Posted inଫୁରସତ

ଶାସଙ୍ଗ ଜଗନ୍ନାଥ ମନ୍ଦିର

ବାଲେଶ୍ୱର ସହରରୁ ନିମିକି ସଡ଼କରେ ଇଞ୍ଚୁଡ଼ି ଅଭିମୁଖେ ପ୍ରାୟ ୧୦ କି.ମି. ଦୂର ଗଲେ ପଡ଼େ ପାଗନଈ ଛକ। ଆଉ ଏହି ଛକରୁ ଡାହାଣ ପାର୍ଶ୍ୱ ଦେଇ କିଛିବାଟ ଗଲେ ପଡ଼ିଥାଏ ଶାସଙ୍ଗ ଗ୍ରାମପଞ୍ଚାୟତ; ଯେଉଁ ଗ୍ରାମପଞ୍ଚାୟତର ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା’ ସୁଭଦ୍ରା। ସରକାରୀ ପ୍ରାମାଣିକ ତଥ୍ୟ ଅନୁଯାୟୀ, ଏହି ଶ୍ରୀଜୀଉମାନେ କୁଆଡ଼େ ପ୍ରାୟ ୮୭୪ ବର୍ଷ ହେଲାଣି ଏଠାରେ ପୂଜା ପାଇ ଆସୁଛନ୍ତି। ତେବେ ଏହି ମନ୍ଦିରର ସ୍ବତନ୍ତ୍ରତା ହେଉଛି ଯେ, ପୁରୀ ଶ୍ରୀକ୍ଷେତ୍ରର ନୀତିରୀତିକୁ ଅନୁସରଣ କରି ଯଥାସମ୍ଭବ ଏଠାରେ ଶ୍ରୀଜୀଉମାନଙ୍କର ସେବା ପୂଜା କରାଯାଇଥାଏ।

ଏଠାରେ ମଧ୍ୟ ସ୍ନାନଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା, ଚନ୍ଦନଯାତ୍ରା ଭଳି ଦ୍ୱାଦଶ ଯାତ୍ରା ପାଳିତ ହୋଇଥାଏ। ମହାପ୍ରଭୁଙ୍କଠାରେ ପ୍ରତ୍ୟେକ ଦିନ ବିଭିନ୍ନ ଭୋଗ ନୀତି ସହ ଦୁଇ ଓଳି ଅନ୍ନ ଭୋଗ ଲାଗି ହୋଇଥାଏ। ଶ୍ରୀଜଗନ୍ନାଥ ଶାସ୍ତ୍ର ଅନୁଯାୟୀ, ଶ୍ରୀଜୀଉମାନଙ୍କୁ ବାର ଅନୁସାରେ ଏଠାରେ ବିଭିନ୍ନ ଲୁଗା ଓ ପୁଷ୍ପ ପିନ୍ଧାଯିବା ସହ ନାନାଦି ଫଳ ଓ ପରିବା ଆଦି ପ୍ରସାଦ ଭାବେ ଲାଗି କରାଯାଇଥାଏ। ଏଠାରେ ମହାପ୍ରଭୁମାନଙ୍କ ସେବା କରୁଥିବା ସମସ୍ତ ସେବକଙ୍କୁ ଜାଗିରି ସେବକ ବୋଲି କୁହାଯାଇଥାଏ। ଶୁଣାଯାଏ ଯେ, ଏଠାରେ ଶାସନ କରୁଥିବା ତତ୍କାଳୀନ ସାମନ୍ତ (ଜମିଦାର) ମହାପ୍ରଭୁଙ୍କୁ ସ୍ଥାପିତ କରିବାରେ ବିଶେଷ ଭୂମିକା ଗ୍ରହଣ କରିଥିଲେ। ତା’ସହିତ ଠାକୁରଙ୍କ ସେବାରେ କିଛି ଯେମିତି ଅସୁବିଧା ନହୁଏ, ସେଥିପାଇଁ ସିଏ ସମସ୍ତ ସେବକଙ୍କୁ କିଛି କିଛି ଜମି ମଧ୍ୟ ପ୍ରଦାନ କରିଥିଲେ। ଏହି ମନ୍ଦିରରେ ବଡ଼ଠାକୁର ଶ୍ରୀବଳଦେବ, ମା’ ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ମାଧବଙ୍କ ସମେତ ବହୁ ପାର୍ଶ୍ୱ ଦେବଦେବୀଙ୍କର ମୂର୍ତ୍ତି ଥିବାର ମଧ୍ୟ ଦେଖିବାକୁ ମିଳିଥାଏ। ସେହିପରି ଆଉ ଏକ ପ୍ରାମାଣିକ ତଥ୍ୟ ଅନୁଯାୟୀ, ଏହି ଗ୍ରାମପଞ୍ଚାୟତରେ ପୂର୍ବରୁ ଜଗନ୍ନାଥପୁର ଶାସନ, ବଳଭଦ୍ରପୁର ଶାସନ ଓ ସୁଭଦ୍ରାପୁର ଶାସନ ଭାବେ ତିନୋଟି ବ୍ରାହ୍ମଣ ଶାସନ ସେତେବେଳର ସାମନ୍ତ (ଜମିଦାର) ସ୍ଥାପନା କରିଥିଲେ। ତେବେ ବର୍ତ୍ତମାନ ଯେଉଁ ମନ୍ଦିରରେ ଠାକୁରମାନେ ପୂଜା ପାଉଛନ୍ତି, ତାହା କୁଆଡ଼େ ସାତ ନମ୍ବର ମନ୍ଦିର। ଅର୍ଥାତ୍‌ ସମୟକ୍ରମେ ମୂଳମନ୍ଦିର ପୁରୁଣା ହୋଇଯିବାରୁ ତାହାକୁ ପୁନଃ ନିର୍ମାଣ କରାଯାଇଥିଲା। ଏହିପରି ଛଅ ଥର ନିର୍ମାଣ ହୋଇସାରିବା ପରେ ଏହା ହେଉଛି ସାତ ନମ୍ବର ମନ୍ଦିର; ଯାହାକୁ ବିଭିନ୍ନ ଦାତବ୍ୟ ବ୍ୟକ୍ତିମାନଙ୍କ ସାହାଯ୍ୟରେ ୨୦୧୧ ମସିହାରେ ପ୍ରତିଷ୍ଠା କରାଯାଇଛି।

ରଥଯାତ୍ରା
ପ୍ରତିବର୍ଷ ଏଠାରେ ରଥଯାତ୍ରା ପାଳନ କରାଯାଇଥାଏ। ସୂଚନାନୁଯାୟୀ, ପୂର୍ବରୁ ଏଠାରେ ରଥ ସନ୍ଧ୍ୟା ପରେ ଟଣାଯାଉଥିଲା, କାରଣ ସେତେବେଳେ ଏଠାରେ ପ୍ରାୟ ସମସ୍ତେ କୃଷି ଉପରେ ନିର୍ଭର କରି ଚଳୁଥିଲେ। ସକାଳେ ଚାଷ କାମ ସାରି ସନ୍ଧ୍ୟାରେ ଏକତ୍ରିତ ହୋଇ ମହାଆନନ୍ଦରେ ସେମାନେ ରଥ ଟାଣୁଥିଲେ। ଏବେ ବି ଦିନରେ ପହଣ୍ଡିବିଜେ, ଛେରାପହଁରା ଆଦି ନୀତି ହୋଇ ରଥ ଟଣାଯାଇ ଅଳ୍ପ ଦୂରରେ ଥିବା ଗୁଣ୍ଡିଚା ମନ୍ଦିରରେ ରଥ ପହଞ୍ଚତ୍ଲା ବେଳକୁ ପ୍ରାୟ ରାତି ୧୧ଟା ହୋଇଯାଉଛି। ଗୋଟିଏ ରଥରେ ହିଁ ଚତୁର୍ଦ୍ଧାମୂର୍ତ୍ତି ଗୁଣ୍ଡିଚା ଘରକୁ ଯାଇଥାନ୍ତି। ରଥରେ ଖୁରୁମା (ମଇଦା ଚିନିରେ ତିଆରି ଏକ ଖାଦ୍ୟ) ଭୋଗ ଲଗାଯିବାର ଏଠାରେ ଏକ ବିଧି ରହିଛି। ହେରାପଞ୍ଚମୀ ହେଉ ଅବା ସୁନାବେଶ, ଅଧରପଣା ନୀତି ଏପରିକି ନୀଳାଦ୍ରି ବିଜେରେ ରସଗୋଲା ଭୋଗ ହେବାର ପରମ୍ପରା ବି ଏଠାରେ ଦେଖିବାକୁ ମିଳିଥାଏ। ସବୁଠୁ ବଡ଼ କଥା ହେଉଛି ରଥଯାତ୍ରା ସମୟରେ ଏଠାରେ ନଅଦିନ ବ୍ୟାପି ଏକ ମେଳା ମହୋତ୍ସବର ଆୟୋଜନ କରାଯାଇଥାଏ; ଯାହାକୁ ଦେଖିବାକୁ ଆଖପାଖ ପାଞ୍ଚ ଖଣ୍ଡ ଗାଁର ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି।

ତେବେ ଏହି ବିଜେସ୍ଥଳୀ ୧୯୫୫ ମସିହାରେ ସରକାରଙ୍କ ଦେବୋତ୍ତର ବିଭାଗରେ ଶ୍ରୀଜଗନ୍ନାଥ ଜୀଉ ବିଜେ, ଶାସଙ୍ଗ ନାମରେ ପଞ୍ଜୀକୃତ ହୋଇସାରିଥିଲେ ବି ଗାଁ କନିଆ ଭଳି ଏଠାକାର ଶ୍ରୀଜୀଉମାନଙ୍କ ଏତେ ପୁରାତନ ବିଜେ ସ୍ଥଳୀ ସରକାରୀ ଉଦାସୀନତା ଓ ଆଜିର ଚାକଚକ୍ୟଭରା ଭିତରେ ଦବି ହୋଇ ରହିଯାଇଛି। ସରକାରଙ୍କର ଆତ୍ମଇଚ୍ଛା ଓ ଲୋକମାନଙ୍କ ସହଯୋଗ ରହିଲେ ମହାପ୍ରଭୁଙ୍କର ଏହି ପୀଠଟି ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇପାରନ୍ତା।
– ମାନସ ବିଶ୍ୱାଳ


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?