ହାସିନା ପଳାଇଲେ

ଭାରତର ପଡ଼ୋଶୀ ଏବଂ ଏକମାତ୍ର ଦେଶ ଯିଏ କି ଭାରତ ସହ ଭଲ ସମ୍ପର୍କ ରଖିଆସିଛି, ବାଂଲାଦେଶ ଏବେ ଅଶାନ୍ତ। ସଂରକ୍ଷଣକୁ ନେଇ ତେଜିଉଠିଥିବା ହିଂସାତ୍ମକ ଛାତ୍ର ଅନ୍ଦୋଳନ ଯୋଗୁ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଦେଶ ଛାଡ଼ି ପଳାଇଛନ୍ତି। ଏହା ଘଟିଲା ଯେତେବେଳେ ଅନେକ ହଜାର ଲୋକ ସ୍ବତଃସ୍ଫୂର୍ତ୍ତ ଭାବେ ଦେଶର ରାଜଧାନୀ ଢାକାସ୍ଥିତ ‘ଗଣଭବନ’ ଯେଉଁଠାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅବସ୍ଥାପିତ, ତା’ ଉପରେ ଚଢ଼ାଉ କରି ପ୍ରବେଶ କଲେ। ତେବେ ବାଂଲାଦେଶର ସଂରକ୍ଷଣ ବିରୋଧୀ ହିଂସାରେ ଏଯାବତ ୩୦୦ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ସ୍ତରରେ କୁହାଯାଇଛି। ସଂରକ୍ଷଣକୁ ନେଇ ଆନ୍ଦୋଳନ ହେବା କିମ୍ବା ଧନ ଜୀବନ କ୍ଷତି ହେବା ବିଷୟ କିଛି ନୂଆ କଥା ନୁହେଁ। ଅତୀତରେ ଭାରତରେ ମଧ୍ୟ ଏହାର ଭୟାବହତା ଦେଖିବାକୁ ମିଳିଛି। ଏଇ ନିକଟରେ ସଂରକ୍ଷଣକୁ ନେଇ ମଣିପୁରର ଜାତିଗତ ହିଂସା ସମସ୍ତଙ୍କର ମନେ ଅଛି। ସଂରକ୍ଷଣକୁ କେନ୍ଦ୍ରକରି କର୍ନାଟକ, ହରିୟାଣା, ମହାରାଷ୍ଟ୍ର ଆଦି ରାଜ୍ୟଗୁଡ଼ିକରେ ମଧ୍ୟ ହିଂସା ସୃଷ୍ଟି ହୋଇଥିଲା। ଏହା ବ୍ୟତୀତ ସଂରକ୍ଷଣକୁ ନେଇ ୯୦ ଦଶକରେ ଭାରତ ଏକ ବଡ଼ଧରଣର ଆନ୍ଦୋଳନ ଦେଖିଥିଲା। କିନ୍ତୁ ଭାରତ ଭଳି ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥା ଏତେ ଅଧିକ ନ ଥିଲେ ମଧ୍ୟ ତାହାକୁ ନେଇ ସୃଷ୍ଟି ହୋଇଥିବା ବ୍ୟାପକ ହିଂସା ଯୋଗୁ ହାସିନା ଦେଶ ଛାଡ଼ି ପଳାଇବାକୁ ବାଧ୍ୟ ହୋଇଛନ୍ତି। ଉଲ୍ଲେଖନୀୟ ଯେ, ଗତ ମାସରେ ବାଂଲାଦେଶର ହାଇକୋଟର୍ର୍ ବାଂଲାଦେଶ ସ୍ବାଧୀନତା ସଂଗ୍ରାମୀ(ମୁକ୍ତି ଯୋଦ୍ଧା)ଙ୍କ ଦାୟାଦଙ୍କ ପାଇଁ ସରକାରୀ ଚାକିରିରେ ୩୦% ସଂରକ୍ଷଣ ରଖିବାକୁ କହିବା ପରେ ଛାତ୍ର ଆନ୍ଦୋଳନ ଦେଖାଯାଇଥିଲା। ପ୍ରାରମ୍ଭିକ ସ୍ତରରେ ହାସିନା ଆନ୍ଦୋଳନକାରୀଙ୍କୁ ‘ରାଜାକର’ ବୋଲି ମନ୍ତବ୍ୟ ଦେବା ପରେ ଆନ୍ଦୋଳନ ବଢ଼ିଥିଲା। ରାଜାକର କହିଲେ ବାଂଲାଦେଶ ସ୍ବାଧୀନତା ସଂଗ୍ରାମରେ ପାକିିସ୍ତାନ ସପକ୍ଷରେ ଥିବା ବ୍ୟକ୍ତିଙ୍କୁ ସୂଚିତ କରେ । ତେବେ ଆନ୍ଦୋଳନର ଭୟାବହତାକୁ ଲକ୍ଷ୍ୟକରି ଜୁଲାଇ ଶେଷ ସପ୍ତାହରେ ବାଂଲାଦେଶ ସୁପ୍ରିମକୋର୍ଟ ରାୟ ଦେଇଥିଲେ ଯେ, ଯୋଗ୍ୟତା ଆଧାରରେ ୯୩ ପ୍ରତିଶତ ଚାକିରି ଦିଆଯିବା ସହ ବାଂଲାଦେଶ ସ୍ବାଧୀନତା ସଂଗ୍ରମୀଙ୍କ ଦାୟାଦଙ୍କ ପାଇଁ ୫% ଓ ଅନ୍ୟ ବର୍ଗ ପାଇଁ ୨%(ମୋଟ ୭ ପ୍ରତିଶତ) ରଖାଯିବ। ତଥାପି ଆନ୍ଦୋଳନ ଶାନ୍ତ ପଡ଼ି ନ ଥିଲା।
ଉଲ୍ଲେଖନୀୟ ଯେ, ପାକିସ୍ତାନଠାରୁ ଅଲଗା ହୋଇ ୧୯୭୧ରେ ବାଂଲାଦେଶ ଗଠନ ହୋଇଥିଲା। ଏହି ସ୍ବାଧୀନତା ପାଇଁ ହୋଇଥିବା ଲଢ଼େଇକୁ ମୁକ୍ତିଯୁଦ୍ଧ କୁହାଯାଏ ଓ ଏଥିରେ ଭାଗ ନେଇଥିବା ସଂଗ୍ରାମୀମାନଙ୍କ ଦାୟାଦଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଅଣାଯିବା ପରେ ବାଂଲାଦେଶ ସଙ୍କଟକୁ ଚାଲିଯାଇଛି। ଏହା ମଧ୍ୟ ଉଲ୍ଲେଖନୀୟ ଯେ, ହାସିନାଙ୍କ ନେତୃତ୍ୱାଧୀନ ଆଓ୍ବାମି ଲିଗ୍‌ ଦଳରେ ମୁଖ୍ୟତଃ ଏହି ସ୍ବାଧୀନତା ସଂଗ୍ରମୀମାନଙ୍କର ଦାୟାଦମାନେ ନେତୃସ୍ଥାନୀୟ ପଦବୀରେ ଅଛନ୍ତି। ଏହି ଦଳର ନିର୍ମାତା ଏବଂ ହାସିନାଙ୍କ ପିତା ଶେଖ୍‌ ମୁଜିବୁର ରହମନ ଥିଲେ ବାଂଲାଦେଶର ‘ଜାତିର ପିତା’। ସ୍ବାଧୀନତା ପରେ ମୁଜିବୁର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ବାଂଲାଦେଶ ସେନାର ସକ୍ରିୟ ସହଯୋଗରେ ହତ୍ୟା କରାଯାଇଥିଲା।
୨୦୧୮ରେ ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ୧୯୭୦ ଦଶକର ପ୍ରାରମ୍ଭରୁ ରହିଆସିଥିବା କୋଟା ସିଷ୍ଟମକୁ ଉଚ୍ଛେଦ କରିଥିଲେ। ଏହାକୁ ଲକ୍ଷ୍ୟକରି ହାସିନା ସ୍ବାଧୀନତା ସଂଗ୍ରମୀମାନଙ୍କ ଦାୟାଦଙ୍କ ପାଇଁ କୋଟା ବ୍ୟବସ୍ଥା କରିବାକୁ କହିଥିଲେ। ତେବେ ଜୁନ୍‌ ୨୦୨୪ରେ ବାଂଲାଦେଶ ସୁପ୍ରିମକୋର୍ଟ ପୁନର୍ବାର ଏହା ଉପରେ ବିଚାରକରି ୩୦% ସଂରକ୍ଷଣ ପୁନଃସ୍ଥାପିତ କରିବା ଛାତ୍ର ଆନ୍ଦୋଳନର ମୁଖ୍ୟ କାରଣ ହୋଇଛି। ଉଲ୍ଲେଖନୀୟ ଯେ, ଶେଖ୍‌ ହାସିନା ୧୯୯୬ରେ ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ଓ ୨୦୦୯ ରୁ ୨୦୨୪ ଯାଏ ରହିଥିଲେ। ହେଲେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି( ବିଏନ୍‌ପି) ନେତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ ଦୁର୍ନୀତି ଅଭିଯୋଗରେ ଜେଲରେ ଥିବା ସମୟରେ ନିର୍ବାଚନ କରାଯାଇଥିଲା। ଏଥିରେ ବିଏନ୍‌ପି ଭାଗ ନେଇ ନ ଥିଲା। ପରେ ନିର୍ବାଚନରେ ଅନିୟମିତତା ଅଭିଯୋଗ ଆସିଥିଲେ ବି ତାହାର କୌଣସି ଫଳ ମିଳି ନ ଥିଲା। ଏହା ସ୍ପଷ୍ଟ ଯେ, ବାଂଲାଦେଶରେ ଥିବା ଚାପା ଉତ୍ତେଜନାକୁ ସଂରକ୍ଷଣ ବ୍ୟବସ୍ଥା ଏକ ସୁଯୋଗ ହୋଇଥିବା କୁହାଯାଇପାରେ। ୧୭ କୋଟିରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଦେଶରେ ପାଖାପାଖି ୩.୨ କୋଟି ଯୁବକଙ୍କ ହାତରେ ଏବେ କାମ ନାହିଁ। ଏଭଳି ସ୍ଥିତିରେ ସଂରକ୍ଷଣ ଲାଗୁ କରିବା ଅସନ୍ତୋଷର କାରଣ ହେବା ସ୍ବାଭାବିକ। ଯୁଦ୍ଧରୁ ସୃଷ୍ଟି ହୋଇଥିବା ବାଂଲାଦେଶର ୫ ଦଶନ୍ଧି ଇତିହାସ ମଧ୍ୟରେ ଲଗାତର ଭାବେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଶତ୍ରୁତା ପରିଲକ୍ଷିତ ହୋଇ ଆସିଛି। ବାସ୍ତବରେ ହାସିନାଙ୍କ ସମୟରେ ବାଂଲାଦେଶର ଅର୍ଥନୈତିକ ଉନ୍ନତି ଘଟିଥିଲେ ମଧ୍ୟ ରାଜନୈତିକ ଏବଂ ସାମାଜିକ ଅସ୍ଥିରତା ବୃଦ୍ଧି ପାଇଥିଲା।
ଏଠାରେ ଉଲ୍ଲେଖନୀୟ ଯେ, ଭାରତର ସୀମାନ୍ତ ଅଞ୍ଚଳରେ ଥିବା ସବୁ ଦେଶ ତୁଳନାରେ ବାଂଲାଦେଶ ଥିଲା ଅନ୍ୟତମ। ସେଠାକାର ଆଓ୍ବାମି ଲିଗ୍‌ ସରକାରର ଭାରତ ସହ ବନ୍ଧୁତ୍ୱ ସମ୍ପର୍କରେ ସମଗ୍ର ପୃଥିବୀ ଜାଣିଥିଲା। ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ଯେଉଁ ସରକାର ବାଂଲାଦେଶକୁ ଶାସନ କରିବ ତାହା ହାସିନାଙ୍କ ନୀତିରେ ଆମୂଳଚୂଳ ପରିବର୍ତ୍ତନ ଆଣିବାକୁ ବାଧ୍ୟ ହେବ। ବିଭିନ୍ନ ନୀତି ମଧ୍ୟରୁ ବହିର୍ବ୍ୟାପାର ନୀତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଭାରତ ସହ ବନ୍ଧୁତ୍ୱ ପରିବର୍ତ୍ତେ ଶତ୍ରୁତା ଆରମ୍ଭ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଯିବ। ତିସ୍ତା ନଦୀ ଜଳବିବାଦରୁ ଆରମ୍ଭକରି ଅନେକ ଏଭଳି ପ୍ରସଙ୍ଗ ଯେଉଁଗୁଡ଼ିକୁ ବ୍ୟବହାର କରି ଭାରତକୁ ବିରୋଧୀ ରାଷ୍ଟ୍ର ଭାବେ ରଙ୍ଗ କରିଦେବା ସହଜ ହେବ। ହାସିନାଙ୍କ ସମୟରେ ବାଂଲାଦେଶ ଅନେକ ପରିମାଣରେ ଧର୍ମନିରପେକ୍ଷତା ଅବଲମ୍ବନ କରି ଆସୁଥଲା। ଏବେ ସେଥିରେ ବଡ଼ଧରଣର ପରିବର୍ତ୍ତନ ଆସିବାର ସବୁ ସମ୍ଭାବନା ରହିଛି, କାରଣ ମୁଖ୍ୟ ଦୁଇ ବିରୋଧୀ ଦଳ- ବାଂଲାଦେଶ ନ୍ୟାଶାଲିଷ୍ଟ ପାର୍ଟି ଏବଂ ଜମାତ ଇ ଇସ୍‌ଲାମୀ-ଉଭୟେ ଇସ୍‌ଲାମୀୟ ଜଗତ ସାଙ୍ଗରେ ବନ୍ଧୁତ୍ୱ ଗଢ଼ିବା ପାଇଁ ଅଧିକ ମନ ବଳାଇବେ। ତତ୍‌ସହିତ ବାଂଲାଦେଶରେ ଚାଇନାର ପ୍ରଭାବ ବୃଦ୍ଧି ପାଇବାର ସମ୍ଭାବନା ବଢ଼ିବ। ଏହି ଦୃଷ୍ଟିକୋଣରୁ ବାଂଲାଦେଶରେ ଘଟୁଥିବା ଅଶାନ୍ତ ପରିସ୍ଥିତିକୁ ନୂଆଦିଲ୍ଲୀ ଗୁରୁତ୍ୱର ସହିତ ଦେଖିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?