ନୂଆଦିଲ୍ଲୀ,୨୯ ।୯: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ବରିଷ୍ଠ କଂଗ୍ରେସ ନେତା ତଥା ଏମପି ଶଶି ଥରୁର ଆସନ୍ତା କାଲି ଅର୍ଥାତ୍ ଶୁକ୍ରବାର ସେପ୍ଟେମ୍ବର ୩୦ରେ ପ୍ରାର୍ଥୀପତ୍ର ଦାଖଲ କରିବେ । ଏହି ପଦ ପାଇଁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଗୁରୁବାର ପ୍ରାର୍ଥିପତ୍ର ନେଇଛନ୍ତି । ତେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କଂଗ୍ରେସ ଅଧ୍ୟକ୍ଷ ପଦ ରେସରେ ସବୁଠାରୁ ଆଗରେ ଥିବା ବେଳେ ଗୁରୁବାର ସେ ଦଳ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ୍ କରିଥିଲେ । ଦୀର୍ଘ ଦେଢ ଘଣ୍ଟାର ସାକ୍ଷାତ୍କାର ପରେ ଅଶୋକ ଗେହଲୋଟ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢୁ ନ ଥିବା ଘୋଷଣା କରିଥିଲେ । ଏହାପରେ ଦଳ ମଧ୍ୟରେ ଉଷ୍ମତା ଆହୁରି ବଢି ଯାଇଥିଲା ।
ଏହି ଲଢେଇ ଏବେ ଶଶି ଥରୁର ଓ ଦିଗବିଜୟ ସିଂଙ୍କ ଭିତରେ ହେବ । ଇତିମଧ୍ୟରେ ଥରୁର ଟୁଇଟ କରି କହିଛନ୍ତି, ଯିଏବି ବିଜୟୀ ହେଉନା କାହିକି ଏହା କଂଗ୍ରେସର ବିଜୟ ହେବ । ସୂଚନାଯୋଗ୍ୟ, କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢିବା ଲାଗି ସର୍ବ ପ୍ରଥମେ ଶଶି ଥରୁର ଇଚ୍ଛା ପ୍ରକାଶ କରିଥିଲେ । ଏବେ ଏହି ନିର୍ବାଚନ ଲାଗି ପାର୍ଥିପତ୍ର ଦାଖଲର ଶେଷ ତାରିଖ ସେପ୍ଟେମ୍ବର ୩୦ ରଖାଯାଇଛି । ମତଦାନ ୧୭ ଅକ୍ଟୋବରରେ ହେବ ଓ ଏହାର ଫଳାଫଳ ୧୯ ଅକ୍ଟୋବରକୁ ଆସିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୀର୍ଘ ବର୍ଷ ପରେ ଗାନ୍ଧୀ ପରିବାର ବାହାରୁ କେହି ଜଣେ ସଦସ୍ୟ କଂଗ୍ରେସ ଅଧ୍ୟକ୍ଷ ପଦରେ ବସିବାକୁ ଯାଉଛନ୍ତି ।