ପୁରୀ,୨୭।୬: ଦିନକ ପରେ ଶ୍ରୀଜିଉଙ୍କ ପବିତ୍ର ସ୍ନାନଯାତ୍ରା। ଏନେଇ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର। ସ୍ନାନଯାତ୍ରାର ସ୍ବତନ୍ତ୍ର ନୀତିକାନ୍ତି ପାଇଁ ୧୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶନିବାର ଅବଗତ କରାଯାଇଛି। ଶନିବାର ରାତି ସାଢ଼େ ୧୦ଟା ପରଠାରୁ ଆପାତତଃ ରବିବାର ଅପରାହ୍ନ ୧ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ଏପରିକି ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ସୁଗମ ଦର୍ଶନ ପାଇଁ ପୁରୀ ପୋଲିସ ପକ୍ଷରୁ ସହରରେ ସ୍ବତନ୍ତ୍ର ଟ୍ରାଫିକ କଟକଣା ଲାଗୁ କରାଯାଇଛି। ଏନେଇ ଏକ ଖବରଦାତା ସମ୍ମିଳନୀରେ ପୁରୀ ଏସ୍ପ ପ୍ରତୀକ ସିଂ ସୁରକ୍ଷା ଓ ଟ୍ରାଫିକ ବ୍ଲୁ-ପ୍ରିଣ୍ଟ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି।
ସ୍ନାନଯାତ୍ରା ସମୟରେ ପୁରୀ ସହରରେ ଯେପରି କୌଣସି ପ୍ରକାର ଟ୍ରାଫିକ ସମସ୍ୟା ଉପୁଜିବ ନାହିଁ, ସେଥିପାଇଁ ଗାଡ଼ିଗୁଡ଼ିକର ଯାତାୟାତ ଏବଂ ପାର୍କିଂ ପାଇଁ ନିର୍ଦ୍ଧାରିତ ରୁଟ ପ୍ରସ୍ତୁତ କରାଯାଇଛି:
ଭୁବନେଶ୍ୱରରୁ ଯାଉଥିବା ଗାଡ଼ି: ଭୁବନେଶ୍ୱର ପଟୁ ପୁରୀକୁ ଆସୁଥିବା ଚାରିଚକିଆ ଓ ଦୁଇଚକିଆ ଯାନଗୁଡ଼ିକ ପାଇଁ ମାର୍କେଟ ଛକ ନିକଟରେ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି।
ସମୁଦ୍ର କୂଳ ଯାଉଥିବା ଗାଡ଼ି: ଯେଉଁ ପର୍ଯ୍ୟଟକ ବା ଶ୍ରଦ୍ଧାଳୁମାନେ ସମୁଦ୍ର କୂଳ ଆଡ଼କୁ ଯିବାକୁ ଚାହୁଁଛନ୍ତି, ସେମାନଙ୍କ ଗାଡ଼ି ପାଇଁ ଦିଗବାରେଣୀ ଛକ ନିକଟରେ ପାର୍କିଂ ବ୍ୟବସ୍ଥା କରାଯାଇଛି।
ଯାତ୍ରୀବାହୀ ବସ: ପୁରୀକୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବସ୍ଗୁଡ଼ିକୁ ମାଳତୀପାଟପୁର ବସ୍ ଟର୍ମିନାଲ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଠାରୁ ଯାତ୍ରୀମାନେ ଅନ୍ୟ ମାଧ୍ୟମରେ ସହରକୁ ଯିବେ।
ସିଟି ବସ ଓ ଟୁରିଷ୍ଟ ବସ: ସ୍ଥାନୀୟ ସିଟି ବସଗୁଡ଼ିକ ପାଇଁ ଶରଧାବାଲି ଏବଂ ବାହାରୁ ଆସୁଥିବା ଟୁରିଷ୍ଟ ବସ୍ଗୁଡ଼ିକ ପାଇଁ ତାଳବଣିଆଠାରେ ରହଣୀ ସ୍ଥଳ ସ୍ଥିର କରାଯାଇଛି।
ସିଟି ରୋଡ କଟକଣା: ସହରର ଭିତର ରାସ୍ତା ବା ସିଟି ରୋଡ୍ରେ କୌଣସି ପ୍ରକାର ବସ୍ ଚଳାଚଳ ପାଇଁ ଅନୁମତି ଦିଆଯିବ ନାହିଁ।
ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଆଖିରେ ରଖି ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ପାର୍ଶ୍ୱବର୍ତ୍ତୀ ରାସ୍ତାରେ ସାଧାରଣ ଯାନବାହନ ଚଳାଚଳକୁ ସମ୍ପୂର୍ଣ୍ଣ ନିଷିଦ୍ଧ (No Vehicle Zone) କରାଯାଇଛି। ପୁରୀ ଏସ୍ପିଙ୍କ ସୂଚନା ଅନୁଯାୟୀ, ଭକ୍ତମାନେ ଶ୍ରୀମନ୍ଦିରକୁ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଏବଂ ଦର୍ଶନ ସାରି ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଏହାଦ୍ୱାରା ଶ୍ରୀମନ୍ଦିର ଭିତରେ ଓ ବାହାରେ ଶୃଙ୍ଖଳା ବଜାୟ ରହିବ।

