହା ବିଷ୍ଣୁଙ୍କ ଭୋଜନସ୍ଥଳୀ ଭାବେ ବିବେଚିତ ହୁଏ। ଭାରତରେ ଚାରିଧାମ ଓ ପ୍ରତ୍ୟେକ ଧାମରେ ଶଙ୍କରାଚାର୍ଯ୍ୟଙ୍କ ମଠ ରହିଛି। ସେହି ଧାମର ପରିଚାଳନା ଶଙ୍କରାଚାର୍ଯ୍ୟ ମଠାଧୀଶଙ୍କ ମାର୍ଗଦର୍ଶନରେ ପରିଚାଳିତ ହେଉଛି। ଏଥିପାଇଁ ଶ୍ରୀମନ୍ଦିରର ପରିଚାଳନା ମଧ୍ୟ ଆଧ୍ୟାତ୍ମିକ ଭାବନାରେ ହେବା ବିଧେୟ। ଆମ ଧାର୍ମିକ ନିର୍ଣ୍ଣୟର ସର୍ବୋଚ୍ଚ ପରାମର୍ଶଦାତା ହେଉଛନ୍ତି ଶଙ୍କରାଚାର୍ଯ୍ୟ। ବହୁ ଦଶନ୍ଧି ପୂର୍ବରୁ ତତ୍କାଳୀନ ଶଙ୍କରାଚାର୍ଯ୍ୟ ନିୟମିତ ଶ୍ରୀମନ୍ଦିର ଆସୁଥିବାରୁ ଭୋଗମଣ୍ଡପ ନିକଟରେ ତାଙ୍କର ଆସ୍ଥାନ ରହୁଥିବା ଏବଂ ସେ ରାଜଗୁରୁଙ୍କ ମାଧ୍ୟମରେ ସେବକମାନଙ୍କୁ ଆକଟ କରୁଥିବାର ଐତିହାସିକ ତଥ୍ୟ ରହିଛି। ବର୍ତ୍ତମାନର ଶଙ୍କରାଚାର୍ଯ୍ୟଙ୍କ ନିର୍ଣ୍ଣୟ ଦ୍ୱାରା ରଥାରୂଢ ଶ୍ରୀବିଗ୍ରହମାନଙ୍କୁ ସ୍ପର୍ଶ ନିଷେଧ ହୋଇଛି। କିନ୍ତୁ ଶ୍ରୀମନ୍ଦିର ସେବାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଉନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ଯେ ସର୍ବୋଚ୍ଚ ନ୍ୟାୟାଳୟ ଗୋଟିଏ ଜନସ୍ବାର୍ଥ ମାମଲା ବିଚାର କରି ଶ୍ରୀମନ୍ଦିର ସମ୍ପର୍କିତ ସମସ୍ତ ଧାର୍ମିକ ନିଷ୍ପତ୍ତି ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକ୍ରମେ ଚୂଡ଼ାନ୍ତ କରିବାକୁ ଦେଇଥିବା ନିର୍ଦ୍ଦେଶକୁ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏଡ଼ାଇ ଚାଲିଛନ୍ତି। ଧାର୍ମିକ ନ୍ୟାୟାଳୟ ମାନ୍ୟତାପ୍ରାପ୍ତ ମୁକ୍ତିମଣ୍ଡପ ପଣ୍ଡିତ ସଭାର ସେ ସ୍ଥାୟୀ ସଭାପତି । କିନ୍ତୁ ମୁକ୍ତିମଣ୍ଡପ ଓ ପରବର୍ତ୍ତୀ ସମୟରେ ଗଠିତ ମୁକ୍ତିମଣ୍ଡପ ପଣ୍ଡିତ ସଭାର ଆଭ୍ୟନ୍ତରୀଣ ବିଶୃଙ୍ଖଳା ସମ୍ପର୍କରେ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ପ୍ରଶାସନ ତାହାକୁ ମଧ୍ୟ ଅଣଦେଖା କରିଚାଲିଛି। ରତ୍ନଭଣ୍ଡାର ବା ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ସମ୍ପର୍କରେ କିମ୍ବା ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ ପୂର୍ବରୁ ତାଙ୍କ ସହ କୌଣସି ଆଲୋଚନା ହୋଇ ନ ଥିବା ଶଙ୍କରାଚାର୍ଯ୍ୟଙ୍କୁ ନିଶ୍ଚିତ ବ୍ୟଥିତ କରିଛି।
ଶ୍ରୀଜୀଉମାନଙ୍କ ସେବା ଅନନ୍ୟ ହୋଇଥିବାରୁ ଏଥିପାଇଁ ସମର୍ପିତ ଭାବ ଏକାନ୍ତ ଆବଶ୍ୟକ। ଏବେ ଶ୍ରୀମନ୍ଦିରର ବାହ୍ୟ ପରିବେଶର ସୌନ୍ଦର୍ଯ୍ୟକରଣ ଯେତେ ହେଲେ ବି ଆଧ୍ୟାତ୍ମିକ ପରିବେଶ ପାଇଁ ଆଭ୍ୟନ୍ତରୀଣ ସଂସ୍କାର ଜରୁରୀ ମନେହୁଏ। ସରକାର ଶ୍ରୀମନ୍ଦିରର ଆଧ୍ୟାତ୍ମିକ ପରିବେଶର ଉନ୍ନତି ଏବଂ ସେବାପୂଜା ସୁନିୟନ୍ତ୍ରିତ ପାଇଁ ବଦ୍ଧପରିକର ହୋଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ଗଠନ କରିବା ଆବଶ୍ୟକ। ଆବଶ୍ୟକ ହେଲେ ଶ୍ରୀମନ୍ଦିର ସମ୍ପର୍କିତ ଆଇନ ପରିବର୍ତ୍ତନ କରାଯିବା ଜରୁରୀ ମନେହୁଏ।

  • ହରିଶଙ୍କର ମିଶ୍ର
    ଗୁଣ୍ଡିଚା ବିହାର, ପୁରୀ
    ମୋ:୭୯୭୮୭୮୫୪୭୮

Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri